ଆଗାମୀ ଦିନ ପାଇଁ କଣ ରହିବ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଯୋଜନା

ଓଷ୍ଟାର ପ୍ରାକ୍ତନ ରାଜ୍ୟ ଉପସଭାପତି ରାଜେନ୍ଦ୍ର କୁମାର ପଣ୍ଡା ପରାମର୍ଶ

ସମ୍ପ୍ରତି କରୋନାଜନିତ ଭୟଙ୍କର ପରସ୍ଥିତି ଯୋଗୁଁ ଉଭୟ ଛାତ୍ରଛାତ୍ରୀ ତଥା ଅଭିଭାବକ ତାଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ମାନସିକ ଚାପରେ ଅଛନ୍ତି। ମାଟ୍ରିକ ପରୀକ୍ଷା ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଖୁବ ଗୁରୁତ୍ୱପୂର୍ଣ। ମାତ୍ର କୋମଳମତି ପିଲାଙ୍କ ଜୀବନ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସରକାର, ବହୁ ବିଚାର ବିମର୍ଶ ଓ ପରୀକ୍ଷାଥୀଙ୍କ ଭାବାବେଗକୁ ବିଚାରକୁ ନେଇ ମାଟ୍ରିକ ପରୀକ୍ଷାକୁ ବାତିଲ କରବାକୁ ବାଧ୍ୟ ହେଲେ। ଏହି ନିଷ୍ପତ୍ତି କେତେ ଠିକ କେତେ ଭୁଲ ବର୍ତମାନ ତାହା ତର୍ଜମା କରିବାର ସମୟ ନୁହେଁ। ବର୍ତ୍ତମାନ ପ୍ରଶ୍ନ ପରିବର୍ତ୍ତିତ ପରିସ୍ଥିତିରେ ପିଲାମାନେ ଆଗକୁ କଣ କରିବେ ତାର ପରାମର୍ଶର ସମୟ ଆସିଛି। ପରାମର୍ଶ ଦେଇଛନ୍ତି ଓଷ୍ଟାର ପ୍ରାକ୍ତନ ରାଜ୍ୟ ଉପସଭାପତି ତଥା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା।

ପ୍ରଶ୍ନ : ମେଧାବୀ ପିଲାଙ୍କ ପ୍ରଶ୍ନ ପରୀକ୍ଷା ବାତିଲ ହେବା ଫଳରେ ସେମାନେ ଆଶାନୁରୂପ ଫଳ ପାଇ ପାରିବେ ନାହିଁ ?
ଉତ୍ତର: ଏହି ଆଶଙ୍କା ସେମାନଙ୍କ ରହିବା ସ୍ବାଭାବିକ। କାରଣ, ପରୀକ୍ଷା ପାଇଁ ସେମାନେ ବର୍ଷସାରା ପ୍ରତିକୂଳ ପରିସ୍ଥିତିରେ ସ୍କୁଲ ଆସିବାର ସୁଯୋଗ ନପାଇ ବାହାରେ କଠିନ ପରିଶ୍ରମ କରି ମାନସିକ ପ୍ରସ୍ତୁତି ନେଇ ସାରିଥିଲେ। ତେଣୁ, ସେମାନେ ମାନସିକ ଚାପରେ ଅଛନ୍ତି। ପିଲାମାନେ ଅଧର୍ଯ୍ୟ ହେବାର କୌଣସି କାରଣ ନାହିଁ। କାରଣ, ଏହା କେବଳ ଏଠାକାର ସମସ୍ୟା ନୁହେଁ, ସମଗ୍ର ଭାରତ ବର୍ଷର ସମସ୍ୟା। ଆମ ଆଗରୁ ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ, ଆଇସିଏସ୍‌ଇ ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ବାତିଲ କରିଛି। ତେଣୁ, ମାଟ୍ରିକ ପରେ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାରେ ପିଲାମାନେ ପଛେଇ ଯିବେ, ଏହା ଭାବିବା ଭୁଲ। ଦୃଢ଼ ନିଶ୍ଚିତ ଓ ଦୃଢ ମନୋବଳ ସହ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଉଚିତ।

ପ୍ରଶ୍ନ: ପରୀକ୍ଷା ନଥିବା ପରିପ୍ରେକ୍ଷୀରେ ପିଲାମାନେ କଣ କରିବେ ?
ଉତ୍ତର: କିଏ କହିଲା ପରୀକ୍ଷା ନାହିଁ। ମାଟ୍ରିକ ପରୀକ୍ଷା ବାତିଲ ହୋଇଥାଇପରେ। ମାତ୍ର ଜୀବନ ତ ଏକ ପରୀକ୍ଷା। ଆଗକୁ ଅନେକ ପରୀକ୍ଷା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ପ୍ରଶ୍ନ: ବର୍ତ୍ତମାନ ସମୟରେ ପିଲାମାନେ କଣ କରିବେ?
ଉତ୍ତର: ପିଲମାନେ ସବୁ ନିଜ ଭବିଷ୍ୟତର ନକ୍ସା ପ୍ରସ୍ତୁତ କରି ସାରିଥି‌ବେ। କିଏ କଣ କରିବ, ତାହା ଆପାତତ ସ୍ଥିରକରି ସାରିଥ‌ିବେ। ତେଣୁ ସେହି ଅନୁସାରେ ବାପାମା ତଥା ମାର୍ଗଦର୍ଶକ ଗୁରୁଜନମାନଙ୍କ ପରାମର୍ଶକ୍ରମେ ଆଗାମୀ ଯୁକ୍ତ ଦୁଇର ପାଠ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ଥରେ ଆମୂଳଚୂଳ ପଢ଼ିଯବା କଥା। ଦେଖିବା କଥା, ତାକୁ କେତେ ମାତ୍ରାରେ ଗ୍ରହଣ କରିପାରୁଛନ୍ତି। ବାଧ୍ୟବାଧକତାରେ କୌଣସି ପାଠ୍ୟକ୍ରମକୁ ଗ୍ରହଣ ନକରି ନିଜ ରୁଚିସମ୍ପନ୍ନ ପାଠକୁ ବାଛିବା ଉଚିତ। ମନେରଖ ଉଚିତ ଯେ, କେବଳ ଡାକ୍ତର, ଇଂଜିନିୟର ହେବା ଲକ୍ଷ୍ୟରେ ବି ଅନେକ ମେଧାବୀ ପିଲା ସେମାନଙ୍କ କ୍ୟାରିଅର ଗଠନରେ ବିଫଳ ହୋଇଛନ୍ତି। ଭଲ ପାଠ ପଢିଲେ ଭବିଷ୍ୟତ ଗଠନ ପାଇଁ ବିଜ୍ଞାନ,ବାଣିଜ୍ୟ କିମ୍ବା କଳା ସବୁ ବିଷୟର ଗୁରୁତ୍ୱ ରହିଛି।

ପ୍ରଶ୍ନ: ବିନା ପରୀକ୍ଷାରେ ମୁଲ୍ୟାଙ୍କନ କେଉଁ ଭିତ୍ତିରେ ହେବ?
ଉତ୍ତର: ନିଶ୍ଚିତ, ଏହା ସବୁ ବର୍ଗର ପିଲାଙ୍କ ସନ୍ଦେହ। ବର୍ତ୍ତମାନ ପର୍ଯ୍ୟନ୍ତ ବୋର୍ଡ କତ୍ତୃର୍ପକ୍ଷ ଏନେଇ କିଛି ଚୂଡାନ୍ତ ନିଷ୍ପତ୍ତି ନେଇନାହାନ୍ତି। ବିଚାର ବିମର୍ଶ ଚାଲିଛି। ସମ୍ଭବତଃ ବୋର୍ଡର ପ୍ରଶ୍ନ ଆଧାରରେ କରାଯାଇଥିବା ଚାରୋଟି ପରୀକ୍ଷାର ଫଳାଫଳକୁ ଭିତ୍ତି କରି ପିଲାଙ୍କ ମାଟ୍ରିକ ପରୀକ୍ଷାର ଫଳ ଚୂଡାନ୍ତ ହେବ। ଅବଶ୍ୟ ବିଗତ ପରୀକ୍ଷାମାନଙ୍କରେ ସବ୍‌ଜେକ୍‌ଟିଭ୍ ଅପେକ୍ଷା ଅବ୍‌ଜେକ୍‌ଟିଭ୍‌ ରଖିଥବା ନମ୍ବରକୁ ଅଧିକ ଗୁରୁତ୍ବ ଦିଆଯିବାର ସମ୍ଭାବନା ଅଧିକ। ସେସବୁ ଯାହା ହେଉନା କାହିଁକି ପିଲାଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯିବକୁ ବୋର୍ଡ କର୍ତ୍ତୃପକ୍ଷ ବିଶେଷ ଯତ୍ନବାନ ହେବେ। ବର୍ତ୍ତମାନ ଅଯଥା ଚିନ୍ତାଗ୍ରସ୍ତ ନହୋଇ ନିଜର ଭବିଷ୍ୟତ ପାଇଁ ଯତ୍ନବାନ ହୁଅ। କୋର୍ସ ବହି ସମେତ ବିରତି ସମୟରେ ଉପାଦେୟ ବହିମାନ ସଂଗ୍ରହ କରି ଘରେ ସୁରକ୍ଷିତ ଭାବେ ନିଜକୁ ପ୍ରସ୍ତୁତ କର।

ଆଗକୁ ନିଶ୍ଚିତ ଭାବେ ଭଲ ସମୟ ଆସୁଛି। ଏହି ଭରସା ଭଗବାନଙ୍କ ଉପରେ ରଖ ।

ରାଜେନ୍ଦ୍ର କୁମାର ପଣ୍ଡା
ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ.
ପ୍ରାକ୍ତନ ରାଜ୍ୟ ଉପସଭାପତି, ଓଷ୍ଟା

ସମ୍ବନ୍ଧିତ ଖବର