ଚମତ୍କାରୀ ମନ୍ଦିର ! ଯେଉଁଠି ପାଣିରେ ଜଳେ ଦୀପ

ଇନ୍ଦୋର: ଧର୍ମ ଓ ବିଶ୍ୱାସରେ ଏଭଳି କିଛି ଚମତ୍କାରିତା ହୋଇଥାଏ ଯେଉଁଥିରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆହୁରି ବଢ଼ିଯାଇଥାଏ | ଏଭଳି ଏକ ମନ୍ଦିର ବାବଦରେ ଆଜି ଆମେ କହିବୁ ଯେଉଁଠାରେ ଦୀପ ଜଳାଇବା ପାଇଁ ଘିଅ ବା ତେଲ ର ଆବଶ୍ୟକତା ହୋଇ ନଥାଏ | ଏଠାରେ ଦୀପ ଜଳାଇବା ପାଇଁ ପାଣିର ବ୍ୟବହାର କରାଯାଇଥାଏ | ମଧ୍ୟପ୍ରଦେଶର ସାଜପୁର ଜିଲ୍ଲାର ଗାଡ଼ିଆଘାଟ ଗ୍ରାମରେ ରହିଛି ଗାଡ଼ିଆଘାଟ ମାତାଜୀଙ୍କ ମନ୍ଦିର | କୁହାଯାଉଛି ଯେ ଗତ ୫ ବର୍ଷ ଧରି ଏହି ମନ୍ଦିରରେ ଏକ ଦୀପ ଜଳିଆସୁଛି, ଯେଉଁଥିରେ ଘିଅ ବା ତେଲ ବ୍ୟବହାର କରାଯାଉନାହିଁ ବରଂ ତାହା  ପାଣିରେ ଜଳୁଛି |

photo-patrika

କ’ଣ କହେ କିମ୍ବଦନ୍ତୀ
ପୂଜାରୀ ସିନ୍ଧୁ ସିଂଙ୍କ କହିବା ମୁତାବକ ପୂର୍ବରୁ ଏଠାରେ ଦୀପ ଘିଅ ଓ ତେଲରେ ଜଳିଆସୁଥିଲା | କିନ୍ତୁ ୫ ବର୍ଷ ତଳେ ତାଙ୍କୁ ଦେବୀ ସ୍ୱପ୍ନରେ ଆସି ପାଣିରେ ଦୀପ ଜଳାଇବାକୁ କହିଥିଲେ | ସକାଳେ ଯେତେବେଳେ ପୂଜାରୀ ମନ୍ଦିର ପାଖ ଦେଇ ଯାଉଥିବା କାଳୀସିନ୍ଧ ନଦୀରୁ ପାଣି ଆଣି ଏହି ଦୀପରେ ଢାଳିଥିଲେ ଓ ବଳିତାରେ ନିଆଁ ଲଗାଇଥିଲେ, ଆଶ୍ଚର୍ଯ୍ୟଜନକ ଭାବେ ଦୀପଟି ଜଳିଉଠିଥିଲା | ଏହା ପରଠାରୁ ଦୁଇ ମାସ ଧରି କାହାକୁ କିଛି ନ କହି ସେ ପାଣିରେ ଦୀପ ଜଳାଇଆସୁଥିଲେ |

photo-patrika

ପରେ କିଛି ଗ୍ରାମବାସୀଙ୍କୁ ଏ ବାବଦରେ କହିବା ପରେ ପ୍ରଥମେ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ | ପରେ କିନ୍ତୁ ଯେତେବେଳେ ସମସ୍ତେ ନିଜ ଆଖିରେ ଦେଖିଥିଲେ ଏହି କଥା ଚାରିଆଡେ ବ୍ୟାପି ଯାଇଥିଲା | ତେବେ ବର୍ଷାଦିନେ ଏହି ଦୀପ ଜଳି ନଥାଏ | କାରଣ ବର୍ଷା ସମୟରେ କାଳୀସିନ୍ଧ ନଦୀର ବନ୍ୟା ଆସିବା ଯୋଗୁଁ ଏହି ମନ୍ଦିର ବନ୍ୟା ଜଳରେ ବୁଡ଼ିଯାଇଥାଏ, ଯାହାଫଳରେ ପୂଜା କରିବା ସମ୍ଭବ ହୋଇ ନ ଥାଏ | ଏହା ପରେ ଶାରଦୀୟ ନବରାତ୍ରି ସମୟରେ ପୁଣି ଦୀପ ଜଳାଯାଏ, ଯାହାକି ଆଗାମୀ ବର୍ଷା ଦିନ ଯାଏଁ ନିରବଚ୍ଛିନ୍ନ ଜଳିଥାଏ |

ସମ୍ବନ୍ଧିତ ଖବର