ସପ୍ତାହକୁ ଥରେ କି, ଦୁଇ ଥର ବସୁଥିବା ହାଟ ଖାଲି ହାଟ ନୁହେଁ - ଗୋଟାଏ ପ୍ରବାହମାନ ସଂସ୍କୃତି, ଯେଉଁଠି କିଣା, ବିକା ଏବଂ ମନୋରଞ୍ଜନ ଏକକାର ହୋଇଥାଏ ବର୍ଣ୍ଣ, ଗତି ଓ ଧ୍ୱନିରେ।

Advertisment

କହିବାକୁ ଗଲେ ହାଟ ଗୋଟାଏ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଆବଶ୍ୟକତା ପୂରଣ କରୁଥିବା ପେଣ୍ଠସ୍ଥଳୀ। ପୁଣି ଏଥିରେ ଅତି ସୂକ୍ଷ୍ମ ରୂପରେ ମିଶି ରହିଥାଏ ସାମାଜିକ ଆବଶ୍ୟକତାକୁ ଚାହିଁ କାରୁକଳା। ହାଟ ହିଁ ଜଣେ କାରିଗରକୁ ବ୍ୟବସାୟୀ ବନାଇ ଉଭୟ ଦକ୍ଷତା ଓ ବାଣିଜ୍ୟକୁ ଉତ୍ସାହ ଦିଏ।

ହାଟରେ କିଏ ନ ଥାଏ- କୁମ୍ଭାର, କମାର, ବିଶ୍ୱକର୍ମା, ତନ୍ତବାୟ ଆଉ ପରିବ୍ରାଜକ ଔଷଧବାଲା- ସମସ୍ତେ ତ ଥାଆନ୍ତି। ସେମାନେ ଗ୍ରାହକମାନଙ୍କର ସମ୍ମାନସ୍ପଦ ବି।

publive-image

ସୂତାଠୁ ମୁକ୍ତା- ସବୁ ତ ମିଳେ ସେଇଠି। ଛୋଟ ଛୋଟ ଦୋକାନରେ ଉଛୁଳି ଲୋଟିପଡୁଥାଏ ବଣିଜ ସାମଗ୍ରୀ। ସେ ସବୁ ଖାଲି ଗ୍ରାହକମାନଙ୍କ ଲୋଭ ବଢ଼ାଇ ନ ଥାଏ, ପକେଟକୁ ବି ସୁହାଏ।

ସାରା ଦେଶର ହାଟ ଏକା ନ ହେଲେ ବି, ଏକା ପରି। ତା’ର ପାରମ୍ପରିକ ଓ ଦେଶଜ କାରୁକଳା ଲୋକମାନଙ୍କର ଆବଶ୍ୟକତା ତଥାପି ମେଣ୍ଟାଇ ପାରୁଛି।

ବେପାରବଣିଜର ଗହଳ ଚଳହଳ ଛଡ଼ା ଥାଏ ସୁପ୍ରାଚୀନ ମୂଲ୍ୟବୋଧ ପ୍ରଥା। ପର୍ବପର୍ବାଣି ସମୟ ଆସିଲେ ହାଟ ତେଜିୟାନ୍‌ ହୋଇଉଠେ। ପର୍ବ ପାଳନ କ’ଣ ଛୋଟିଆ କଥା କି! ଲୋକମାନଙ୍କ ପାଇଁ ତତ୍ପରତାର ଟନିକ୍‌ ଭଳି କାମ କରେ ଉତ୍ସବ ଅନୁଷ୍ଠାନ। ଧୂପଦୀପ ଏବଂ ନୈବେଦ୍ୟ ଠାରୁ ଆରମ୍ଭ କରି ପ୍ରତିମା ଯାଏ ସବୁ ତ ଥାଏ ସେଇ ହାଟରେ। ପ୍ରତି ଜିନିଷ ମାଟିର ପରମ୍ପରା ସହ ସୁଗଭୀର ଭାବେ ଜଡ଼ିତ।

publive-image

ହାଟରେ ଜିଇଁ ରହିଛି ଗୋଟିଏ ଅଞ୍ଚଳର ନିଜସ୍ୱ ସାମର୍ଥ୍ୟ ଏବଂ ଐତିହ୍ୟ। ହାଟରେ ବିମଳ ପ୍ରାଚୁର୍ଯ୍ୟରେ ଭରି ରହିଛି ଅଦେଖା ଆକର୍ଷଣ। ବ୍ୟଞ୍ଜନରେ ଲାଗି ରହିଛି ଆଞ୍ଚଳିକ ସ୍ୱାଦ। ଫଳଫୁଲୁରି ଦୋକାନରେ ଏବେ ବି ସେମିତି ଅଛି ଆଦିମ ଗହଳି ପରି ଗହଳି।

ହାଟ ସଉଦା କରିବାର ଆନନ୍ଦ ବିମଳ ଓ ବାସ୍ତବ... ବିଶୋଧିତ ହୋଇଥିବା ପ୍ୟାକେଟ୍‌ ସାମଗ୍ରୀ ପରି ନୁହେଁ।