ନୂଆଦିଲ୍ଲୀ: ଦେଶରେ ଏମିତି ଅନେକ ଆଇଏଏସ ଓ ଆଇପିଏସ ଅଧିକାରୀ ରହିଛନ୍ତି ଯେଉଁମାନେ ନିଜର ସ୍ବାସ୍ଥ୍ୟକୁ ନେଇ ଖୁବ ଯତ୍ନଶୀଳ। ଏଥିସହିତ ସେମାନେ ଏକ ସ୍ବାସ୍ଥ୍ୟକର ଜୀବନ ବଞ୍ଚିବାକୁ ସବୁବେଳେ ଚେଷ୍ଟା କରିଥାଆନ୍ତି। ଏହି ଅଫିସରମାନଙ୍କୁ ଫିଟନେସ ଫ୍ରିକ ବୋଲି କୁହାଯାଏ। ଏହି ତାଲିକାରେ ଆଇଏଏସ ଅଧିକାରୀ ସୋନଲ ଗୋଏଲ ବି ସାମିଲ ଅଛନ୍ତି। ଯିଏକି ୧୬କିଲୋ ଓଜନ ହ୍ରାସ କରିଛନ୍ତି। ନିକଟରେ ସେ କିପରି ତାଙ୍କ ଓଜନ ହ୍ରାସ କରି ପାରିଲେ ସେ ବିଷୟରେ ଖୋଲାଖୋଲି ସମସ୍ତଙ୍କ ସହ ଆଲୋଚନା କରିଛନ୍ତି।
ସୋନଲ ୨୦୦୮ର ଆଇଏଏସ ଅଧିକାରୀ। ସେ ୟୁପିଏସସିରେ ୧୩ତମ ସ୍ଥାନ ଅଧିକାର କରିଥିଲେ। ସମ୍ପ୍ରତି ସୋନଲ ତ୍ରିପୁରା ଭବନ, ଦିଲ୍ଲୀରେ ରେଜିଡେଣ୍ଟ କମିଶନର ରହିଛନ୍ତି।
ଆଇଏଏସ ସୋନଲ ନିକଟରେ ସୋସିଆଲ ମିଡିଆରେ ତାଙ୍କ ଓଜନ ହ୍ରାସର ଯାତ୍ରା ବିଷୟରେ ବଖାଣିଛନ୍ତି। ସୋନଲ କହିଛନ୍ତି, ‘ ମୋର ଦ୍ବିତୀୟ ଡେଲିଭରି ପରେ ନିଜକୁ ନିଜ ଫିଟ ରଖିବା ପାଇଁ ମୁଁ ଖୁବ ପରିଶ୍ରମ କରିଛି।
ନିଜକୁ ଫିଟ ରଖିବା ପାଇଁ ପ୍ରଥମେ ଜଗିଂ ଆରମ୍ଭ କରି ପ୍ରତିଦିନ ୧ଘଣ୍ଟା ଲେଖାଏଁ ଚାଲିବା ଅଭ୍ୟାସ କରିଥିଲି। ଏଥିସହିତ ପ୍ରତିଦିନ ଖାଦ୍ୟରେ କ’ଣ ଖାଉଛି କ’ଣ ନାହିଁ ସେଥିପ୍ରତି ବି ଯଥେଷ୍ଟ ଦୃଷ୍ଟି ଦେଇଥିଲି। ଏପରି ଭାବେ ଧୀରେଧୀରେ ମୋ ଓଜନ ୧୫ରୁ ୧୬କିଲୋ ହ୍ରାସ ପାଇଯାଇଥିଲା।
ଏହି ଓଜନ ହ୍ରାସ ଯାତ୍ରାରେ ମୁଁ କୌଣସି ଡାଏଟିଂ କରି ନାହିଁ ବରଂ ମୋ ଖାଦ୍ୟରେ କିଛି ପରିବର୍ତ୍ତନ କରି ଦେଇଥିଲି । ଯେମିତି କି ଜଙ୍କ ଫୁଡ଼ ମୋ ଖାଦ୍ୟରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଥିଲି। ଚା’ କଫି ଆଦୌ ପିଇଲି ନାହିଁ। ଘରେ ତିଆରି ହେଉଥିବା ସାଧାରଣତଃ ଭାତ, ଡାଲି, ସାଲାଡ ଆଦି ଖାଇଲି। ପ୍ରଚୁର ପାଣି ପିଇଲି।’