ବାୟୁର ଅନ୍ୟନାମ ପ୍ରାଣ ଓ ଜଳର ଅନ୍ୟନାମ ଜୀବନ। ପାଣି ଓ ପବନ ବିନା ଜୀବନ ବଞ୍ଚିବା ସମ୍ଭବ ନୁହେଁ। କିନ୍ତୁ ସମ୍ପ୍ରତି ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଅନେକ ସ୍ଥାନରେ ଉତ୍କଟ ଜଳସଂକଟ ଦେଖାଦେଇଛି। ଏଥି ଯୋଗୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ବିବାଦ ବି ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।
ୟୁନେସ୍କୋର ୨୦୨୨ ୟୁନାଇଟେଡ୍ ନେସନ୍ସ ୱାର୍ଲଡ ୱାଟର ଡେଭଲପମେଣ୍ଟ ରିପୋର୍ଟ ଅନୁସାରେ ଝରଣା, ହ୍ରଦ, ଭୂତଳ ଜଳଭଣ୍ଡାର ଏବଂ ମାନବକୃତ ଜଳଭଣ୍ଡାରଗୁଡ଼ିକରୁ ଯେଉଁ ହାରରେ ଜଳ ଉତ୍ତୋଳନ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଏହାଦ୍ବାରା ଭାରତ ତଥା ବିଶ୍ବର ବିଭିନ୍ନ ସ୍ଥାନରେ ଜଳସଂକଟ ବୃଦ୍ଧି ପାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ନୂଆ ଜଳ ରିପୋର୍ଟରେ ଏଭଳି ସଂକଟ ନେଇ ଚେତାବନୀ ଦିଆଯାଇଛି। ବିଶ୍ବର କୋଟି କୋଟି ଲୋକ ସମ୍ପ୍ରତି ପାନୀୟ ଜଳ ଅଭାବର ସମ୍ମୁଖୀନ ହେଉଥିବା ଏଥିରେ କୁହାଯାଇଛି।
ରିପୋର୍ଟର ଶୀର୍ଷକ ହେଉଛି: ଗ୍ରାଉଣ୍ଡ ୱାଟର: ମେକିଂ ଦ ଇନ୍ଭିଜିବ୍ଲ ଭିଜିବ୍ଲ। ସାରା ବିଶ୍ବରେ ଭୂତଳ ଜଳ ପରିଚାଳନାକୁ ନେଇ ରହିଥିବା ଆହ୍ବାନ ଓ ସୁଯୋଗ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଛି। ରିପୋର୍ଟ ଅନୁସାରେ ସାରା ପୃଥିବୀରେ ପାନୀୟ ରୂପେ ବ୍ୟବହାର କରାଯାଉଥିବା ଜଳର ୯୯ ପ୍ରତିଶତ ଭୂତଳରୁ ହିଁ ଆସିଥାଏ। ମାତ୍ର ଏହି ପ୍ରାକୃତିକ ଉତ୍ସକୁ ଲୋକେ ଠିକ୍ ଭାବରେ ବୁଝିନାହାନ୍ତି, ଫଳରେ ଏହାର ସୁପରିଚାଳନା ହେଉନାହିଁ ଏବଂ ଅପବ୍ୟବହାର ବି କରାଯାଉଛି।
ଜଳର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି। ନିକଟରେ ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସପ୍ତାହକୁ ଷ୍ଟକ୍ହୋମ୍ ଓ ସ୍ବିଡେନରେ ବିଶ୍ବ ଜଳ ସପ୍ତାହ ଭାବେ ପାଳନ କରାଯାଇଛି। ଏହି ଅବସରରେ ‘ଅଦୃଶ୍ୟକୁ ଦେଖିବା: ଜଳର ମୂଲ୍ୟ’ (ସିଇଂ ଦ ଅନସିନ: ଦ ଭାଲ୍ୟୁ ଅଫ୍ ୱାଟର’ ବିଷୟବସ୍ତୁ ଉପରେ ଅନେକ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ମାସରେ ପ୍ୟାରିସଠାରେ ହେବାକୁ ଥିବା ଜାତିସଂଘର ଭୂତଳ ଜଳ ସମ୍ମିଳନୀ ପୂର୍ବରୁ ଜଳ ଏଜେଣ୍ଡାକୁ ଜନସମ୍ମୁଖକୁ ଆଣିବା ଥିଲା ଏହାର ଉଦ୍ଦେଶ୍ୟ। ଏହି ଏଜେଣ୍ଡା ଉପରେ ୨୦୨୩ ମାର୍ଚ୍ଚ ମାସରେ ନ୍ୟୁୟର୍କଠାରେ ଜାତିସଂଘ ଜଳ ସମ୍ମିଳନୀରେ ଅଧିକ ଆଲୋଚନା ହେବ। ଏକ ଇଣ୍ଟରାକ୍ଟିଭ୍ ୱେବ୍ ଟୁଲ୍ ‘ଜଳ ସଂକଟ ଘଡ଼ି’ (ୱାଟର ସ୍କାର୍ସିଟି କ୍ଲକ୍) ଦର୍ଶାଉଛି ଯେ ବିଭିନ୍ନ ଦେଶର ପ୍ରାୟ ୨୦୦ କୋଟି ଲୋକ ସମ୍ପ୍ରତି ବ୍ୟବହାରଯୋଗ୍ୟ ଜଳର ଅଭାବ ଅନୁଭବ କରୁଛନ୍ତି ଏବଂ ଏହି ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ବିଶ୍ବ ମରୁଡ଼ି ଆଶଙ୍କା ଓ ଜଳ ଚାପ ମାନଚିତ୍ର (୨୦୧୯) ଦର୍ଶାଉଛି ଯେ ଭାରତର ଅନେକ ଅଞ୍ଚଳରେ, ବିଶେଷତଃ ପଶ୍ଚିମ, କେନ୍ଦ୍ରୀୟ ଓ ଉପଦ୍ବୀପୀୟ ଅଞ୍ଚଳରେ ଜଳର ଅଭାବ ଅଧିକ ଅନୁଭୂତ ହେଉଛି। ନୀତି ଆୟୋଗର ରିପୋର୍ଟ ‘କମ୍ପୋଜିଟ୍ ୱାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ’ (୨୦୧୮) ଚେତାବନୀ ଦେଇଛି ଯେ ଆଗକୁ ଦେଶର ପ୍ରାୟ ୬୦ କୋଟି ଲୋକ ଉତ୍କଟ ଜଳ ସଂକଟର ସମ୍ମୁଖୀନ ହୋଇପାରନ୍ତି।
ଜଳ ପାଇଁ ପ୍ରତିଯୋଗିତା: ଯେଉଁ ଅଞ୍ଚଳରେ ଅଧିକ ଜଳର ଅଭାବ ରହିଛି, ବିଶେଷତଃ ନିପଟ ଅବିକଶିତ ଅଞ୍ଚଳ ଓ ଉଠାଣି ଅଞ୍ଚଳଗୁଡ଼ିକ ଭୂତଳ ଜଳଭଣ୍ଡାରୁ ଜଳ ଟାଣୁଛନ୍ତି। ଏହା ଫଳରେ ଆଞ୍ଚଳିକ ପ୍ରତିଯୋଗିତା ବୃଦ୍ଧି ପାଉଛି। କଳକାରଖାନା ତଥା ସହରାଞ୍ଚଳରେ ଅଧିକ ଜଳର ଆବଶ୍ୟକତା ପଡ଼ୁଥିବାରୁ ସେମାନେ ନିକଟସ୍ଥ ଗ୍ରାମାଞ୍ଚଳର ଜଳକୁ ଟାଣି ନେଇ ବ୍ୟବହାର କରୁଥିବାରୁ ଗ୍ରାମାଞ୍ଚଳରେ ଜଳର ଅଭାବ ପଡ଼ୁଛି। ଏହା ଫଳରେ ଅନେକ ଦେଶରେ ବିଂଶ ଶତାବ୍ଦୀରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଜଳବିବାଦ ଚିନ୍ତାର ବିଷୟ ହୋଇଛି।
ଏକ ୨୦୧୯ ରିଭ୍ୟୁ ପେପର ଅନୁସାରେ ବିଶ୍ବରେ ସହରୀ ଜଳ ଭିତ୍ତିଭୂମି ଦୈନିକ ପ୍ରାୟ ୫୦୦ ବିଲିୟନ ଲିଟର ଜଳ ୨୭,୦୦୦ କିମି ପରିଧିରୁ ଆହରଣ କରିଥାଏ। ବିଶ୍ବର ପ୍ରାୟ ୧୨ ପ୍ରତିଶତ ବଡ଼ ସହର ଇଣ୍ଟର-ବେସିନ ଟ୍ରାନ୍ସଫର ଉପରେ ନିର୍ଭର କରନ୍ତି। ଏହାର ତିନି ପ୍ରକାର ବିପଦ ରହିଛି ଯଥା ଜୈବଭୌତିକ, ସାମାଜିକ-ଅର୍ଥନୈତିକ ଓ ପ୍ରଶାସନିକ। ଭାରତ ସମେତ ଦକ୍ଷିଣ ଏସିଆରେ ଜୈବଭୌତିକ ଓ ସାମାଜିକ-ଅର୍ଥନୈତିକ ବିପଦ ଅଧିକ।