ପକ୍ଷୀଙ୍କ ସହ ଯୁଦ୍ଧ!

ଏକ ନିର୍ଦିଷ୍ଟ ଅଞ୍ଚଳରେ ଶିକାରୀଙ୍କ ଅଭାବ ସଙ୍ଗକୁ ତୃଣଭୋଜୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ମିଳିଲେ ପ୍ରକୃତିର ଭାରସାମ୍ୟ ନଷ୍ଟ ହୁଏ ଏବ˚ ସେମାନଙ୍କ ସ˚ଖ୍ୟା ବହୁ ପରିମାଣରେ ବଢ଼ିଚାଲେ। ଆଉ ଏହାର ଗୋଟିଏ କୁ-ପରିଣାମ ସ୍ବରୂପ ସେମାନେ ଜନବସତିରେ ପଶି ଯାବତୀୟ ବିଶୃଙ୍ଖଳା ସୃଷ୍ଟି କରନ୍ତି। ମଣିଷର ଶତ୍ରୁ ପାଲଟନ୍ତି। ମଣିଷ ପଶୁ-ପକ୍ଷୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କ ବିରୋଧରେ ଏପରିକି ଯୁଦ୍ଧ ଲଢ଼ିଥିବାର ଦୃଷ୍ଟାନ୍ତ ରହିଛି। ଗତ ଶହେ ବର୍ଷ ଭିତରେ କେବଳ ଅଷ୍ଟ୍ରେଲିଆରେ ଏ ଭଳି ଘଟନା ଅନ୍ୟୂନ ଦୁଇ ଥର ଘଟିଥିବା ଜଣାଯାଏ।

ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଥିଲା ୧୯୩୨ରେ। ସେତେ ବେଳେ ପଶ୍ଚିମ ଅଷ୍ଟ୍ରେଲିଆ ଅନ୍ତର୍ଗତ କାମ୍ପିଅନ୍‌ ପ୍ରଦେଶରେ ଇମ୍ୟୁ ପକ୍ଷୀଙ୍କ ସ˚ଖ୍ୟା ଏତେ ବଢ଼ିଯାଇଥିଲା ଯେ, ଗ୍ରୀଷ୍ମ କାଳରେ ଖାଦ୍ୟ-ପାନୀୟ ଅଭାବ ଯୋଗୁଁ ସେମାନେ ଜନ-ବସତିମୁହାଁ ହୋଇଥିଲେ। ପରିସ୍ଥିତି ପକ୍ଷୀଙ୍କ ସପକ୍ଷରେ ଯିବାରୁ ସରକାର ଇମ୍ୟୁ ଦମନ ଦାୟିତ୍ବ ‘ରୟାଲ୍‌ ଅଷ୍ଟ୍ରେଲିଆନ୍‌ ଆର୍ଟିଲାରି କମାଣ୍ତ୍‌’କୁ ଦେଇଥିଲେ। ତାହା ଇମ୍ୟୁ ଯୁଦ୍ଧ ଭାବେ ଜଣାଶୁଣା। ମେଜର‌୍‌ ମେରିଡିଥ୍‌ ଦୁଇଟି ଲୁଇସ୍‌ ମେସିନ୍‌ ଗନ୍‌, ଦଶ ହଜାର ରାଉଣ୍ତ୍‌ ଗୁଳି ଏବ˚ କିଛି ସୈନିକଙ୍କୁ ନେଇ, ସରକାରୀ ନିର୍ଦେଶ ପାଳନ କରିଥିଲେ। ତେବେ, ସାତ ଦିନ ଲାଗିଲାଗି ତାଙ୍କ ବାହିନୀ ମାରିପାରିଥିଲା ମାତ୍ର ପାଞ୍ଚ ଶହ ଭିତରେ ଇମ୍ୟୁ। ଗୁଳି ଖାଇବା ପରେ ବି ସେଗୁଡ଼ିକ ଖସିଯାଇପାରୁଥିଲେ। ପୁଣି, ଘଣ୍ଟାକୁ ତିରିଶ ମାଇଲ୍‌ ବେଗରେ ଦଉଡ଼ୁଥିବାରୁ ସେମାନଙ୍କ ଦେହରେ ସହଜରେ ଗୁଳି ଲାଗୁ ନ ଥିଲା। ସାତ ଦିନ ପରେ ଇମ୍ୟୁ ଯୁଦ୍ଧ ବନ୍ଦ କରାଯାଇଥିଲା। ପକ୍ଷୀଙ୍କ ବିରୋଧରେ ଅଷ୍ଟ୍ରେଲିଆ ଯୁଦ୍ଧ ଜିତିପାରି ନ ଥିଲା ବୋଲି ଆଜି ବି ପରିହାସ କରାଯାଏ।

ସମ୍ବନ୍ଧିତ ଖବର