ନିକଟରେ ଏକ ଭିଡିଓ ଦେଖିଲି। ରାହୁଲ ଗାନ୍ଧୀ ସଂସଦରେ କହୁଛନ୍ତି: ତପସ୍ୟା କା ମତଲବ ଶରୀର ମେଁ ଗର୍ମି ପୟଦା କରନା। ତାଙ୍କ କଥା ଶୁଣି ଶାସକ ଦଳର ନେତାମାନେ ଉପହାସ କରି କହୁଛନ୍ତି- ୟାଙ୍କୁ କିଏ ଏସବୁ ଶିଖାଉଛି? ବାସ୍ତବରେ ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି, କିନ୍ତୁ ତାକୁ ଠିକ୍ଭାବେ ବୁଝାଇ ପାରି ନାହାନ୍ତି। ତପସ୍ୟା ଶବ୍ଦର ବ୍ୟାପକ ଅର୍ଥ ଥିବାରୁ ଏବଂ ଏ ଅର୍ଥଟି ସହ ସମସ୍ତେ ପରିଚିତ ନ ଥିବାରୁ ଉପହାସ କରିବା ବି ସ୍ବାଭାବିକ। ତପଃ ଓ ତପସ୍ୟା ଶବ୍ଦ ତପ୍ ଧାତୁରୁ ଆସିଛି, ଯାହାର ଅର୍ଥ ଦଗ୍ଧ କରିବା, ଉତ୍ତାପିତ କରିବା, ତତେଇବା, ତପସ୍ୟା କରିବା। ତପନ ଶବ୍ଦଟି ବି ତପ୍ ଧାତୁରୁ ଆସିଛି, ଯାହାର ଅର୍ଥ ସୂର୍ଯ୍ୟ ଯିଏ ସବୁକିଛିକୁ ତତାନ୍ତି। ସତ୍ୟଯୁଗରେ ତପସ୍ୟା, ତ୍ରେତାରେ ଜ୍ଞାନ, ଦ୍ବାପରରେ ଯଜ୍ଞ ଓ କଳିଯୁଗରେ ଦାନ ବା ନାମ ସଂକୀର୍ତ୍ତନ ଦ୍ବାରା ମଣିଷ ମୋକ୍ଷ ପାଇପାରିବ ବୋଲି କୁହାଯାଇଛି।
ଚିତ୍ତଶୁଦ୍ଧି ଓ ବିଷୟନିବୃତ୍ତି ପାଇଁ ଶରୀରକୁ କଷ୍ଟ ଦେଇ ଯେଉଁ ଯମ, ନିୟମାଦି ପାଳନ କରାଯାଏ ତାକୁ ତପଃ ବୋଲାଯାଏ। ଗୀତାରେ ତପସ୍ୟା ଉପରେ ବିଶଦ ବର୍ଣ୍ଣନା କରାଯାଇଛି। ଗୀତାରେ ଅଛି- ତପଃ ତିନି ପ୍ରକାର- ଶାରୀରିକ, ମାନସିକ ଓ ବାଚନିକ। ଶୌଚ, ଉପବାସ, ବ୍ରତାନୁଷ୍ଠାନ, ବାପାମାଆ, ଗୁରୁଜନ, ଦେବତାଙ୍କ ସେବା ଓ ପୂଜା, ସରଳତା, ବ୍ରହ୍ମଚର୍ଯ୍ୟ ଓ ଅହିଂସା ହେଉଛି ଶାରୀରିକ ତପ। ମାନସିକ ତପ ଭିତରେ ଆସୁଛି- ନାମଜପ, ଧ୍ୟାନ, ମନର ପ୍ରସନ୍ନତା, ମୌନ, ଆତ୍ମନିଗ୍ରହ ଓ ଭାବଶୁଦ୍ଧି। ବାଚନିକ ତପ ହେଉଛି- ଗୀତା, ଭାଗବତ, ବେଦ, ପୁରାଣ ଓ ସ୍ତୋତ୍ର ଆଦି ପାଠ ବା ସ୍ବାଧ୍ୟାୟ, ସତ୍ୟକଥା କହିବା, ଅନ୍ୟକୁ କଷ୍ଟ ହେଲା ଭଳି କଥା ନ କହିବା, ଅଧ୍ୟାପନା ଓ ଯାଜନ। ପୁଣି ଗୁଣତ୍ରୟ ଭେଦରେ ବି ତପଃ ତିନିପ୍ରକାର- ସାତ୍ତ୍ବିକ, ରାଜସିକ ଓ ତାମସିକ। ସାତ୍ତ୍ବିକ ତପଃ ହେଲା ଫଳାକାଂକ୍ଷାରହିତ ତପସ୍ୟା, ରାଜସିକ ତପଃ ହେଲା ମାନ, ଯଶ ଆଦି ପାଇବା ପାଇଁ ଦମ୍ଭପୂର୍ବକ ଅନୁଷ୍ଠିତ ତପସ୍ୟା ଏବଂ ପରର ଅନିଷ୍ଟ ଘଟାଇବା ପାଇଁ ନିଜ ଶରୀରକୁ କଷ୍ଟ ଦେଇ ଯେଉଁ ତପସ୍ୟା କରାଯାଏ ତାହା ହେଲା ତାମସିକ ତପସ୍ୟା। ଅଗ୍ନି ଯେପରି ପାର୍ଥିକ ବସ୍ତୁମାନଙ୍କୁ ଦଗ୍ଧ କରେ, ତପସ୍ୟା ସେହିପରି ମନୁଷ୍ୟର ପାପାଦିକୁ ଦଗ୍ଧ କରେ ବୋଲି ଏହାର ନାମ ତପଃ। ପ୍ରାଚୀନ କାଳରେ ଲୋକମାନେ ଇନ୍ଦିୟଗୁଡ଼ିକୁ ବଶରେ ରଖିବା ଏବଂ ପ୍ରଲୋଭନରୁ ଦୂରରେ ରହିବା ପାଇଁ ସଂସାର ତ୍ୟାଗ କରି ଜଙ୍ଗଲରେ କୁଡ଼ିଆ କରି ରହୁଥିଲେ, ଶୀତୋଷ୍ଣ ସୁଖଦୁଃଖାଦି ସହ୍ୟ କରୁଥିଲେ, ତପସ୍ୟା କରୁଥିଲେ ଓ ଫଳମୂଳ ଖାଇ ରହୁଥିଲେ। କେହି କେହି ଅଭୀଷ୍ଟ ସିଦ୍ଧି ଓ ବରପ୍ରାପ୍ତି ନିମନ୍ତେ ମଧ୍ୟ ତପସ୍ୟା କରୁଥିଲେ।
ବେଦରେ କୁହାଯାଇଛି, ତପସ୍ୟା ଦ୍ୱାରା ଶରୀରକୁ ଶୁଦ୍ଧ ନ କରି, ଜଣେ ଯୋଗର ଅନ୍ତିମ ସୋପାନରେ ପହଞ୍ଚି ପାରିବ ନାହିଁ। ନିଷ୍ଠାପୂର୍ବକ ତପସ୍ୟାର ଅଭ୍ୟାସ କରି, ଜଣେ ନିଜ ଜୀବନକୁ ପାର୍ଥିବ ସ୍ତରରୁ ଦିବ୍ୟତାକୁ ଉତ୍ଥିତ କରିପାରିବ। ମହତ୍ ଉଦ୍ଦେଶ୍ୟରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ ତପସ୍ୟା କରିବା ଆବଶ୍ୟକ।
ତେବେ ଶରୀରରେ ‘ଗର୍ମି ପୟଦା’ କରିବା ବା ଉତ୍ତାପ ସୃଷ୍ଟିକୁ କିପରି ତପଃ କୁହାଯାଏ, ତାହା ମୁଁ ଏଠାରେ ବୁଝାଉଛି। ତପସ୍ୟାର ଗୋଟିଏ ମୂଳ ଜିନିଷ ହେଉଛି ନାମଧ୍ୟାନ କରିବା। ଆଜ୍ଞାଚକ୍ରରେ ଇଷ୍ଟମୂର୍ତ୍ତି ଧ୍ୟାନ ପୂର୍ବକ ଯେଉଁ ନାମଜପ କରାଯାଏ, ତାକୁ ନାମଧ୍ୟାନ କୁହାଯାଏ। ଆଜ୍ଞାଚକ୍ରରେ ମନକୁ କେନ୍ଦ୍ରିତ କରି ଜପ କରିବା ଦ୍ବାରା ସେଠାରେ ଗୋଟାଏ କମ୍ପନ ବା ଭାଇବ୍ରେସନ ସୃଷ୍ଟି ହୁଏ। ଦୁଇଟା ପଥରକୁ ବାଡ଼େଇଲେ ସେଥରୁ କମ୍ପନ ଓ ଶବ୍ଦ ସୃଷ୍ଟି ହୁଏ। ବାରମ୍ବାର ବାଡ଼େଇଲେ ଘର୍ଷଣଜନିତ ଉତ୍ତାପ ବି ସୃଷ୍ଟି ହୁଏ। ସେମିତି ଆଜ୍ଞାଚକ୍ରରେ ନାମଧ୍ୟାନ କରିବା ଫଳରେ ଆମ ଶରୀରରେ ଉତ୍ତାପ ସୃଷ୍ଟି ହୁଏ। ସେହି ଉତ୍ତାପକୁ ଧରି ରଖିବା ପାଇଁ ନାମଧ୍ୟାନ ସମୟରେ ଏକ ପତଳା ଚଦର କେବଳ ନାକକୁ ବାଦ ଦେଇ ଆପାଦମସ୍ତକ ଢାଙ୍କି ରଖିବାକୁ ହୋଇଥାଏ। ନାମଧ୍ୟାନ ଜଣେ ୫ ମିନିଟ୍ରୁ ଆରମ୍ଭ କରି ଏକ ଘଣ୍ଟା ବା ଦୁଇଘଣ୍ଟା ଯାଏ କରିପାରେ। ନିୟମିତ ଭାବେ ଅଧିକ ସମୟ ନାମଧ୍ୟାନ କଲେ, ସମୟ ଆସେ ଯେତେବେଳେ ଜାତ ହେଉଥିବା କମ୍ପନରୁ ବିଭିନ୍ନ ପ୍ରକାର ଶବ୍ଦ ଶୁଣାଯିବା ସହ ଉତ୍ତାପରୁ ଜ୍ୟୋତିଦର୍ଶନ ବି ହୋଇଥାଏ। ଏହା ସାଧକମାନଙ୍କର ପ୍ରାରମ୍ଭିକ ସ୍ତରର ଅନୁଭୂତି। ସେତିକିରେ ସନ୍ତୁଷ୍ଟ ନ ହୋଇ ଅଧିକ ସାଧନା କରିଚାଲିଲେ ଆହୁରି ଅନେକ ପ୍ରକାର ଉଚ୍ଚସ୍ତରର ଅନୁଭୂତି ଆସିଥାଏ ଓ ଶେଷରେ ସିଦ୍ଧି ମିଳିଥାଏ। କିନ୍ତୁ ଆଜିକାଲି କେହି ଏ ସ୍ତରର ସାଧନା କରୁ ନ ଥିବାରୁ ଶରୀରରେ ଉତ୍ତାପ ସୃଷ୍ଟିର ରହସ୍ୟ ସେମାନେ ଜାଣିବେ କିପରି?