କପି ରୋକିବାକୁ ବିଚିତ୍ର ମୁଖା

ସାଧାରଣତଃ ପରୀକ୍ଷାଗୃହରେ କିଛି ପରୀକ୍ଷାର୍ଥୀ ଅନ୍ୟର ଉତ୍ତର ଖାତା ଦେଖି ଲେଖିବା ପରି ଅସାଧୁ ଉପାୟ ଅବଲମ୍ବନ କରିଥା’ନ୍ତି। ତେବେ ତାହା ରୋକିବା ପାଇଁ ଏକ ଯାନ୍ତ୍ରିକ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଅବଲମ୍ବନ କରିଥିବା ଏକ ବିଚିତ୍ର ଉପାୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଫିଲିପାଇନ୍‌ସର ଲେଗାଜ୍‌ପି ସହରସ୍ଥିତ ବାଇକଲ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିପରି ଅନ୍ୟର ଉତ୍ତର ଖାତା ଦେଖି କପି ନକରି ପାରିବେ, ତାହା ପ୍ରାଧ୍ୟାପିକା ମେରି ଜୟ ମ୍ୟାଣ୍ଡେନ୍‌ ଓର୍ଟିଜ୍‌ଙ୍କୁ ଆଲୋଡ଼ିତ କରିଥିଲା। ଏଭଳି ସମସ୍ୟାର ସମାଧାନ ପାଇଁ ସେ ସଂପୃକ୍ତ ବିଦ୍ୟାର୍ଥୀମାନଙ୍କର ହିଁ ସହାୟତା ଲୋଡ଼ିଥିଲେ।

ସେ ଛାତ୍ରଛାତ୍ରୀମାନଙ୍କୁ ଅତି ସହଜରେ ଅଭିନବ ଶୈଳୀର ଆଖିପଟି ତିଆରି କରିବାକୁ ବରାଦ କରିଥିଲେ ଯାହାକୁ ପରିଧାନ କଲେ ଯେପରି ପରୀକ୍ଷାଗୃହରେ ଅନ୍ୟର ଉତ୍ତର ଖାତା ଦେଖିବା ସହଜ ହେବନାହିଁ। ଏଥିପାଇଁ ସେ ସେମାନଙ୍କୁ ସ୍ବତନ୍ତ୍ର ମାର୍କ ପ୍ରଦାନର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଛାତ୍ରଛାତ୍ରୀମାନେ ନିଜର ସୃଜନାତ୍ନମ ବୁଦ୍ଧିର ଉପଯୋଗ ପୂର୍ବକ ବିଚିତ୍ର ଶୈଳୀର ମୁଖାମାନ ତିଆରି କରି ପରୀକ୍ଷାଗୃହକୁ ପ୍ରବେଶ କରିଥିଲେ। ସେଗୁଡ଼ିକ ମଧ୍ୟରେ ମୁହଁକୁ ସଂପୂର୍ଣ୍ଣ ଆବୃତ୍ତ କଲା ଭଳି ମୁଖା, ହେଲମେଟ୍‌, ବିସ୍ତୃତ ଟୋପି, ବିଶାଳ ଚଷମା, ଲମ୍ବା ବେକ, ଆଖିରେ ଦୂରବୀକ୍ଷଣ ଯନ୍ତ୍ର ଲଗାଇବା ପରି ନମୁନା ଓ ପକ୍ଷୀର ଥଣ୍ଟ ସଦୃଶ ମୁଖା ଆଦି ରହିଥିଲା। କେହି କେହି ଅଣ୍ଡାରଖା ଟ୍ରେ’କୁ କାଟି ତା’କୁ ମୁକୁଟ କରି ପିନ୍ଧିଥିଲେ। ଏହାଦ୍ବାରା ଯଦିଓ ପ୍ରାଧ୍ୟାପିକା ମ୍ୟାଣ୍ଡେନ୍‌ଙ୍କ କପିରୋକା ଉଦ୍ଦେଶ୍ୟ ସାଧିତ ହୋଇଥିଲା, ତେବେ ପରୀକ୍ଷାଗୃହଟି ବିଦୁଷକମାନଙ୍କ ଆଡ଼ାସ୍ଥଳୀ ପରି ହାସ୍ୟରୋଳ ସୃଷ୍ଟି କରିଥିଲା। ପ୍ରାଧ୍ୟାପିକା ମହାଶୟା ତାଙ୍କ ଫେସବୁକ୍‌ରେ ଛାଡ଼ିଥିବା ଉକ୍ତ ପରୀକ୍ଷାଗୃହର ଫଟୋ ଏବେ ଖୁବ୍‌ ପ୍ରସାରିତ ହେବା ସହ ମିଶ୍ର ପ୍ରତିକ୍ରିୟା ସାଉଁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର