ଗଜପତି ମହାରାଜାଙ୍କ ପକ୍ଷରୁ ମିଳିଥିବା ତଡ଼ାଉ କରଣ ସେବାର ଅନେକ ଗୁରୁତ୍ବ ରହିଛି। ତଡ଼ାଉ କରଣ ସେବକ ଦୈନିକ ଶ୍ରୀଜୀଉଙ୍କ ଦ୍ବାରଫିଟା ପୂର୍ବରୁ ଶ୍ରୀମନ୍ଦିର ବେହରଣ ଦ୍ବାରରେ ଉପସ୍ଥିତ ହୋଇ ମାଦଳା ପାଞ୍ଜି ଅନୁଯାୟୀ ସେହି ଦିନର ସମସ୍ତ ନୀତି ସମ୍ପର୍କରେ ଦେଉଳ କରଣ ଓ ଚର୍ଚ୍ଚା କର୍ମଚାରୀଙ୍କୁ ସୂଚନା ଦେଇଥାନ୍ତି। ଯେପରିକି ପୁରୁଣା ପାଞ୍ଜିଗୁଡ଼ିକୁ ହଳଦି କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଠାକୁର ଯେଉଁ ଦିନ ଯେଉଁ ବସ୍ତ୍ର ପରିଧାନ ହେବାର କଥା, ତାହା ଚାଙ୍ଗଡ଼ା ମେକାପଙ୍କୁ ଜଣାଇବେ। ବିଜେ ପ୍ରତିମାଙ୍କ ବିଜେ ଦିନମାନଙ୍କରେ ପାଳିଆ ଖୁଣ୍ଟିଆକୁ ଆଜ୍ଞାମାଳ ଲାଗି କରାଇବାକୁ କହିବେ। ସାହାଣ ମେଲା ସମୟରେ ସିଂହାସନ ତଳେ ରହି ପାଳିଆ ମେକାପ ପଛରେ ଉପସ୍ଥିତ ରହି ଭେଟ ପିଣ୍ଡିକାଦି ପୋଛା ଶ୍ରୀଅଙ୍ଗଲଗା ଆମଦାନୀ କରାଇବେ। ଶ୍ରୀଅଙ୍ଗଲଗା ସୁମାରି ହୋଇ ତହିଁର ସିହା ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକଙ୍କୁ ଦେଇ ବଳକା ଲବ୍ଧ ଭଣ୍ଡାରକୁ ଦେଉଳ କରଣ ଦସ୍ତଖତରେ ଚାଲାନ ଲେଖି ପଠାଇବେ।
ଯଜମାନି ଲୁଗା ଲାଗି ଓ ଅଳଙ୍କାର ଲାଗି ହେଲେ ତହିଁର ଦକ୍ଷିଣା ସେବକମାନଙ୍କୁ ନିରୂପିତ ଅଂଶ ଦେଇ ଲାଗି ପରେ ସେ ଜିନିଷ ଓ ଟଙ୍କା ଚାଲାନ କରିବେ। ଯାତ୍ରୀମାନଙ୍କ ଶାଢ଼ି ଓ ପଇତା ଲାଗିମାନଙ୍କରେ ଉପସ୍ଥିତ ରହିବେ। ଯେଉଁ ଦିନ ଯେଉଁ ଯାତ୍ରା ହେବ, ସେଦିନ ପୁରୁଣା ମାଦଳା ପାଞ୍ଜି ପଢ଼ି ପାଇକ, ଲେଙ୍କା, ମହାଜନ ପ୍ରମୁଖଙ୍କୁ ଦେଉଳ କରଣଙ୍କ ଉପସ୍ଥିତିରେ କହିବେ। ବିଶେଷ ଯାନିଯାତ୍ରା ଦିନମାନଙ୍କରେ ମାଦଳା ପାଞ୍ଜି ପଢ଼ି ସେହି ଅନୁସାରେ ନୀତି ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଯେଉଁ ଯାତ୍ରାରେ ଯେଉଁ ପ୍ରସାଦ ଲାଗି ହେବ, ତାହା ଅଣାଇ ବିଧି ଅନୁସାରେ ଲାଗି ପାଇଁ ରଖିବେ। ସେହିପରି ଋକ୍ମଣୀ ହରଣ ଦିନ ଋକ୍ମଣୀଙ୍କ ପକ୍ଷରୁ ଚିଟାଉ ଲେଖି ବିପ୍ର ବ୍ରାହ୍ମଣ ହସ୍ତେ ପରମେଶ୍ବରଙ୍କ ନିକଟକୁ ପଠାଇବେ। ଶ୍ରୀଜୀଉମାନଙ୍କର ଯେଉଁ ଦିନ ଯେଉଁ ବେଶ ହେବ, ସିଂହାସନ ତଳେ ଉପସ୍ଥିତ ରହି ଲାଗି ଜିନିଷର ତାଲିକା ରଖିବେ। ଯାନିଯାତ୍ରା ଓ ପର୍ବପର୍ବାଣିରେ ସମସ୍ତ ଅଧିବାସଘର ମୁଦ ଦେବେ ଓ ଖୋଲିବେ।
ଅଣସର ସମୟରେ ଅଣସର ତାଟିଘର ଓ ଦକ୍ଷିଣଦ୍ବାର ମୁଦ ଦେବେ ଏବଂ ଖୋଲିବେ। ହରିବଲ୍ଲଭ ତାଟମାନ ମୁଦ ଦେଇ ଶ୍ରୀନଅରକୁ ପଠାଇବେ। ରଥ କାଠ ଓ ଦୋଳ ଗୟଳ ଯଥାକ୍ରମେ ଦଶପଲ୍ଲା ଓ ରଣପୁରରୁ ଆସିବା ପାଇଁ ଭଣ୍ଡାରଘରୁ ଲାଗି ସୂତାଲୁଗା ମୁଦ କରି ପଠାଇବେ। ନୀତି, ସେବା ଓ ସେବକମାନଙ୍କ ଦୋଷଗୁଣ ଓ ଶାଢ଼ି ବନ୍ଧା ସମ୍ବନ୍ଧରେ ତଲବ ହେଲେ ରିପୋର୍ଟ ଦେବେ। ଭଣ୍ଡାର କରଣ ରୂପେ ଅନୁମତି ପାଇଥିବା ସନ୍ଥ, ମହନ୍ତ ଇଦ୍ୟାଦିଙ୍କୁ ଉପଚାର, ଚାମର ସେବା, ଆଲଟ ସେବା ପାଇଁ ଭଣ୍ଡାରୁ ଆଲଟ ଚାମର ଦେଇ ସେବା ଖଟାଇବେ। ଚାଙ୍ଗଡ଼ା କରଣ ସ୍ବରୂପେ ଶାଢ଼ି ବ୍ୟୟ ବହି ମୁକାବିଲା କରି ଦେଉଳ ବସ୍ତ୍ର ମହାପ୍ରଭୁଙ୍କ ବିଧି ଅନୁସାରେ ଯାନିଯାତ୍ରାମାନଙ୍କରେ ସାହି ଓ ସେବକମାନଙ୍କ ପାଉଣା ଶାଢ଼ିମାନ ଚାଙ୍ଗଡ଼ା ଘରୁ ଦେଇ ପରିମାଣିକ ଆଦାୟ କରିନେବେ। ଚାଙ୍ଗଡ଼ା ମେକାପ ଠାକୁରଙ୍କ ଲୁଗା ଧୋବା ଘରେ ଦେଲେ ଏ ହିସାବ ରଖିବେ। ଭଣ୍ଡାର ଘର ଓ ଚାଙ୍ଗଡ଼ା ଘରର ଦୈନିକ ଜମାଖର୍ଚ୍ଚ ଲେଖିବେ। ସେବକମାନଙ୍କ ଶାଢ଼ି ବନ୍ଧା ହୁକୁମନାମା ହେଲେ ଏହାଙ୍କ ଓ ଦେଉଲକରଣଙ୍କ ମୁକାବିଲାରେ ଚାଙ୍ଗଡ଼ା ଘରୁ ଶାଢ଼ି ଦିଆଯାଏ। କୌଣସି ଯାତ୍ରୀ ଧ୍ବଜା ବନ୍ଧାଇବାକୁ ଆସିଲେ ତାଙ୍କଠାରୁ ମାସୁଲ ରଖି ମନ୍ଦିର ପାଉଣା ଦେଉଳ କରଣଙ୍କ ଦସ୍ତଖତରେ ଚାଲାଣ କରି, ଧ୍ବଜା ଆଣି ତଡ଼ାଉ କରଣ ସେବାୟତ ସେବକମାନଙ୍କ ମଧ୍ୟରେ ନିରୁପିତ ଭାବେ ବାଣ୍ଟି ଚୁନରା ଦ୍ବାରା ଧ୍ବଜା ବନ୍ଧାଇ ଦିଅନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମୟରେ ଅନେକ ଅନୁଭୂତି ପାଇଛି। ଯେତେବେଳେ ମହାପ୍ରଭୁଙ୍କ ସେବା କରୁ, ସେ ସମୟରେ ତାଙ୍କ ଇଛା ଅନୁସାରେ ନୀତି ଆଗକୁ ବଢ଼ୁଥିବା ଅନୁଭବ ହୋଇଥାଏ। ତାଙ୍କ ଇଚ୍ଛାରେ ନୀତି ଆଗକୁ ଯିବ କି ରହିବ, ସେକଥା ସେ ହିଁ ନିଷ୍ପତ୍ତି ନେଇଥାନ୍ତି। ଆମମାନଙ୍କ ମାଧ୍ୟମରେ ସେ ସମସ୍ତ ନୀତିକାନ୍ତି କରାଇଥାନ୍ତି। ଆଶ୍ଚର୍ଯ୍ୟର କଥା ମହାପ୍ରଭୁଙ୍କ ସେବା କରିବା ସମୟରେ କୌଣସି କାରଣ ନଥାଇ ହଠାତ୍ ସେବା ବନ୍ଦ ହୋଇଯାଏ। ପୁଣି ଘଣ୍ଟେ ଦୁଇ ଘଣ୍ଟା ଗଲେ ପୁନଃ ତାଙ୍କ ନୀତି ଅତି ସାଧାରଣ ଭାବେ ଆଗକୁ ବଢ଼ିଚାଲିଥାଏ। ଏଥିରେ କେହି ସେବା ବନ୍ଦ କରନ୍ତିନାହିଁ କି କାହା ଯୋଗୁଁ ନୀତି ବନ୍ଦ ହୋଇନଥାଏ। କୌଣସି କାରଣ ନଥାଇ ନୀତି ବନ୍ଦ ଓ ନୀତି ଚାଲୁ ହୋଇଥାଏ। ସେବା କରିବା ସମୟରେ ଠାକୁରଙ୍କ ଇଚ୍ଛାକୁ ନେଇ ଏଭଳି ହୁଏ ବୋଲି ଅନୁଭବ ହୋଇଥାଏ।
ଗତ ୧୯୯୬ ମସିହା ନବକଳେବର ସମୟକୁ ଶ୍ରୀଜୀଉମାନଙ୍କ ଘଟ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିରରେ ବହୁ ସଂଖ୍ୟାର ମହିଳାମାନେ କ୍ରନ୍ଦନ କରୁଥିବାର ଶୁଣିବାକୁ ପାଇଥିଲି। କୌଣସି ଏକ ଅଦୃଶ୍ୟ ସ୍ଥାନରୁ ଏହି କ୍ରନ୍ଦନର ସ୍ବର କାନକୁ ଶୁଣାଯାଉଥିବା ବେଳେ, ଭୋର ସମୟରେ ଏହା ଆଉ ଶୁଣିବାକୁ ମିଳିନଥିଲା। ଏ ସମ୍ପର୍କରେ ସେ ତାଙ୍କ ବାପାଙ୍କୁ ପଚାରିବାରେ ଏହା ଠାକୁରାଣୀମାନଙ୍କର କ୍ରନ୍ଦନର ସ୍ବର ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/haldi.jpg)