କାହିଁକି ବାତ୍ୟାର ନାଁ ‘ଜୱାଦ’? ଜାଣନ୍ତୁ କ’ଣ ଏହାର ଅର୍ଥ?

ଭୁବନେଶ୍ୱର: ଓଡିଶା ଉପକୂଳ ମୁହାଁ ହେଉଛି ବାତ୍ୟା ‘ଜୱାଦ’ । ହେଲେ ଏହି ବାତ୍ୟା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ଦକ୍ଷିଣ ଓଡିଶା ଓ ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୂର୍ବରୁ ବାତ୍ୟା ‘ଜୱାଦ’ ଫନିଠାରୁ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଉଥିଲା | ହେଲେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ବାତ୍ୟା ‘ଜୱାଦ’ ଦୁର୍ବଳ ହେବାରେ ଲାଗିଛି | ପ୍ରଭାବ କମ ହେଉଥିବାରୁ ବାତ୍ୟା ‘ଜୱାଦ’ ନିଜ ନାଁର ଅର୍ଥକୁ ସଠିକ ପ୍ରମାଣ କରିଥିବା କୁହାଯାଉଛି |

ସୂଚନା ମୁତାବକ, ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ‘ଜୱାଦ’ ନାଁ ଏଥର ଦେଇଛି ସାଉଦି ଆରବ । ଆରବି ଭାଷାରେ ଏହାର ଅର୍ଥ ହେଉଛି ଉଦାର ବା ଦୟାଳୁ। ଏବେ ପ୍ରଭାବକୁ କମ ହେବାରୁ ବାତ୍ୟା ‘ଜୱାଦ’ ଲୋକଙ୍କ ଉପରେ ଦୟା କରି ନିଜ ନାଁର ଅର୍ଥକୁ ସତ ପ୍ରମାଣ କରିଛି | ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରା ବହୁ ଆଗରୁ ଚାଲିଆସିଛି । ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ଏକ ରୋମାଞ୍ଚକର ଅର୍ଥ ମଧ୍ୟ ରହିଥାଏ ।

କୁହାଯାଏ ଯେ ପୂର୍ବରୁ ବତ୍ୟାର କୌଣସି ନାମକରଣ ହେଉନଥିଲା । ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି, ଯାହାର କୌଣସି ନାମକରଣ କରାଯାଇନଥିଲା । ହେଲେ ୨୦୦୦ ମସିହାରେ ବାତ୍ୟା ନାମକରଣର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ।

ସେବେଠୁ ସମୁଦ୍ରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହାପରେ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରୁଛନ୍ତି ।

ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେ ହିଁ ବାତ୍ୟାର ନାମକରଣ କରିବ । ଯେମିତିକି ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବରର ନାଁ ପାକିସ୍ତାନ ଦେଇଥିଲା । ଏବେ ଆଲଫାବେଟ ଅନୁସାରେ ବର୍ତ୍ତମାନ ବାତ୍ୟା ଜୱାଦର ନାଁ ସାଉଦି ଆରବ ଦେଇଛି ।

ସମ୍ବନ୍ଧିତ ଖବର