ଭାରତୀୟ ରାଜନୀତିରେ କରୁଣାନିଧି-ଏମ୍‌. ଜି. ରାମଚନ୍ଦ୍ରନ୍, ଏନ୍‌ଟିଆର୍‌-ଚନ୍ଦ୍ରବାବୁ ନାଇଡୁ ଓ ଲାଲୁ ଯାଦବ-ନୀତୀଶ କୁମାରଙ୍କ ମିତ୍ରତା ଓ ଶତ୍ରୁତାର କାହାଣୀ ବେଶ୍ ଚର୍ଚ୍ଚିତ। ସେଇଭଳି ମୁଲାୟମ୍-ମାୟାବତୀ, ରାହୁଲ ଗାନ୍ଧୀ-ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଶରଦ ପାୱାର-ଅଜିତ ପାୱାରଙ୍କ ତିକ୍ତ-ମଧୁର ସଂପର୍କ ବି ସେମିତି ଆଲୋଚିତ। ରାଜନୀତିରେ କେହି ବି କାହାର ସ୍ଥାୟୀ ଶତ୍ରୁ କିଂବା ମିତ୍ର ନୁହନ୍ତି-ଏକଥା ବାରମ୍ବାର ପ୍ରତିଫଳିତ ହୋଇଛି।

Advertisment

ମହମ୍ମଦ ହିଫ୍‌ଜୁର ରହେମାନ୍

ରାଜନୀତିରେ ସବୁଦିନ ପାଇଁ କେହି ଶତ୍ରୁ ନୁହନ୍ତି କି ସବୁଦିନ ପାଇଁ ମିତ୍ର ନୁହନ୍ତି। ଏଠି ମିତ୍ର କେତେବେଳେ ଶତ୍ରୁ ପାଲଟିଛନ୍ତି ତ କେତେବେ‌େଳ ଶତ୍ରୁ ହୋଇଯାଆନ୍ତି ପରମ ମିତ୍ର। ଏହି ମିତ୍ର-ଶତ୍ରୁତାର ଖେଳ ଭାରତୀୟ ରାଜନୀତିରେ ଶାସନ କ୍ଷମତାକୁ ଓଲଟପାଲଟ କରିଦେଇଛି। ସ୍ବାଧୀନ ଭାରତର ଇତିହାସରେ ଏମିତି ଅନେକ ଉଦାହରଣ ରହିଛି। ଏହାର ସବୁଠାରୁ ବଡ଼ ଉଦାହରଣ ତାମିଲନାଡୁ ରାଜନୀତିରେ ଦେଖିବାକୁ ମିଳିଛି।

ସିନେମାରୁ ବନ୍ଧୁତ୍ବ, ରାଜନୀତିରୁ ଶତ୍ରୁତା
ତାମିଲନାଡ଼ୁର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ଏମ୍‌ଜି ରାମଚନ୍ଦ୍ରନ୍‌ ଓ ଏମ୍.କରୁଣାନିଧି। ୧୯୪୫ରୁ ତାମିଲ ଫିଲ୍ମ ଶିଳ୍ପରେ କାମ କରିବା ସମୟରେ ଆରମ୍ଭ ହୋଇଥିଲା ସେମାନଙ୍କର ମିତ୍ରତା। ୨୩ ବର୍ଷୀୟ ସ୍କ୍ରିପ୍ଟ୍‌ ରାଇଟର କରୁଣାନିଧି ଏବଂ ୩୦ ବର୍ଷୀୟ ଅଭିନେତା ରାମଚନ୍ଦ୍ରନ୍‌ଙ୍କ ବନ୍ଧୁତାକୁ ଦେଖିଲେ ଯେ କେହି ଇର୍ଷା କରୁଥିଲେ। ସେମାନଙ୍କର ଯୋଡ଼ି ତାମିଲନାଡ଼ୁରେ ଅନେକ ହିଟ୍ ଫିଲ୍ମ ଦେଇଥିଲା। ତାମିଲ ଚଳଚ୍ଚିତ୍ରର ସୁପରଷ୍ଟାର ଏମ୍‌ଜି ରାମଚନ୍ଦ୍ରନ୍ କଂ‌ଗ୍ରେସ ସମର୍ଥକ ରୂପେ ପରିଚିତ ଥିବା ବେଳେ ଡିଏମ୍‌କେ ପ୍ରତି କରୁଣାନିଧିଙ୍କ ଦୁର୍ବଳତା ରହିଥିଲା। ୧୯୫୭ରେ କରୁଣାନିଧି ଡିଏମ୍‌କେ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୯ରେ ଡିଏମ୍‌କେ ପ୍ରତିଷ୍ଠାତା ଆନ୍ନାଦୁରାଇଙ୍କ ପରଲୋକ ପରେ କରୁଣାନିଧି ଉଭୟ ଡିଏମ୍‌କେର ମୁଖ୍ୟ ହେବା ସହିତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଇତିମଧ୍ୟରେ ନିଜର ପରମମିତ୍ର ରାମଚନ୍ଦ୍ରନ୍‌ଙ୍କୁ ଡିଏମ୍‌କେରେ ସାମିଲ କରାଇନେଇଥିଲେ କରୁଣାନିଧି। ଦଳର କମାଣ୍ଡ ନିଜ ହାତକୁ ଆସିବା ପରେ‌ ରାମଚନ୍ଦ୍ରନ୍‌ଙ୍କୁ ‌କରୁଣାନିଧି ଦଳର କୋଷାଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ବସାଇଥିଲେ। ଉଭୟ ଡିଏମ୍‌କେରେ ପ୍ରଭାବଶାଳୀ ନେତା ଥିଲେ। ସେମାନଙ୍କର ଯୋଡ଼ି ଡିଏମ୍‌କେକୁ ଅପରାଜେୟ କରିଦେଇଥିଲା।

କିନ୍ତୁ ଏହି ଯୋଡ଼ି ବେଶି ଦିନ ତିଷ୍ଠି ପାରିଲା ନାହିଁ। ଅନେକ କାରଣରୁ ସେମାନଙ୍କ ସଂପର୍କ ଏତେ ତିକ୍ତ ‌େହାଇଗଲା ଯେ ପରସ୍ପରକୁ ଚାହିବାକୁ ସେମାନେ ପ୍ରସ୍ତୁତ ନଥିଲେ। କରୁଣାନିଧି ତାଙ୍କ ପୁଅ ମୁତ୍ତୁଙ୍କୁ ଉଭୟ ସିନେମା ଓ ରାଜନୀତିରେ ପ୍ରଭାବଶାଳୀ ଢଙ୍ଗରେ ପ୍ରବେଶ କରାଇବା ଲାଗି ବଡ଼ ଧରଣର ଯୋଜନା ଆରମ୍ଭ କରିଥିଲେ। ପୁଅ ମୋହରେ ‌େସ ଏତେ ଅନ୍ଧ ‌ହୋଇଯାଇଥିଲେ ଯେ ନିଜର ଘନିଷ୍ଠ ବନ୍ଧୁ ରାମଚନ୍ଦ୍ରନ୍‌ଙ୍କୁ ଗୁରୁତ୍ବ ଦେବାକୁ ଭୁଲିଯାଇଥିଲେ। ପ୍ରତି କଥାରେ ରାମଚନ୍ଦ୍ରନ୍‌ଙ୍କ ସହିତ ପରାମର୍ଶ ‌କରୁଥିବା କରୁଣାନିଧି ତାଙ୍କୁ ଯଥାଯୋଗ୍ୟ ଗୁରୁତ୍ବ ଦେବାରୁ ଓହରିଗଲେ। ଏଥିରେ ରାମଚନ୍ଦ୍ରନ୍‌ ଭୀଷଣ ଅପମାନିତ ଅନୁଭବ କରିଥିଲେ। ନିଜର ପରମମିତ୍ର କରୁଣାନିଧିଙ୍କୁ ଠିକଣା ଜବାବ ଦେବାଲାଗି ସ୍ଥିର କଲେ ଏମଜିଆର୍। ଡିଏମ୍‌କେ ଓ କରୁଣାନିଧି ସରକାରରେ‌ ବ୍ୟାପକ ଦୁର୍ନୀତି ହେଉଥିବା କଥା ଉଠାଇ ଦଳ ଭିତରେ ହଟଚମଟ ସୃଷ୍ଟି କରିଥିଲେ। ‌ପରିସ୍ଥିିତି ଏମିତି ହେଲା ଯେ କରୁଣାନିଧି ଶେଷରେ ରାମଚନ୍ଦ୍ରନ୍‌ଙ୍କୁ ଦଳରୁ ବହିଷ୍କାର କରିବା ଛଡ଼ା ଅନ୍ୟ ବାଟ ପାଇଲେ ନାହିଁ। ଏହା ଏମ୍‌ଜିଆରଙ୍କ ପାଇଁ ଆଶୀର୍ବାଦ ପ୍ରମାଣିତ ହେଲା। ୧୯୭୨ରେ ରାମଚନ୍ଦ୍ରନ୍‌ କରୁଣାନିଧିଙ୍କ ସହ ସଂପର୍କ ତୁଟାଇ ନିଜେ ଆନ୍ନାଡିଏମ୍‌କେ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଥିଲେ। କୁହାଯାଉଛି ଯେ ଏହି ସଂପର୍କ ଚ୍ଛିନ୍ନ ପଛରେ ସେତେବେଳର ଲୋକପ୍ରିୟ ଅଭିନେତ୍ରୀ ଜେ. ଜୟଲଳିତାଙ୍କ ଭୂମିକା ମଧ୍ୟ ରହିଥିଲା। ତାମିଲନାଡ଼ୁରେ ଏମ୍‌ଜିଆର୍ ରୂପେ ପରିଚିତ ରାମଚନ୍ଦ୍ରନ୍‌ ନୂଆ ଦଳ ଗଠନ କରିବା ପରେ ତାଙ୍କର ଲୋକପ୍ରିୟତା ଆକାଶ ଛୁଇଁବାକୁ ଲାଗିଲା। ଦଳ ଗଠନର ୫ ବର୍ଷ ପରେ ୧୯୭୭ ନିର୍ବାଚନରେ କରୁଣାନିଧିଙ୍କୁ ପରାସ୍ତ କରି ରାମଚନ୍ଦ୍ରନ୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ। କୌଣସି ଫିଲ୍ମ ଅଭିନେତା ଭାରତରେ ମୁଖ୍ୟମନ୍ତ୍ରୀ ହେବାରେ ଏହା ଥିଲା ପ୍ରଥମ ଘଟଣା। ଏମ୍‌ଜିଆର୍ ଜୀବିତ ଥିବା ପର୍ଯ୍ୟନ୍ତ କରୁଣାନିଧି ଆଉ କ୍ଷମତାକୁ ଫେରି ପାରି ନଥିଲେ। ରାମଚନ୍ଦ୍ରନ୍‌ ୧୯୭୭ରୁ ୧୯୮୦, ପୁଣି ୧୯୮୦ରୁ ୧୯୮୪ ଏବଂ ୧୯୮୫ରୁ ୧୯୮୭ରେ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ। ରାମଚନ୍ଦ୍ରନ୍‌ଙ୍କ ଅବର୍ତ୍ତମାନରେ କରୁଣାନିଧି ୧୯୮୯ରେ କ୍ଷମତାକୁ ଫେରିଥିଲେ।

ସଂପର୍କରେ ଶ୍ବଶୁର-ଜ୍ବାଇଁ, ରାଜନୀତିରେ ବଇରୀ
ଆନ୍ଧ୍ରପ୍ରଦେଶ ମଧ୍ୟ ଏଭଳି ରାଜନୀତିରୁ ପଛରେ ନଥିଲା। ତେଲୁଗୁ ଫିଲ୍ମ ଦୁନିଆର ସୁପରଷ୍ଟାର୍‌ ଏନ୍‌ଟି ରାମା ରାଓ ବା ଏନ୍‌ଟିଆର୍‌ ୧୯୭୨ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନାମରେ ଆଞ୍ଚଳିକ ଦଳ ଗଠନ କରିଥିଲେ। ଦଳ ଗଠନ କରିବାର ଗୋଟିଏ ବର୍ଷ ପରେ ତାଙ୍କ ଦଳ କ୍ଷମତାକୁ ଆସିଥିଲା। ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିଲା କଂଗ୍ରେସ। କଂଗ୍ରେସକୁ ହରାଇ ୧୯୮୩ରୁ ୧୯୯୫ ମଧ୍ୟରେ ସେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୯ ଓ ୧୯୯୦ରେ କେନ୍ଦ୍ରରେ ଅଣ-କଂଗ୍ରେସ ଜାତୀୟ ସାମ୍ମୁଖ୍ୟ ସରକାର ଗଠନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ୧୯୯୫ରେ ଆନ୍ଧ୍ର ପ୍ରଦେଶରେ ଭିନ୍ନ ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରିବାରରେ ବିଦ୍ରୋହ ଯୋଗୁଁ ସେ କ୍ଷମତାଚ୍ୟୁତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଥିବା ବେଳେ ରାମା ରାଓଙ୍କ ହାତରୁ ଶାସନ କ୍ଷମତା ଛଡ଼ାଇ ନେଇଥିଲେ ତାଙ୍କର ଜାମାତା ଚନ୍ଦ୍ରବାବୁ ନାଇଡ଼ୁ। ଏଥିରେ ଚନ୍ଦ୍ରବାବୁଙ୍କୁ ସହାୟତା କରିଥିଲେ ରାମା ରାଓଙ୍କ ପୁତ୍ରମାନେ। ପୁତ୍ରମାନଙ୍କ ମଧ୍ୟରେ ଥିଲେ ଅଭିନେତା ହରିକ୍ରିଷ୍ଣ‌ା ଓ ବାଲକ୍ରିଷ୍ଣା। ରାମାରାଓ ତାଙ୍କ ଦ୍ବିତୀୟ ପତ୍ନୀ ଲକ୍ଷ୍ମୀପାର୍ବତୀଙ୍କ କଥାରେ‌ ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ ଆଣି ସମଗ୍ର ପରିବାର ବିଦ୍ରୋହ କରି ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ରାଜ୍ୟର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ ରାମାରାଓ କେବେ ଚିନ୍ତା କରିନଥିଲେ ଯେ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିବ। ତାଙ୍କ ଦଳର ୨୧୯ ବିଧାୟକଙ୍କ ମଧ୍ୟରୁ କେବଳ ୨୮ ଜଣ ତାଙ୍କ ସହିତ ରହିଥିଲେ। ଅନ୍ୟମାନେ ଚନ୍ଦ୍ରବାବୁଙ୍କୁ ସମର୍ଥନ କରିଥିଲେ। ତାମିଲନାଡ଼ୁର ଏମ୍‌ଜି ରାମଚନ୍ଦ୍ରନ୍‌ଙ୍କ ପଦାଙ୍କ ଅନୁସରଣ କରି ଅଭିନେତାରୁ ନେତା ହୋଇଥିବ‌‌ା ଏନ୍‌ଟିଆର୍‌ଙ୍କୁ ବିଧାନସଭାରେ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା। ଏପରିକି ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇନଥିଲେ। ଅନ୍ୟପକ୍ଷରେ ତାଙ୍କୁ ସମର୍ଥନ କରୁଥିବା ୨୮ ଜଣ ଯାକ ବିଧାୟକଙ୍କୁ ବିଶୃଙ୍ଖଳ ଆଚରଣ ପାଇଁ ସସ୍‌ପେଣ୍ଡ୍ କରିଥିଲେ ବାଚସ୍ପତି।

କ୍ଷମତାଚ୍ୟୁତ ହେବାପରେ ଏନଟିଆର୍‌ ତାଙ୍କ ସପକ୍ଷରେ ଜନମତ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏମ୍‌ଜିଆର୍‌ଙ୍କ ଭଳି ତାଙ୍କୁ ସଫଳତା ମିଳି ନଥିଲା। ରାମାରାଓଙ୍କ ଦ୍ବିତୀୟ ପତ୍ନୀ ଲକ୍ଷ୍ମୀ ପାର୍ବତୀଙ୍କୁ ନେଇ ଚନ୍ଦ୍ରବାବୁ ଏବଂ ତାଙ୍କ ଗୋଷ୍ଠୀ ନିର୍ବାଚନରେ ଏମିତି ପ୍ରସଙ୍ଗ କଲେ ଯେ ରାମାରାଓଙ୍କ ସବୁ କରିସ୍ମା ଧୂଳିସାତ ହୋଇଯାଇଥିଲା। ଏହାପୂର୍ବରୁ ୧୯୮୪ରେ ମଧ୍ୟ ନିଜ ମନ୍ତ୍ରୀଙ୍କ ଦ୍ବାରା ରାମାରାଓ ବିଦ୍ରୋହର ଶିକାର ହୋଇଥିଲେ। ଏହାକୁ ବ୍ୟର୍ଥ କରିବା ସହିତ ଅଧିକ ସଂଖ୍ୟାରେ ଭୋଟ୍ ପାଇ କ୍ଷମତାସୀନ ହୋଇଥିଲେ ରାମାମାଓ। କିନ୍ତୁ ୧୯୯୫ରେ ସେହି କରିସ୍ମା ଆଉ କାମ ଦେଲାନାହିଁ। ଦୁଃଖରେ ସେ ଏମିତି ଭାଙ୍ଗି ପଡ଼ିଲେ ଯେ ୧୯୯୬ ଜାନୁଆରୀରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

publive-image

ଉଲ୍ଳେଖନୀୟ ଯେ ତେଲୁଗୁ ଫିଲ୍ମ ଦୁନିଆର ସୁପରଷ୍ଟାର ରାମାରାଓ ୧୯୮୨ରେ ଟିଡିପି ଗଠନ କରିଥିଲେ। କଂଗ୍ରେସର ଜଣେ ଆଗ ଧାଡ଼ିର ନେତା ଥିବା ଚନ୍ଦ୍ରବାବୁ ୧୯୮୫ରେ ଟିଡିପିରେ ଯୋଗଦେଇଥିଲେ। ସଂଗଠନ ମଜବୁତ କରିବା ଲାଗି ସମସ୍ତ କ୍ଷମତା ତାଙ୍କୁ ଦେ‌ଇଥିଲେ ରାମାରାଓ। ୧୯୯୪ରେ ରାମାରାଓଙ୍କୁ ବିଜୟୀ କରାଇବାରେ ଚନ୍ଦ୍ରବାବୁଙ୍କ ସାଂଗଠନିକ କ୍ଷମତା କାମ ଦେଇଥିଲା। କିନ୍ତୁ ଯେଉଁ ଚନ୍ଦ୍ରବାବୁଙ୍କୁ ଆଣି ଦଳର ସାଂଗଠନିକ ଦାୟିତ୍ବ ଦେଇଥିଲେ ସେହି ଚନ୍ଦ୍ରବାବୁଙ୍କ ଯୋଗୁଁ କ୍ଷମତାଚ୍ୟୁତ ହୋଇଥିଲେ ରାମାରାଓ। ତାଙ୍କ ହାତରୁ କେବଳ କ୍ଷମତା ନୁହେଁ, ଦଳ ବି ଗଲା। ଚନ୍ଦ୍ରବାବୁ ନାଇଡୁ ଏବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏମିତି ମିତ୍ରତା-ଶତ୍ରୁତା ଖେଳର ଅନେକ ଉଦାହରଣ ଭାରତ ରାଜନୀତିରେ ରହିଛି। ‌େଯମିତି ରାହୁଲ ଗାନ୍ଧୀ-ଜ୍ୟୋତିରାଦିତ୍ୟ ସିନ୍ଧିଆ, ମୁଲାୟମ-ମାୟାବତୀ ଓ ଶରଦ ପାୱାର-ଅଜିତ ପାୱାରଙ୍କ ସଂପର୍କ। ରାହୁଲ-ଜ୍ୟୋତିରାଦିତ୍ୟ ଯୋଡ଼ି ଭାଙ୍ଗିବାରୁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର (୨୦୨୦) ପତନ ଘଟିଲା। ମୁଲାୟମ-ମାୟାବତୀ ସଂପର୍କ ତୁଟିବାରୁ ୟୁପିରେ ମୁଲାୟମ ସରକାର (୧୯୯୫) ଭୁଶୁଡ଼ି ପଡ଼ିଥିଲା। ସେହିଭଳି ଦାଦା ପୁତୁରା ଶରଦ ଓ ଅଜିତଙ୍କ ସଂପର୍କ ତିକ୍ତ ହେବାରୁ ମହାରାଷ୍ଟ୍ରରେ ମେଣ୍ଟ ସରକାର (୨୦୨୨) ଭାଙ୍ଗିଯାଇଥିଲା।

କେବେ ଭାଇ, କେବେ ଭଗାରି

ଭାରତୀୟ ରାଜନୀତିରେ ଯଦି ବନ୍ଧୁତା କଥା ଉଠିବ, ତାହା‌େ‌ହଲେ ଲାଲୁ ଓ ନୀତୀଶଙ୍କ କଥା ନିଶ୍ଚିତ ରୂପେ ଚର୍ଚ୍ଚାକୁ ଆସିବ। କିନ୍ତୁ ଭିନ୍ନ ଢଙ୍ଗରେ। ସେମାନଙ୍କର ସଂପର୍କ ଉତ୍‌ଥାନ ଓ ପତନ ଦେଇ ଗତି କରୁଛି। ଦିନେ ଘନିଷ୍ଠ ବନ୍ଧୁ ଥିବା ଲାଲୁ ଓ ନୀତୀଶ ପରବର୍ତ୍ତୀ ସମୟରେ ଶତ୍ରୁ ପାଲଟିଯାଇଥିଲେ। ପୁଣି ହାତ ମିଳାଇଲେ, ପୁଣି ହାତ ଛାଡ଼ିଲେ। କୁହାଯାଉଛି, ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଏବେର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବନ୍ଧୁତା ଓ ଶତ୍ରୁତା ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ଉଦାହରଣ ହୋଇ ରହିବ। ୧୯୭୪ରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ବରେ‌ ହୋଇଥିବା ଆନ୍ଦୋଳନରେ ଉଭୟ ଲାଲୁ ଓ ନୀତୀଶ ଛାତ୍ରନେତା ହିସାବରେ ସାମିଲ ହୋଇଥିଲେ। ସେମାନଙ୍କ ଯୋଡ଼ିକୁ ସୋଲେ ସିନେମାର ଜୟ-ବୀରୁଙ୍କ ଯୋଡ଼ି ସହ ତୁଳନା କରାଯାଉଥିଲା। ଉଭୟ ଜନତା ଦଳରେ ଲୋକପ୍ରିୟ ନେତା ଥିଲେ। ୧୯୯୦ରେ ଲାଲୁଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ନୀତୀଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଏହାର ଗୋଟିଏ ବର୍ଷ ପରେ ସେମାନଙ୍କ ସଂପର୍କ ତିକ୍ତ ହୋଇଥିଲା। ଶେଷରେ ୧୯୯୪ରେ ନୀତୀଶ ବିଦ୍ରୋହ କରି ଲାଲୁଙ୍କ ହାତ ଛାଡ଼ିଥିଲେ। ନୀତୀଶ ଜନତା ଦଳ ଛାଡ଼ି ଜର୍ଜ ଫର୍ଣ୍ଣାଡିଜଙ୍କ ସହ ମିଶି ସମତା ପାର୍ଟି ଗଠନ କରିଥିଲେ। ୧୯୯୭ରେ ଜନତା ଦଳ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଗଠନ କରିଥିଲେ ଲାଲୁ। ୧୯୯୭ରେ ଉଭୟ ପରସ୍ପରର ବଡ଼ ରାଜନୈତିକ ଶତ୍ରୁ ପାଲଟିଯାଇଥିଲେ। ୨୦୦୦ ବିହାର ବିଧାନସଭା ନିର୍ବାଚନରେ ନୀତୀଶଙ୍କ ସମତା ପାର୍ଟି ଓ ଲାଲୁଙ୍କ ଆରଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ଲାଲୁଙ୍କ ବିଜୟ ହୋଇଥିଲା। ଲାଲୁଙ୍କୁ ହରାଇବା ଲାଗି ଶପଥ ନେଇଥିବା ନୀତୀଶ ୨୦୦୩ରେ ସମତା ପାର୍ଟିକୁ ଶରଦ ଯାଦବଙ୍କ ନେତୃତ୍ବାଧୀନ ଜନତା ଦଳ (ୟୁ)ରେ ମିଶ୍ରଣ କରାଇଥିଲେ।

ଏହି ରଣକୌଶଳ ସଫଳ ନହେବାରୁ ୨୦୦୫ରେ ବିଜେପି ସହତ ହାତ ମିଳାଇଥିଲେ ନୀତୀଶ କୁମାର। ସେହିବର୍ଷ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ନୀତୀଶ-ବିଜେପି ମେଣ୍ଟ ଲାଲୁଙ୍କୁ ହରାଇବାରେ ସମର୍ଥ ହୋଇଥିଲା। ୨୦୦୫ରେ ନୀତୀଶ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ‌େହାଇଥିଲେ। ୨୦୧୦ ନିର୍ବାଚନ ଜିତି ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ। ତେବେ ୨୦୧୫ରେ ବିହାର ରାଜନୀତି ନାଟକୀୟ ମୋଡ଼ ନେଇଥିଲା। ନୀତୀଶ ବିଜେପି ସହ ସଂପର୍କ ଛିନ୍ନ କରି ଲାଲୁଙ୍କ ହାତ ଧରିଥିଲେ। ସେହିବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଲାଲୁ-ନୀତୀଶ ମେଣ୍ଟକୁ ବିପୁଳ ସଫଳତା ମିଳିଥିଲା। ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ‌େହାଇଥିଲେ। ନୀତୀଶଙ୍କ ନେତୃତ୍ବରେ ଗଠିତ ସରକାରରେ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଥିଲେ। ତେଜସ୍ବୀଙ୍କ ନାମରେ ଦୁର୍ନୀତି ମାମଲା ଆସିଥିଲା ଏବଂ ତାଙ୍କ ଘ‌େର ସିବିଆଇ ଚଢ଼ଉ କରିଥିଲା। ନିଜର ସ୍ବଚ୍ଛ ଭାବମୂର୍ତ୍ତି ନେଇ ଖ୍ୟାତି ଅର୍ଜନ କରିଥିବା ନୀତୀଶଙ୍କୁ ଏହି ଘଟଣା ବିଚଳିତ କରିଥିଲା। ସେ ତେଜସ୍ବୀଙ୍କୁ ଇସ୍ତଫା ଦେବାକୁ କହିଥିଲେ। ତେଜସ୍ବୀ ରାଜି ନହେବାରୁ ୨୦୧୭ରେ ଲାଲୁଙ୍କ ସହ ସଂପର୍କ ତୁଟାଇଥିଲେ ନୀତୀଶ। ସେ ବିଜେପି ସହ ମେଣ୍ଟ କରି ସରକାର ଗଠନ କଲେ। ବିଜେପି ସହ ମନୋମାଳିନ୍ୟ ଯୋଗୁଁ ପୁଣି ୨୦୨୨ରେ ଏକାଠି ହୋଇଥିଲେ ଲାଲୁ ଓ ନୀତୀଶ। ୨୦୨୪ରେ ନୀତୀଶ ପୁଣି ଦୁର୍ନୀତି କଥା ଉଠାଇ ଲାଲୁଙ୍କ ଠାରୁ ସଂପର୍କ ଚ୍ଛିନ୍ନ କରି ବିଜେପି ସହିତ ହାତ ମିଳାଇ କ୍ଷମତାରେ ଅଛନ୍ତି।