ଯେଉଁ ‘କରାଟେ’ ସିନେମା ସହିତ ଅଧିକାଂଶ ଭାରତୀୟ ସୁପରିଚିତ ତାହା ହେଉଛି ୨୦୧୦ରେ ମୁକ୍ତିଲାଭ କରିଥିବା ଵିଲ୍‌ ସ୍ମିଥ ଅଭିନୀତ ‘ଦି କରାଟେ କିଡ୍‌’। ତେବେ ତାହା ହେଉଛି ୧୯୮୪ରେ ମୁକ୍ତିଲାଭ କରିଥିବା ମୂଳ ସିନେମାର ରିମେକ୍‌। ପ୍ରକୃତରେ ‘କରାଟେ କିଡ୍‌’ ଫ୍ରାଞ୍ଜାଇଜ୍‌ ଅଧୀନରେ ଏ ଭିତରେ ପାଞ୍ଚଟି ସିନେମା, ଗୋଟିଏ ଟିଭି ଧାରାବାହିକ ଓ ଗୋଟିଏ ଆନିମେଟେଡ୍‌ ସିରିଜ୍‌ ନିର୍ମିତ ହୋଇସାରିଛି। ‘କୋବ୍ରା କାଇ’ ଟିଭି ଧାରାବାହିକ ଯେଉଁଠି ଶେଷ ହୋଇଥିଲା ତାହା ‘କରାଟେ କିଡ୍‌: ଲିଜେଣ୍ଡ୍‌ସ’ରେ ଆଗକୁ ବଢ଼ିଛି। ଏହାର ସରଳ କାହାଣୀ ବୁଝିବାରେ ଯଦିଓ ସମସ୍ୟା ହୋଇନଥାଏ, ତଥାପି ପୂର୍ବ ସିନେମା ସହିତ ଏହାର ଚରିତ୍ର ତଥା କାହାଣୀ ସଂପୃକ୍ତ ହୋଇଥିବାରୁ ଏହା ‘କରାଟେ କିଡ୍‌’ର ପୁରୁଣା ପ୍ରଶଂସକମାନଙ୍କର ଯେତିକି ମନୋରଂଜନ କରିବ, ନୂଆ ଦର୍ଶକଙ୍କୁ ସେତିକି ଚିତ୍ତାକର୍ଷକ ଲାଗି ନ ପାରେ। ପୁଣି ଆକ୍ସନ୍‌ପ୍ରେମୀଙ୍କୁ ଚମତ୍କୃତ କରିବା ଭଳି ପର୍ଯ୍ୟାପ୍ତ ଆକ୍ସନ ଦୃଶ୍ୟ ଏଥିରେ ନାହିଁ। ତଥାପି ସିନେମାର ମୁଖ୍ୟ ଚରିତ୍ରଙ୍କ ଅଭିନୟ ଦକ୍ଷତା ଓ କାହାଣୀର ବାର୍ତ୍ତା ଏହି ସିନେମାକୁ ‘ଖରାପ’ ପର୍ଯ୍ୟାୟରେ ଗଣା ହେବାରୁ ରକ୍ଷା କରିଦେଇଛି। 

Advertisment

କୁଙ୍ଗ ଫୁ ସମର କଳା ପ୍ରଶିକ୍ଷିତ ଲି ଫୋଙ୍ଗ (ବେନ ଵାଙ୍ଗ) ହେଉଛି ଏହି କାହାଣୀର ମୁଖ୍ୟ ଚରିତ୍ର। ଏକ ଲଢ଼େଇରେ ବଡ଼ ଭାଇର ମୃତ୍ୟୁ ହେବା ପରେ ଲିର ମା’ ତାକୁ ନେଇ ଚୀନରୁ ଆମେରିକାକୁ ଚାଲି ଆସିଛନ୍ତି ଏବଂ ତାକୁ ପ୍ରତିଜ୍ଞା କରାଇଛନ୍ତି ଯେ ସେ କେବେ ଲଢ଼େଇ କରିବ ନାହିଁ। ତେବେ ପ୍ରକାରାନ୍ତରେ ତାକୁ ଲଢ଼େଇ କରିବାକୁ ପଡୁଛି। କାହାଣୀର ଅଭିନବ ମୋଡ଼ ସ୍ବରୂପ ସମର କଳାର ଛାତ୍ର ଏଠାରେ ଶିକ୍ଷକ ପାଲଟୁଛି- ପ୍ରେମିକା ମିଆ (ସାଡି ଷ୍ଟାନ୍‌ଲି)ର ପିତା ତଥା ପୂର୍ବତନ ମୁଷ୍ଟିଯୋଦ୍ଧା ଭିକ୍ଟୋର ଲିପାନି (ଜୋସୁଆ ଜ୍ୟାକସନ)ଙ୍କୁ ସେ କୁଙ୍ଗ ଫୁ ପ୍ରଶିକ୍ଷଣ ଦେଇ ବକ୍ସିଂ ରିଙ୍ଗ୍‌ରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତି କରୁଛି। ଭିକ୍ଟୋର୍ ପରାସ୍ତ ହୋଇ ଗୁରୁତର ହେବା ପରେ ଲି ହତାଶ ହୋଇପଡୁଛି, କିନ୍ତୁ ତା’ ଗୁରୁ ମିଷ୍ଟର ହାନ୍‌ (ଜ୍ୟାକି ଚାନ୍‌) ଲିକୁ ତା’ ଭୟ ଓ ଅପରାଧବୋଧରୁ ମୁକ୍ତ ହେବା ଲାଗି ବକ୍ସିଂ ରିଙ୍ଗ୍‌ରେ ଲଢ଼େଇ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଦୁଇ ଜଣ ଗୁରୁଙ୍କ ପାଖରୁ ପ୍ରଶିକ୍ଷଣ ନେଇ ସେ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହେଉଛି। 

ଲଢ଼େଇ କରିବାର ଉଦ୍ଦେଶ୍ୟ କିପରି ମହତ୍ତ୍ବପୂର୍ଣ୍ଣ ହୋଇଥାଏ ତାହା ଗୋଟିଏ ଦୃଶ୍ୟରେ ଚମତ୍କାର ଭାବେ ଦେଖାଯାଇଛି। ସେଥିରେ ଭିକ୍ଟୋର କୁଙ୍ଗ ଫୁ ଶିଖାଇବା ଲାଗି ଅନୁରୋଧ କରିବାରୁ ଲି ତା’ ଗୁରୁ ହାନ୍‌ଙ୍କୁ ଫୋନ୍ କରି କ’ଣ କରିବା ଉଚିତ ବୋଲି ପଚାରୁଛି। ହାନ୍‌ କହୁଛନ୍ତି ଯଦି ଯୁଦ୍ଧ କୌଶଳ ଶିଖିବା ପଛରେ ଭଲ ଉଦ୍ଦେଶ୍ୟ ଅଛି ତେବେ ଶିଖାଇବା ଉଚିତ। ନାୟକଙ୍କୁ ଆଦର୍ଶ ରୂପେ ଅନୁସରଣ କରୁଥିବା ପିଲାଙ୍କୁ ଏହି ସିନେମାଟି କୁପଥରେ ଯିବାରୁ ନିବୃତ୍ତ କରିଥାଏ। ଏହି ସିନେମାର ଦୁଇଟି ଦୁର୍ବଳ ଦିଗ ହେଲା ଏହାର ଦୈର୍ଘ୍ୟ ଓ ଖଳନାୟକ। ଏହା ମାତ୍ର ଦେଢ଼ ଘଣ୍ଟାର ହୋଇଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ନିମିଷକ ମଧ୍ୟରେ ଦେଖାଇ ଦିଆଯାଇଛି। ସେହିପରି ଖଳନାୟକ ଚରିତ୍ରକୁ ପ୍ରସ୍ଫୁଟିତ ହେବା ଲାଗି ସୁଯୋଗ ମିଳିନାହିଁ। ତେଣୁ ଶେଷକୁ ନାୟକ ବିଜେତା ହେବାବେଳେ ଦର୍ଶକ ସନ୍ତୋଷରେ ବିଭୋର ହେବାର ସୁଖରୁ ବଞ୍ଚିତ ହୁଏ।

କରାଟେ କିଡ୍‌: ଲିଜେଣ୍ଡ୍‌ସ
ନିର୍ଦେଶକ: ଜୋନାଥନ ଏଣ୍ଟଵିସ୍‌ଲର
ମୁଖ୍ୟ ଚରିତ୍ରରେ: ବେନ ଵାଙ୍ଗ, ଜ୍ୟାକି ଚାନ୍‌, ଜୋସୁଆ ଜ୍ୟାକ୍‌ସନ, ସାଡି ଷ୍ଟାନ୍‌ଲି