ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ସମୟ ପାଇଁ ଶୋଇବା ଗୁରୁତ୍ବପୂର୍ଣ୍ଣ। ମାତ୍ର ଆଜିକାଲିର ଆଧୁନିକ ଜୀବନଶୈଳୀ ଲୋକଙ୍କୁ କର୍ମଦିବସରେ ସ୍ବାଭାବିକ ନିଦ୍ରାରୁ ବଞ୍ଚିତ କରି ରଖୁଛି। ତେଣୁ ଅଧିକାଂଶ କର୍ମଜୀବୀ ସପ୍ତାହ ଶେଷରେ ନିଦ୍ରା ପୂରଣ କରିବାକୁ ପସନ୍ଦ କରୁଛନ୍ତି। ସେମାନଙ୍କ ପାଇଁ ଚୀନୀ ସ୍ବାସ୍ଥ୍ୟ ଗବେଷକମାନେ ଏକ ଖୁସି ଖବର ଆଣିଛନ୍ତି।

Advertisment

ସପ୍ତାହାନ୍ତ ନିଘୋଡ଼ ନିଦ ହୃଦ୍‌ରୋଗ ଆଶଙ୍କା କମାଇଥାଏ ବୋଲି ସେମାନଙ୍କ ଗବେଷଣାରୁ ଜଣାପଡ଼ିଛି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ପ୍ରତ୍ୟହ ବିଳମ୍ବରେ ଶୋଉଥିବା ଲୋକଙ୍କ ତୁଳନାରେ ସପ୍ତାହ ଶେଷରେ ଭୂରି ନିଦ ଯାଉଥିବା ବ୍ୟକ୍ତିମାନଙ୍କର ହୃଦ୍‌ସମସ୍ୟା କମ୍‌ ରହେ ବୋଲି ସ୍ପଷ୍ଟ ହୋଇଛି। ଚୀନୀ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁଧ୍ୟାନ ଅନୁଯାୟୀ, ସପ୍ତାହାନ୍ତ ନିଦ ହୃତ୍‌ପିଣ୍ଡ ସ୍ବାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ। ଏପରି ଭରଣାମୂଳକ ନିଦ ସହ ହୃଦ୍‌ସମସ୍ୟା ହ୍ରାସର ସମ୍ବନ୍ଧ ରହିଥିବା ସେମାନେ ଜାଣିବାକୁ ପାଇଛନ୍ତି।

ଏହି ସମ୍ବନ୍ଧ ସପ୍ତାହବ୍ୟାପୀ କମ୍‌ ନିଦ ଲାଭ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବେଶୀ ସ୍ପଷ୍ଟ ବୋଲି ଗବେଷକମାନେ କହିଛନ୍ତି। ୟୁକେ ବାୟୋବ୍ୟାଙ୍କରୁ ମିଳିଥିବା ୯୦,୯୦୩ ଜଣ ସ୍ବେଚ୍ଛାସେବୀଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟରୁ ଏଭଳି ନିର୍ଯାସ ମିଳିଛି। ସେମାନଙ୍କ ଭିତରୁ ୧୯,୮୧୬ ସ୍ବେଚ୍ଛାସେବୀ ନିଦ୍ରା-ବଞ୍ଚିତ ଥିଲେ। ୧୪ ବର୍ଷ ଧରି ସପ୍ତାହାନ୍ତରେ ଗଭୀର ନିଦ୍ରା ଯାଇଥିବା ନିଦ୍ରା-ବଞ୍ଚିତମାନଙ୍କଠାରେ ସପ୍ତାହ ଶେଷରେ କମ୍‌ ଶୋଉଥିବା ଲୋକଙ୍କ ତୁଳନାରେ ହୃଦ୍‌ଘାତ ଆଶଙ୍କା ୧୯ ପ୍ରତିଶତ କମ୍‌ ବୋଲି ଜଣାଯାଇଛି। ସପ୍ତାହ ଶେଷରେ ନିଦ୍ରା ଭରଣା କୌଶଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ ସେ ବାବଦରେ ଆଗରୁ କୌଣସି ଗବେଷଣା ହୋଇନଥିଲା। ଚୀନୀ ଗବେଷକମାନେ ପ୍ରଥମ ଥର ପାଇଁ ଏହା ପ୍ରମାଣିତ କରିଛନ୍ତି।