ଦାନ୍ତ ଓ ମୁଖଗହ୍ବରର ସୁସ୍ବାସ୍ଥ୍ୟ ପାଇଁ ଟୁଥ୍ ବ୍ରସ୍ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସରଞ୍ଜାମ। ବ୍ରସ୍‌ରେ ଟୁଥ୍ ପେଷ୍ଟ୍ ମାରି ଦାନ୍ତରେ ଘଷିଲେ ଫେଣ ବାହାରିବା ପରେ ସବୁ କିଛି ଠିକ୍ ଅଛି ବୋଲି ଆମେ ଆଶ୍ବସ୍ତ ହୋଇଥାଉ। ତେଣୁ ବ୍ରସ୍‌ର ଅବସ୍ଥା କେମିତି ଅଛି ତାହା ତର୍ଜମା କରିବା ଦରକାର ପଡ଼େନି। ଫଳରେ ପୁରୁଣା ବ୍ରସ୍‌କୁ ବଦଳାଇ ନୂଆ ବ୍ରସ୍‌ ବ୍ୟବହାରକୁ ଆମେ ଗୁରୁତ୍ବ କରିଦେଇନଥା’ନ୍ତି ଅଥବା ବିଳମ୍ବିତ କରିଥା’ନ୍ତି। ମାତ୍ର ଏକ ସୁସ୍ଥ ମୁଖଗହ୍ବର ଓ ସୁନ୍ଦର ଦନ୍ତ ପାଇଁ ଆମେ ନିୟମିତ ବ୍ୟବଧାନରେ ଟୁଥ୍ ବ୍ରସ୍ ବଦଳାଇବା ଉଚିତ ବୋଲି ଦନ୍ତ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି। ଏଥି ସହିତ ବ୍ୟବହାର ହେଉଥିବା ବ୍ରସ୍‌ଟିକୁ ବୀଜାଣୁମୁକ୍ତ ରଖିବା ଲାଗି ସୁରକ୍ଷିତ କରି ରଖିବାକୁ ହେବ। ସେହିପରି ବ୍ୟବହୃତ ହେଉଥିବା ବ୍ରସ୍‌ଟି ଧୀରେଧୀରେ ଘୋରି ହୋଇ ତାହାର ରୁଆ ବା ବ୍ରିସ୍‌ଲଗୁଡ଼ିକ ଠିକ୍‌ରେ ଦାନ୍ତ ସଫା କରି ପାରନ୍ତିନି। ଏପରିକି ବେଳେ ବେଳେ ସେହି ବ୍ରିସ୍‌ଲଗୁଡ଼ିକ ମୋଡ଼ିମାଡ଼ି ବା ବଙ୍କାଟଙ୍କା ହୋଇ ଠିକ୍‌ରେ ଦାନ୍ତମୂଳରେ ପହଞ୍ଚିପାରନ୍ତିନି। ତେବେ କିପରି ବ୍ରସ୍‌ ବ୍ୟବହାର କରିବାକୁ ହେବ ଓ କେତେବେଳେ ଆମକୁ ପୁରୁଣା ବ୍ରସ୍ ଛାଡ଼ି ନୂଆଟିଏ ଆପଣେଇବାକୁ ହେବ, ସେ ବାବଦରେ ଜାଣିବା।

Advertisment

ବ୍ରସ୍‌ର ବ୍ରିସ୍‌ଲଗୁଡ଼ିକ ସାଧାରଣତଃ କୋମଳ, ଅତିକୋମଳ, ମଧ୍ୟମ ଓ କଠିନ ପରି ଚାରି ପ୍ରକାରର ହୋଇଥା’ନ୍ତି। ତେବେ ବ୍ରିସ୍‌ଲର ପ୍ରକାର ଯାହା ହେଉନା କାହିଁକି, ବ୍ରସ୍‌କୁ ଦାନ୍ତରେ ଜୋରରେ ମାଡ଼ି ଘଷିବା କ୍ଷତିକାରକ। ଏହାଦ୍ବାରା ଦନ୍ତକ୍ଷୟ ସହ ମାଢ଼ିରେ କ୍ଷତି ପହଞ୍ଚି ଯନ୍ତ୍ରଣା ହେବାର ଆଶଙ୍କା ରହିଛି। ନିର୍ଦ୍ଦିଷ୍ଟ ବ୍ରିସଲ୍ ବାଦ ନମନୀୟ (ଫ୍ଲେକ୍ସିବଲ୍‌) ବେକ ଥିବା ବ୍ରସ୍‌ ବ୍ୟବହାର କରିବା ଉଚିତ। ଏହା ଦ୍ବାରା ବ୍ରସ୍‌ଟି ପାଟି ଭିତରର ବିଭିନ୍ନ ସ୍ଥାନକୁ ସୁବିଧାରେ ପହଞ୍ଚି ଦାନ୍ତଗୁଡ଼ିକୁ ସଫା କରିଥାଏ। ମୁଖ୍ୟ କଥା ହେଲା, ଦାନ୍ତ ଘଷିବା ଆଗରୁ ବ୍ରସ୍‌ର ବ୍ରିସ୍‌ଲଗୁଡ଼ିକୁ ନିରୀକ୍ଷଣ କରି ତାହା ବ୍ୟବହାର ଉପଯୋଗୀ ନା ନାହିଁ ତାହା ନିଶ୍ଚିତ ହେବା ଦରକାର। ତେବେ ପ୍ରତି ତିନିରୁ ଚାରି ମାସରେ ଥରେ ପୁରୁଣା ବ୍ରସ୍‌ ବଦଳାଇବା ଦରକାର। ଏପରିକି ବ୍ରସ୍‌ର ଅବସ୍ଥା ଦେଖି ଆଗୁଆ ବଦଳାଇବା ମଧ୍ୟ ଭଲ। ସେହିପରି କେତେବେଳେ କୌଣସି ରୋଗରେ ପଡ଼ିଲେ, ସେଥିରୁ ଉପଶମ ହେବା ପରେ ଟୁଥ୍ ବ୍ରସକୁ ତୁରନ୍ତ ବଦଳାଇବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି।