ଭୁବନେଶ୍ବର: ନବରାତ୍ରର ଓଲଟ ଗଣତି ଆରମ୍ଭ ହୋଇଗଲାଣି। ଦାଣ୍ଡିଆ ନାଇଟ୍ରେ ଗୁଜରାଟୀ ଲୁକ୍ ସହ ରିଲ୍ଟିଏ ନ ହେଲେ ନ ଚଳେ। ହେଲେ ଓଜନ ଟିକେ ବଢ଼ିଯାଇଛି। କ’ଣ କରିବି? ଜିମ୍ ଯିବାକୁ ବେଳ ନାହିଁ। ଚାଲିଲେ ବି ମୋଟାପଣ କମିବନି। ଏଣୁ ଅନେକ ଯୁବପିଢ଼ି ଶସ୍ତା ଓ ସୁନ୍ଦର ଉପାୟ ଭାବେ ‘ୱେଟ୍ଲସ୍ ସପ୍ଲିମେଣ୍ଟ୍’କୁ ବାଛି ନେଉଛନ୍ତି। ଚିନ୍ତିତ ଯୁବପିଢ଼ି ଟିଭି, ମୋବାଇଲ ଓ ସାମାଜିକ ଗଣମାଧ୍ୟମରେ ‘ୱେଟ୍ଲସ୍ ସପ୍ଲିମେଣ୍ଟ୍’ର ବିଜ୍ଞାପନ ଦେଖି ତାହାକୁ ଗ୍ରହଣ କରିନେଉଛନ୍ତି। କିଏ କହୁଛି, ଏହାକୁ କ୍ରମାଗତ ୧୦ ଦିନ ଖାଇଲେ ୫ କେଜି ଓଜନ କମିଯିବ। ଆଉ କିଏ କହୁଛି, ସେମାନଙ୍କ କମ୍ପାନିର ଉତ୍ପାଦ ପିଇଲେ, ବର୍ଷ ବର୍ଷର ଚର୍ବି ତରଳିଯିବ। ଫଳରେ ଏହି ‘ୱେଟ୍ଲସ୍ ସପ୍ଲିମେଣ୍ଟ’ ବଜାର ବିଶାଳ ରୂପ ନେଲାଣି। ଯାହାକି ଶରୀର ଉପରେ କୁପ୍ରଭାବ ପକାଉଥିବା ବେଳେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି।ଭାରତର ପାଖାପାଖି ୫୦ ପ୍ରତିଶତ ଲୋକ ଶାରୀରିକ ଭାବେ ଅନୁପଯୁକ୍ତ ବା ଫିଜିକାଲି ଅନ୍ଫିଟ୍ ବୋଲି ଲାନ୍ସେଟ୍ ଗ୍ଲୋବାଲ୍ ହେଲ୍ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର କହିବା ଅନୁଯାୟୀ, ପ୍ରତି ବ୍ୟକ୍ତି ସପ୍ତାହକୁ ଅଢ଼େଇରୁ ୩ ଘଣ୍ଟାର ବ୍ୟାୟାମ କରିବା ଅତ୍ୟାବଶ୍ୟକ। କିନ୍ତୁ ଭାରତର ଅଧା ଲୋକ ବ୍ୟାୟାମ କରିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ଦେଶର କୋଟି କୋଟି ଲୋକ ଚିନ୍ତାଜନକ ମୋଟାପଣର ଶୀକାର ହେଉଛନ୍ତି। ଏଣୁ ଅଧିକାଂଶ ଲୋକ ଓଜନ ହ୍ରାସ ପାଇଁ ସଟ୍କଟ୍ ନେବାକୁ ପସନ୍ଦ କରନ୍ତି। ଏହା ଦ୍ବାରା ଭାରତରେ ‘ୱେଟ୍ଲସ୍ ସପ୍ଲିମେଣ୍ଟ୍’ ବଜାର ଦିନକୁ ଦିନ ବଢ଼ିବାରେ ଲାଗିଛି।
‘ଜଙ୍କ୍ଫୁଡ୍’ ପାଇଁ ବଢ଼ୁଛି ୱେଟ୍ଲସ୍ ସପ୍ଲିମେଣ୍ଟ୍ ଶିଳ୍ପ
ସଞ୍ଜ ହେଉ ହେଉ ରାଜଧାନୀର ପ୍ରମୁଖ ଖାଓ ଗଳିଗୁଡ଼ିକରେ ଭିଡ଼ ଜମିଯାଉଛି। କେଏଫ୍ସି, ଡୋମିସନ୍, ପିଜା ହଟ୍ରେ ବି ଅସମ୍ଭାଳ ଭିଡ଼। ସଂଧ୍ୟାରେ ଭୁବନେଶ୍ବରବାସୀଙ୍କ ଖାଦ୍ୟ ତାଲିକାରେ ଫାଷ୍ଟ୍ଫୁଡ୍ ପ୍ରମୁଖ ସ୍ଥାନ ନେଉଛି। ଫଳରେ ମଇଦା, ପୋଡ଼ାତେଲ, ରସାୟନ ରଙ୍ଗଯୁକ୍ତ ଖାଦ୍ୟ ଓ ଫ୍ରୋଜନ ଫୁଡ୍ ଆଦି ମୋଟାପଣର କାରଣ ହେଉଛି। ‘ଫର୍ଚ୍ୟୁନ ବିଜିନେସ୍ ଇନ୍ସାଇଟ୍ସ୍’ର ୨୦୨୦ ରିପୋର୍ଟ ଅନୁସାରେ ବୈଶ୍ବିକ ସ୍ତରରେ ଜଙ୍କ୍ଫୁଡ୍ ବଜାରର ଆକାର ୮୬୨ ବିଲିୟନ୍ ଡଲାର। ଫଳରେ ‘ୱେଟ୍ଲସ୍ ସପ୍ଲିମେଣ୍ଟ’ ବଜାର ଏବେ ସରଗରମ ହୋଇଉଠିଛି। ‘ଫ୍ୟାକ୍ଟସ୍ ଆଣ୍ଡ୍ ଫ୍ୟାକ୍ଟର୍ସ୍’ର ଗବେଷଣା ମୁତାବକ, ୨୦୨୧ ମସିହା ସୁଦ୍ଧା ବିଶ୍ବରେ ‘ଓଜନ ହ୍ରାସ’ ଓ ‘ଓଜନ ପରିଚାଳନା ଶିଳ୍ପ’ର ବଜାର ଆକାର ୨୨୪ ବିଲିୟନ ଡଲାର୍ରେ ପହଞ୍ଚିଥିଲା। ୱେଟ୍ଲସ୍ ସପ୍ଲିମେଣ୍ଟ ସହ ସର୍ଜିକାଲ୍ ଇକ୍ବିପ୍ମେଣ୍ଟ୍, ଫିଟ୍ନେସ୍ ସେଣ୍ଟର୍, ଜିମ୍ ତଥା ଅନ୍ଲାଇନ୍ ଫିଟ୍ନେସ୍ କ୍ଲାସ୍କୁ ନେଇ ଏହି ବଜାର। ଏସବୁ ଭିତରେ ୱେଟ୍ଲସ୍ ସପ୍ଲିମେଣ୍ଟ୍ ଏହି ଶିଳ୍ପର ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ଅଙ୍ଗ ହୋଇଛି। ଏ ସବୁ ଉତ୍ପାଦ ଦ୍ବାରା ଚମତ୍କାର ଉପାୟରେ କମ୍ ଦିନ ଓ ବିନା ପରିଶ୍ରମରେ ଓଜନହ୍ରାସ ହୋଇପାରିବ ବୋଲି ଦାବି କରାଯାଇଥାଏ। ଏସବୁ ଏବେ ଟାବ୍ଲେଟ୍, କ୍ୟାପ୍ସୁଲ, ସିରଫ୍, ଚୁର୍ଣ୍ଣ ଆକାରରେ ମେଡିସିନ ଷ୍ଟୋରରେ ଉପଲବ୍ଧ ହେଉଥିବାରୁ ଏଥିପ୍ରତି ଲୋକଙ୍କର ବିଶ୍ବାସ ବଢ଼ିବାରେ ଲାଗିଛି।