ଜଳକ୍ରୀଡ଼ାର ସହଚରୀ: ଶ୍ରୀଦେବୀ

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାରେ, ତାଙ୍କର ଉତ୍ସବ ପ୍ରତିମା ଶ୍ରୀମଦନମୋହନଙ୍କ ସହିତ ଯେଉଁ ଦୁଇ ସହଚରୀ ରହିଥାଆନ୍ତି- ସେ ଦୁହେଁ ହେଉଛନ୍ତି ଭୂଦେବୀ ଓ ଶ୍ରୀଦେବୀ। ଏହି ଦୁଇ ଦେବୀ ଶ୍ରୀଜଗନ୍ନାଥଙ୍କର ଦୁଇ ଶକ୍ତି ଏବଂ ରତ୍ନସିଂହାସନର ସପ୍ତଧା ବିଗ୍ରହଙ୍କର ଅନ୍ତର୍ଭୁକ୍ତ। ଐତିହାସିକ ସୂତ୍ର ଅନୁସାରେ- ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଏ ଦୁଇ ଦେବୀ ରତ୍ନସିଂହାସନରେ ସ୍ଥାନ ପାଇଥିଲେ। ତା’ପୂର୍ବରୁ ଉତ୍ସବ ପ୍ରତିମା ଭାବରେ ତାଙ୍କର ସ୍ଥାନ ଥିଲା ଶ୍ରୀମନ୍ଦିରର ଦକ୍ଷିଣୀ ଘର।

ଭୂଦେବୀ ରୌପ୍ୟ ପ୍ରତିମା। କାଠର ଛାଞ୍ଚ ଉପରେ ରୂପାର ଛାଉଣୀ ଦିଆଯାଇ ଏହି ପ୍ରତିମା ନିର୍ମିତା। ଏ ପ୍ରତିମା ଦ୍ୱିଭୁଜା ଓ ପଦ୍ମାସନରେ ଆସୀନା। ତାଙ୍କର ବାମ ହସ୍ତରେ ରହିଛି ପଦ୍ମ ଏବଂ ଦକ୍ଷିଣ ହସ୍ତ ରହିଛି ବଦ୍ଧମୁଷ୍ଟି ମୁଦ୍ରାରେ। ଏହି ବଦ୍ଧମୁଷ୍ଟି ହେଉଛି- ଜ୍ଞାନମୁଦ୍ରା ବା ବିଦ୍ୟାମୁଦ୍ରା। ‘ନୀଳାଦ୍ରି ମହୋଦୟ’ ଅନୁସାରେ- ସେ ଶ୍ୱେତବର୍ଣ୍ଣା ଏବଂ ବିଶ୍ୱଧାତ୍ରୀ, ଧରାଦେବୀ ବା ପୃଥ୍ୱୀ। ସେହି ବର୍ଣ୍ଣନା ହେଉଛି- “ଧାରୟନ୍ତୀ ଧରାଦେବୀ ପ୍ରକାଶା ଧବଳାକୃତିଃ।” ସେ ଧରାକୁ ଧାରଣ କରନ୍ତି ଏବଂ ବିଷ୍ଣୁଙ୍କର ଶକ୍ତି ଭାବେ ବିଶ୍ୱକୁ ପାଳନ କରନ୍ତି। ‘ଶାରଦା ତିଳକ’ରେ ମଧ୍ୟ ଏହି ଭାବରେ ତାଙ୍କର ବର୍ଣ୍ଣନା ଅଛି। କିନ୍ତୁ ‘ବାମଦେବ ସଂହିତା’ରେ ତାଙ୍କୁ ‘ପୃଥ୍ୱୀ’ କୁହାଯିବା ସହିତ କୁହାଯାଇଛି ‘ସରସ୍ୱତୀ’। ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କର ବାମ ଓ ଦକ୍ଷିଣ ପାର୍ଶ୍ବରେ ବିରାଜିତା ଏହି ଦୁଇ ଦେବୀ ଲୋକମୁଖରେ ଲକ୍ଷ୍ମୀ ଓ ସରସ୍ୱତୀ ଭାବରେ ସୁବିଦିତା।

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ପାଇଁ ଭୂଦେବୀ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇଥାଆନ୍ତି। ଅକ୍ଷୟତୃତୀୟା ଦିନ ଏହି ଆଜ୍ଞାମାଳ ପାଇ ସେ ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ସହ ବିମାନରେ ଜଳକ୍ରୀଡ଼ାପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାଆନ୍ତି। ସେହିଦିନଠାରୁ ନିର୍ଦ୍ଦିଷ୍ଟ ବିଧିରେ ୨୧ ଦିନ ବାହାର ଚନ୍ଦନ ଓ ୨୧ ଦିନ ଭିତର ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଚନ୍ଦନଯାତ୍ରାର ଜଳକ୍ରୀଡ଼ା ଦର୍ଶନ କଲେ ଇହଲୋକରେ ବିପୁଳ ଧନ ଓ ସୁଖ ଲାଭ ସହିତ ପରଲୋକରେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣିତ ଅଛି।

ସମ୍ବନ୍ଧିତ ଖବର