ବିଭିନ୍ନ ରୂପରେ ପ୍ରକୃତି ତାହାର ବହୁବିଧ ଚମତ୍କାରିତା ଦେଖାଇଥାଏ- ଏ କଥାର ଏକ ବଳିଷ୍ଠ ଉଦାହରଣ ହେଉଛି ଲେବାନନ୍ର ବାଟରା ଜର୍ଜ ଜଳପ୍ରପାତ। ରାଜଧାନୀ ବିରୁଟ୍ ଠାରୁ ୭୬ କି.ମି. ଦୂର ବାଲା ଗାଁ ନିକଟରେ ଅବସ୍ଥିତ ଏହି ନିଆରା ପ୍ରପାତଟିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ ମୁଖ୍ୟତଃ ମାର୍ଚ୍ଚ ଓ ଏପ୍ରିଲ ମାସରେ। କାରଣ ସେତିକିବେଳେ ଲେବାନନ୍ ପାହାଡ଼ର ବରଫଖଣ୍ଡଗୁଡ଼ିକ ତରଳିବା ଆରମ୍ଭ କରିଥା’ନ୍ତି ଯାହା ଏହି ପ୍ରପାତର ମୁଖ୍ୟ ଧାରା ହୋଇ ପ୍ରବାହିତ ହୋଇଥାଏ। ୨୫୫ ମିଟର ଉପରୁ ପତିତ ଜଳଧାରକୁ ଧାରଣ କରିଥିବା ଏହି ପ୍ରପାତର ବିଶେଷତ୍ବ ହେଉଛି ଏଠାରେ ପ୍ରାକୃତିକ ଭାବେ ଗଠିତ ହୋଇଥିବା ତିନିଥାକିଆ ପୋଲ।
ସେଥିପାଇଁ ସ୍ଥାନୀୟ ଲୋକେ ମଧ୍ୟ ଏହି ପ୍ରପାତକୁ ‘ତିନି ପୋଲର ଗୁମ୍ଫା’ ବୋଲି କହିଥା’ନ୍ତି। ବିଶେଷ କରି ଲକ୍ଷ ଲକ୍ଷ ବର୍ଷ ଧରି ଚୂନପଥର କ୍ଷୟରୁ ସୃଷ୍ଟ ଏହି ପ୍ରାକୃତିକ ପୋଲଗୁଡ଼ିକ ଉପର ତଳ ହୋଇ ଏପରି ଝୁଲି ରହିଛନ୍ତି ଯେ ତାହା ଭିତର ଦେଇ ଆଗନ୍ତୁକମାନେ ପାହାଡ଼ର ଗହ୍ବରକୁ ପ୍ରବେଶ କରିପାରିବେ। ଉକ୍ତ ପ୍ରପାତର ସନ୍ନିକଟ ଅଞ୍ଚଳ ଓ ସଂପୃକ୍ତ ଝୁଲନ୍ତା ପୋଲଗୁଡ଼ିକରେ ଚଳପ୍ରଚଳ କରିବା ବିପଜ୍ଜନକ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରନ୍ତର ସତର୍କ କରାଇ ଦିଆଯାଉଛି। ମାତ୍ର ଏଭଳି ବିରଳ ଶୋଭା ଉପଭୋଗ କରିବାକୁ ସେଠାରେ ପହଞ୍ଚୁଥିବା ପର୍ଯ୍ୟକମାନେ ଉକ୍ତ ପୋଲ ବାଟେ ବିଚରଣ କରିବାର ଲୋଭ ସମ୍ବରଣ କରିପାରନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/3-23.jpg)