କେବେ ହେଲା ରଥ ବୋଲି ପ୍ରଶ୍ନ କରାଯାଉଛି। ଚିରନ୍ତନ ଏ କ୍ଷେତ୍ର ପୁରୁଷୋତ୍ତମ; ଅନାଦି କାଳରୁ ଅଛନ୍ତି ଏହାର ଦେବତା। ସେହି ସମୟରୁ, ତାଙ୍କର ଜନ୍ମବେଦିରେ ଜନ୍ମର ସ୍ମାରକୀ, ଗୁଣ୍ଡିଚା ନାମକ ଯାତ୍ରା ଚାଲି ଆସିଛି। ଏଭଳି ସହଜ ଉତ୍ତର ଥିବାବେଳେ ଘଣ୍ଟାଚକଟା କାହିଁକି?

Advertisment

ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରଶ୍ନ ଉଠିଲେ ତାହାକୁ ଭକ୍ତିର ଅଭାବ ବୋଲି ଧରା ନଯାଉ; ଭକ୍ତି ଓ ଜିଜ୍ଞାସାର ସମାନ୍ତରାଳ ଗତି ହେଉ। ସତ୍ୟଯୁଗରୁ ସବୁ ପ୍ରବର୍ତ୍ତନ କରିଦେଇ ଗଲେ ରାଜା ଇନ୍ଦ୍ରଦ୍ୟୁମ୍ନ; ତ୍ରେତା, ଦ୍ୱାପର ଓ କଳିରେ ଗୁଣ୍ଡିଚା ସେହିଧାରାର ଅନ୍ତର୍ଭୁକ୍ତ ବୋଲି କହି ବୁଦ୍ଧିଜୀବୀ ଓ ପାଶ୍ଚାତ୍ୟ ପଣ୍ଡିତମାନଙ୍କୁ ସନ୍ତୁଷ୍ଟ କରି ହେବ ନାହିଁ।

ଦାରୁରେ ପ୍ରଭୁଙ୍କର କଳେବର ହେବା ପରେ ରଥଯାତ୍ରାର ପ୍ରବର୍ତ୍ତନ ହୋଇଛି। ବହୁକାଳ ପ୍ରସ୍ତର ନିର୍ମିତ ମୂର୍ତ୍ତି ରୂପରେ ପ୍ରଭୁ ବିରାଜିତ ହେବାପରେ, ବହୁ ବିପତ୍ତିର ସମ୍ମୁଖୀନ ହେଲା ପ୍ରଭୁଙ୍କ ଶ୍ରୀମନ୍ଦିର। ଗୁଜରାଟର ଶିବ ମନ୍ଦିର ହିନ୍ଦୁଧର୍ମ ବିରୋଧୀ ଗଜନୀର ମାମୁଦଙ୍କ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହୋଇ ବିଧ୍ୱସ୍ତ ଓ ଲୁଣ୍ଠିତ ହୋଇଛି। ଓଡ଼ିଶାର ସମୁଦ୍ର ଉପକୂଳରେ ଥିବା ଶ୍ରୀମନ୍ଦିର ଭାଗ୍ୟରେ ମଧ୍ୟ ଏହି ଦୁର୍ଯୋଗ ଘଟିଛି। ଥରେ ମୂର୍ତ୍ତି ସ୍ଥାନାନ୍ତର ହେଲେ ଆଉ ସେ ପୂର୍ବ ମନ୍ଦିରକୁ ଫେରିପାରିବେ ନାହିଁ। ଏହି ଶାସ୍ତ୍ରୀୟ ବ୍ୟବସ୍ଥାରେ ତାଙ୍କ ପାଇଁ ନୂତନ ମନ୍ଦିର ନିର୍ମିତ ହେବ ବା ପୂର୍ବ ମନ୍ଦିର ଠାରେ ନୂତନ ମନ୍ଦିର ପ୍ରତିଷ୍ଠା ହେବ। ଇତିହାସର ଏହି ସନ୍ଧିକ୍ଷଣରେ ଜାତି ଚିନ୍ତା କଲା, ଦାରୁ କଳେବର ଘେନି ପ୍ରଭୁ ବିରାଜିତ ହୁଅନ୍ତୁ।
ଯେତେ ଥର ବୈଦେଶିକ, ବିଧର୍ମୀ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି ପ୍ରଭୁ, ତାଙ୍କୁ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ଥାନାନ୍ତରର ନାମ ‘ପାତାଳି’। ପ୍ରସ୍ତର ମୂର୍ତ୍ତିଙ୍କର ସ୍ଥାନାନ୍ତର ନାହିଁ। ଦାରୁ ମୂର୍ତ୍ତି ସ୍ଥାନାନ୍ତର ହୋଇପାରିବେ ଏବଂ ତାଙ୍କୁ ରଥରେ ବିଜେ କରାଇ ଉତ୍ସବ କରା ହୋଇପାରିବ। ଏହି ସୁବିଧା ପାଇଁ ରଥ ତିଆରି ହେଇଛି। ସତ୍ୟନାରାୟଣ ରାଜଗୁରୁଙ୍କ ମତାନୁସାରେ, ରଥରେ ଭ୍ରମଣ ହିଁ ପ୍ରଭୁଙ୍କର ‘କଲ୍ୟାଣ ମହୋତ୍ସବ’। ଦାକ୍ଷିଣାତ୍ୟରେ ବିବାହ ଉତ୍ସବ ‘କଲ୍ୟାଣ’ ନାମରେ ପରିଚିତ। ଦକ୍ଷିଣର ଦେବତାମାନଙ୍କର ବିବାହ ବା କଲ୍ୟାଣ ମହୋତ୍ସବରେ ବିମାନ ବା ରଥରେ ବସି ଦେବତାଙ୍କର ଚଳନ୍ତି ମୂର୍ତ୍ତି ମନ୍ଦିର ଚାରିପାଖେ ପରିକ୍ରମା କରନ୍ତି। ସେହି ପରମ୍ପରାରେ ଯାଜପୁରର ବିରଜାଙ୍କ ଚଳନ୍ତି ପ୍ରତିମା ମନ୍ଦିର ଚାରିପଟେ ଦଶହରାରେ ପରିକ୍ରମା କରନ୍ତି।

ଦାକ୍ଷିଣାତ୍ୟ ପରମ୍ପରା ସହିତ ପରିଚିତ ରାଜା ଚୋଡ଼ଗଙ୍ଗ ଦେବ ସେତେବେଳର ପ୍ରସ୍ତର ପ୍ରତିମାଙ୍କ ପ୍ରତିନିଧିଙ୍କୁ ବିମାନ ବା ରଥରେ ବିଜେ କରାଇ ପରିକ୍ରମା ହୁଏ’ତ କରିଥିବେ। ଏବେ ପ୍ରଭୁ ଦାରୁବିଗ୍ରହ ଭାବେ ନିଜେ ପରିକ୍ରମା କରୁଛନ୍ତି। ଏହା କିନ୍ତୁ ମନ୍ଦିର ଚତୁର୍ପାଶ୍ୱର ପରିକ୍ରମା ନହୋଇ, ଜନ୍ମସ୍ଥାନ ଗୁଣ୍ଡିଚାମଣ୍ଡପକୁ ବାର୍ଷିକ ସ୍ମାରକୀ ଯାତ୍ରା ହୋଇଛି। ନବଦିନାତ୍ମକ ମହୋତ୍ସବ ଭାବେ ଏହା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଏହି ଉତ୍ସବର ବର୍ଣ୍ଣନା କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ କାବ୍ୟ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ କହିଛନ୍ତି-
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁ ବାହାର।

ଦୋଳ, ଚନ୍ଦନ ପ୍ରଭୃତି ଯାତ୍ରାରେ ପ୍ରଭୁଙ୍କର ପ୍ରତିନିଧି ଯଥାକ୍ରମେ ଦୋଳଗୋବିନ୍ଦ ଓ ମଦନମୋହନ ଯାତ୍ରା କରନ୍ତି। କିନ୍ତୁ ରଥରେ ପ୍ରଭୁ ସ୍ୱୟଂ ବିଜେ ହୁଅନ୍ତି। ଦାକ୍ଷିଣାତ୍ୟର ବିବାହ ଉତ୍ସବ ପରମ୍ପରାର ପ୍ରଭାବରେ, ସ୍ନାନ ଉତ୍ସବ ପୂର୍ବରୁ ରୁକ୍ମିଣୀ ବିବାହ ଉପଲକ୍ଷେ ଲକ୍ଷ୍ମୀ-ଜଗନ୍ନାଥଙ୍କ ବିବାହ ଗଇଁଠାଳ ବନ୍ଧା ହୋଇଥାଏ। ଜ୍ୱର ଭୋଗି, ସୁସ୍ଥ ହୋଇ, ନବଦିନାତ୍ମକ ରଥଯାତ୍ରା ପରେ, ନୀଳାଦ୍ରିବିଜେ ଉତ୍ସବ ସମୟରେ ପ୍ରଭୁଙ୍କ ଲୁଗାର ସେହି ଗଇଁଠାଳ ଖୋଲା ଯାଇଥାଏ।

ଦାରୁମୂର୍ତ୍ତି ଭାବରେ ରୂପାୟିତ ହେବା ପରେ, ପ୍ରଭୁଙ୍କର ବିବାହ ଉତ୍ସବ ପ୍ରତି ବିଶେଷ ଜୋର ନ ଦିଆଯାଇ ପ୍ରଭୁଙ୍କ ଦାରୁମୂର୍ତ୍ତି ନିର୍ମାଣର ସ୍ଥାନ ଯଜ୍ଞମଣ୍ଡପ ଯାତ୍ରାକୁ ମୁଖ୍ୟ କରାଯାଇ, ଏକ ମହୋତ୍ସବର କଳ୍ପନା କରାଗଲା। ଦଶମ ଶତାବ୍ଦୀର ପୁରୀର ଭାରତପ୍ରସିଦ୍ଧ ସ୍ମୃତିକାର ଶତାନନ୍ଦ ବିଷ୍ଣୁ ମନ୍ଦିରରେ ପାଳିତ ହେବା ଉତ୍ସବମାନଙ୍କ ମଧ୍ୟରେ ହରିଶୟନ ଉତ୍ସବର ଉଲ୍ଲେଖ କଲେ ମଧ୍ୟ, ରଥଯାତ୍ରା କଥା କହିନାହାନ୍ତି। ମନେହେଉଛି, ରଥଯାତ୍ରା ଦଶମ ଶତାବ୍ଦୀ ପରେ ମହୋତ୍ସବ ଭାବରେ ଆସିଛି। ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀର ଗଙ୍ଗବଂଶ ରାଜତ୍ୱରେ ଏହି ରଥଯାତ୍ରା ଆରମ୍ଭ ହୋଇଛି। ନୂତନ ଦାରୁମୂର୍ତ୍ତିଙ୍କୁ ପୁରାଣର ବିଷ୍ଣୁ ଭାବେ ରୂପ ନ ଦେଇ, ବେଦ ଉପନିଷଦ ବର୍ଣ୍ଣିତ ନିରାକାର ଭାବେ କଳନା କରାହୋଇଛି। ସେହି ତତ୍ତ୍ୱର ପ୍ରତୀକମୂର୍ତ୍ତି ଭାବେ ଶ୍ରୀଜଗନ୍ନାଥ ରୂପାୟିତ। ସେ ପ୍ରତୀକ ମୂର୍ତ୍ତି ନିରାକାର ଓ ସାକାରଙ୍କର ସମନ୍ୱୟ। ଅଙ୍ଗୁଳି, କର୍ଣ୍ଣ, ପଦ ନାହିଁ। ଅନ୍ୟ ଅଙ୍ଗ ଅଛି; କିନ୍ତୁ ଭିନ୍ନ ଧରଣର। ତିନିମୂର୍ତ୍ତିରେ ତିନିପ୍ରକାର ରୂପ। ଶ୍ରୀଜଗନ୍ନାଥଙ୍କର ଚକାନୟନ; ଶ୍ରୀବଳଭଦ୍ରଙ୍କର ଆମ ଭଳି ଆଖି; ଏବଂ ସୁଭଦ୍ରାଙ୍କର ହାତ ଅଦୃଶ୍ୟ।

ଏହି ତ୍ରିମୂର୍ତ୍ତି ତତ୍ତ୍ୱମୂର୍ତ୍ତି ଭାବେ ପରିକଳ୍ପିତ। ରଥର ନାମ ଓ ବିଭିନ୍ନ ଉପାଦାନର ନାମକରଣରୁ ଏହା ସ୍ପଷ୍ଟ ରୂପେ ବାରି ହୋଇପଡ଼ୁଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ଟି ଚକ ୧୬ଟି କଳାର ପ୍ରତୀକ; ଶ୍ରୀବଳଭଦ୍ରଙ୍କ ରଥର ୧୪ ଚକ ୧୪ ଭୁବନର ପ୍ରତୀକ ଏବଂ ଦେବୀ ସୁଭଦ୍ରାଙ୍କ ରଥର ୧୨ଟି ଚକ ଦ୍ୱାଦଶ ରାଶିର ପ୍ରତୀକ।

ତତ୍ତ୍ୱପୁରୁଷ ରୂପେ କଳ୍ପିତ ଦାରୁଦିଅଁଙ୍କ ରଥରେ ତତ୍ତ୍ୱ ଅଧିକ ପ୍ରକଟିତ। ଶ୍ରୀଜଗନ୍ନାଥଙ୍କ ରଥର ପତାକା ନାମ ତ୍ରୈଲୋକ୍ୟମୋହିନୀ, ଶ୍ରୀବଳଭଦ୍ରଙ୍କ ରଥର ପତାକାର ନାମ ଉନ୍ମନି ଏବଂ ଦେବୀ ସୁଭଦ୍ରାଙ୍କ ରଥର ପତାକାର ନାମ ନାଦାମ୍ବିକା। ଅଶ୍ୱମାନଙ୍କର ନାମରେ ମଧ୍ୟ ତତ୍ତ୍ୱ ରୂପାୟିତ। ଶ୍ରୀବଳଭଦ୍ରଙ୍କ ଅଶ୍ୱ ସ୍ଥିରା, ଧୃତି, ପ୍ରଜ୍ଞା ଓ ସ୍ଥିତି; ଶ୍ରୀଜଗନ୍ନାଥଙ୍କ ରଥର ଅଶ୍ୱ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାଶ୍ୱ ଏବଂ ଦେବୀ ସୁଭଦ୍ରାଙ୍କ ରଥର ଘୋଟକୀ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା।

ଏବେ ଗୋଟିଏ ବିଚିତ୍ର କଥା ଆଲୋଚନା ପରିସରକୁ ଆଣିବା।

ଶ୍ରୀବଳଭଦ୍ରଙ୍କ ରଥର ସାରଥି ମାତଳି, ଶ୍ରୀଜଗନ୍ନାଥଙ୍କ ରଥର ସାରଥି ଦାରୁକ ଏବଂ ସୁଭଦ୍ରାଙ୍କ ରଥର ସାରଥି ଅର୍ଜୁନ। କିନ୍ତୁ ଅର୍ଜୁନ କେବେ ସୁଭଦ୍ରାଙ୍କ ରଥରେ ସାରଥି ହୋଇ ନାହାନ୍ତି। ସୁଭଦ୍ରା ବରଂ ଅର୍ଜୁନଙ୍କ ରଥର ସାରଥି ହୋଇ ତାଙ୍କୁ ବାହି ଦ୍ୱାରକାରୁ ମଥୁରାକୁ ନେଇଛନ୍ତି। ତ୍ରେତାଯୁଗରେ ମାତଳିକୁ ଇନ୍ଦ୍ର ପଠାଇଥିଲେ ଶ୍ରୀରାମଙ୍କ ରଥର ସାରଥି ହେବାପାଇଁ। ଦାରୁକ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ରଥର ସାରଥି ଥିଲେ। ଏ ସବୁ ନାମ ଇନ୍ଦ୍ରଦ୍ୟୁମ୍ନଙ୍କ ସତ୍ୟଯୁଗୀୟ ରଥରେ କାହିଁକି ରହିବ ବୋଲି ବିନୀତ ଭାବେ ପ୍ରଶ୍ନ କରୁଛି। କାରଣ, ସବୁକଥା ସତ୍ୟଯୁଗର ପ୍ରତିଷ୍ଠାତା ଇନ୍ଦ୍ରଦ୍ୟୁମ୍ନଙ୍କ କାଳରେ ହୋଇନାହିଁ।

ବହୁତ କଥା ଯେ ପରବର୍ତ୍ତୀ କାଳରେ ଆସିଛି, ଏହାକୁ ଅସ୍ୱୀକାର କରିବାରେ ଅସୁବିଧା କ’ଣ? ଇତିହାସ ଶିଳାଲିପି, ତମ୍ବାପଟା ଓ କାବ୍ୟରୁ ଇତିହାସ ଗୃହୀତ ହୁଏ; ଏହା ପ୍ରମାଣଭିତ୍ତିକ। ଭାବାବେଗ ଗବେଷଣାରେ ବାଧା ଆଣେ; ଗବେଷଣାରେ ଭକ୍ତି ଦୂରୀଭୂତ ହୁଏନା। ବହୁ ପରବର୍ତ୍ତୀ କାଳରେ ରଥଯାତ୍ରା ଆରମ୍ଭ ହୋଇଛି। ଗଙ୍ଗବଂଶ ରାଜତ୍ୱର ଶେଷ ଭାଗରେ ଏହା ହେବାର ସୂଚନା ମଧ୍ୟ ମିଳୁଛି।

ମୋ: ୭୩୮୧୦ ୫୫୦୦୪