ଗତବର୍ଷ ଡିସେମ୍ବରରେ ଉତ୍ତର ଗୋଲାର୍ଦ୍ଧର ତାପମାତ୍ରା କମ୍ ରହିବା ଯୋଗୁଁ ପ୍ରଶାନ୍ତ ମହାସାଗରୀୟ କ୍ରାନ୍ତି ମଣ୍ଡଳରେ ‘ଲା ନିନା’ ଜଳବାୟୁ ପ୍ରକ୍ରିୟା ଦୁର୍ବଳ ରୂପରେ ଦେଖାଦେଇଥିବା କଥା ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ‘ଏଲ୍ ନିନୋ’ର ବିପରୀତରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ଥଣ୍ଡା ପରିବେଶ ସୃଷ୍ଟି କରିବ। ଅପେକ୍ଷାକୃତ କମ୍ ଦିନ ପାଇଁ ଜାରି ରହିବାକୁ ଥିବା ଏହି ଅବସ୍ଥା ବିଳମ୍ବିତ ଓ ଦୁର୍ବଳ ହୋଇଥିବା ସତ୍ତ୍ବେ ବିଶ୍ବର ଅନେକ ସ୍ଥାନରେ ଭୀଷଣ ଝଡ଼ ଓ ବୃଷ୍ଟିପାତ ସୃଷ୍ଟି କରିବ ବୋଲି କୁହାଯାଇଛି।
ଏଲ୍ ନିନୋ କ’ଣ?
ସ୍ପେନୀୟ ଭାଷାରେ ‘ଏଲ୍ ନିନୋ’ର ଅର୍ଥ ‘କ୍ଷୁଦ୍ର ବାଳକ’। ସାମୁଦ୍ରିକ ଉଷ୍ମତା ବଢ଼ାଉଥିବା ଏହି ପ୍ରକ୍ରିୟା ଯୋଗୁଁ ବିଗତ କିଛି ବର୍ଷ ଧରି ବିଶ୍ବର ତାପମାତ୍ରା ବଢ଼ି ୨୦୨୩ ମସିହା ଉଷ୍ମତମ ବର୍ଷର ରେକର୍ଡ କରିଥିଲା। ଏଥି ଯୋଗୁଁ ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକାର କିଛି ଅଂଶରେ ଗ୍ରୀଷ୍ମ ଲହରି ଓ ମରୁଡ଼ି ଦେଖାଦେଇଥିଲା। ପୂର୍ବରୁ ପଶ୍ଚିମକୁ ପ୍ରବାହିତ ନିୟମିତ ପବନ ଯେତେବେଳେ ପ୍ରଶାନ୍ତମହାସାଗର ଦେଇ ଅତିକ୍ରମ କରେ, ସେତେବେଳେ ‘ଏଲ୍ ନିନୋ’ ଅବସ୍ଥା ସୃଷ୍ଟି ହୋଇଥାଏ। ଏହି ପବନ ସାଧାରଣତଃ ବିଷୁବରେଖା ଦେଇ ପ୍ରବାହିତ ହୋଇଥାଏ ଏବଂ ତାହା ଦକ୍ଷିଣ ଆମେରିକାରୁ ଉଷ୍ମ ଜଳରାଶିକୁ ଦକ୍ଷିଣପୂର୍ବ ଏସିଆ ଓ ଅଷ୍ଟ୍ରେଲିଆକୁ ବାହି ନେଇଥାଏ। ଏହା ପୂର୍ବ ପ୍ରଶାନ୍ତ ମହାସାଗରରେ ସ୍ବାଭାବିକ ଥଣ୍ଡା ଜଳକୁ ଚାପିଦେଇଥାଏ ଏବଂ ବଳକା ଉଷ୍ମତା ବାୟୁମଣ୍ଡଳକୁ ଛାଡ଼ିଥାଏ। ଫଳରେ ଦକ୍ଷିଣ ଆମେରିକାର ଉତ୍ତର ଭାଗରେ ପ୍ରବଳ ବୃଷ୍ଟିପାତ ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଉଷ୍ମ ଜଳରାଶିର ଅଭାବ ଯୋଗୁଁ ବୃଷ୍ଟିପାତ କମ୍ ରହି ମରୁଡ଼ି ସ୍ଥିତି ଜାତ ହୁଏ। ଏହା ଭାରତ ଓ ଇଣ୍ଡୋନେସିଆରେ ମୌସୁମି ଋତୁକୁ ମଧ୍ୟ ପ୍ରଭାବିତ କରିଥାଏ।
‘ଲା ନିନା’ କ’ଣ?
ସ୍ପେନୀୟ ଭାଷାରେ ‘ଲା ନିନା’ର ଅର୍ଥ ‘କ୍ଷୁଦ୍ର ବାଳିକା’। ଏଥି ଯୋଗୁଁ ଥଣ୍ଡା ତଥା ଆର୍ଦ୍ର ପରିବେଶ ସୃଷ୍ଟି ହେବା ସହ ଭୀଷଣ ଝଡ଼ ଓ ତୋଫାନ ଆଶଙ୍କା ବଢ଼ିଥାଏ। ପ୍ରତି ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ସ୍ବାଭାବିକ ପବନ ଭୀଷଣ ଦୃଢ଼ ହୋଇ ‘ଲା ନିନା’ ସ୍ଥିତି ଆସିଥାଏ। ଏଥି ଯୋଗୁଁ ପଶ୍ଚିମ ଭାଗରେ ଉଷ୍ମ ଜଳରାଶି ବୃଦ୍ଧି ହୋଇ ଅଷ୍ଟ୍ରେଲିଆ ଓ ଦକ୍ଷିଣପୂର୍ବ ଏସିଆରେ ଅଧିକ ବୃଷ୍ଟି ହୋଇଥାଏ। ଏଥି ସହିତ ଏହା ଆମେରିକାର ଦକ୍ଷିଣ-ପଶ୍ଚିମାଞ୍ଚଳଠାରୁ ଆରମ୍ଭ କରି ମେକ୍ସିକୋ ଯାଏ ମରୁଡ଼ି ଓ ବନାଗ୍ନି ସୃଷ୍ଟି କରିଥାଏ। ଏହି ଉଭୟ ପାଣିପାଗ ପ୍ରକ୍ରିୟା ବୈଶ୍ବିକ କୃଷି ଓ କୋଟି କୋଟି ଲୋକଙ୍କର ଜୀବିକାକୁ ପ୍ରଭାବିତ କରିଥାଏ। ପୃଥିବୀର ତାପମାତ୍ରା ବଢ଼ି ଚାଲିଥିବାରୁ ଉଭୟ ‘ଏଲ୍ ନିନୋ’ ଓ ‘ଲା ନିନା’ ଚକ୍ର ଅଧିକ ଭୀଷଣ ହୋଇ ଚାଲିଛି।