ଇଣ୍ଡୋନେସିଆର ବାଲି ଦ୍ବୀପ ଅନ୍ତର୍ଗତ ବାତୁର ହ୍ରଦର ପୂର୍ବ ଉପକୂଳରେ ରହିଛି ତ୍ରୁନ୍ୟାନ୍ ଗାଁ। ସେଠାରେ ପର୍ବତ ପରିବେଷ୍ଟିତ ପରିବେଶରେ ‘ବାଲି ଆଗା’ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ରହୁଥିବା ଏହି ଲୋକମାନେ ସେମାନଙ୍କର ଐତିହ୍ୟର ଅନେକ ଉପାଦାନ ସଂରକ୍ଷିତ କରି ରଖିଛନ୍ତି। ସେଥି ମଧ୍ୟରେ ରହିଛି ସେମାନଙ୍କର ଶବ ସତ୍କାରର ବିଚିତ୍ର ପରମ୍ପରା। ସେମାନେ ଶବଗୁଡ଼ିକୁ କବର ଦେବା କି ଦାହ କରିବା ପରିବର୍ତ୍ତେ ଜଙ୍ଗଲ ଭିତରେ ପ୍ରାକୃତିକ ଭାବେ ଅବକ୍ଷୟ ହେବାକୁ ଛାଡ଼ିଦିଅନ୍ତି। ଅବଶ୍ୟ ଶାଗୁଣା, କାଉ ଓ ଚିଲମାନଙ୍କ ଠାରୁ ସୁରକ୍ଷା ଦେବା ପାଇଁ ବାଲି ଆଗା ଲୋକମାନେ ଶବକୁ ବାଉଁଶ ତାଟି ଦ୍ବାରା ଘୋଡ଼ାଇ ରଖିଥା’ନ୍ତି। ଦେହରୁ ମାଂସ ଶଢ଼ି ଝଡ଼ିଗଲା ପରେ ଖପୁରି ଓ ଅସ୍ଥିଗୁଡ଼ିକୁ ଉଦ୍ଧାର କରି ନୂତନ ଜୀବନ ଆଶାରେ ସେଗୁଡ଼ିକୁ ପଥର ଚଟାଣ ଉପରେ ରଖାଯାଏ।
ଏହି ସମ୍ପ୍ରଦାୟର ଶବସତ୍କାର ସ୍ଥଳକୁ ଆସୁଥିବା ପର୍ଯ୍ୟଟକମାନେ ଶବରୁ ପଚାଶଢ଼ା ଗନ୍ଧ ବାହାରୁନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥା’ନ୍ତି। ଏହା ପଛରେ ରହିଛି ନିକଟରେ ଥିବା ଏକ ପ୍ରକାର ବଟବୃକ୍ଷ ଯାହାକୁ ସେମାନେ ‘ମେନ୍ୟାନ୍ ତରୁ’ ବା ସୁଗନ୍ଧି ବୃକ୍ଷ କହିଥା’ନ୍ତି। ଏହି ଗଛର ସୁବାସ ଶବର ଦୁର୍ଗନ୍ଧକୁ ଦୂର କରିଦେଇଥାଏ। ଉକ୍ତ ଗାଁରେ ସେପରି ତିନିଟି ଶବସତ୍କାର ସ୍ଥଳ ରହିଛି। ଶିଶୁ, ଦୁର୍ଘଟଣାରେ ମୃତ ଓ ଆତ୍ମହତ୍ୟା କରିଥିବା ଲୋକଙ୍କ ପାଇଁ ସେଠାରେ ସ୍ଥାନ ମିଳିନଥାଏ। ପ୍ରତି ଶବସତ୍କାର ସ୍ଥଳରେ ଏଗାରଟି ଲେଖାଏଁ ବାଉଁଶ ତାଟି ଓ ତାଳ ବାହୁଙ୍ଗା ଘେରା ଗମ୍ବୁଜ ରହିଥାଏ। ତହିଁରେ ଗୋଟିଏ ଶବ ଶଢ଼ିଲା ପରେ ଅସ୍ଥି ସଂଗ୍ରହ କରାଯାଇ ନୂତନ ଶବକୁ ରଖାଯାଇଥାଏ। ବେଳେ ବେଳେ ଶବ ପାଇଁ ସ୍ଥାନ ନମିଳିଲେ ତାହାକୁ ସେମାନେ ଘରେ ରଖି ଅପେକ୍ଷା କରିଥା’ନ୍ତି ଏବଂ ଶବକୁ ପଚିବାକୁ ନଦେବା ଲାଗି ଫର୍ମାଲଡିହାଇଡ୍ର ବ୍ୟବହାର କରିଥା’ନ୍ତି। ସତ୍କାର ସ୍ଥଳରେ ପଚା ଗନ୍ଧ ନ ଆସିବା ପଛରେ ଫର୍ମାଲଡିହାଇଡ୍ର ମଧ୍ୟ ଭୂମିକା ରହିଛି ବୋଲି ଅନୁମାନ କରାଯାଏ।