କାହିଁକି ୨୦୦୦ ଟଙ୍କିଆ ପ୍ରତ୍ୟାହାର ହେବ?
୨୦୧୬ ନଭେମ୍ବରରେ ଘୋଷଣା ହୋଇଥିବା ବିମୁଦ୍ରୀକରଣ ପରେ ବଜାରରେ ନୋଟ୍‌ର ଯେଉଁ ଅଭାବ ଦେଖାଦେଇଥିଲା ତାହା ଭରଣା କରିବା ଲାଗି ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସେହି ଉଦ୍ଦେଶ୍ୟ ପୂରଣ ହୋଇସାରିଛି ଓ ଅନ୍ୟ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇଛି। ସେଥିପାଇଁ ୨୦୧୮-୧୯ ପରଠାରୁ ୨୦୦୦ ଟଙ୍କିଆ ‌ଛପା ହେଉନି। ଅଧିକାଂଶ ୨୦୦୦ ଟଙ୍କିଆ ୨୦୧୭ ମାର୍ଚ୍ଚ ପୂର୍ବରୁ ପ୍ରଚଳନ କରାଯାଇଥିଲା। ସେହି ବଡ଼ ନୋଟ୍ ସାଧାରଣରେ ଏତେଟା ବ୍ୟବହାର ହେଉନି। ତାହାକୁ ଦୃଷ୍ଟିରେ ରଖି ‘କ୍ଲିନ୍ ନୋଟ୍ ନୀତି’ ଅଧିନରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

କ୍ଲିନ୍‌ ନୋଟ୍‌ ନୀତି କ’ଣ?
ଲୋକମାନଙ୍କ ପାଖରେ ସ୍ବଚ୍ଛ ଓ ପରିଷ୍କାର ନୋଟ୍ ପହଞ୍ଚାଇବାକୁ ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ କ୍ଲିନ୍ ନୋଟ୍ ନୀତି ଗ୍ରହଣ କରିଛି।

 ୨୦୦୦ ଟଙ୍କିଆ ଲିଗାଲ୍‌ ଟେଣ୍ଡର ହୋଇରହିବ କି?
ହଁ, ୨୦୦୦ ଟଙ୍କିଆର ଲିଗାଲ୍ ‌‌ଟେଣ୍ଡର ମାନ୍ୟତା ବଜାୟ ରହିବ।

ସାଧାରଣ କାରବାର ଲାଗି ଲୋକମାନେ ୨୦୦୦ ଟଙ୍କିଆ ବ୍ୟବହାର କରିପାରିବେ କି?
ଲୋକମାନେ କାରବାର ଲାଗି ୨୦୦୦ ଟଙ୍କିଆକୁ ବ୍ୟବହାର କରିପାରିବେ ଏବଂ ପେମେଣ୍ଟ୍‌ ଆକାରରେ ଗ୍ରହଣ ବି କରିପାରିବେ। ତଥାପି ସେହି ନୋଟ୍‌ଗୁଡ଼ିକୁ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କକୁ ଫେରାଇ ଦେବା ଲାଗି ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କ କହିଛି।

ପାଖରେ ଥିବା ୨୦୦୦ ଟଙ୍କିଆକୁ କ’ଣ କରିବେ?
ଲୋକମାନେ ନିଜ ପାଖରେ ରଖିଥିବା ୨୦୦୦ ଟଙ୍କିଆକୁ ନିଜ ବ୍ୟାଙ୍କ ଖାତାରେ ଜମା କରିପାରିବେ ଅନ୍ୟଥା ବଦଳାଇ ଅନ୍ୟ ନୋଟ୍ ଆଣିପାରିବେ।

କେବେଠୁ କେବେ ପର୍ଯ୍ୟନ୍ତ ନୋଟ୍ ବଦଳାଇହେବ?
୨୦୨୩ ମେ’ ୨୩ରୁ ସେପ୍ଟେମ୍ବର ୩୦ ଭିତରେ ନୋଟ୍‌ଗୁଡ଼ିକୁ ବଦଳାଇ ହେବ। ବ୍ୟାଙ୍କ ଶାଖା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟର ଇସ୍ୟୁ ବିଭାଗରେ ଏହି ସୁବିଧା ମିଳିବ। ଭୁବନେଶ୍ବରରେ ରିଜର୍ଭ ବ୍ୟାଙ୍କର ଇସ୍ୟୁ ବିଭାଗ ରହିଛି।

ଥରକେ କେତେ ୨୦୦୦ ଟଙ୍କିଆ ବଦଳାଇ ହେବ?
ଲୋକମାନେ ଥରକେ ୨୦ ହଜାର ଟଙ୍କାର ୨୦୦୦ ଟଙ୍କିଆ ବଦଳାଇପାରିବେ।

ବିଜ୍‌ନେସ୍‌ କରେସ୍‌ପଣ୍ଡେଣ୍ଟ୍‌ (ବିସି)ରେ ବି ୨୦୦୦ ଟଙ୍କିଆ ବଦଳାଇ ହେବ କି?
ହଁ ବଦଳାଇହେବ। ଜଣେ ଗ୍ରାହକ ଦୈନିକ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ବିସିଙ୍କ ପାଖରେ ବଦଳାଇପାରିବେ।

ନିଜ ଖାତା ନଥିବା ଶାଖାରେ ବଦଳାଇହେବ କି?
ଲୋକମାନେ ଯେକୌଣସି ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ବଦଳାଇପାରିବେ। ସେହି ଶାଖାର ଗ୍ରାହକ ହୋଇଥିବା ଜରୁରୀ ନୁହେଁ।

୨୦,୦୦୦ ଟଙ୍କାରୁ ଅଧିକ ଅର୍ଥ ଆବଶ୍ୟକ ଥିଲେ କ’ଣ କରିବେ?
ସେହି ବ୍ୟକ୍ତି ଜଣକ ୨୦୦୦ ଟଙ୍କିଆଗୁଡ଼ିକୁ ନିଜ ଖାତାରେ ଜମା କରିପାରିବେ। ଏହା ପରେ ସେଥିରୁ ଅନ୍ୟ ନୋଟ୍‌ ଆକାରରେ ଟଙ୍କା ଉଠାଇପାରିବେ।

ନୋଟ୍‌ ବଦଳାଇବା ଲାଗି ଫି’ ଦେବାକୁ ପଡ଼ିବନି?
ସମ୍ପୂର୍ଣ୍ଣ ମାଗଣାରେ ନୋଟ୍ ବଦଳାଇହେବ। କିଛି ଫି’ ଦେବାକୁ ପଡ଼ିବନି।

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ କ’ଣ ସୁବିଧା ରହିଛି?
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଯେଭଳି ସୁବିଧାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ ଓ ଜମା କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

୨୦୦୦ ଟଙ୍କିଆଗୁଡ଼ିକୁ ଜମା କରିନପାରିଲେ କିମ୍ବା ବଦଳାଇନପାରିଲେ କ’ଣ ହେବ?
ଏହି ପ୍ରକ୍ରିୟାକୁ ସହଜ କରିବା ଲାଗି ଲୋକମାନଙ୍କୁ ଚାରି ମାସରୁ ଅଧିକ ସମୟ ଦିଆଯାଇଛି। ତେଣୁ ସେହି ସମୟ ଭିତରେ ନୋଟ୍ ବଦଳାଇଦେବା କିମ୍ବା ଜମା କରିବା ଲାଗି ଲୋକମାନଙ୍କୁ କୁହାଯାଉଛି।

ବ୍ୟାଙ୍କ ନୋଟ୍ ବଦଳାଇବାକୁ ମନା କଲେ କ’ଣ କରିବେ?
ଯଦି କୌଣସି ବ୍ୟାଙ୍କର କର୍ମଚାରୀ ୨୦୦୦ ଟଙ୍କିଆ ନେବାକୁ ମନା କରିବେ ତେବେ ଗ୍ରାହକ ଜଣକ ପ୍ରଥମେ ବ୍ୟାଙ୍କ କର୍ତ୍ତପକ୍ଷଙ୍କୁ ସେବିଷୟରେ ଜଣାଇବେ। ୩୦ ଦିନ ଭିତରେ ଯଦି ବ୍ୟାଙ୍କ କିଛି ଉତ୍ତର ନଦେବ କିମ୍ବା ଉତ୍ତର ସନ୍ତୋଷଜନକ ହୋଇନଥିବ ତେବେ ରିଜର୍ଭ ବ୍ୟାଙ୍କର ଲୋକପାଳ ସ୍କିମ୍‌ ଅଧିନରେ csm.rbi.org.inରେ ଅଭିଯୋଗ କରାଯାଇପାରିବ।

ସେପ୍ଟେମ୍ବର ୩୦ ପରେ କ’ଣ ହେବ?
ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସେପ୍ଟେମ୍ବର ୩୦ ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ହୋଇରହିବ। ତଥାପି ତାହାକୁ ନିର୍ଧାରିତ ସମୟରେ ବଦଳାଇବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।