ଚରମ ପାଣିପାଗ ଘଟଣା ଓ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ବିଶ୍ବର ବହୁମୂଲ୍ୟ ଐତିହ୍ୟସ୍ଥଳଗୁଡ଼ିକର ପ୍ରଭୂତ କ୍ଷତି ଘଟୁଛି। ଏପରି ବିଶୃଙ୍ଖଳିତ ଜଳବାୟୁ କୁପ୍ରଭାବର ସଦ୍ୟ ଉଦାହରଣ ହେଉଛି ମେକ୍ସିକୋର ଏକ ପ୍ରାଚୀନ ପିରାମିଡ୍। ଗତ ଜୁଲାଇ ୨୯ ତାରିଖ ରାତି ଲଗାଣ ବର୍ଷାରେ ମେକ୍ସିକୋର ମିସୋକାନ୍ ପ୍ରଦେଶ ଅନ୍ତର୍ଗତ ଇହୁଆଜିଓ ଠାରେ ଅବସ୍ଥିତ ୧୫ ମିଟର ବା ୫୦ ଫୁଟ ଉଚ୍ଚର ଏହି ପ୍ରସ୍ତର ନିର୍ମିତ ପିରାମିଡ୍ଟି ଭୁଶୁଡ଼ି ଧ୍ବଂସସ୍ତୂପରେ ପରିଣତ ହୋଇଛି। ଏକଦା ମିସୋକାନ୍ ସାମ୍ରାଜ୍ୟ ସଭ୍ୟତାର ସର୍ବୋତ୍ତମ ସଂରକ୍ଷିତ ସ୍ମାରକୀ ଭାବେ ବିବେଚିତ ଏହି ପିରାମିଡ୍ର ଦକ୍ଷିଣ କାନ୍ଥଟି ଏବେ ଏକ ଗୋଡ଼ିଗଦା ସ୍ବରୂପ ମୂକସାକ୍ଷୀ ହୋଇ ରହିଛି। ଆଉ ଏକ ପିରାମିଡ୍ ସମେତ ଏକ ଦୁର୍ଗ ଓ କବରସ୍ଥାନ ଥିବା ଉକ୍ତ ସ୍ଥାନକୁ ୧,୧୦୦ ବର୍ଷ ପୂର୍ବେ ନାହୁଆଟାଲ ଭାଷାଭାଷୀମାନେ ପ୍ରଥମେ ଦଖଲ କରିଥିଲେ। ପରେ ଏହା ପ୍ୟୁର୍ହେପିକାସ ଲୋକମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ପାଲଟିଥିଲା।
ଗତ ମାସରେ ଲଗାଣ ବର୍ଷାରେ ମେକ୍ସିକୋର ମିସୋକାନ୍ ପ୍ରଦେଶ ଅନ୍ତର୍ଗତ ଇହୁଆଜିଓ ଠାରେ ଅବସ୍ଥିତ ୧୫ ମିଟର ବା ୫୦ ଫୁଟ ଉଚ୍ଚର ଏହି ବର୍ଗାକାର ପ୍ରସ୍ତର ନିର୍ମିତ ପିରାମିଡ୍ଟି ଭୁଶୁଡ଼ି ଧ୍ବଂସସ୍ତୂପରେ ପରିଣତ ହୋଇଛି।
ଉକ୍ତ ସ୍ଥାନରେ ଏବେ ଗୋଟିଏ ମାତ୍ର ପିରାମିଡ୍ କ୍ଷତିଗ୍ରସ୍ତ ହୋଇଛି। ମେକ୍ସିକୋର ଜାତୀୟ ନୃତତ୍ତ୍ବ ଓ ଇତିହାସ ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଏହାର ବାହ୍ୟ କାନ୍ଥ ଓ ମୂଳ ସମେତ ଅତି କମ୍ରେ ୬ଟି ପାହାଚ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଗତ କିଛି ସପ୍ତାହ ଭିତରେ ମାତ୍ରାଧିକ ବର୍ଷା ଯୋଗୁଁ ଏପରି ଘଟିଛି। କିଛି ଦିନ ତଳେ ମେକ୍ସିକୋରେ ଗତ ୩୦ ବର୍ଷ ଭିତରେ ଦେଶର ସବୁଠାରୁ ଖରାପ ମରୁଡ଼ି ଆସିଥିଲା, ଯେଉଁଥିରେ କିଛି ହ୍ରଦ ସଂପୂର୍ଣ୍ଣ ଶୁଖିଯାଇଥିବା ଦେଖିବାକୁ ମିଳିଥିଲା। ଜୁଲାଇ ମାସରେ ପ୍ରବଳ ବର୍ଷା ଓ ବଜ୍ରପାତ ଏଭଳି କ୍ଷତି କରିଛି। ସଂପୃକ୍ତ ଇଲାକାରେ ଅତ୍ୟୁଚ୍ଚ ତାପମାତ୍ରା ଯୋଗୁଁ ଲଗାତାର ମରୁଡ଼ି ହେବା ଫଳରେ ମାଟିରେ ଫାଟ ହୋଇ ଉକ୍ତ ପିରାମିଡ୍ ଭିତରକୁ ଜଳ ପ୍ରବେଶ କରିଥିଲା। ଫଳରେ ପିରାମିଡ୍ଟିର ଭୁଶୁଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।
ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗୁରୁତ୍ବପୂର୍ଣ୍ଣ ସାଂସ୍କୃତିକ ଐତିହ୍ୟଗୁଡ଼ିକର ଏଭଳି ଅବକ୍ଷୟ ଏବେ ଉଦ୍ବେଗର ବିଷୟ ହୋଇଛି। ମେକ୍ସିକୋ ପିରାମିଡ୍ ଭୁଶୁଡ଼ିବାର କିଛି ଦିନ ପୂର୍ବେ ଅନୁରୂପ ଜଳବାୟୁ ପରିବର୍ତ୍ତନର ଫଳ ସ୍ବରୂପ ଉଟାହର ପ୍ରସିଦ୍ଧ ‘ଡବଲ୍ ଆର୍କ’ ପ୍ରସ୍ତର କ୍ଷତିଗ୍ରସ୍ତ ହୋଇଛି। ଏପରି ଐତିହ୍ୟସ୍ଥଳଗୁଡ଼ିକ ଆମର ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣର ଆବଶ୍ୟକତା ରଖୁଥିବା ବେଳେ ଆମ ସ୍ବକୃତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେଗୁଡ଼ିକର ଏପରି ପତନ ନିଶ୍ଚିତ ଭାବରେ ବେଦନାଦାୟକ।