ହୋଲି ଖେଳର ଅବିର ଏତେ ଉଜ୍ଜ୍ୱଳ ଦିଶେ କାହିଁକି

ହୋଲି ଏକ ପ୍ରାଚୀନ ବାସନ୍ତିକ ପର୍ବ। ଏହି ଉତ୍ସବର ଆରମ୍ଭ ବିଷୟରେ ପୁରାଣ ଶାସ୍ତ୍ରରେ ଅନେକ ଉପାଖ୍ୟାନ ରହିଛି। ଏଥିରେ କେବଳ ରଙ୍ଗ ଖେଳ ହିଁ ହୋଇଥାଏ। ପ୍ରାରମ୍ଭରୁ କେବଳ ଉଦ୍ଭିଦ ବା ଗଛଲତାରୁ ହୋଲି ଖେଳ ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ପ୍ରସ୍ତୁତ କରାଯାଉଥିଲା। ନିମପତ୍ର ଗୁଣ୍ଡରୁ ସବୁଜ ରଙ୍ଗ ପ୍ରସ୍ତୁତି ହେଉଥିଲା। ହଳଦୀଗୁଣ୍ଡରୁ ତିଆରି ହେଉଥିଲା ହଳଦିଆ ଓ ଲାଲ୍‌ ରଙ୍ଗ। ହଳଦିରେ ଚୂନ ମିଶାଇ ଦେଲେ ଏହା ଲାଲ୍‌ ହୋଇ ଯାଉଥିଲା। ଗୁଣ୍ଡ ବ୍ୟତୀତ ଗଛଲତାର ବିଭିନ୍ନ ଅଂଶ ବଟାଯାଇ ତରଳ ରଙ୍ଗ ମଧ୍ୟ ତିଆରି କରାଯାଉଥିଲା। ଏଥିପାଇଁ ଗେଣ୍ଡୁଫୁଲ ପାଖୁଡ଼ା, ପଳାଶ, ଡାଳିମ୍ବ ଓ ରକ୍ତଚନ୍ଦନ ବ୍ୟବହାର କରାଯାଉଥିଲା। ନୀଳଗଛରେ ନୀଳ ରଙ୍ଗ ଓ ଅଙ୍ଗାରରୁ କଳା ରଙ୍ଗ ପ୍ରସ୍ତୁତି ହେଉଥିଲା।

କ୍ରମେ ଆଧୁନିକ ସମୟ ଆସିଲା। ରସାୟନ ଶାସ୍ତ୍ର ବିକଶିତ ହେଲା। ଏଥିସହ ବିକଶିତ ହେଲା ରଙ୍ଗ ପ୍ରସ୍ତୁତିର ନାନାବିଧ ଉପାୟ। ବିଭିନ୍ନ ରସାୟନ ମିଶାଯାଇ ରଙ୍ଗଗୁଡ଼ିକୁ ଉଜ୍ଜ୍ୱଳ କରାଗଲା। ଅତି ଶସ୍ତାରେ ଅନେକ ପ୍ରକାରର ରଙ୍ଗ ମଧ୍ୟ ମଳିପାରିଲା।

Image Source: India Mart

ଏଥିସହ ହୋଲି ଖେଳ ମଧ୍ୟ ଦେଶବିଦେଶକୁ ବ୍ୟାପିଲା। ବିଶ୍ୱର କୋଣ ଅନୁକୋଣରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟ ହୋଲି ଖେଳିଲେ। ବ୍ୟାବସାୟିକ ଚାହିଦାକୁ ଲକ୍ଷ୍ୟ କରି ବହୁ ବିଦେଶୀ ରଙ୍ଗ କମ୍ପାନି ମଧ୍ୟ ହୋଲି ପାଇଁ ରଙ୍ଗ ପ୍ରସ୍ତୁତ କଲେ। ଆଜିକାଲି ଯେଉଁ ଅବିର ଖେଳା ଯାଉଛି ତାହା ଖାଦ୍ୟ, ଔଷଧ ଏବଂ କସ୍‌ମେଟିକ୍‌ ନିମନ୍ତେ ବ୍ୟବହାର କରାଯାଉଥିବା ରଙ୍ଗରୁ ତିଆରି। ଏହି ରଙ୍ଗକଣିକାଗୁଡ଼ିକୁ ଆମେରିକାରେ କୁହାଯାଏ ଏଫ୍‌ଡି ଆଣ୍ଡ୍‌ ସି କଲର୍ସ। ଏହି ରଙ୍ଗକଣିକାରେ ଶତକଡ଼ା ୯୫ ଭାଗ ମକାମଣ୍ଡ ବା କର୍ଣ୍ଣଫ୍ଲୋର୍‌ ମିଶାଯାଇ ଅବିର ତିଆରି କରାଯାଉଛି।

Image Source: The Telegraph

କିନ୍ତୁ ଭାରତରେ ପ୍ରସ୍ତୁତ ହେଉଥିବା ଅବିରରେ ହାନିକାରକ ରାସାୟନିକ ମିଶିଥିବା କଥା ଏବେ ମଧ୍ୟ ସନ୍ଦେହ କରାଯାଏ। ଏହି ବିଷାକ୍ତ ରାସାୟନିକ ପଦାର୍ଥଗୁଡ଼ିକ ହେଉଛି ଧାତବ ପଦାର୍ଥରୁ ନିର୍ଗତ କରାଯାଇଥିବା ରଙ୍ଗକଣିକା। କପର୍‌ ସଲ୍‌ଫେଟ୍‌, ମର୍କ୍ୟୁରି ସଲଫାଇଡ୍‌, କ୍ରୋମିୟମ୍‌ ଆଇଓଡାଇଡ୍‌, ଲିଡ୍‌ ଅକ୍ସାଇଡ୍‌ ଏବଂ ଆଲମିନିୟମ ବ୍ରୋମାଇଡ୍‌ ଆଦି ହେଉଛି ବିଷାକ୍ତ ରାସାୟନିକ ପଦାର୍ଥ। ଏଥିରେ ଖଣିଜ ଟାଲ୍‌କମ୍‌ କିଂବା ଆଜ୍‌ବେସ୍‌ଷ୍ଟସ୍‌ ମିଶ୍ରଣ କରାଯାଇ ଅବିର ପ୍ରସ୍ତୁତ କରାଯାଏ। ଉଜ୍ଜ୍ୱଳତା ପାଇଁ ଏଥିରେ ମିଶାଯାଇ ଥାଏ ଅଭ୍ର କିଂବା କାଚଗୁଣ୍ଡ।

ଚର୍ମରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପ୍ରକାର ରଙ୍ଗ ଚର୍ମ ବା ତ୍ୱଚା ପାଇଁ ଖୁବ୍‌ ହାନିକାରକ। (ଏସ୍‌ପି)

ସମ୍ବନ୍ଧିତ ଖବର