ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ- ଦୁନିଆରେ ସାଧାରଣତଃ ଏହି ୬ଟି ଋତୁ ଅନୁଭୂତ ହୋଇଥାଏ। ପୁନଶ୍ଚ ଭୂଖଣ୍ଡର ଭୌଗୋଳିକ ଅବସ୍ଥାନ ହେତୁ ବର୍ଷ ସାରା ସବୁ ଅଞ୍ଚଳରେ ଋତୁ ବଦଳୁଥାଏ। କିନ୍ତୁ, ଦୁନିଆରେ ଏମିତି ଦେଶ ମଧ୍ୟ ଅଛି ଯେଉଁଠି ୬ରୁ ଅଧିକ ଋତୁ ଅନୁଭୂତ ହୋଇଥାଏ। ସେମିତି ଗୋଟାଏ ଦେଶ ହେଉଛି ଚୀନ୍‌। ଚୀନା କ୍ୟାଲେଣ୍ଡର୍‌ରେ ୨୪ଟି ଋତୁ ଅଛି। ୨୪ ଋତୁ କଥା ଛାଡ଼ନ୍ତୁ, ଆହୁରି ଗୋଟାଏ ଦେଶ ଅଛି, ଯେଉଁଠି ୭୨ଟି ଋତୁ ଅଛି।
ସେ ଦେଶ ହେଉଛି ଜାପାନ। ଜାପାନୀ କ୍ୟାଲେଣ୍ଡର୍‌ ଅନୁସାରେ, ସେଠାକାର ଋତୁସଂଖ୍ୟା ୭୨। ଚୀନ୍‌ର ପାରମ୍ପରିକ ଲୁନିସୋଲାର୍‌ କ୍ୟାଲେଣ୍ଡର୍‌ ଅନୁସରଣ କରି ପ୍ରାଚୀନ କାଳରେ ଜାପାନୀମାନେ ୪ ଋତୁକୁ ୬ ଭାଗ ବା ୨୪ଟି ଅଂଶ କରିଥିଲେ।
ସେ ୨୪ ଅଂଶକୁ ପୁଣି ୩ ଭାଗରେ ବିଭକ୍ତ କରାଯାଇ ୭୨ ଭ‌ାଗ ବା ‘କୋ’ କରାଯାଇଥିଲା। ଏଠାରେ ‘କୋ’ ଅର୍ଥ ଅତି କ୍ଷୁଦ୍ର ଋତୁ। ଗୋଟିଏ ‘କୋ’ର ସମୟ ଅବଧି ମାତ୍ର ୫ ଦିନ। ଏହି ଋତୁ ସବୁ ସଂଗୀତର ମୂର୍ଚ୍ଛନା ପରି ଜାପାନୀ ଜୈବମଣ୍ଡଳର ପ୍ରତିନିଧିତ୍ୱ କରେ। ଏହି ଋତୁଗୁଡ଼ିକ ପ୍ରକୃତିରେ ଘଟୁଥିବା ବାସ୍ତବ ଘଟଣାବଳି ସଙ୍ଗେ ଜଡ଼ିତ। ଉଦାହରଣସ୍ବରୂପ- ବାଉଁଶ ଗଜା ‌େହବା ଓ ଗହମ କେଣ୍ଡା ପାଚିବା ଘଟଣା। ଏଭଳି ପରିସ୍ଥିତିରେ ଜାପାନୀମାନେ ଜାଣିପାରନ୍ତି ଯେ, ଅଳ୍ପ ଦିନ ମଧ୍ୟରେ ଆଉ ଏକ ନୂଆ ଋତୁ ଆସିବ।
ପ୍ରତି କ୍ଷୁଦ୍ର ଋତୁକୁ ଦିଆଯାଇଥିବା ନାମଗୁଡ଼ିକ ମୂଳତଃ ଉତ୍ତର ଚୀନା ଜଳବାୟୁ ଓ ପ୍ରକୃତିର ପରିବର୍ତ୍ତନ ଉପରେ ଆଧାରିତ ଥିଲା। ୧୬୬୫ରେ ଶିବୁକ୍ବା ଶୁଙ୍କାଇ ନାମକ ଜଣେ ଜ୍ୟୋର୍ତିବିଜ୍ଞାନୀ ଋତୁଗୁଡ଼ିକର ନାମ ସଂଶୋଧନ କରି ସେଗୁଡ଼ିକୁ ଜାପାନର ଆଞ୍ଚଳିକ ଜଳବାୟୁ ଓ ପ୍ରକୃତି ସହିତ ଖାପ ଖୁଆଇ ବା ସମାନ୍ତରାଳ ଭାବେ ପୁନଃନାମିତ କରିଥିଲେ। ଏହି ସଂଶୋଧିତ ନାମକରଣ ହୋଇଥିବା କ୍ୟାଲେଣ୍ଡର ୧୮୭୩ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ତା’ପରେ ଆଧୁନିକୀକରଣ ପାଇଁ ମେଇଜି ସରକାର ପାରମ୍ପରିକ କ୍ୟାଲେଣ୍ଡର୍‌ ରଦ୍ଦ କରି ପାଶ୍ଚାତ୍ୟର ସୌର ଗଣନାଭିତ୍ତିକ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର୍‌ ପ୍ରଚଳନ କଲେ। କିନ୍ତୁ, ପୁରୁଣା କ୍ୟାଲେଣ୍ଡର୍‌ର ବ୍ୟବହାର ନ ଥିଲେ ବି ଜାପାନର କୃଷକ ଓ ମତ୍ସ୍ୟଜୀବୀଙ୍କ ଭଳି କିଛି ଲୋକ ତାହାକୁ ଅନୁସରଣ କରୁଛନ୍ତି। ଜାପାନର ୨୪ ଋତୁ ହେଉଛି: ରିସୁକନ, ଉସୁଇ, କେଇଚିତ୍ସୁ, ସୁନ୍‌ବୁନ୍‌, ସେମେଇ, କୋକୁ, ରିକ୍କା, ସୋ‌ମନ, ବୋଷୁ, ଗେଶି, ସୋସୋ (କମ୍‌ ଉତ୍ତପ୍ତ), ତାଇସୋ, ରୁଷୁ, ସୋସୋ (ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ), ହାକୁରୋ, ଶୁବୁନ, କାନ୍‌ରୋ, ସୋକୋ, ରିତୋ, ସୋସେତ୍ସୁ, ତାଇସେତ୍ସୁ, ତୋଜି, ସୋକାନ ଓ ଦାଇକାନ।