ଗୋଟିଏ ମଲ୍ବେରି ଗଛରୁ ଝରଣା ପରି ପାଣି ଝରୁଥିବାର ଦୃଶ୍ୟ ଦକ୍ଷିଣ ୟୁରୋପର ମଣ୍ଟେନିଗ୍ରୋ ଅନ୍ତର୍ଗତ ଡିନୋସା ବାସିନ୍ଦାଙ୍କୁ ଦୀର୍ଘ ୨୫ ବର୍ଷ ହେଲା ଚମତ୍କୃତ କରି ଆସିଛି। ପ୍ରତି ବର୍ଷ କେତେକ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ଶତାଧିକ ବର୍ଷ ପୁରୁଣା ମଲ୍ବେରି ଗଛରୁ ଖସୁଥିବା ଜଳସ୍ରୋତ ଏକ ଜଳପ୍ରପାତର ଭ୍ରମ ସୃଷ୍ଟି କରିଥାଏ। ଗଛଟିର ଆଦୌ ପତ୍ର ନଥିବା ବେଳେ ଗଣ୍ଡିରୁ କେମିତି ଏତେ ପରିମାଣର ଜଳ ବାହାରୁଛି ବୋଲି ମନରେ କୌତୂହଳ ସୃଷ୍ଟି ହେବା ସ୍ବାଭାବିକ।
ତେବେ ଭୀଷଣ ବର୍ଷା ପରେ ଭୂତଳ ଜଳସ୍ରୋତର ମାତ୍ରାଧିକ ଚାପ ଯୋଗୁଁ ଏହି ଗଛର ଗଣ୍ଡିରୁ ଏପରି ଝରଣା ସମ ଜଳ ବାହାରୁଥିବା ଜଣାଯାଇଛି। ଅବଶ୍ୟ ଭୂଗର୍ଭରୁ ପ୍ରସ୍ରବଣ ପରି ଜଳ ବାହାରିବା ଘଟଣା କିଛି ନୂଆ ନୁହେଁ। ଇଷ୍ଟୋନିଆର ତୁହାଲା ଗ୍ରାମସ୍ଥିତ ଏକ କୂଅରେ ମଧ୍ୟ ଭୀଷଣ ବର୍ଷା ପରେ ଏପରି ପ୍ରସ୍ରବଣ ପରି ଜଳରାଶି ଭାରୀ ସ୍ରୋତରେ ବାହାରୁଥିବା ଜଣାଯାଇଛି। ଉକ୍ତ କୂଅଟି ଏକ ଭୂତଳ ନଦୀଧାର ଉପରେ ଅବସ୍ଥିତ ଥିବାରୁ ଏପରି ଘଟିଥାଏ ବୋଲି ବିଶେଷଜ୍ଞମାନଙ୍କ ମତ।