ଦୁନିଆର ସବୁଠୁ ସାଧାରଣ ଜୀବସତ୍ତା ହେଉଛି ଭୂତାଣୁ ବା ଭାଇରସ୍। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ସମଗ୍ର ବିଶ୍ୱରେ ଥିବା ଭାଇରସ୍ଗୁଡ଼ିକୁ ଧାଡ଼ି କରି ରଖିଲେ ତାହା ଗୋଟିଏ ଆକାଶଗଙ୍ଗାରୁ ଅନ୍ୟ ଗୋଟିଏ ଆକାଶଗଙ୍ଗାଯାଏଁ ଲମ୍ବିଯିବ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମଣିଷର କ୍ଷତି କରନ୍ତି ନାହିଁ। ମାତ୍ର ଅଳ୍ପ କେତେକ ମଣିଷକୁ ଅସୁସ୍ଥ କରି ପକାନ୍ତି ଏବଂ ମୃତ୍ୟୁର କାରଣ ହୁଅନ୍ତି।
ଭାଇରସ୍ର ଗଠନ ମଧ୍ୟ ବଡ଼ ବିଚିତ୍ର। ଭାଇରସ୍ ମଝିରେ ଥାଏ ଗୋଟାଏ ‘ଜେନମ୍’। ‘ଜେନମ୍’ ହେଉଛି ‘ଡିଏନ୍ଏ’ କିଂବା ‘ଆର୍ଏନ୍ଏ’ରେ ତିଆରି ଏକ ଲମ୍ବାଳିଆ ଅତି କ୍ଷୁଦ୍ର କଣିକା। ଏଥିରେ ରହିଥାଏ ନୂଆ ଭାଇରସ୍ ସୃଷ୍ଟି ନିମନ୍ତେ ‘ଗୁଣସୂତ୍ର ନିର୍ଦେଶାବଳୀ’। ଭାଇରସ୍କୁ ଚର୍ମ ଭଳି ଛାଉଣି କରିଥାଏ ‘କ୍ୟାପ୍ସିଡ୍’ ନାମକ ପୁଷ୍ଟିସାର କଣିକା। କେତେକ ଭାଇରସ୍ଙ୍କର ‘କ୍ୟାପ୍ସିଡ୍’ ଉପରେ ଆଉ ଏକ ତେଲିଆ ଖୋଳପା ଥାଏ ଯାହା ‘ଲିପିଡ୍ସ’ରେ ତିଆରି।
ଏବେ ସଂକ୍ରମିତ ହେଉଥିବା ‘କୋଭିଡ୍-୧୯’ ଭାଇରସ୍ ଉପରେ ‘ଲିପ୍ସିଡ୍’ ଖୋଳପା ଥାଏ। ସାବୁନ ସଂସ୍ପର୍ଶରେ ଆସିଲେ ଏହି ଖୋଳପା ମିଳାଇ ଯାଏ। ଫଳରେ ଭିତରେ ଥିବା ଭାଇରସ୍ର ମୃତ୍ୟୁ ଘଟେ।
ଅନ୍ୟ ଜୀବର ଜୀବକୋଷ ଉପରେ ନିର୍ଭର କରି ଭାଇରସ୍ମାନେ ବଞ୍ଚି ରହନ୍ତି ଏବଂ ନୂଆ ଭାଇରସ୍ ସୃଷ୍ଟି କରନ୍ତି। ଏହାର କାରଣ ହେଉଛି ସେମାନେ ନିଜେ ଶକ୍ତି ସଂଗ୍ରହ କରି ପାରନ୍ତି ନାହିଁ କି, ସଞ୍ଚୟ କରି ପାରନ୍ତି ନାହିଁ। ଅର୍ଥାତ୍ କୌଣସି ଜୀବସତ୍ତା ବାହାରେ ସେମାନେ କାର୍ଯ୍ୟ କରିପାରନ୍ତି ନାହିଁ। ତେଣୁ ଭୂତାଣୁମାନଙ୍କର ଜୀବନ ନାହିଁ ବୋଲି କୁହାଯାଏ।
ଶିକାର କରୁଥିବା ପ୍ରାଣୀ ଶିକାରକୁ ଚିହ୍ନି ଆକ୍ରମଣ କଲା ଭଳି ଭାଇରସ୍ମାନେ ମଧ୍ୟ ଜୀବକୋଷ ଚିହ୍ନି ତାହାକୁ ଆକ୍ରମଣ କରନ୍ତି। ଯେଉଁ ଭାଇରସ୍ମାନେ ମଣିଷର ଜୀବକୋଷ ଚିହ୍ନି ପାରନ୍ତି ନାହିଁ ସେମାନେ ଶରୀରରେ ପ୍ରବେଶ କଲେ ମଧ୍ୟ କିଛି ଅନିଷ୍ଟ ହୁଏ ନାହିଁ। ସେମାନଙ୍କ ମଧ୍ୟରୁ କେତେକ ମଣିଷ ଶରୀରରେ ସଂକ୍ରମଣ ହେଲେ ମଧ୍ୟ ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରନ୍ତି ନାହିଁ।
କୌଣସି ଜୀବର ଜୀବକୋଷରୁ ବାହାରି ଆସିବା ପରେ ଭାଇରସ୍ ଗୋଟିଏ କଣିକା ପାଲଟିଯାଏ। ଏହାକୁ ‘ଭାଇରିଅନ୍’ ବୋଲି କହନ୍ତି। ଏହି ‘ଭାଇରିଅନ୍’ କିଛି ସମୟ ଲାଗି ପରିବେଶରେ ବଞ୍ଚିରହେ ଏବଂ ତା’ ସଂସ୍ପର୍ଶରେ ଆସୁଥିବା ଜୀବର ଶରୀରରେ ପ୍ରବେଶ କରେ। ଜୀବର ଶରୀର ମଧ୍ୟକୁ ପ୍ରବେଶ କରିବା ପରେ ତାହା ପୁଣି ଭାଇରସ୍ ହୋଇ ଜୀବକୋଷ ଦଖଲ କରି ସେଥିରୁ ଅଧିକ ଭାଇରସ୍ ସୃଷ୍ଟି କରେ।
କେତେକ ଭାଇରସ୍ ଅଛନ୍ତି ଯେଉଁମାନେ ଶରୀରକୁ ପ୍ରବେଶ କରି ଦୀର୍ଘ ଦିନ ଯାଏଁ ନିଷ୍କ୍ରିୟ ରହିବା ପରେ ପୁଣି ସକ୍ରିୟ ହୋଇ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରନ୍ତି। ଥରେ ଜଣେ ବ୍ୟକ୍ତି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଗଲେ ତାଙ୍କ ଶରୀର ଭାଇରସ୍ମାନଙ୍କର ଗୋଟିଏ ଜଳାଶୟ ପାଲଟିଯାଏ। କାଶ, ଛିଙ୍କ, ଚର୍ମରୁ ଛାଡୁଥିବା ଚୋପା ଦେଇ ସେମାନେ ବାହାରକୁ ବାହାରି ଅନ୍ୟମାନଙ୍କ ଶରୀରକୁ ବ୍ୟାପି ଯାଆନ୍ତି।