ଜଳକ୍ରୀଡ଼ାର ସହଚରୀ ‘ଶ୍ରୀଦେବୀ’

ଭୂଦେବୀଙ୍କ ପରି ଶ୍ରୀଦେବୀ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାରେ ଶ୍ରୀମଦନମୋହନଙ୍କର ଜଳକ୍ରୀଡ଼ାର ସହଚରୀ ହୋଇଥାନ୍ତି। ‘ବିଷ୍ଣୁପୁରାଣ’ରେ ଲକ୍ଷ୍ମୀଙ୍କୁ ‘ଶ୍ରୀଦେବୀ’ କୁହାଯାଇଛି। ଦୁଇ ହସ୍ତରେ ଦୁଇଟି ପଦ୍ମପୁଷ୍ପ ଧରି, ସାଗର ମନ୍ଥନ କାଳରେ ସେ ଜଳରୁ ଆବିର୍ଭୂତ ହୋଇଥିଲେ। ଦିଗ୍‌ଗଜମାନେ ପୂର୍ଣ୍ଣକଳସ ଜଳରେ ତାଙ୍କର ଅଭିଷେକ କରିଥିଲେ। ମହର୍ଷିମାନେ ତାଙ୍କୁ ‘ଶ୍ରୀସୂକ୍ତ’ରେ ସ୍ତବ କରିଥିଲେ। ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥରେ ତାଙ୍କୁ ‘ତପ୍ତକାଞ୍ଚନବର୍ଣ୍ଣା’ ବୋଲି ବର୍ଣ୍ଣନା କରାଯାଇଛି। ‘ଭାଗବତ’ ଅନୁସାରେ, ସେ ବିଦ୍ୟୁତ୍‌ବର୍ଣ୍ଣା। ସେଥିପାଇଁ ତାଙ୍କର ବିଗ୍ରହ ସ୍ୱର୍ଣ୍ଣନିର୍ମିତ। ପୁରୀ ଶ୍ରୀମନ୍ଦିର ପରିସରରେ ଦେବୀ ଲକ୍ଷ୍ମୀଙ୍କର ଯେଉଁ ସ୍ୱତନ୍ତ୍ର ମନ୍ଦିର ଅଛି, ସେଥିରେ ପୂଜିତା ଦେବୀଙ୍କର ପ୍ରସ୍ତର ବିଗ୍ରହ ଚତୁର୍ଭୁଜା। ତାଙ୍କର ଉପର ଦୁଇ ହସ୍ତରେ ପଦ୍ମ ଥିବା ବେଳେ ନିମ୍ନ ଦୁଇ ହସ୍ତ ଅଭୟ ଓ ବରଦ ମୁଦ୍ରାରେ ରହିଛି। ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ବାମ ପାଶ୍ୱର୍ରେ ଅବସ୍ଥାପିତା ଦେବୀ ଲକ୍ଷ୍ମୀଙ୍କର ସ୍ୱର୍ଣ୍ଣ ବିଗ୍ରହ ମଧ୍ୟ ଚତୁର୍ଭୁଜା ଏବଂ ତାଙ୍କର ଉପର ଦୁଇ ହସ୍ତରେ ପଦ୍ମ ଥିବାବେଳେ ନିମ୍ନ ଦୁଇ ହସ୍ତ ଅଭୟ ଓ ବରଦ ମୁଦ୍ରାରେ ରହିଛି।

ଭୂଦେବୀଙ୍କ ପରି ଶ୍ରୀଦେବୀ ମଧ୍ୟ ରତ୍ନସିଂହାସନର ସପ୍ତଧା ବିଗ୍ରହଙ୍କର ଅନ୍ତର୍ଭୁକ୍ତ। ଏହି ସପ୍ତଧା ବିଗ୍ରହ ବା ସପ୍ତାବରଣ ବିଗ୍ରହଙ୍କୁ ସପ୍ତଲୋକର ପ୍ରତୀକ ବୋଲି କୁହାଯାଇଛି। ସେହି ଅନୁସାରେ- ଭୂଦେବୀ ଭୂଲୋକ ଓ ଶ୍ରୀଦେବୀ ଭୁବଲୋକର ପ୍ରତୀକ। ଐଶ୍ୱର୍ଯ୍ୟ ପ୍ରଦାୟିନୀ ଏହି ଜଗତ୍‌ମାତା ସ୍ୱର୍ଗରେ ସ୍ୱର୍ଗଲକ୍ଷ୍ମୀ, ରାଜ୍ୟରେ ରାଜଲକ୍ଷ୍ମୀ, ଗୃହରେ ଗୃହଲକ୍ଷ୍ମୀ ଏବଂ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀଦେବୀ ରୂପେ ପୂଜା ପାଆନ୍ତି। ସେ ରତ୍ନସିଂହାସନରେ ନିତ୍ୟପୂଜା ପାଉଥିଲେ ହେଁ, ବିଭିନ୍ନ ପର୍ବପର୍ବାଣୀ ସମୟରେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ, ଲକ୍ଷ୍ମୀ, ରୁକ୍ମିଣୀ, ସୀତା ଓ ଶ୍ରୀରାଧା ଆଦି ଭୂମିକା ନିର୍ବାହ କରି ଥାଆନ୍ତି। ଚନ୍ଦନଯାତ୍ରାର ଜଳକ୍ରୀଡ଼ା ସେସବୁ ମଧ୍ୟରୁ ଅନ୍ୟତମ। ଉଭୟ ବାହାର ଚନ୍ଦନଯାତ୍ରା ଓ ଭିତର ଚନ୍ଦନଯାତ୍ରାରେ, ଭୂଦେବୀଙ୍କ ପରି ସେ ମଧ୍ୟ ଶ୍ରୀମଦନମୋହନଙ୍କ ଜଳକ୍ରୀଡ଼ାର ସହଚରୀ ହୋଇଥାଆନ୍ତି।

ସମ୍ବନ୍ଧିତ ଖବର