ମୋନାଲିସା ପରିଡ଼ା

Advertisment

ଦଳ ! ଏଇ ଶବ୍ଦ ପଢ଼ି ଅନେକ ହୁଏତ ରାଜନୈତିକ ଦଳକୁ ଭାବିନେଇ ପାରନ୍ତି। କିନ୍ତୁ ଆମେ ପୋଖରୀ ଓ ଜଳାଶୟରେ ମାଡ଼ି ଯାଉଥିବା ଉଦ୍ଭିଦ ରାଜଦଳ ବିଷୟରେ ଆଲୋଚନା କରିବୁ। ଗାଁଗଣ୍ଡାରୁ ନେଇ ସହର ବଜାର ଯାଏଁ, ସବୁଠି ଗାଡ଼ିଆପୋଖରୀରେ ଦେଖିବାକୁ ମିଳେ ରାଜ ଦଳ। କୌତୁହଳର ବିଷୟ ହେଉଛି ଏହା ମୂଳତଃ ଭାରତୀୟ ଉଦ୍ଭିଦ ନୁହେଁ, ଏହାର ଉତ୍ପତ୍ତି ବିଦେଶରେ। ବ୍ରିଟିିଶ ରାଜ୍ ସମୟରେ ଇଂରେଜ୍ ମାନେ ଏହାକୁ ଭାରତ ଆଣିଥିଲେ। ଏହାର ଫୁୁଲ ବେଶ ଆକର୍ଷଣୀୟ ହୋଇଥିବାରୁ ଘର ସଜାଇବା ଉଦ୍ଦେଶ୍ୟରେ ସେମାନେ ଏହାକୁ ବ୍ୟବହାର କରୁଥିଲେ। ସ୍ବାଧୀନତା ପରେ ଇଂରେଜମାନେ ଦେଶ ଛାଡ଼ି ଚାଲିଯାଇଥିଲେ ବି ଦଳ ଆମକୁ ଛାଡ଼ି ଯାଇନାହିଁ। ଜଳାଶୟଗୁଡ଼ିକୁ ଅକ୍ତିଆର କରି ସମସ୍ୟା ସୃଷ୍ଟି କରୁଛି।

ଓଡ଼ିଶାରେ ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠାରେ ଦଳ ଲୋକଙ୍କ ଜୀବିକା ଉପରେ କୁପ୍ରଭାବ ପକାଉଛି। ପୋଖରୀ ବା ଗାାଡ଼ିଆରେ ଦଳ ମାଡ଼ିଗଲେ ପାଣିର ମାନ ଖରାପ ହେବା ସହ ଜଳଜୀବଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ଚିଲିକା କୂଳ ମଙ୍ଗଳାଯୋଡିରେ ରାଜଦଳ ବଡ଼ ସମସ୍ୟା ପାଲଟିଛି। ମାଛ ଧରିବା ଓ ଡଙ୍ଗା ଚଳାଇବାରେ ଅସୁବିଧା ହେତୁ ଲୋକଙ୍କ ଆୟ କମୁଛି। ଢେର ବର୍ଷ ହେଲାଣି ଏହି ସମସ୍ୟାର ସମାଧାନ ରାସ୍ତା ଖୋଜାଯାଉଥିବା ବେଳେ ପରିବେଶ ବିଜ୍ଞାନର ଗବେଷକ ଡ.ବିଭୁ ପ୍ରସାଦ ପଣ୍ଡା କିଛି ସହଜ ରାସ୍ତା ଆବିଷ୍କାର କରିଛନ୍ତି। 

ରାଜଦଳ ଜରିଆରେ ଜୀବିକାର୍ଜନ ଲାଗି କାର୍ଯ୍ୟ କରୁଥିବା‌ ସଂଗଠନ ଇଣ୍ଡିଆନ୍ ଗ୍ରାମିନ୍ ସର୍ଭିସ୍(ଆଇଜିଏସ୍) ଦଳର ଷଣ୍ଢା ବ୍ୟବହାର କରି ବ୍ୟାଗ୍, ଟୋପି, ପେନ୍ ଷ୍ଟାଣ୍ଡ ଇତ୍ୟାଦି ଜିନିଷ ତିଆରି କରିବା ଶିଖାଇ ଥିଲା। ଏ ଦିଗରେ ଆଇଜିଏସ୍‌ ସହ ମିଶି ଅଧିକ ଗବେଷଣା କରିଥିବା ଡ.ପଣ୍ଡା କହନ୍ତି, ‘‘ସମସ୍ୟା ବିଷୟରେ ଜାଣିବା ପରେ ଏହାର ସମାଧାନ ଖୋଜିବା ପାଇଁ ମଙ୍ଗଳାଯୋଡି ଯାଇ ସେଠାରେ ସବୁ ବର୍ଗର ଲୋକଙ୍କ ସହିତ କଥା ହୋଇଥିଲି। କିଛି ଦିନର ଅନୁୁସନ୍ଧାନ ପରେ ଦଳକୁ ଆଉ କେଉଁ ବାଟରେ ବ୍ୟବହାର କରିହେବ ତାହାର ଏକ ମ୍ୟାନେଜମେଣ୍ଟ ପ୍ଲାନ୍ ପ୍ରସ୍ତୁତ କରିଛି।’’

ସେ କହନ୍ତି,‘‘ଦଳର ପତ୍ରକୁ ଗୋଖାଦ୍ୟ ଭାବେ ବ୍ୟବହାର କରିହେବ, ଷଣ୍ଢାରୁ ଖତ ତିଆରି ହୋଇପାରିବ, ଜୈବଗ୍ୟାସ୍ ତିଆରି ହୋଇପାରିବ, ବ୍ରିକେଟ ତିଆରି ହୋଇପାରିବ, ଯାହାକୁ ଜାଳେଣି ହିସାବରେ ବ୍ୟବହାର କରିହେବ। ମଙ୍ଗଳାଯୋଡିରେ ଲୋକେ ଏ ସବୁ କାମ କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଏବେ ଏ ରାସ୍ତାରେ ବାଧକ ସାଜିଛି ଆର୍ଥିକ ସମସ୍ୟା। କୌଣସି ସରକାରୀ ବା ‌ବେସରକାରୀ ସଂସ୍ଥା ଯଦି ସ୍ଥାନୀୟ ବାସିନ୍ଦାଙ୍କୁ  ସାହାଯ୍ୟ କରନ୍ତି ତେବେ ଦଳରୁ ଲୋକେ ବଳ ସଂଗ୍ରହ କରିବା ସହ ରୋଜଗାରର ରାସ୍ତା ପାଆନ୍ତେ।’’