ଭୋପାଳ : ମଧ୍ୟପ୍ରଦେଶର ଜୀବନରେଖା ନର୍ମଦା ନଦୀର ପାଣି ଏବେ ପିଇବା ଉପଯୋଗୀ ହୋଇ ରହିନାହିଁ। ଏପରିକି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବି ଏହି ନଦୀର ପାଣିକୁ ଅନୁପଯୁକ୍ତ କୁହାଯାଉଛି। ଏହି ପାଣିରୁ ଏପରି ବ୍ୟାକ୍ଟେରିଆ ମିଳିଛି, ଯାହାକି ମଣିଷମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ।

Advertisment

ମୁମ୍ବାଇରେ ଥିବା ଅନ୍ତରା‌ଷ୍ଟ୍ରୀୟସ୍ତରର ପ୍ରୟୋଗଶାଳାରେ ନଦୀ ପାଣିର ବୈଜ୍ଞାନିକ ପରୀକ୍ଷଣ ହେବାରୁ ଏ ସଂପର୍କରେ ତଥ୍ୟ ସ୍ପଷ୍ଟ ‌ହୋଇଛି। ଏହି ପରୀକ୍ଷଣ ‘ନର୍ମଦା ବଚାଓ ଆନ୍ଦୋଳନ’ ସହ ଜଡ଼ିତ ତଥା ବଡ଼ବାନୀର ବାସିନ୍ଦା କମଳା ଯାଦବ କରାଇଛନ୍ତି।

ଆନ୍ଦେଳନ ସହ ଜଡ଼ିତଥିବା କର୍ମକର୍ତ୍ତାମାନେ ଅନେକ ପୂର୍ବରୁ ଲକ୍ଷ୍ୟ କରି ଅସୁଥିଲେ ଯେ ନର୍ମଦା ନଦୀର ଜଳ ଧୀରେ ଧୀରେ ଅସ୍ବଚ୍ଛ/ପ୍ରଦୂଷିତ ହେବାରେ ଲାଗିଛି। ଏହି ନଦୀ ସହିତ ମିଶିଥିବା କିଛି ନାଳ, କାରଖାନାର ଆବର୍ଜନା ଜଳ ଆଦି ନଦୀ ପାଣି ଦୂଷିତ ହେବାର କାରଣ ବେ‌ଳେ ଜଳୀୟ ଜୀବଙ୍କ କ୍ଷୟ ମଧ୍ୟ ଜଳ ଦୂଷିତର ଅନ୍ୟ ଏକ ପ୍ରମୁଖ କାରଣ ପାଲଟୁଛି।

ସମାଜସେବୀ ମୁକେଶ ‘ଡାଉନ୍‌ ଟୁ ଆର୍ଥ’ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନର୍ମଦା ନଦୀର ସ୍ବାଦ, ରଂଗ ବଦଳିବା ସହ ଏଥିରେ ମଇଳା ଜମିବା‌ରେ ଲାଗିଛି। ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଏହି ପାଣି କେବଳ ପିଇବା ଅନୁପଯୋଗୀ ନୁହେଁ, ବରଂ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବି ଏହା ଉପଯୋଗୀ ନୁହେଁ। ପାଣିରେ କ୍ୟାଲ୍‌ସିୟମର ମାତ୍ରା ୩୦୬ ୟୁନିଟ୍‌ ରହିଥିବା ଜଣାପଡ଼ିଛି, ଯାହାକି ଘାତକ ସାବ୍ୟସ୍ତ ହେବ। ଅଧିକରୁ ଅଧିକ ଏହାର ମାତ୍ରା ୨୦୦ ମଧ୍ୟରେ ରହିବା ଉଚିତ।

ଏହି ପାଣି କିଡ୍‌ନି ରୋଗର କାରଣ ହୋଇପାରେ। ଏଥିରେ ନାଇଟ୍ରେଟ୍‌ ମାତ୍ରା ଲିଟର୍‌ ପିଛା ୪୫ ମିଲିଗ୍ରାମ ଥିବା ଜଣାପଡ଼ିଛି, ଯାହାକି ଆଦୌ ସୁସ୍ଥକର ନୁହେଁ। ଆମୋନିଆ ମାତ୍ରା ଲିଟର୍‌ ପିଛା ୦.୫ ମିଲିଗ୍ରାମ ରହିଛି, ଯାହାର କୁପ୍ରଭାବ କେବଳ ମଣିଷ ନୁହେଁ, ମାଛ ଉପରେ ବି ପଡୁଛି। ଏହି ପାଣିରେ କୋଲିଫର୍ମ ବ୍ୟାକ୍ଟେରିଆ ଓ ଇ-କୋଲି ବ୍ୟାକ୍ଟେରିଆ ଜୀବାଣୁ ବି ଚିହ୍ନଟ ‌ହୋଇଛି।