ରାମ-ରାବଣ ଯୁଦ୍ଧ ପରେ ବାନରସେନା କୁଆଡ଼େ ଗଲା

ଶ୍ରୀରାମଚନ୍ଦ୍ରଙ୍କ ଲଙ୍କା ଅଭିଯାନରେ ବାନରସେନାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ, ରାମ-ରାବଣ ଯୁଦ୍ଧ ପରେ ବନାରସେନା ଗଲେ କୁଆଡ଼େ? ଏ କଥା ରାମାୟଣର ଉତ୍ତରା କାଣ୍ଡରେ ବର୍ଣ୍ଣିତ ହୋଇଛି। ପୃଥିବୀ ଛାଡ଼ିବାର ସମୟ ପାଖେଇ ଆସିଲାଣି ବୋଲି ଯମ ଦେବତା ରାମଚନ୍ଦ୍ରଙ୍କୁ କହିବା ପରେ ସେ ସରଯୂ ନଦୀରେ ଜୀବନ ହାରିବାକୁ ପ୍ରସ୍ତୁତି କଲେ।


ଏ କଥା ଶୁଣି ସୁଗ୍ରୀବ ବାଳୀଙ୍କ ପୁତ୍ର ଅଙ୍ଗଦକୁ କିଷ୍କିନ୍ଦ୍ୟା ବାନର ରାଜ୍ୟର ଭାର ଦେଇ ଦଳେ ବାନରଙ୍କ ସହ ଯାଇ ରାମଙ୍କ ସହ ଦୁନିଆ ଛାଡ଼ିବାକୁ ପହଞ୍ଚିଲେ।

ତା’ପରେ ଭଲ୍ଲକ ଏବଂ ରାକ୍ଷସମାନଙ୍କ ସହ ବାନରମାନେ ସମବେତ ହେଲେ। ରାମଙ୍କ ଦୁନିଆ ଛାଡ଼ିବା ନିଷ୍ପତ୍ତି ସମ୍ବନ୍ଧରେ ଆଲୋଚନା କରିବା ପରେ ସେମାନେ ଋଷି ଓ ଗନ୍ଧର୍ବମାନଙ୍କ ସହ ରାମଙ୍କୁ ଭେଟିବାକୁ ଆସିଲେ।

ସେମାନେ ଶ୍ରୀରାମଙ୍କୁ କହିଲେ: ହେ ପୁରୁଷୋତ୍ତମ ରାମ! ଆପଣଙ୍କ ସ୍ୱର୍ଗ ଯାତ୍ରା ଆମକୁ ଉଚ୍ଛନ୍ନ କରିଦେବ। ଏହା ଆମ ପାଇଁ ଯମଦଣ୍ଡ ତୁଲ୍ୟ। ସୁଗ୍ରୀବ ମଧ୍ୟ ପ୍ରଣିପାତ କରି ଶ୍ରୀରାମଙ୍କୁ କହିଲେ: ହେ ନରାଧୀଶ! ଅଙ୍ଗଦକୁ ସିଂହାସନରେ ବସାଇ ମୁଁ ଏଠାକୁ ଆସିଛି। ମୁଁ ମଧ୍ୟ ଆପଣଙ୍କ ସହ ଦୁନିଆ ଛାଡ଼ିବି।


ଏମିତି ବିଭିନ୍ନ ବାନରମାନଙ୍କର କଥା ଶୁଣି ଶ୍ରୀରାମ ସେମାନଙ୍କର ମନୋକାମନା ପୂରଣ କରିବାକୁ କହିଲେ। ସେ ହନୁମାନଙ୍କୁ କହିଲେ, ତୁମେ ଅମର ହୋଇ ରହିବ ବୋଲି ସ୍ଥିର ହୋଇ ସାରିଛି। ଦୁନିଆରେ ମୋ ଗାଥା ରହିଥିବା ଯାଏଁ ତୁମେ ପ୍ରଶଂସିତ ହେଉଥିବ। ଏ କଥା ଶୁଣି ଆନନ୍ଦିତ ହନୁମାନ କହିଲେ: ଦୁନିଆରେ ଏହି ପବିତ୍ର ଗ୍ରନ୍ଥ ଥିବା ଯାଏଁ ମୁଁ ଏଇଠି ଜିଇଁ ରହି ଆପଣଙ୍କ ଆଜ୍ଞା ପାଳୁଥିବି।

ତା’ପରେ ହନୁମାନ ଜାମ୍ବବାନ, ମୈନ୍ଦା, ଦ୍ୱିବିଦ ଏବଂ ଅନ୍ୟାନ୍ୟ ବାନରମାନଙ୍କୁ କହିଲେ କି, କଳିଯୁଗ ଥିବା ଯାଏଁ, ତୁମେ ସବୁ ଜିଇଁ ରହିବ। ତେଣୁ ଶ୍ରୀରାମଙ୍କ ସହ ସୁଗ୍ରୀବ ଏବଂ ଅନ୍ୟ ବାନରମାନେ ସଂସାର ଛାଡ଼ିଲେ ମଧ୍ୟ ହନୁମାନ, ଜାମ୍ବବାନ, ମୈନ୍ଦ, ଦ୍ୱିବିଦ ଏବଂ ନୀଳ ଓ ନଳଙ୍କ ସମେତ ୫ ଜଣ ବାନର କଳିଯୁଗରେ ମଧ୍ୟ ବଞ୍ଚିଛନ୍ତି।


ଦ୍ୱାପର ଯୁଗରେ ଭୀମ ହନୁମାନଙ୍କୁ ଭେଟିଥିଲେ ଓ ରାମେଶ୍ୱର ଠାରେ ଅର୍ଜୁନ ହନୁମାନଙ୍କୁ ଭେଟିଥିଲେ। ଶ୍ରୀକୃଷ୍ଣ ମଧ୍ୟ ଜାମ୍ବବାନକୁ ଭେଟିଥିବା କଥା ଶ୍ରୀମଦଭଗବତ ଗୀତରେ ଉଲ୍ଲେଖ ରହିଛି। ଯୁଦ୍ଧରେ ଜାମ୍ବବାନକୁ ପରାସ୍ତ କରି ତାଙ୍କ ଠାରୁ ସମ୍ୟନ୍ତକ ମଣି ଫେରାଇ ଆଣିବା ସହ ତା’ର କନ୍ୟା ଜାମ୍ବବତୀଙ୍କୁ ବିବାହ କରିଥିଲେ। ଯୁଧିଷ୍ଟିର ରାଜସୂୟ ଯଜ୍ଞ କରିବା ଅବସରରେ ସହଦେବ ବାନର ରାଜ୍ୟ କିଷ୍କିନ୍ଦ୍ୟାରେ ମୈନ୍ଦ ଓ ଦ୍ୱିବିଦଙ୍କ ସହ ସପ୍ତାହେ କାଳ ଲଢ଼ିଥିଲେ। ମୈନ୍ଦ ଓ ଦ୍ୱିବିଦ ଯୁଦ୍ଧରେ କ୍ଳାନ୍ତ ହୋଇ ନ ଥିଲେ ବି ଯୁଧିଷ୍ଟିରଙ୍କ ସହ ସନ୍ଧି କରିବାକୁ ରାଜି ହୋଇଥିଲେ।

ପରେ ଦ୍ୱିବିଦ ତା’ର ରାକ୍ଷସ ବନ୍ଧୁ ନରକାସୁର ସହ ମିଶି ବଡ଼ ଉତ୍ପାତ ଆରମ୍ଭ କରିଥିଲା। ନରନାରୀ ମୁନିଋଷି ଜୀବଜନ୍ତୁ ଆଦିଙ୍କ ଉପରେ ଅତ୍ୟାଚାର ପ୍ରବଳ କଲା। ଫଳରେ କୃଷ୍ଣ ଓ ବଳରାମ ଯାଇ ତା’ ସହ ଲଢ଼ିଲେ। ଶେଷରେ ବଳରାମଙ୍କ ଗଦା ପ୍ରହାରରେ ତା’ର ମୃତ୍ୟୁ ହୋଇଥିଲା।
ଏମିତି ତ୍ରେତୟା ଯୁଗରୁ ଦ୍ୱାପର ଯୁଗ ଯାଏଁ ରହିଥିଲେ। ବାକି ବାନରମାନେ କଳିଯୁଗରେ ମଧ୍ୟ ରହିଥିବା କଥା କୁହାଯାଉଛି।

ସମ୍ବନ୍ଧିତ ଖବର