କଥାରେ ଅଛି, ‘ଯେତେ ଭାଇ ସେତେ ଘର’। ସମ୍ପତ୍ତି ପାଇଁ ଭାଇ ଯେ କେତେବେଳେ ଭଗାରୀ ପାଲଟିଯିବ, ତାହା ବୋଧେ ଭଗବାନ ବି ଜାଣିବା କଷ୍ଟ। ହେଲେ ଭାଇ ପ୍ରତି ଭାଇର ଈର୍ଷା, ଦ୍ବେଷ ଯେ ବିଶ୍ବ ରେକର୍ଡ କରି ଈର୍ଷାର ପରିଭାଷାକୁ ଏତେ ପ୍ରଶସ୍ତ କରିଦେବ, ଏହା ଯେକୌଣସି ବ୍ୟକ୍ତିର କଳ୍ପନା ବାହାରେ। ‘ଦ ଗ୍ରଜ୍’ ଅର୍ଥାତ ‘ଈର୍ଷା’ ହେଉଛି ‘ବିଶ୍ବର ସବୁଠାରୁ ପତଳା ଘର’। ଆସନ୍ତୁ ଏମିତି ଏକ ଘରର କାହାଣୀ ଜାଣିବା ଯାହାକି ଭାଇ ପ୍ରତି ଭାଇର ଈର୍ଷାକୁ ଅଲୋଡ଼ା ଉଚ୍ଚତା ଦେଇଛି।
ବିଶ୍ବର ସବୁଠାରୁ ପତଳା ଏହି ଗୋଲାପୀ ରଙ୍ଗର ଅଟ୍ଟାଳିକା ‘ଦ ଗ୍ରଜ୍’ ଲେବାନନ୍ ର ରାଜଧାନୀ ବେରୁଟ ନିକଟସ୍ଥ ମନାରା ସହରରେ ଏବେ ବି ବିଦ୍ୟମାନ। ସାମ୍ନାରୁ ଦେଖିଲେ ଏହି ଘର ଏକ ସାଧାରଣ ଘର ଭଳି ଦେଖାଯାଉଥିବା ବେଳେ ଏହାର ପାର୍ଶ୍ବରୁ ଦେଖିଲେ ଏହା କେତେ ପତଳା ତାହା ଜଣାପଡ଼େ। ଗୋଟିଏ ପାର୍ଶ୍ବରେ ଏହାର ଚଉଡ଼ା ୪ ମିଟର ହୋଇଥିବା ବେଳେ ଅନ୍ୟପାର୍ଶ୍ବର ଚଉଡ଼ା ରହିଛି ମାତ୍ର ୬୦ ସେଣ୍ଟିମିଟର। ୧୯୫୪ ମସିହାରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଥିବା ବେଳେ ଏଥିରେ ଦୁଇଟି ମହଲା ରହିଛି। ପ୍ରତିଟି ମହଲାରେ ୨ଟି ଲେଖାଏଁ ପ୍ରକୋଷ୍ଠ ରହିଛି। ଗୋଟିଏ ପ୍ରକୋଷ୍ଠ ଦେଇ ଅନ୍ୟ ପ୍ରକୋଷ୍ଠକୁ ଯିବାକୁ ହୋଇଥାଏ। ସର୍ବମୋଟ ୧୨୦ ବର୍ଗମିଟର ଜମିରେ ଏହି ଅଟ୍ଟାଳିକା ନିର୍ମିତ ହୋଇଛି।
ଅର୍ବାନ ପ୍ଲାନର୍ ତଥା ଆର୍କିଟେକ୍ ସନ୍ଦ୍ରା ରିଶାନି ୨୦୧୪ ମସିହାରେ ନିଜ ପୁସ୍ତକ ‘ବେରୁଟ ରି-କଲେକ୍ଟେଡ୍’ ରଚନା କଲା ବେଳେ ଏହା ସମ୍ବନ୍ଧରେ ଗବେଷଣା କରିବାରୁ ଏହି ଅଟ୍ଟାଳିକା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ସନ୍ଦ୍ରା ରିଶାନି ପ୍ରଥମେ ତାଙ୍କର ପିତାଙ୍କଠାରୁ ଏହି ଅଟ୍ଟାଳିକା ଓ ଏହାର ଇତିହାସ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ଏହା ଉପରେ ଅଧିକ ଅନୁସନ୍ଧାନ କରିଥିଲେ।
ବାସ୍ତବରେ ୧୯୫୦ ମସିହା ଆଡ଼କୁ ଦୁଇ ଜଣ ଭାଇ ପୈତୃକ ସମ୍ପତ୍ତି ଭାବେ ଏକ ଜମି ପାଇଥିଲେ। ଜମି ଭାଗବଣ୍ଟାରେ ଜଣେ ଭାଇ ଜମିର ଏକ ଛୋଟ ଖଣ୍ଡ ନିଜ ଭାଗ ଭାବେ ପାଇଥିଲେ। ଏଥିରେ ଅସନ୍ତୁଷ୍ଟ ଥିବା ସେହି ଭାଇ, ଦ୍ବିତୀୟ ଭାଇକୁ ପାନେ ଚଖାଇବାକୁ ସୁଯୋଗ ଉଣ୍ଡି ବସିଥିଲା। ସେତେବେଳେ ରାସ୍ତାର ଭିତ୍ତିଭୂମି ବିକାଶ ପାଇଁ ଦ୍ବିତୀୟ ଭାଇ ସରକାରଙ୍କୁ ନିଜ ଜମିର କିଛି ଅଂଶ ବିକ୍ରି କରିବାକୁ ରାଜି ହୋଇଥିଲେ। ତେବେ ଅସନ୍ତୁଷ୍ଟ ଥିବା ଭାଇ ଦ୍ବିତୀୟ ଭାଇଙ୍କ ଜମିର ମୂଲ୍ୟ ଖସାଇବାକୁ ଏହି ଅଟ୍ଟାଳିକା ନିର୍ମାଣ କରିଥିଲେ। ଏହି ସରୁ ଜମିରେ ସେ ଏମିତି ଅଟ୍ଟାଳିକା ନିର୍ମାଣ କରିଥିଲେ ଯେ ଦ୍ବିତୀୟ ଭାଇଙ୍କ ଘରୁ ସମୁଦ୍ରର ଦୃଶ୍ୟ (ସି ଭ୍ୟୁ) ଦେଖିବା ଯେମିତି ସମ୍ଭବ ହେବ ନାହିଁ। ତାହା ହିଁ ହୋଇଥିଲା ଓ ଦ୍ବିତୀୟ ଭାଇଙ୍କ ଜମିର ମୂଲ୍ୟ ଖସିଥିଲା।
ସନ୍ଦ୍ରା ରିଶାନି କହିଛନ୍ତି, ଦୁଇ ଆର୍କିଟେକ୍ ଭାଇ ସଲାହ ଓ ଫୱଜି ଇଟାନି ଏହି ଅଟ୍ଟାଳିକାକୁ ନିର୍ମାଣ କରିଥିଲେ। ଏହି ଅଟ୍ଟାଳିକା ବେଶ୍ ସୁନ୍ଦର ଭାବେ ଯୋଜନା କରି ନିର୍ମିତ ହୋଇଛି। ଦ୍ବିତୀୟ ଭାଇର ଜମି ପାର୍ଶ୍ବରେ ଏହି ଅଟ୍ଟାଳିକାର ବଡ଼ ବଡ଼ ଝରକା କରାଯାଇଛି। ଫଳରେ ପ୍ରଚୁର ପରିମାଣରେ ପବନ ଓ ଆଲୋକ ଘର ମଧ୍ୟକୁ ପ୍ରବେଶ କରିବା ସହ ଏଠାରେ ଠିଆ ହୋଇ ସମୁଦ୍ରର ଦୃଶ୍ୟକୁ ବେଶ୍ ସୁନ୍ଦର ଭାବେ ଅନୁଭବ କରିହେଉଛି। ଏହି ଅଟ୍ଟାଳିକା ଯେତେ ସୁନ୍ଦର ହେଲେ ମଧ୍ୟ ଏହାର ମୂଲ୍ୟରେ ବୃଦ୍ଧି ହୋଇନାହିଁ ସତ କିନ୍ତୁ ଏଥିଯୋଗୁଁ ଦ୍ବିତୀୟ ଭାଇର ଜମିର ମୂଲ୍ୟ ନିମ୍ନଗାମୀ ହୋଇଛି। ଏବେ ଏହି ଘର କାହା ମାଲିକାନାରେ ଅଛି ତାହା କାହାକୁ ଜଣାନାହିଁ। କିନ୍ତୁ ଏହି ଘରର ଜମି ଅତ୍ୟନ୍ତ ଛୋଟ ହୋଇଥିବାରୁ ଏହାକୁ ଭାଙ୍ଗି କିଛି ବି ନିର୍ମାଣ କରିବାର ଅନୁମତି ନଥିବାରୁ ଏଯାଏ ଏହାକୁ ଭଙ୍ଗାଯାଇ ନାହିଁ। ତେବେ ଭାଇ ପ୍ରତି ଈର୍ଷା ଓ ପ୍ରତିଶୋଧପରାୟଣ ମନୋଭାବରୁ ନିର୍ମିତ ଏହି ଘରକୁ ସ୍ଥାନୀୟ ଲୋକ ଆରବୀୟ ଭାଷାରେ ‘ଆଲ୍ ବସା’ କହିଥାନ୍ତି, ଯାହାର ଅର୍ଥ ହେଉଛି ‘ଈର୍ଷା’।