ଭକ୍ତମାନେ କଳ୍ପବଟକୁ ପ୍ରଣାମ କରିଥାନ୍ତି କାହିଁକି

ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ର ପୁରୀର ରହିଛି ବିଶେଷ ମହତ୍ତ୍ୱ। କପିଳ ସଂହିତା ଅନୁଯାୟୀ, ଭଗବାନ ବିଷ୍ଣୁ ଗୟାସୁରକୁ ବଧ କରିବା ପରେ ତାଙ୍କର ଅସ୍ତ୍ରଶସ୍ତ୍ରମାନଙ୍କୁ ମୁକ୍ତ କରି ଦେଇଥିଲେ। ସେଥିମଧ୍ୟରୁ ପୁରୀରେ ଶଙ୍ଖ ପଡ଼ିଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ। ସେହିପରି ଶ୍ରୀବିଷ୍ଣୁଙ୍କ ଚକ୍ର ଭୁବନେଶ୍ୱରରେ, ଗଦା ଯାଜପୁରରେ ଓ ପଦ୍ମ କୋଣାର୍କରେ ପଡ଼ିଥିବାର ବର୍ଣ୍ଣନା ରହିଛି। ଅପରପକ୍ଷେ ଶଙ୍ଖକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢ଼ାରେ ରହିଛି କଳ୍ପବଟ। ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଏଠାରେ ଥିବା କଳ୍ପବଟକୁ ପ୍ରଣାମ କରିଥାନ୍ତି। କଳ୍ପବଟର ଦୁଇଟି ଅର୍ଥ କରାଯାଇଥାଏ। କଳ୍ପବଟର ଅର୍ଥ ଅଭିଷ୍ଟଫଳଦାୟକ ବୃକ୍ଷ। ଅର୍ଥାତ ଏହି ବଟବୃକ୍ଷ ତଳେ ନିଜର ଇଛା ପ୍ରକାଶ କଲେ ଏହା ସେହି ଇଛାକୁୁ ପୁରଣ କରିଥାଏ ବୋଲି ଲୋକ ବିଶ୍ୱାସ ରହିଛି। ଅପରପକ୍ଷେ କଳ୍ପ ଶବ୍ଦର ଅର୍ଥ କାଳ ବା ସମୟ ଖଣ୍ଡ। କଳ୍ପ ଅର୍ଥ ହେଉଛି ବ୍ରାହ୍ମାଙ୍କର ଏକ ଦିନ ବା ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ।ଏହି ବୃକ୍ଷ ପ୍ରଳୟକୁ ସହ୍ୟ କରି କଳ୍ପାନ୍ତସ୍ଥାୟୀ ହୋଇଥିବା ବିଶ୍ୱାସ କରାଯାଉଥିବାରୁ ଏହାକୁ କଳ୍ପବଟ ବୋଲି କୁହାଯାଏ।
କଳ୍ପବଟ ଧର୍ମ, ଅର୍ଥ, କାମ ମୋକ୍ଷ ପ୍ରଦାୟକ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି। ଏଥିପାଇଁ କଳ୍ପବଟଙ୍କୁ ପ୍ରଣାମ କରି ଭକ୍ତମାନେ ସ୍ତୁତି କରିଥାନ୍ତି
ଅମରତ୍ୱଂ ସଦା କଳ୍ପେ
ହରିଶ୍ଚାୟ ତନୁବଟଃ
ନେଗ୍ରୋଧମ୍‌ ହରମେ ପାପମ୍‌
କଳ୍ପବଟମ୍‌ ନମସ୍ତୁତେ।

ଶ୍ରୀଜଗନ୍ନାଥ ସଂସ୍କୃତିରେ ବିଶ୍ୱାସ କରୁଥିବା ଶ୍ରଦ୍ଧାଳୁମାନେ କଳ୍ପବଟକୁ ସାକ୍ଷୀ ରଖି ଶ୍ରୀଜଗନ୍ନାଥଙ୍କୁ ଗୁହାରି କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏଠାରେ ଅବଢ଼ା କୁଡ଼ୁଆ ଖପରା ଆଣି ଧଳାସୁତାରେ ଏହି ବୃକ୍ଷରେ ବାନ୍ଧିି ମାନସିକ କଲେ ମାନସିକ ପୁରଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ତେଣୁ ଶ୍ରୀମନ୍ଦିର ଯାଉଥିବା ପ୍ରତ୍ୟେକ ଭକ୍ତ କଳ୍ପବଟଙ୍କୁ ପ୍ରଣାମ କରି ଆଶିର୍ବାଦ କାମନ କରିଥାନ୍ତି।

ସମ୍ବନ୍ଧିତ ଖବର