ସକାଳୁ ସକାଳୁ କପେ ଚା କି, କଫି ନ ପିଇଥିଲେ ଅନେକଙ୍କୁ ସେ ଦିନଟି ଭଲରେ ଯିବା ଭଳି ମନେ ହୁଏନାହିଁ। ପୁଣି କେତେକ ଏମିତି ଅଭ୍ୟସ୍ତ ହୋଇଥାଆନ୍ତି ଯେ ଠିକଣା ସମୟରେ ଚା ବା କଫି ନ ମିଳିଲେ ବିଚଳିତ ହୋଇପଡ଼ନ୍ତି। କିନ୍ତୁ, ଏ ସବୁ ପାନୀୟ ନିର୍ଦ୍ଦିଷ୍ଟ କେତେକ ସମୟରେ ପିଇବା ଅନୁଚିତ। ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଦୀକ୍ଷା ଭାସ୍ବର ସୱାଲିୟା କହନ୍ତି, ନିମ୍ନୋକ୍ତ ସମୟରେ ଚା’ ଓ କଫି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ।
ବଡ଼ି ସକାଳୁ: ସକାଳୁ ନିଦ ଛଡ଼ାଇବା ଲାଗି ଅନେକେ ଚା ବା କଫି ପିଅନ୍ତି। ଖାଲି ପେଟରେ କଫି ପିଇଲେ ଷ୍ଟ୍ରେସ୍ ହର୍ମୋନ୍ ‘କର୍ଟିସଲ୍’ ଉତ୍ପାଦନରେ ବ୍ୟାଘାତ ଘଟେ। ତେଣୁ, ଦିନ ଆରମ୍ଭରୁ ମନରେ ଉତ୍କଣ୍ଠା ଓ ବ୍ୟାକୁଳତା ବଢ଼େ।
ଭୋଜନ ସମୟରେ: ଭୋଜନ କି, ଜଳଖିଆ ସଙ୍ଗେ ମଧ୍ୟ ଚା ଓ କଫି ପିଇବା ନିଷେଧ। ଏ ଉଷ୍ମ ପାନୀୟରେ ଅମ୍ଳ ଥିବାରୁ ଖାଦ୍ୟ ହଜମକ୍ରିୟାରେ ବାଧା ସୃଷ୍ଟିହୁଏ। ଖାଇଲାବେଳେ ଚା ପିଇଲେ ଏଥିରେ ଥିବା ଅମ୍ଳ ଖାଦ୍ୟରେ ଥିବା ପୁଷ୍ଟିସାରକୁ କଠିନ କରିପକାଏ। ଫଳରେ ତାହା ସହଜରେ ହଜମ ହୁଏନାହିଁ। ପୁଣି ଖାଇବା ପରେ ପରେ ଚା ପିଇଲେ ଖାଦ୍ୟରୁ ଲୌହଅଂଶ ବିଶୋଷିତ ହୁଏନାହିଁ। ସେଥିପାଇଁ ଖାଇବାର ଘଣ୍ଟାଏ ପୂର୍ବରୁ ଓ ପରେ ଚା ଓ କଫି ପିଇବା ଅନୁଚିତ।
ଅପରାହ୍ଣ ୪ଟା ପରେ:ସନ୍ଧ୍ୟା ବେଳେ ପିଆଯାଉଥିବା ଚା ଓ କଫି ଶରୀର ଉପରେ କୁ-ପ୍ରଭାବ ପକାଇଥାଏ। ଶୋଇବାର ଅନ୍ୟୂନ ୬ରୁ ୧୦ ଘଣ୍ଟା ଆଗରୁ ଚା ଓ କଫି ପିଇବା ଉଚିତ ନୁହେଁ। ତେଣୁ, ଅପରାହ୍ଣ ୪ଟା ପରେ ଚା କି, କଫି ନ ପିଇଲେ ସୁନିଦ୍ରା ହୁଏ, ଯକୃତ୍ରୁ ବିଷାକ୍ତ ପଦାର୍ଥ ସଫା ହୁଏ, ‘କର୍ଟିସଲ୍’ ହର୍ମୋନ୍ ସ୍ତର ହ୍ରାସପାଏ ଓ ଭଲ ହଜମ ହୁଏ।
‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ ମଧ୍ୟ କହେ ଯେ, ଚା ଓ କଫିରେ ‘କାଫେନ୍’ ଥାଏ। ଏହା ସ୍ନାୟୁ-ଚକ୍ରକୁ ବିଶେଷ ସକ୍ରିୟ କରୁଥିବାରୁ ସ୍ନାୟୁ-ଚକ୍ର ଏହା ଉପରେ ନିର୍ଭରଶୀଳ ହୋଇଯାଏ। ତେଣୁ, ଦୈନିକ ‘କାଫେନ୍’ ଗ୍ରହଣ ପରିମାଣ ୩୦୦ ମିଲିଗ୍ରାମ୍ରୁ ଅଧିକ ହେବା ଅନୁଚିତ।