‘ଖାକି ପୋଷାକରେ ଦାଗ’ ହେଉ କି ‘ରକ୍ଷକ ଯଦି ଭକ୍ଷକ ହୁଏ’ ଶୀର୍ଷକଟିଏ ପଢ଼ିବା ମାତ୍ରେ ମନ ଭିତରେ ପୁଲିସ୍ର ନକାରାତ୍ମକ ଛବିଟିଏ ଆଙ୍କି ହେଇଯାଏ। ଥାନାରେ ମହିଳାଙ୍କୁ ନିର୍ଯାତନା ପୁଲିସର ଭାବମୂର୍ତ୍ତିକୁ ଆହୁରି ମଳିନ କରିଦିଏ। ଖାକି ପୋଷାକରେ ଏ ଦାଗକୁ ଆହୁରି ଗାଢ଼ କରିଦିଅନ୍ତି କିଛି ଅସାଧୁ ପୁଲିସ୍। ନିକଟରେ ଘଟିଥିବା ଭରତପୁର ଥାନା ଘଟଣା ଏହାର ଏକମାତ୍ର ଉଦାହରଣ ନୁହେଁ, ଅତୀତରେ ଅନେକ ଥାନାରେ ଏଭଳି ନାରୀ ନିର୍ଯାତନା ଘଟିଛି। ପଢ଼ନ୍ତୁ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...
ଉପସ୍ଥାପନା: ରବିବାର ବ୍ୟୁରୋ
ବିଳମ୍ବିତ ରାତିରେ ଭୁବନେଶ୍ବରର ଭରତପୁର ଥାନାକୁ ଜଣେ ମହିଳା ବ୍ୟବସାୟୀ ଓ ତାଙ୍କର ସେନା ଅଧିକାରୀ ବନ୍ଧୁ ଏତଲା ଦେବାକୁ ଯାଇଥିବା ବେଳେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଲେ ତାହା ଏବେ ରାଜଧାନୀର ଗୋଟିଏ କୋଣରୁ ଯାଇ ପୂରା ଦେଶକୁ ହଲ୍ଚଲ୍ କରିଦେଇଛି। ମହିଳା ଓ ସେନା ଅଧିକାରୀ ଗାଡ଼ିରେ ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଅଟକାଇ ବଚସା କରିବା ପରେ ଘଟଣା ସଂପର୍କରେ ଅଭିଯୋଗ କରିବା ଲାଗି ଦୁହେଁ ଥାନାକୁ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ମନ୍ଦିରରୁ ମୁଖଶାଳା ବଳିଗଲା। ଥାନାରେ ଏତଲା ରଖିବାକୁ ନେଇ ଟାଳଟୁଳରୁ ମହିଳାଜଣକ ଉତ୍କ୍ଷିପ୍ତ ହୋଇ କର୍ମଚାରୀଙ୍କ ସହ କଥା କଟାକଟିକୁ ଓହ୍ଲାଇ ଆସିଥିଲେ। ଅଭିଯୋଗ ଅନୁସାରେ, ଏହାପରେ ଥାନା ଅଧିକାରୀ ପହଞ୍ଚି ମହିଳାଙ୍କୁ ଥାନାରେ ଅଟକ ରଖି େଯୗନ ନିର୍ଯାତନା ଦେବା ସହିତ ଅନ୍ୟ କର୍ମଚାରୀଙ୍କ ସଙ୍ଗେ ମିଶି ମାଡ଼ ମାରିଥିଲେ। ତା’ପରେ ତାଙ୍କୁ ଅପରାଧୀ ସଜାଇ ଜେଲ୍ରେ ପୂରାଇ ଦେଇଥିଲେ। ଘଟଣା ସେପ୍ଟେମ୍ବର ୧୪ ତାରିଖ ରାତିର ହୋଇଥିବା ବେଳେ ୧୮ ତାରିଖରେ ସରକାର ଆକ୍ସନ୍ ମୋଡ୍କୁ ଆସି କ୍ରାଇମ୍ବ୍ରାଞ୍ଚ ତଦନ୍ତ ଘୋଷଣା କରିବା ସହ ଥାନା ଅଧିକାରୀଙ୍କ ସମେତ ଅଭିଯୁକ୍ତ ୫ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ମାତ୍ର ମାମଲା ଏତିକିରେ ଥମି ନଥିଲା। ଯେହେତୁ ମହିଳାଙ୍କ ବନ୍ଧୁ ସେନା ଅଧିକାରୀଙ୍କୁ ଥାନାରେ ବେଆଇନ ଭାବେ ଅଟକ ରଖାଯାଇ ଦୁର୍ବ୍ୟବହାର କରାଯାଇଥିଲା, କଥା ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଗଲା। ଓଡ଼ିଶା ପୁଲିସର ଏଭଳି କାରନାମାକୁ ରାଜନେତାଙ୍କଠାରୁ ସାମାଜିକ କର୍ମୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଶୀର୍ଷ ବ୍ୟକ୍ତିତ୍ବ ନିନ୍ଦାକଲେ। ହାଇକୋର୍ଟକୁ ମାମଲା ଗଲା ଓ ମହିଳାଙ୍କୁ ଜାମିନ ମିଳିଲା। ପୀଡ଼ିତା ବାହାରକୁ ଆସିବା ପରେ ଗଣମାଧ୍ୟମରେ ସେଇ ରାତିର ଲୋମଟାଙ୍କୁରା ଅନୁଭୂତି ବଖାଣିଲେ, ଯାହା ଅତ୍ୟନ୍ତ ସାଂଘାତିକ ଥିଲା। କିନ୍ତୁ ମହିଳାଙ୍କ ଅଭିଯୋଗ ସଂପୂର୍ଣ୍ଣ ସତ୍ୟ ନୁହେଁ ବୋଲି ପୁଲିସ ମତ ରଖିଲା ଏବଂ ପୁଲିସ କର୍ମଚାରୀମାନେ ଏକତ୍ର ହୋଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କଲେ। ରାଜ୍ୟ ସରକାର ଏସବୁ ଘଟଣାକୁ ଗମ୍ଭୀରତାର ସହ ନେଇ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଛନ୍ତି। ବର୍ତ୍ତମାନ ଆଇନ ତା’ବାଟରେ ଯାଉଛି। କିଏ ଅସଲ ଦୋଷୀ କିଏ ନିର୍ଦ୍ଦୋଷ ତାହା ତଦନ୍ତରୁ ସ୍ପଷ୍ଟ ହେବ।
ଏଠାରେ ସ୍ବତଃ ମନକୁ ପ୍ରଶ୍ନ ଆସେ, ଯଦି ପୀଡ଼ିତାଙ୍କ ବନ୍ଧୁ ସେନାର ଉଚ୍ଚପଦସ୍ଥ କର୍ମଚାରୀ ନହୋଇ ଜଣେ ସାଧାରଣ ବ୍ୟକ୍ତି ହୋଇଥାଆନ୍ତେ ତେବେ କ’ଣ ମାମଲାଟି ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଥାଆନ୍ତା? ଅଭିଯୋଗକାରିଣୀଙ୍କୁ ଯୌନଉତ୍ପୀଡ଼ନ ଓ ଶାରୀରିକ ନିର୍ଯାତନା ଦେଇ ଅଭିଯୁକ୍ତ ବନାଇ ଜେଲ୍ର ଚାରିକାନ୍ଥ ଭିତରକୁ ଠେଲି ଦେବା କାମଟି ପୁଲିସ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇ ଚୁପ୍ କରି ବସିପଡ଼ିଥାଆନ୍ତା କି? ଇଏ ଥିଲା ଭରତପୁର ଆଦର୍ଶ ଥାନାର ଆଦର୍ଶ କାରନାମା! ଆସନ୍ତୁ ଗତ ଅଗଷ୍ଟ ୨୩ ତାରିଖରେ ଖଣ୍ଡଗିରି ଥାନାରେ ଘଟିଥିବା ଗୋଟିଏ ଲଜ୍ଜାଜନକ ଘଟଣା ଉପରେ ନଜର ପକାଇବା। ସେଠି ଜଣେ ଅଭିଯୋଗକାରିଣୀଙ୍କୁ ଜଣେ ସବ୍ଇନ୍ସ୍ପେକ୍ଟର୍ ବିନା କାରଣରେ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଲହୁଲୁହାଣ କରିବା ଭଳି ଅଭିଯୋଗ ଆସିଥିଲା। ସ୍ଥାନୀୟ ଯୁବକଙ୍କଠାରୁ ଧମକ ପାଇ ନିଜ ଝିଅ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିବାକୁ ତଥା ନ୍ୟାୟ ପାଇବା ଆଶାରେ ଥାନାକୁ ଧାଇଁ ଆସିଥିବା ଲକ୍ଷ୍ମୀ ଡାକୁଆଙ୍କ ସହ ପୁଲିସ ଯେଭଳି ଅମାନୁଷିକ ବ୍ୟବହାର କରିଥିଲା ତାହା ଅତ୍ୟନ୍ତ ଦୁଃଖଦ। ଲକ୍ଷ୍ମୀ ଡାକୁଆଙ୍କ ଅଭିଯୋଗପତ୍ରକୁ ଫାଡ଼ିଦେବା ସହ ତାଙ୍କୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରି ଏକ କୋଠରିରେ ପୂରାଇ ଏସ୍ଆଇ ପାୟଲ ପ୍ରଧାନ ନିର୍ଧୁମ୍ ପିଟିଥିଲେ। ଥାନାରେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହେବା ପରେ ପୀଡ଼ିତା ଭୁବନେଶ୍ୱର ପୁଲିସ ଡିସିପିଙ୍କୁ ଘଟଣାଟି ଜଣାଇଥିଲେ। ସେ ହସ୍ତକ୍ଷେପ କରି ଘଟଣାର ପ୍ରାଥମିକ ତଦନ୍ତ ପରେ ପାୟଲ ପ୍ରଧାନଙ୍କୁ ନିଲମ୍ବିତ କରିଥିଲେ ଏବଂ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ରାଜଧାନୀର ଥାନାଗୁଡ଼ିକରେ ଅଭିଯୋଗକାରିଣୀଙ୍କୁ ନିର୍ଯାତନା ଦିଆଯାଇ ଦୋଷ ଲୁଚାଇବାକୁ ମିଛ ମାମଲାରେ ଅଭିଯୁକ୍ତ ସଜାଇ ଜେଲ୍ ପଠାଇବା ଘଟଣା ଆଗରୁ ବି ଘଟୁଥିଲା। ୨୦୧୮ ମସିହାରେ ରାଜଧାନୀର ନୂଆପଲ୍ଲୀ ଥାନାରେ ଦୁଇ ଦଳିତ ଯୁବତୀଙ୍କୁ ନିସ୍ତୁକ ମାଡ଼ ପରେ ମାମଲା ଖଞ୍ଜି ଜେଲ୍ ପଠାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଜାଗାବାଡ଼ିକୁ ନେଇ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ରାଜକିଶୋର ବେହେରା ଓ ଜମ୍ବେଶ୍ୱର ମଲ୍ଲିକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷ ଏ ନେଇ ନୂଆପଲ୍ଲୀ ଥାନାରେ ମାମଲା କରିଥିଲେ। ଏହି ଘଟଣାରେ ୨୦୧୮ ମେ ୬ ତାରିଖରେ ଜମ୍ବେଶ୍ୱର ମଲ୍ଲିକଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀ ଗିରଫ ହୋଇ ଜେଲ୍ ଯାଇଥିଲେ। ଜେଲ୍ରୁ ଫେରିବା ପରେ ସେମାନଙ୍କ ଶରୀରରେ ଥିବା ମାଡ଼ର କ୍ଷତଚିହ୍ନ ପୁଲିସ ବର୍ବରତାକୁ ପଦାରେ ପକାଇ ଦେଇଥିଲା। ଦୁଇଭଉଣୀ ବୟାନ ରଖିଥିଲେ ଯେ ଥାନାରେ ସେମାନଙ୍କୁ ପାଇପ୍ରେ ପ୍ରବଳ ପିଟିଥିଲା ପୁଲିସ। ପିଟି ପିଟି ଅଚେତ କରିଦେଇଥିଲା। ଉଭୟଙ୍କ ଦେହରେ ଥିବା ମାଡ଼ ଚିହ୍ନର ଭିଡିଓ ଭାଇରାଲ୍ ହେଲା ପରେ ରାଜଧାନୀରେ ଚହଳ ସୃଷ୍ଟି ହୋଇଥିଲା। ତେବେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରି ଦୁଇଭଉଣୀ ପୁଲିସ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ବୋଲି କହିଥିଲା। ତତ୍କାଳୀନ କମିସନର୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଥାନା ଅଧିକାରୀ ସଂଗ୍ରାମକେଶରୀ ପଟ୍ଟନାୟକଙ୍କୁ ତତ୍କାଳ ଦାୟିତ୍ୱରୁ ଅପସାରଣ କରିଥିଲେ।
ପୁଲିସର ଏହି ବଦ୍ମିଜାଜ୍ କଟକରେ ବି ଦେଖିବାକୁ ମିଳେ। ବଜ୍ରକବାଟି ପ୍ରଫେସରପଡ଼ା ଅଞ୍ଚଳର ୮୨ ବର୍ଷୀୟା ନିରୁପମା ଦାସ ଏହାର ଏକ ଜୀବନ୍ତ ଉଦାହରଣ। କିଛି ବ୍ୟକ୍ତି ତଞ୍ଚକତା କରି ନିରୁପମାଙ୍କ ମାଲିକାନାରେ ଥିବା ଏକ ଦୋକାନ ଘରକୁ ନିଜ ନାମରେ ଥିବା ଦର୍ଶାଇ ସେଠାରେ ଔଷଧ ଦୋକାନ ଖୋଲିବାକୁ ଡ୍ରଗ୍ ଲାଇସେନ୍ସ ବାହାର କରିଦେଲେ। ବାଦାମବାଡ଼ି ଥାନାକୁ ନିରୁପମା ଯେତେବେଳେ ଲିଖିତ ଅଭିଯୋଗ କରିବାକୁ ଗଲେ ତାଙ୍କର ଅଭିଯୋଗ କେହି ରଖିଲେ ନାହିଁ ବରଂ ତାଙ୍କୁ ଦୌଡ଼ାଇ ଦୌଡ଼ାଇ ନୟାନ୍ତ କରିଦେଲେ। ପରିଶେଷରେ ପୁଲିସ ତାଙ୍କୁ ପ୍ରମାଣ ମାଗିଲେ। ନିରୁପମା ଆର. ଟି. ଆଇ. ମାଧ୍ୟମରେ ପାଇଥିବା ପ୍ରମାଣ ଦେଖାଇଲେ। ଏ ପ୍ରସଙ୍ଗରେ ନିରୁପମା କହନ୍ତି, ‘‘ପ୍ରାୟ ୧ ମାସରୁ ଊର୍ଦ୍ଧ୍ବ ସମୟ ଧରି ବାରମ୍ବାର ଥାନାକୁ ଡାକିଲେ। ଏପରିକି ଦିନକୁ ତିନିଥର ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି କୌଣସି କାରଣ ନଥାଇ ବସାଇରଖି ମାନସିକ ନିର୍ଯାତନା ଦେଲେ। ଏହାପରେ ଯଦିଓ ଏତଲା ଗ୍ରହଣ କରିଥିଲେ, ମାତ୍ର ଦସ୍ତାବିଜ ଯାଞ୍ଚ ନକରି ଏହା ଏକ ମିଛ କେସ୍ ବୋଲି କହି ମୋତେ ଗାଳିଗୁଲଜ କରି ଫେରାଇଦେଲେ। ବୁଢ଼ୀ ଏ ବୟସରେ ଏଭଳି ମିଛ କେସ୍ କରିବାକୁ ଆସୁଛୁ ତତେ ଫସାଇ ଦେବୁ ବୋଲି ଧମକ ବି ଦେଲେ।’’ ଏଭଳି ମାନସିକ ନିର୍ଯାତନାର ଶିକାର ନିରୁପମା ଅନନ୍ୟୋପାୟ ହୋଇ ହାଇକୋର୍ଟରେ ମାମଲା (ପିଏସ୍ କେସ୍ ନମ୍ବର ୨୦୮/୨୨) ଦାଏର କଲେ। ମାମଲାଟି ବନ୍ଦ ହୋଇଯାଇଛି ବୋଲି ବାଦାମବାଡ଼ି ପୁଲିସ ହାଇକୋର୍ଟରେ ଜଣାଇଦେଲେ। ଆବଶ୍ୟକ ଅନୁସନ୍ଧାନ ନକରି ଏବଂ ଜାଲ୍ ଦସ୍ତଖତର ଫୋରେନ୍ସିକ୍ ଯାଞ୍ଚ ନକରି ପୁଲିସ କିପରି ମାମଲାଟିକୁ ମିଛ ବୋଲି ଖାରଜ କଲା ତାହା ଦର୍ଶାଇ ହାଇକୋର୍ଟରେ ‘ପ୍ରୋଟେଷ୍ଟ୍ ପିଟିସନ୍’ ଦାଖଲ କରିଛନ୍ତି ସେ।
୨୦୨୩ ଏପ୍ରିଲ୍ ୧୮ ତାରିଖରେ ତମାଣ୍ଡୋ ପୁଲିସର ଆଚରଣକୁ ଏହି କ୍ରମରେ ଉଲ୍ଲେଖ କରାଯାଇ ପାରେ। ଏକ ଅଭିଯୋଗ ଆଧାରରେ ତମାଣ୍ଡୋ ପୁଲିସ ତଦନ୍ତ ଲାଗି ୬୫ ବର୍ଷ ବୟସ୍କା ସୁଲୋଚନା ଭଦ୍ରଙ୍କ ଘରକୁ ଯାଇଥିଲା। ଅଭିଯୋଗ ଅନୁସାରେ, ସେଠାରେ ବୃଦ୍ଧା ସୁଲୋଚନାଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରୁଥିବା ବେଳେ ତାଙ୍କର ଅପ୍ରାପ୍ତ ବୟସ୍କା ନାତୁଣୀ ଭିଡିଓ ରେକର୍ଡିଂ କରୁଥିଲା। କାହିଁକି ରେକର୍ଡିଙ୍ଗ୍ କରୁଛୁ କହି ପୁଲିସ୍ ଅତ୍ୟନ୍ତ ନିର୍ମମ ଭାବେ ତାକୁ ପିଟିବା ସହ ତା’ ପେଟକୁ ଗୋଇଠା ମାରିଥିଲେ । ମାତ୍ର ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ତମାଣ୍ଡୋ ଥାନାରେ ଏତଲା କରାଯିବା ଉଦ୍ୟମ ବିଫଳ ହେଲା। ପରେ ସୁଲୋଚନା ହାଇକୋର୍ଟରେ ତମାଣ୍ଡୋ ପୁଲିସ ବିରୋଧରେ ଏକ ମାମଲା ଦାଏର କଲେ। ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ (ସିଆର୍ଏଲ୍ଏମ୍ପି-୧୦୭୦/୨୦୨୩) ଭୁବନେଶ୍ୱର ଡିସିପିଙ୍କୁ ସମ୍ପୂର୍ଣ୍ଣ ମାମଲା ଉପରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଡିସିପି କୌଣସି ରିପୋର୍ଟ ନଦେବାରୁ ତାଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲାର (ସିଓଏନ୍ଟିଆର୍-୪/୨୦୨୪) ଶୁଣାଣି ଚାଲିଛି ବୋଲି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।
ସେହିପରି ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା ଚୌଦ୍ୱାର ବାସିନ୍ଦା ଆଡ୍ଭୋକେଟ୍ ପ୍ରତିମା ଦାସଙ୍କ ଜୀବନରେ। ସେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ପୁଲିସ ତାଙ୍କୁ ରାସ୍ତାରେ ଅଟକାଇଥିଲା ଏବଂ କୌଣସି କାରଣରୁ ପୁଲିସ୍ କର୍ମଚାରୀଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ତାଙ୍କୁ ଚୌଦ୍ୱାର ଥାନାକୁ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦେଇଥିଲା। ସେତିକିରେ ଥାନା କର୍ମଚାରୀଙ୍କ ମନ ବୁଝି ନଥିଲା, ସେମାନେ ଅନେକ ମିଛ ମାମଲା ଖଞ୍ଜି ତାଙ୍କୁ ଜେଲ୍ ପଠାଇ ଦେଇଥିଲା ବୋଲି ଅଭିଯୋଗ କରନ୍ତି ପ୍ରତିମା। ସେ ୨୦୦୮ ଅଗଷ୍ଟ ୧୩ରୁ ୨୦୧୦ ନଭେମ୍ବର ୧୭ ପର୍ଯ୍ୟନ୍ତ ଜେଲ୍ରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ପରେ ସେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ରାଜ୍ୟ ସରକାରଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ଏବଂ ଏହାର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଛି।
କେବଳ ଭୁବନେଶ୍ବର କି କଟକ ନୁହେଁ, ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏପରି ଘଟଣା ଘଟୁଛି। ୨୦୨୩ ନଭେମ୍ବର ୧୮ ତାରିଖରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ ଚାଲିଥିଲା ବେଳେ ମାଲହ ମୁର୍ମୁ ନାମ୍ନୀ ଜଣେ ମହିଳା ଆତ୍ମଦାହ ଉଦ୍ୟମ କରିଥିଲେ। ଏଥିପାଇଁ ପୁଲିସ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରା଼ଇରଙ୍ଗପୁର ଟାଉନ ଥାନାର ତତ୍କାଳୀନ ଭାରପ୍ରାପ୍ତ ପୁଲିସ ଅଧିକାରୀ ରୋଜାଲିନ ବେହେରା ଥାନାରେ ମାଲହ ମୁର୍ମୁଙ୍କୁ ଅତ୍ୟଧିକ ମାଡ଼ ମାରିବା ସହିତ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ଥାନାର ସିସିଟିଭି ବନ୍ଦ (କିମ୍ବା ଘୋଡ଼ାଇ) କରି ଦିଆଯାଇଥିଲା ବୋଲି ଗୁରୁତର ଆରୋପ ଆସିଥିଲା।
ଏବେ ଫେରିବା କୋରାପୁଟର ଜଣେ ଅସହାୟ ମା’ର ନିର୍ଯାତନା ଘଟଣାକୁ। ୨୦୧୭ ଜାନୁଆରି ୩୦। ୨୮ ବର୍ଷୀୟ ଆକାଶ ମହୁରିଆଙ୍କୁ ଏକ ମାମଲାରେ ଜୟପୁର ଥାନା ପୁଲିସ ଗିରଫ କରି ନେଲା। ତାଙ୍କର ବୃଦ୍ଧା ମା’ ପ୍ରବୀଣା ମହୁରିଆ ପୁଅ ନିର୍ଦ୍ଦୋଷ ବୋଲି ଗୁହାରି କରିବାକୁ ଥାନାକୁ ଗଲେ। କିନ୍ତୁ ପୁଲିସ କିଛି ନଶୁଣି ତାଙ୍କୁ ମଧ୍ୟ ଥାନାରେ ଅଟକ ରଖିଲା। ପରେ ପୁଅ ଆକାଶର ମୁକ୍ତି ପାଇଁ ଯେତେବେଳେ ସେ ଅଦାଲତର ଦ୍ୱାରସ୍ଥ ହେଲେ ସ୍ଥାନୀୟ ପୁଲିସ ପ୍ରବୀଣାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ପୁଅକୁ ମାରିଦେବାର ଧମକ ଦେଇଥିଲା ବୋଲି ସେ ଅଭିଯୋଗ କଲେ। ସତକୁ ସତ ପୁଲିସ ହାଜତରେ ଆକାଶର ମୃତ୍ୟୁ ହେଲା। ବିଭିନ୍ନ ଆଳ ଦେଖାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କଲା ପୁଲିସ। କିନ୍ତୁ ପୁଅ ପାଇଁ ନ୍ୟାୟିକ ଲଢ଼େଇରେ ପ୍ରବୀଣା ବିଜୟୀ ହେଲେ। ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୦୨, ୩୨୩, ୩୪୨, ୩୨୫, ୫୦୫ ଓ ୩୪ ଅନୁଯାୟୀ ଜୟପୁର ଥାନାର ତତ୍କାଳୀନ ପଦାଧିକାରୀ ତପନ ନାରାୟଣ ରଥ, ଶିବ ପ୍ରସାଦ ସାହୁ, ରାଜେଶ ବଳିୟାର ସିଂ ଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାମରେ ଅାପରାଧିକ ମାମଲା ଦାଏର ହେଲା ଏବଂ ସେମାନେ ଗିରଫ ହେଲେ। ପୁଲିସ ପ୍ରଶାସନ ପ୍ରବୀଣାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା।
ଏସବୁ ଘଟଣା ପରୋକ୍ଷ ଭାବେ ପ୍ରତିପାଦିତ କରୁଛି ଯେ କତିପୟ ପୁଲିସ କର୍ମଚାରୀଙ୍କ ଅଣପେସାଦାର ଆଚରଣ ହେତୁ ଥାନା ଏକ ବିପଜ୍ଜନକ ସ୍ଥାନରେ ପରିଣତ ହୋଇଛି। କାରଣ ଥାନାରେ ଥିବା ମହିଳା କର୍ମଚାରୀ ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି। ଏହାର ରାଶି ରାଶି ଉଦାହରଣ ରହିଛି। ଗତ ୨୫ ତାରିଖରେ ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଓ ଅସଦାଚରଣ ଅଭିଯୋଗରେ ରାଉରକେଲା ବନ୍ଧମୁଣ୍ଡା ଥାନାଅଧିକାରୀ ଅଶୋକ କୁମାର ଦାସଙ୍କୁ ଥାନାରୁ ହଟାଯାଇଛି। ମିଳିଥିବା ସୂଚନା ମୁତାବକ, ଗତ ବିଧାନସଭା ନିର୍ବାଚନ ସମୟରେ ବନ୍ଧମୁଣ୍ଡା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଥାନା ଅଧିକାରୀ ଅସଦାଚରଣ କରିଆସୁଥିଲେ। ମହିଳା କର୍ମଚାରୀ ପ୍ରତିବାଦ କରୁଥିଲେ ହେଁ, ଥାନା ଅଧିକାରୀ ଶୁଣି ନଥିଲେ। ନିରାଶ ହେବା ପରେ ମହିଳା ପୁଲିସଜଣକ ଏସ୍ପି ବ୍ରିଜେଶ ରାୟଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ। ଏହି ଆଧାରରେ ଏସ୍ପି ଶ୍ରୀ ରାୟ ଡିଏସ୍ପିଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ତେଣେ ଥାନା ଅଧିକାରୀ ଅଶୋକ ଦାସ କହିଛନ୍ତି ସେ ମହିଳା ପୁଲିସ କର୍ମଚାରୀଙ୍କୁ ନିର୍ଯାତନା ଦେଇନାହାନ୍ତି।
ପୁଲିସ ବଇରୀ ନୁହେଁ, ବନ୍ଧୁ- ଏହି ଚିନ୍ତାଧାରର ଢେର୍ ପ୍ରଚାର ପ୍ରସାର ହେଉଥିଲେ ହେଁ ଏଭଳି ଘଟଣା ସବୁ ପୁଲିସର ଭାବମୂର୍ତ୍ତିକୁ ଖରାପ କରୁଛି। ଆଉ ଥାନାକୁ ଅଭିଯୋଗ ଧରି ସାହାଯ୍ୟ ପାଇଁ ଆସିଥିବା ମହିଳାମାନଙ୍କ ପ୍ରତି ଏଭଳି ନିଷ୍ଠୁର ଆଚରଣ ଏକ ଗାଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ସ୍ପୃହଣୀୟ ନୁହେଁ। ଆଇନ ଓ ଅଦାଲତ ମହିଳାଙ୍କ ସୁରକ୍ଷା ଲାଗି ଅନେକ ବିଧିବ୍ୟବସ୍ଥା ରଖିଥିଲେ ହେଁ ତାହାକୁ ପୁଲିସ କାର୍ଯ୍ୟକାରୀ କରୁନାହିଁ। ଫଳରେ ଆଜି ବି ଅସୁବିଧାରେ ପଡ଼ିଲେ ମହିଳାଟିଏ ଥାନାକୁ ଯିବାକୁ ପାଞ୍ଚଥର ଚିନ୍ତା କରୁଛି। ଏଭଳି ଅବସ୍ଥାର ଅନ୍ତ ଘଟିବ କେବେ?