ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ଇତିହାସ ଯେତିକି ରୋଚକ ସେତିକି କୌତୁହଳପୂର୍ଣ୍ଣ। ସେହି କ୍ରମରେ ଦେଖିଲେ ଭାରତର ଦକ୍ଷିଣ ଓ ଉତ୍ତର ଭାଗରେ ଥିବା ମନ୍ଦିରଗୁଡ଼ିକ ଏହି ବର୍ଗରେ ଆସିବେ। ମଧ୍ୟପ୍ରଦେଶର ମୁରୈନା ଠାରେ ଅବସ୍ଥିତ କକନମଠ ମନ୍ଦିର ସେମିତି ଏକ ରହସ୍ୟମୟ ମନ୍ଦିର ଭିତରୁ ଅନ୍ୟତମ। ଯେଉଁ ମନ୍ଦିରକୁ କିଏ, କେବେ ତିଆରି କରିଥିଲା ତାହାର କୌଣସି ତଥ୍ୟ ନାହିଁ। ସ୍ଥାନୀୟ ଅଞ୍ଚଳର ଲୋକକଥା ଅନୁସାରେ, ମନ୍ଦିରଟି ରାତାରାତି ନିର୍ମାଣ ହୋଇ ଛିଡ଼ା ହୋଇଯାଇଥିଲା। ମନ୍ଦିର ନିର୍ମାଣ ପାଇଁ ଇଟା, ସିମେଣ୍ଟର ଆବଶ୍ୟକତା ପଡ଼ି ନଥିଲା। ଖାଲି ପଥର ଉପରେ ପଥର ଖଞ୍ଜାଯାଇ ମନ୍ଦିରଟି ତିଆରି ହୋଇଥିଲା। ଯେତେ ଝଡ଼ ଝଞ୍ଜା ଆସିଲେ ବି ମନ୍ଦିରଟିର ଆଜିଯାଏ କୌଣସି କ୍ଷତି ହୋଇଥିବାର ନଜିର ନାହିଁ। ଆହୁରି ଏକ ରୋଚକପୂର୍ଣ୍ଣ ତଥ୍ୟ ଅନୁସାରେ ମନ୍ଦିରଟିକୁ କେହି ମଣିଷ ତିଆରି କରି ନଥିଲେ। ବରଂ ଭୂତମାନେ ଏହି ମନ୍ଦିରଟିକୁ ରାତାରାତି ନିର୍ମା‌ଣ କରିଥିଲେ ବୋଲି ସ୍ଥାନୀୟ ବିଶ୍ବାସ ରହିଛି। ଟିକେ ଭାବନ୍ତୁ ତ କୌଣସି ମନ୍ଦିର କ’ଣ ଭୂତ ତିଆରି କରିପାରିବ! ଭୂତ ତ ଭଗବାନଙ୍କ ପାଖ ମାଡ଼େନି। ସେ ପୁଣି କେମିତି ମନ୍ଦିର ନିର୍ମାଣ କରିବ! ହେଲେ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ଏହି ରହସ୍ୟମୟୀ କକନମଠ ଶିବ ମନ୍ଦିର ବିଷୟରେ...

Advertisment

କୁହାଯାଏ ପ୍ରାୟ ୧୧ଶ ଶତାବ୍ଦୀ ବେଳକୁ ରାଜା କୀର୍ତ୍ତି ତାଙ୍କ ମହାରାଣୀ କକନାବତୀଙ୍କ ପାଇଁ ଶିବ ମନ୍ଦିର ନିର୍ମାଣ କରାଇଥିଲେ। କାରଣ ରାଣୀ ମହାଦେବଙ୍କ ପରମ ଭକ୍ତ ଥିଲେ। ସ୍ଥଳଭାଗଠାରୁ ପ୍ରାୟ ୧୧୫ଫୁଟ୍‌ ଉଚ୍ଚରେ ଏହି ମନ୍ଦିରଟି ଅବସ୍ଥିତ। ଲୋକକଥା ଅନୁସାରେ ଭୂତମାନେ ଏହି ମନ୍ଦିରଟିକୁ ତିଆରି କରିଥିଲେ। ରାତିରୁ କାମ ଆରମ୍ଭ କରିଥିଲେ ଏବଂ ସକାଳ ‌େହବାମାତ୍ରେ ସେମାନେ ମନ୍ଦିର ନିର୍ମାଣ କାମ ଅଧାରୁ ଛାଡ଼ିଦେଇଥିଲେ। ଏହି ଅଧାଗଢ଼ା ମନ୍ଦିରଟିର ନିର୍ମାଣ ରାଣୀ କକନାବତୀ ସଂପୂର୍ଣ୍ଣ କରିଥିଲେ। ଏହି ମନ୍ଦିରଟିର ଭୂତମାନେ ନିର୍ମାଣ କରିଥିବା ଅଂଶ ବିନା ବାଲି, ସିମେଣ୍ଟ ଓ ଚୂନରେ ତିଆରି ହୋଇଛି। ମନ୍ଦିରର ବାକି ଅଂଶକୁ ମଧ୍ୟ ଦେଖିଲେ ଲାଗେ, ଏଥିରେ ବି କୌଣସି ଭୌତିକ ସାମଗ୍ରୀର ବ୍ୟବହାର ହୋଇନାହିଁ। ଖାଲି ପଥର ଉପରେ ପଥର ଖଞ୍ଜାଯାଇ ତିଆରି ହୋଇଛି। ଯାହାକି ଟିକିଏ ଝଟ୍‌କାରେ ପଡ଼ିଯିବା ଭଳି ପ୍ରତୀତ ହୁଏ। କିନ୍ତୁ ୧୧ଶ ଶତାବ୍ଦୀ ବିତିଗଲାଣି। କାହିଁ କେତେ ବିପର୍ଯ୍ୟୟ ଦେଖିଛି ଏହି ମନ୍ଦିର। ହେଲେ ଆଶ୍ଚର୍ଯ୍ୟର କଥା ସେବେଠାରୁ ଏପର୍ଯ୍ୟନ୍ତ କକନମଠ ମନ୍ଦିରର କୌଣସି ଭାଗରୁ ଗୋଟିଏ ବି ପଥର ଖସିନାହିଁ।

ଏହି ମନ୍ଦିରର ଅନେକ ବୈଜ୍ଞାନିକ ଅନୁଧ୍ୟାନ ସରିଲାଣି। ହେଲେ ଏହାର ନିର୍ମାଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିର୍ଯାସ ବାହାରି ପାରୁନାହିଁ କିମ୍ବା କୌଣସି ତଥ୍ୟ ମିଳୁନାହିଁ। ବୈଜ୍ଞାନିକମାନେ ମଧ୍ୟ ଏହି ମନ୍ଦିର କିଏ ତିଆରି କରିଛି ସେ ରହସ୍ୟ ଉପରୁ ପରଦା ହଟାଇ ପାରୁନାହାନ୍ତି। ସେଥିପାଇଁ କକନମଠ ମନ୍ଦିରକୁ ଲୋକମାନେ ରହସ୍ୟମୟୀ ମନ୍ଦିରର ଆଖ୍ୟା ଦେଇଛନ୍ତି।