ଖେଳ ଦେଖିବା ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନକୁ ପ୍ରଭାବିତ କରିପାରେ

ଟୋରୋଣ୍ଟୋ: ସ୍ପୋର୍ଟସ୍‌ ଇଭେଣ୍ଟ୍‌ ହୃଦ୍‌ସ୍ପନ୍ଦନ ବେଗକୁ ଖୁବ୍‌ ଦ୍ରୁତ କରିପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଉଭୟ ବିଜୟର ବେପଥୁ ଏବଂ ପରାଜୟର ଗ୍ଳାନି ହୃତ୍‌ପିଣ୍ଡ ପାଇଁ କ୍ଷତି କାରକ ହୋଇପାରେ।

କାନାଡାସ୍ଥିତ ମନ୍‌ଟ୍ରିଲ୍‌ ବିଶ୍ୱବିଦ୍ୟାଳୟର ଗବେଷକଗଣ ଏକ ହକି ମ୍ୟାଚ୍‌ ଦେଖୁଥିବା ଦର୍ଶକମାନଙ୍କର ପଲ୍‌ସ୍‌ ରେଟ୍‌ ନେଇଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଏହି ମ୍ୟାଚ୍‌କୁ ଟିଭିରେ ଦେଖୁଥିବା ଦର୍ଶକମାନଙ୍କ ହୃଦ୍‌ସ୍ପନ୍ଦନ ବେଗ ଶତକଡ଼ା ୭୫ ଭାଗ ବଢ଼ିଥିବାବେଳେ ସିଧାସଳଖ ମ୍ୟାଚ୍‌ ଦେଖୁଥିବା ଦର୍ଶକମାନଙ୍କ ହୃଦ୍‌ସ୍ପନ୍ଦନ ବେଗ ଶତକଡ଼ା ୧୧୦ ଭାଗ ବଢ଼ିଯାଇଥିଲା।

ଖେଳ ଅନୁଷ୍ଠାନ ଏବଂ ହୃଦ୍‌ସ୍ପନ୍ଦନ ବେଗ ମଧ୍ୟରେ ସମ୍ପର୍କ ଥିବା କଥା ପୂର୍ବ ଅଧ୍ୟୟନରୁ ଜଣା ପଡ଼ିଥିଲା। କିନ୍ତୁ, ପ୍ରଥମ ଥର ପାଇଁ ହକି ଖେଳରେ ଧ୍ୟାନ ଦିଆଯାଇ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି।

ସେମିତି ଦେଖିବାକୁ ଗଲେ ଖେଳ ଦେଖୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କର ହୃଦ୍‌ସ୍ପନ୍ଦନ ବେଗ ଶତକଡ଼ା ୯୨% ବଢ଼ି ଯାଇଥାଏ ଅର୍ଥାତ୍‌ ଦୁଇଗୁଣ ହୋଇଯାଏ।

ମନ୍‌ଟ୍ରିଲ୍‌ ବିଶ୍ୱବିଦ୍ୟାଳୟର ପଲ୍‌ ଖୈରି କହନ୍ତି: ଆମର ଫଳାଫଳ ସୂଚାଉଛି ଯେ ହୃଦ୍‌ସ୍ପନ୍ଦନ ବେଗ ବଢ଼ାଉ ଥିବାରୁ ହକି ଖେଳ ଦେଖିବା ତୀବ୍ର ଆବେଗିକ ଚାପର ଉତ୍ସ ଭଳି।
ଯେ କୌଣସି ଖେଳର ଅନ୍ତିମ ପର୍ଯ୍ୟାୟରେ ହୃଦ୍‌ସ୍ପନ୍ଦନ ବେଗ ଶୀର୍ଷରେ ପହଞ୍ଚି ଥାଏ। ଗବେଷକଗଣ ଜାଣିବାକୁ ପାଇଛନ୍ତି ଯେ କୌଣସି ସ୍କୋର୍‌ କରିବା ସମୟରେ ହୃଦ୍‌ସ୍ପନ୍ଦନର ବେଗ ଶୀର୍ଷକୁ ଚାଲିଯାଇ ଥାଏ।

ଅଂଶ ଗ୍ରହଣ କରିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତରୀ ପୂରଣ କରିବାକୁ କୁହାଯାଇଥିଲା। ଏଥିରେ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟାବସ୍ଥା ଆକଳନ କରାଯିବା ସହ ସେମାନଙ୍କ ଆବେଗୀୟ ସ୍କୋର୍‌ ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ଜଣେ ବ୍ୟକ୍ତି କେତେ ପରିମାଣରେ ଦଳ ସହ ମଜ୍ଜି ଯାଇ ଥାଏ ତାହା ଏହି ପଦ୍ଧତିରୁ ଜଣାପଡ଼େ।

ପୂର୍ବରୁ ଫୁଟ୍‌ବଲ୍‌ ଖେଳରେ କରାଯାଇଥିବା ଅଧ୍ୟୟନରୁ ଗବେଷକମାନେ ଫ୍ୟାନ୍‌ ପେସନ୍‌ ସ୍କୋର୍‌କୁ ଗୃହୀତ କରିଥିଲେ। କିନ୍ତୁ, ସେମାନେ ଦେଖିଲେ ଯେ ହକି ଖେଳ କ୍ଷେତ୍ରରେ ହୃଦ୍‌ସ୍ପନ୍ଦନର ବେଗ ଭିନ୍ନ ହେଉଛି।

 

ସମ୍ବନ୍ଧିତ ଖବର