ବାପା, ମାଙ୍କୁ ଛାଡ଼ିବାକୁ ବାଧ୍ୟ କଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ସ୍ବାମୀ। ଏପ୍ରିଲ ମାସରେ ଏକ ମାମଲା ଶୁଣାଣି ବେଳେ କୋଲକାତା ହାଇକୋର୍ଟର ଏଭଳି ମନ୍ତବ୍ୟ ନେଇ ବ୍ୟାପକ ଆଲୋଚନା ହୋଇଛି। ଶାଶୂ, ଶ୍ବଶୁରଙ୍କୁ ଅତ୍ୟାଚାର କରୁଥିବା ବୋହୂଙ୍କ ବିରୋଧରେ ଏହା ଉପଯୁକ୍ତ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ବୋଲି କହି ଅନେକ ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ଆଉ ଏକ ସମୂହ ଏହାକୁ ଅଦାଲତଙ୍କ ନାରୀ ବିରୋଧୀ ମନ୍ତବ୍ୟର ଲମ୍ବା ତାଲିକାର ଆଉ ଗୋଟିଏ ବିନ୍ଦୁ ଭାବରେ ଯୋଡ଼ିଛନ୍ତି।

Advertisment

ମା’-ବାପାଙ୍କ ଯତ୍ନ ନେବା ପ୍ରତ୍ୟେକ ସନ୍ତାନଙ୍କ କର୍ତ୍ତବ୍ୟ। ବର୍ତ୍ତମାନ ଅନେକ ପରିବାରରେ ବରିଷ୍ଠ ନାଗରିକଙ୍କୁ ଅବହେଳାର ଭୟଙ୍କର ଚିତ୍ର ଦେଖିବାକୁ ମିଳେ। ଅସହାୟ ବରିଷ୍ଠ ନାଗରିକଙ୍କୁ ତଡ଼ି ଦିଆଯାଉଛି। ପୁଅ ଏବଂ ସ୍ବାମୀ ଉଭୟ କର୍ତ୍ତବ୍ୟକୁ ଦାୟିତ୍ବସଂପନ୍ନ ଭାବରେ ପାଳନ କରିବାକୁ ଚାହୁଥିବା ପୁରୁଷ ପାଇଁ ବିକଟ ଅବସ୍ଥା ବି ହେଉଛି। ଏହା ସତ୍ତ୍ବେ ପ୍ରତ୍ୟେକ ପରିବାରରେ ପୁରୁଷ ଆୟର ସ୍ରୋତ ଏବଂ ମୁଖିଆ ହୋଇଥିବାରୁ ସେମାନେ ଦୃଢ଼ ରହିଲେ ତାଙ୍କ ମା’-ବାପାଙ୍କୁ କେହି ବାହାର କରିପାରିବେ ନାହିଁ। କିନ୍ତୁ ପ୍ରଶ୍ନ ଉଠେ ସନ୍ତାନ ଅର୍ଥ କଣ କେବଳ ପୁଅ କି? ବାର୍ଦ୍ଧକ୍ୟାବସ୍ଥାରେ ନିଜ ଅଭିଭାବକଙ୍କ ଯତ୍ନ ନେବାକୁ ଚାହୁଥିବା ମହିଳାମାନଙ୍କୁ ସ୍ବାମୀ କିମ୍ବା ପରିବାରଠାରୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼େ ନାହିଁ କି? ବୋହୂଠାରୁ କ’ଣ ଜାମତା ଶାଶୂ, ଶ୍ବଶୁରଙ୍କ ପାଇଁ ବେଶି ଯତ୍ନଶୀଳ। ବାସ୍ତବତା ହେଲା ଅଧିକାଂଶ କ୍ଷେତ୍ରରେ ବିବାହ ପରେ ନିଜ ମା’-ବାପାଙ୍କୁ ରଖିବା ପାଇଁ ଚାହିବା ଆଜିବି ବଡ଼ ବିପ୍ଳବ ଭଳି। ବିବାହିତ ପୁରୁଷ ଅପେକ୍ଷା ଢେର ଗୁଣରେ ବିବାହିତା ମହିଳା ନିଜ ଅଭିଭାବକଙ୍କ ଯତ୍ନ ବେଳେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା ସତ୍ତ୍ବେ ବାପା-ମା’ଙ୍କୁ ଅବହେଳା ପାଇଁ ଉଭୟ ସ୍ବାମୀ କିମ୍ବା ସ୍ତ୍ରୀ ଛାଡ଼ପତ୍ର ପାଇଁ ଯୋଗ୍ୟ ହେବା ଆବଶ୍ୟକ। ଆମ ବ୍ୟବସ୍ଥାର ପୁରୁଷତାନ୍ତ୍ରିକ ମାନସିକତା ଅନୁଯାୟୀ, ବିବାହ ପରେ ଜଣେ ମହିଳା ପର ହୋଇଯାଏ। ତା’ର ଏକମାତ୍ର ଦାୟିତ୍ବ ସ୍ବାମୀ ଏବଂ ପରିବାର ପ୍ରତି ରହିଥିବା ଧରିନିଆଯାଏ।

ହେଲେ ପ୍ରକୃତରେ ଜୀବନ ସାଥୀ ପାଲଟିଥିବା ଦୁଇ ମଣିଷ ପରସ୍ପରର ଦାୟିତ୍ବ ଏବଂ ଅଧିକାରର ସହଭାଗୀ ହେବା ଯଥାର୍ଥ। କେବଳ ସ୍ତ୍ରୀକୁ ସ୍ବାମୀ ପରିବାରକୁ ଆପଣାଇବା ପାଇଁ ପରାମର୍ଶ ଦେଇ ଜାମତାମାନଙ୍କୁ ଜୀବନ ତମାମ ଶାଶୂ-ଶ୍ବଶୁରଙ୍କ ପରିବାରର ଅତିଥିର ମାନସିକତା ଗ୍ରହଣୀୟ ନୁହେଁ। ଏଭଳି ମାନସିକତାରୁ ନିଜକୁ ଯେତେ ମୁକ୍ତ ରଖିବା ସେତେ ଭଲ। ଗତ ମାର୍ଚ୍ଚ ମାସରେ ପୁଅ ହିଁ ବାର୍ଦ୍ଧକ୍ୟ ସମୟର ଏକମାତ୍ର ସହାୟକ ବୋଲି ନିମ୍ନ ଅଦାଲତର ଏକ ମନ୍ତବ୍ୟକୁ ସର୍ବୋଚ୍ଚ ନ୍ୟାୟାଳୟ ନାପସନ୍ଦ କରିଛନ୍ତି। ଏଭଳି ପୁରୁଷତାନ୍ତ୍ରିକ ମାନସିକତାରୁ ବିରତ ରହିବା ପାଇଁ କହିଛନ୍ତି। କେବଳ ଏହି ମନ୍ତବ୍ୟ ନୁହେଁ, ବିଭିନ୍ନ ସମୟରେ ଅଦାଲତରେ ଅନେକ ମହିଳା ବିରୋଧୀ ମନ୍ତବ୍ୟ ଦିଆଯିବାର ନଜିର ରହିଛି। ଦୁଷ୍କର୍ମ, ଅସଦାଚରଣର ଅଭିଯୁକ୍ତ ସହିତ ବିବାହ କିମ୍ବା ରାକ୍ଷୀ ବାନ୍ଧିବାକୁ ପରାମର୍ଶ ଦିଆଯାଏ। ବିଭିନ୍ନ ମାମଲାର ବିଚାର ବେଳେ ଏଭଳି ମନ୍ତବ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ ହୋଇଥିଲେ।

publive-image Free Press Journal

ମହିଳାଙ୍କ ପୋଷାକ, ବ୍ୟବହାର, ପୁରୁଣା ଆଚରଣ ନେଇ ଝିଅକୁ ଘୃଣା କରିବା ଭଳି ପୁରୁଷତାନ୍ତ୍ରିକ ମନ୍ତବ୍ୟ ନ ଦେବା ପାଇଁ ୨୦୨୧ ମସିହାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମଧ୍ୟ ରହିଛି। ସେଗୁଡ଼ିକ ହେଲା, ମହିଳାମାନେ ଶାରୀରିକ ଭାବରେ ଦୁର୍ବଳ ଏବଂ ସେମାନେ ସୁରକ୍ଷା ଆବଶ୍ୟକ କରିଥାନ୍ତି। ମହିଳାମାନେ ନିଜର ନିଷ୍ପତ୍ତି ନେବାରେ ଅସମର୍ଥ। ପୁରୁଷମାନେ ପରିବାରର ମୁଖିଆ ଏବଂ ସେମାନେ ପରିବାରର ସମସ୍ତ ନିଷ୍ପତ୍ତି ନିଅନ୍ତି। ଆମ ପୁରୁଣାକାଳିଆ ସଂସ୍କୃତି ଅନୁଯାୟୀ, ମହିଳାମାନେ ଆଜ୍ଞାଧୀନ ହେବା ଉଚିତ। ମାତୃତ୍ବ ହିଁ ଜଣେ ମହିଳାଙ୍କ ଏକମାତ୍ର ଦାୟିତ୍ବ। ନିର୍ଦିଷ୍ଟ ପ୍ରକାର ପୋଷାକ ପିନ୍ଧି ରାତିରେ ଏକୁଟିଆ ଗଲେ ଆକ୍ରମଣ ପାଇଁ ଆମନ୍ତ୍ରଣ ହୋଇଥାଏ। ମଦ୍ୟପାନ କିମ୍ବା ଧୂମପାନ କରିଥିବା ମହିଳାଙ୍କ ସହିତ ପୁରୁଷଙ୍କ ଅନୁଚିତ ବ୍ୟବହାରକୁ ନ୍ୟାୟସଙ୍ଗତ କୁହାଯାଇ ପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ହସ୍ତକ୍ଷେପ ପରେ ମଧ୍ୟ ଅନେକ ଅଦାଲତରେ ନିୟମିତ ବ୍ୟବଧାନରେ ପାରମ୍ପରିକ ମହିଳା ବିରୋଧୀ ମନ୍ତବ୍ୟ ଦେଇ ଚାଲିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଗୁଲରୋଖ ଗୁପ୍ତା ବନାମ ବୁରଜୋର ପାର୍ଦିୱାଲା ମାମଲାରେ ପାର୍ସି ମହିଳା ନିଜ ସମୂହରୁ ବାହାରେ ବିବାହ କରିବାରୁ ତାଙ୍କୁ ପାର୍ସି ସମାଜର ବଂଶାନୁକ୍ରମିକ ସମ୍ପତ୍ତିରୁ ବେଦଖଲ କରାଯାଇଥିଲା। ୨୦୧୮ ମସିହାରେ ନିଜ ଇଚ୍ଛାରେ ଲିଭ୍‌-ଇନ୍‌ରେ ରହୁଥିବା ମହିଳା ସ୍ବାମୀ କିମ୍ବା ପରିବାର ବିରୋଧରେ ଯୌତୁକ ଆଇନ ଅନ୍ତର୍ଗତ ନିର୍ଯାତନାର ଅଭିଯୋଗ କରିପାରିବେ ନାହିଁ ବୋଲି ରାୟ ଆସିଥିଲା। ପୁରୁଷତାନ୍ତ୍ରିକ ସାମାଜିକ ବ୍ୟବସ୍ଥାରେ ଅଦାଲତ ମଧ୍ୟ ଅଂଶବିଶେଷ। ତେଣୁ ଏଭଳି ମନ୍ତବ୍ୟ ସ୍ବାଭାବିକ। ଏହା ମଧ୍ୟ ସତ୍ୟ ଯେ ଉପରଠାଉରିଆ ଭାବରେ ଭାରତୀୟ ବ୍ୟବସ୍ଥା ମହିଳା ସପକ୍ଷବାଦୀ ବୋଲି ଯେଉଁ ଭ୍ରମ ରହିଛି, ବାସ୍ତବତାଠାରୁ ତାହା ଅନେକ ଦୂରରେ। ପୁରୁଷ ତାନ୍ତ୍ରିକ ମାନସିକତା ବଦଳୁଥିଲେ ମଧ୍ୟ ତା’ର ଗତି ଏତେ ମନ୍ଥର ଯେ ଲିଙ୍ଗଭେଦମୁକ୍ତ ସମାଜ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିବ।