ଏମିତି ଏକ ଖେଳ ଅଛି ବୋଲି ଆପଣ ହୁଏତ ଭାବି ନ ଥିବେ! ପୁଣି ଏହି ଖେଳକୁ ନେଇ ଅନୁଷ୍ଠିତ ହେଉଛି ବିଶ୍ବକପ୍ ! ୨୦୦୮ ମସିହାରେ ଜାପାନରେ ଉଦ୍ଭାବିତ ଏହି ବିଚିତ୍ର ଖେଳର ନଁା- ‘ସ୍ପୋଗୋମି’। ସ୍ପୋଗୋମିରୁ କେବଳ ଆନନ୍ଦ ମିଳେନି ବରଂ ପରିବେଶ ସୁରକ୍ଷା, ସ୍ବଚ୍ଛ ପରିମଳ ବ୍ୟବସ୍ଥା ଓ ସୁସ୍ଥ ସମାଜ ଗଠନ ଲାଗି ମିଳେ ପ୍ରେରଣା। ଆବର୍ଜନା ସଂଗ୍ରହ ଆଧାରିତ କ୍ରୀଡ଼ା ସ୍ପୋଗୋମିର ପ୍ରଚାର-ପ୍ରସାର ଓ ପ୍ରଚଳନ ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରୟାସ। ‘େସ୍ପାଗୋମି’କୁ ନେଇ ବିଭୂତି ପତିଙ୍କ ବିଶେଷ ଉପସ୍ଥାପନା।
ଆପଣ ବିଭିନ୍ନ ଖେଳର ବିଶ୍ବକପ୍ ଆୟୋଜନ ବିଷୟରେ ଶୁଣିଥିବେ, କିନ୍ତୁ ‘ସ୍ପୋେଗାମି’ର ବିଶ୍ବ ପ୍ରତିଯୋଗିତା ବିଷୟରେ ଅବଗତ ଅଛନ୍ତିି କି? ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବିଶ୍ବକପ୍ କ୍ରମଶଃ ଲୋକପ୍ରିୟତା ହାସଲ କରୁଛି ଏବଂ ଏସିଆ, ୟୁରୋପ୍, ଆଫ୍ରିକା ଓ ଆମେରିକା ମହାଦେଶର ଛୋଟବଡ଼ ଦେଶ ଏଥିରେ ସାମିଲ ହେଉଛନ୍ତି। ସରଳ ଅର୍ଥରେ କହିଲେ, ‘ସ୍ପୋେଗାମି’ ହେଉଛି ଏକ ଆବର୍ଜନା ସଫେଇ ଖେଳ। ଯେଉଁ ଦଳ ନିର୍ଦ୍ଦିଷ୍ଟ ସ୍ଥାନରେ, ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଧାରିତ ଶୈଳୀରେ ସର୍ବାଧିକ ପରିମାଣର ଆବର୍ଜନା ସଂଗ୍ରହ ଓ ସଫେଇ କରିପାରିବ ସେ ହିଁ ଖେଳରେ ବିଜୟୀ ହୁଏ। ବର୍ତ୍ତମାନ ସାରା ବିଶ୍ବ ପାଇଁ ପ୍ରଦୂଷଣ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଥିବାରୁ ଏହାର ଅନ୍ୟତମ ମୁଖ୍ୟ ନିରାକରଣ ଆବର୍ଜନା ସଫେଇକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ବିବେଚନା କରିବାକୁ ଏହି କ୍ରୀଡ଼ାର ଉଦ୍ଭାବନ କରାଯାଇଛି। ସାଧାରଣ ଭାବେ ଆବର୍ଜନା ସଫେଇକୁ ଆମେ ଏକ ଅରୁଚିକର କାର୍ଯ୍ୟ ବୋଲି ବିବେଚନା କରିଥାଉ, କିନ୍ତୁ ଏଭଳି ଏକ ଅଭିନବ ଖେଳ ମାଧ୍ୟମରେ ଏହି କାର୍ଯ୍ୟକୁ ମହିମାନ୍ବିତ କରାଯିବା ଆରମ୍ଭ ହୋଇଛି।
‘ସ୍ପୋେଗାମି’ ବିଶ୍ବକପ୍ କ୍ରୀଡ଼ା-୨୦୨୫ ପାଇଁ ଜାପାନରେ ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେଠାରେ ୨୦୨୩ ମସିହାରୁ ଏହି ବିଶ୍ବକପ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି। ବିଶ୍ବରେ ସମୁଦ୍ର ଉପକୂଳ ଓ ସାମୁଦ୍ରିକ ପ୍ରଦୂଷଣର ମାତ୍ରା ଉଦ୍ବେଗଜନକ ଭାବେ ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏହାକୁ ହ୍ରାସ କରିବା ପାଇଁ ବ୍ୟକ୍ତିରୁ ନେଇ ସାମାଜିକସ୍ତର ପର୍ଯ୍ୟନ୍ତ ଆବର୍ଜନା ସଫେଇକୁ ପ୍ରୋତ୍ସାହିତ କରିବା ପାଇଁ ଜାପାନରେ ଏହାକୁ ଏକ ଖେଳ ରୂପ ଦିଆଯାଇଛି। ଆବର୍ଜନା ସଫା କରିବା ଏକ କ୍ରୀଡ଼ା-ଏହି ସ୍ଲୋଗାନ୍ ଦେଇ ୨୦୦୮ ମସିହାରେ ଏହି ଅଭିନବ ଖେଳ ପ୍ରଥେମ ପରିକଳ୍ପନା କରିଥିଲେ ଜାପାନୀ କ୍ରୀଡ଼ାବିତ୍ ଓ ପ୍ରସିଦ୍ଧ ପରିବେଶକର୍ମୀ ମମିତାସୁକ୍ କେନ୍ଚି। ପ୍ରଥମେ ସେ ଏହାକୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରିଥିଲେ। ପିଲାମାନଙ୍କୁ ପରିବେଶ ସଚେତନ କରିବାକୁ ସ୍ପୋେଗାମି ସ୍କୁଲ୍ଗୁଡ଼ିକରେ ଖେଳାଯାଇଥିଲା। ପରବର୍ତ୍ତୀ ସମୟରେ ସମଗ୍ର ଜାପାନରେ ଏହାକୁ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ଭାବେ ଗ୍ରହଣ କରାଯାଇଥିଲା। ଆଜି ଏହା ବିଶ୍ବରେ ଆଦୃତ ହୋଇସାରିଛି ଏବଂ ୨୦୨୩ରେ ୨୧ଟି ଦେଶ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ସରକାରୀ ଭାବେ ଭାରତ ସ୍ପୋଗୋମିକୁ ସ୍ବୀକୃତି ଦେଇଛି। ଭାରତର ଏକ ତିନିଜଣିଆ ପ୍ରତିନିଧି ଦଳ ୨୦୨୫ ସ୍ପୋଗୋମି ବିଶ୍ବକପ୍ରେ ଯୋଗଦେବାକୁ ଯାଉଛନ୍ତି। ସ୍ପୋେଗାମି ମୁଖ୍ୟତଃ ସାମୁଦ୍ରିକ ଆବର୍ଜନା ସଫେଇ ସହ ଜଡ଼ିତ ହୋଇଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଓ ସଂଗଠନ ଏଥିରେ ଅଂଶଗ୍ରହଣ କରିପାରିବେ। କିନ୍ତୁ ଏଥିଲାଗି ଦେଶସ୍ତରରେ ଅନୁଷ୍ଠିତ ହେଉଥିବା ଯୋଗ୍ୟତା ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଓଡ଼ିଶାରେ ବେଳାଭୂମି ଆବର୍ଜନା ସଫେଇ କ୍ଷେତ୍ରରେ ସକ୍ରିୟ ସାମାଜିକ କର୍ମୀମାନେ ସ୍ପୋେଗାମି ବିଶ୍ବକପ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ବାଟ ଫିଟିଛି। ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ବିଶ୍ବ ଚାମ୍ପିୟନ୍ସିପ୍ର ଆଗାମୀ ସଂସ୍କରଣ ୨୦୨୭ରେ ଅନୁଷ୍ଠିତ ହେବ।
‘ସ୍ପୋଗୋମି’ର ଅର୍ଥ କ’ଣ?
ଏବେ ଆସନ୍ତୁ ଜାଣିବା ‘ସ୍ପୋେଗାମି’ ଶବ୍ଦର ଅର୍ଥ କ’ଣ? ୱିକିପିଡିଆରେ ପ୍ରଦତ୍ତ ତଥ୍ୟ ଅନୁସାରେ, ଇଂରାଜୀ ଓ ଜାପାନୀ ଶବ୍ଦର ସମ୍ମିଶ୍ରଣରେ ଏହି ଶବ୍ଦଟିର ଉଦ୍ଭବ। ଇଂରାଜୀ ଶବ୍ଦ ‘ସ୍ପୋର୍ଟ’ର ପ୍ରାରମ୍ଭିକ ଅକ୍ଷର ‘ସ୍ପୋ’କୁ ଖେଳ ଅର୍ଥରେ ରଖାଯାଇଥିବା ବେଳେ ଜାପାନୀ ଭାଷାରେ ‘ଗୋମି’ର ଅର୍ଥ ଆବର୍ଜନା। ଇଂରାଜୀରେ ଏହା ଅର୍ଥ ବ୍ୟାଖ୍ୟା କରି ଲେଖାଯାଇଛି-‘ସ୍ପୋର୍ଟସ୍ ପିକିଂ ଅପ୍ ଟ୍ରାସ୍’। ଅର୍ଥାତ୍ ଆବର୍ଜନା ଗୋଟାଇବା ଖେଳ। ଯଦିଓ ଏହି ଖେଳ ୨୦୦୮ ମସିହାରୁ ଜାପାନରେ ଆରମ୍ଭ ହେଲାଣି, କିନ୍ତୁ ୨୦୨୩ ମସିହାରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଥମ ସ୍ପୋଗୋମି ବିଶ୍ବକପ୍ ପ୍ରତିଯୋଗିତାରେ ଗ୍ରେଟ୍ ବ୍ରିଟେନ୍ ଚାମ୍ପିୟନ୍ ହୋଇଥିଲା। ବର୍ତ୍ତମାନ ସମଗ୍ର ବିଶ୍ବ ପରିବେଶ ପ୍ରଦୂଷଣଜନିତ ସମସ୍ୟା ସାମ୍ନା କରୁଥିବାରୁ ଏହି କ୍ରୀଡ଼ାକୁ ସ୍ବୀକୃତି ମିଳିଥିଲା। ଦେଶବିଦେଶର ପ୍ରମୁଖ ଗଣମାଧ୍ୟମମାନେ ଏହାକୁ ଗୁରୁତ୍ବ ଦେଇ ପ୍ରସାରଣ କରିଥିଲେ। ବିଭିନ୍ନ ଦେଶର କ୍ରୀଡ଼ାମନ୍ତ୍ରୀ ବି ଏହି ବିଶ୍ବକପ୍ରେ ସାମିଲ ହୋଇଥିଲେ। ୨୦୨୫ ସ୍ପୋଗୋମି ବିଶ୍ବକପ୍ରେ ୬ଟି ମହାଦେଶର ୩୦ରୁ ଅଧିକ ଦେଶ ସାମିଲ ହେଉଥିବା ସ୍ପୋେଗାମିର ଆଧିକାରୀକ ୱେବ୍ସାଇଟ୍ରେ ତଥ୍ୟ ରହିଛି। ବିଶେଷକରି ଅଷ୍ଟ୍ରେଲିଆରେ ଏହି ଖେଳକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ସେଠାରେ ଲୋକେ ଯେଉଁଭଳି ଭାବେ ଏଥିରେ ଅଂଶଗ୍ରହଣ କରୁଛନ୍ତି ୨୦୩୦ ସୁଦ୍ଧା ୮୦ ପ୍ରତିଶତ ସାମୁଦ୍ରିକ ଆବର୍ଜନା ସଫା ହୋଇଯିବ ବୋଲି ସେଠାକାର ସରକାରୀ ଓ ପ୍ରଶାସନିକ ଅଧିକାରୀ ଆକଳନ କରିଛନ୍ତି। ‘ନିପନ୍’ ଫାଉଣ୍ଡେସନ୍ ଚଳିତ ବିଶ୍ବକପ୍ ସ୍ପୋଗୋମି କ୍ରୀଡ଼ାର ପ୍ରାୟୋଜକ ରହିଛି।
ସ୍ପୋଗୋମିର ନିୟମାବଳୀ
ଅନ୍ୟ ଖେଳ ଭଳି ସ୍ପୋଗୋମିର ମଧ୍ୟ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହାର ସ୍ବତନ୍ତ୍ର ରୁଲ୍ ବୁକ୍ ସଂକଳିତ ହୋଇଛି। ସ୍ପୋଗୋମି ପ୍ରତିଯୋଗିତାରେ ତିନିଜଣଙ୍କୁ ନେଇ ଗୋଟିଏ ଦଳ ପ୍ରସ୍ତୁତ ହୋଇଥାଏ। ଗୋଟିଏ ଦେଶ ଗୋଟିଏ ଦଳ ପଠାଇ ପାରିବ। ଯେଉଁ ତିନି ଜଣ ଯୋଗ୍ୟତା ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବେ ସେମାନେ ହିଁ ବିଶ୍ବକପ୍ରେ ଭାଗ ନେେବ। ଏଥିପାଇଁ ଦେଶସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ପରିବେଶ ଓ ସାମାଜିକ କର୍ମୀ ତଥା ଏହି କାର୍ଯ୍ୟ ଓ କ୍ରୀଡ଼ା ପ୍ରତି ରୁଚି ରଖିଥିବା ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ସରକାରୀସ୍ତରରେ ଆୟୋଜିତ ପ୍ରତିଯୋଗିତାରୁ ତିନିଜଣ ବ୍ୟକ୍ତିଙ୍କୁ ଏହି ବିଶ୍ବକପ୍ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ କରାଯାଇଥାଏ। ତିନିଜଣଙ୍କ ଭିତରେ ଜଣେ ଶାରୀରିକ ଭାବେ ସୁସ୍ଥସବଳ କ୍ରୀଡ଼ାବିତ୍ ହୋଇଥିବା ଜରୁରି। କାରଣ ଆବର୍ଜନା ସଂଗ୍ରହ ପରେ ଓଜନିଆ ହୋଇଥିବା ମୁଣି ବା ଝୁଲାକୁ ଜଣଙ୍କୁ ବୁହାଇ ନିର୍ଦ୍ଦିଷ୍ଟ ଦୂରତାରେ ଥିବା ସ୍ଥାନରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପହଞ୍ଚିବାକୁ ପଡ଼ିଥାଏ। ଯେଉଁ ଦଳ ଯେତେ ଅଧିକ ଓଜନର ଆବର୍ଜନା ମୁଣିକୁ ଯେତେ କମ୍ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତାକୁ ଅତିକ୍ରମ କରିବ, ସେ ଦଳକୁ ସେତେ ଅଧିକ ପଏଣ୍ଟ୍ ମିଳିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ ବିଭିନ୍ନ ଆବର୍ଜନା ସଂଗ୍ରହ କରିବାକୁ ପଡ଼ିଥାଏ। ଅବଶ୍ୟ କେଉଁ ପ୍ରକାରର ଆବର୍ଜନା ଉଠାଇବାକୁ ପଡ଼ିବ ତାହା ବିଶ୍ବକପ୍ ଆୟୋଜକ ପଦାଧିକାରୀମାନେ ସ୍ଥିର କରିଥାନ୍ତି। ଏଥିପାଇଁ ସେମାନେ ନିର୍ଦ୍ଦିଷ୍ଟ ମାନଦଣ୍ଡ ମଧ୍ୟ ରଖିଥାନ୍ତି। ଅାବର୍ଜନା ସଂଗ୍ରହ ସମୟରେ ପ୍ରତିଯୋଗୀ ଦଳ ଦୌଡ଼ି ପାରିବେନାହିଁ। କେବଳ ଚାଲି ଚାଲି ଏକ ଚିହ୍ନିତ ଅଞ୍ଚଳ ମଧ୍ୟରେ ଆବର୍ଜନା ସଂଗ୍ରହ କରିବେ। ଆବର୍ଜନା ସଂଗ୍ରହର ଶେଷ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ସଂଗ୍ରହ କରିଥିବା ଆବର୍ଜନା ମୁଣିରୁ ଭିନ୍ନ ଭିନ୍ନ ଆବର୍ଜନାକୁ ଅଲଗା କରି ନିର୍ଦ୍ଦିଷ୍ଟ ଆବର୍ଜନା କୁଣ୍ଡ ମଧ୍ୟରେ ପକାଇବେ। ଆବର୍ଜନାକୁ ୨୦ ମିନିଟ୍ ମଧ୍ୟରେ ଅଲଗା ଅଲଗା କରିବାକୁ ପଡ଼ିଥାଏ। ଏ ସମସ୍ତ କାର୍ଯ୍ୟ ପାଇଁ ପଏଣ୍ଟ୍ ଧାର୍ଯ୍ୟ କରାଯାଇଛି। ସର୍ବାଧିକ ପଏଣ୍ଟ୍ ପାଇଥିବା ଦଳ ଶ୍ରେଷ୍ଠ ବିବେଚିତ ହୋଇ ବିଶ୍ବକପ୍ ବିଜୟୀ ହୋଇଥାଏ। କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଆବର୍ଜନା ସଫା କରାଯିବ ସେ ସ୍ଥାନ ପ୍ରଥମରୁ ଗୋପନୀୟ ରହିଥାଏ।
ଖେଳର ନିୟମକୁ ଉଲ୍ଲଂଘନ କଲେ ହଳଦିଆ ଓ ଲାଲ୍ ରଙ୍ଗର କାର୍ଡ ପ୍ରତିଯୋଗୀ ଦଳମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ଏଥିପାଇଁ ପେନାଲ୍ଟି ପଏଣ୍ଟ୍ ବି ରହିଛି। ପ୍ରତ୍ୟେକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପଏଣ୍ଟ୍ ରହିଛି। େଯପରିକି ପ୍ଲାଷ୍ଟିକ୍ ବୋତଲ ସମେତ ୧୦୦ ଗ୍ରାମ୍ର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୨୫ ପଏଣ୍ଟ୍ ସ୍କୋର୍ ହୋଇଥାଏ। ଠିକ୍ ସେହିପରି ଯଦି ଶେଷ ପର୍ଯ୍ୟାୟରେ ଆବର୍ଜନାକୁ ଅଲଗା କରିବା ସମୟରେ ନିର୍ଦ୍ଦିଷ୍ଟ କୁଣ୍ଡ ବଦଳରେ ଅନ୍ୟ କୁଣ୍ଡରେ ପକାଇଲେ ପେନାଲ୍ଟି ପଏଣ୍ଟ୍ ପକାଯାଏ।
େସ୍ପାଗୋମି ବିଶ୍ବକପ୍ରେ ଭାରତୀୟ ଦଳ
୨୦୨୩ ସ୍ପୋେଗାମି ବିଶ୍ବକପ୍ରେ ଭାରତୀୟ ଦଳ ଷଷ୍ଠ ସ୍ଥାନରେ ରହିଥିଲା। କିନ୍ତୁ ଆନୁଷ୍ଠାନିକ ସରକାରୀ ସ୍ତରରେ ଏହି ଦଳ ୨୦୨୩ ସ୍ପୋେଗାମି ବିଶ୍ବକପ୍ରେ ସାମିଲ ହୋଇ ନଥିଲା। କେବଳ ନିଜସ୍ବ ଉଦ୍ୟମରେ ମଣିଭନ୍ନନ୍ ନିଜର ଅନ୍ୟ ଦୁଇ ସାଥୀଙ୍କୁ ନେଇ ସାମିଲ ହୋଇଥିଲେ। ଚଳିତବର୍ଷ ମଣିଭନ୍ନନ୍ଙ୍କ ସମେତ ପାୱାର ଲିଫ୍ଟର୍ ଶାରୁନ୍ ଓ ଅଭିଷେକ କେ.ଭିଙ୍କ ଚେନ୍ନେଇ ସୁପର୍ କ୍ଲିନ୍ ଦଳ ବିଶ୍ବକପ୍ ପ୍ରତିଯୋଗିତାରେ ସାମିଲ ହେବେ। ଚେନ୍ନାଇରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ଚେନ୍ନାଇ ସୁପର୍ କ୍ଲିନ୍ ପ୍ରଥମ ସ୍ଥାନ ଅଧିକାର କରି ଜାପାନ୍ ଟିକେଟ୍ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ୨୫୧ କିଲୋ ବର୍ଜ୍ୟପଦାର୍ଥ ସଂଗୃହୀତ ହୋଇଥିଲା। ଚଳିତ ସ୍ପୋଗୋମି ବିଶ୍ବକପ୍ରେ ଭାରତୀୟ ଦଳ ବିଜେତା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମଣିଭନ୍ନନ ଆଶାବାଦୀ ଅଛନ୍ତି। ଭାରତୀୟ ସ୍ପୋଗୋମି ଦଳ ଚଳିତ ବିଶ୍ବକପ୍ରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ୨୦୨୩ ପରଠାରୁ ସେମାନେ କଠିନ ଅଭ୍ୟାସ କରିବା ସହିତ ତାଲିମ ନେଇଛନ୍ତି ବୋଲି ପରିବେଶବିତ୍ ଅଭିଷେକ କେ.ଭି. କହିଛନ୍ତି। ସ୍ପୋଗୋମି ଖେଳିବା ପାୱାର୍ ଲିଫ୍ଟର୍ ଶାରୁନ୍ଙ୍କ ଜୀବନର ଏକ ଉଲ୍ଲେଖନୀୟ ଅନୁଭୂତି। ସ୍ପୋଗୋମି ଖେଳିବା ଓ ପାୱାର୍ ଲିଫ୍ଟିଙ୍ଗ୍ କରିବା ଦୁଇଟି ଭିନ୍ନ ଭିନ୍ନ ଅଭିଜ୍ଞତା ବୋଲି ସେ କହନ୍ତି। ସ୍ପୋଗୋମି ବିଶ୍ବକପ୍ ପାରିବେଶିକ ଓ ସାମାଜିକ ସଚେତନତା ସୃଷ୍ଟି କରିବା ସହିତ ବ୍ୟକ୍ତିର ପ୍ରତିବଦ୍ଧତାକୁ ବିକଶିତ କରିଥାଏ। ଏହି ବାର୍ତ୍ତା ଓ ଲକ୍ଷ୍ୟ ନେଇ ୨୦୨୫ ସ୍ପୋଗୋମି ବିଶ୍ବକପ୍ ଆୟୋଜନ କରାଯାଉଛି।
ଭାରତର ପ୍ରତିନିଧିତ୍ବ କରିବ ଚେନ୍ନାଇ ସୁପର୍ କ୍ଲିନ୍
ମଣିଭନ୍ନନ୍, ଶାରୁନ୍ ଓ ଅଭିଷେକଙ୍କୁ ନେଇ ଗଠିତ ଚେନ୍ନାଇ ସୁପର୍ କ୍ଲିନ୍ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଛି। ଏହି ଦଳର ଅଧିନାୟକ ମଣିଭନ୍ନନ୍ କହନ୍ତି, ‘‘କେରଳର କୋଭାଲମ୍ ବେଳାଭୂମିରେ ମୁଁ ଦୁଇ ବର୍ଷ ବୟସରୁ ସର୍ଫିଙ୍ଗ୍ କରିଆସୁଛି। ମୁଁ ଯେତେବେଳେ ଧୀରେ ଧୀରେ ବଡ଼ହେଲି ସେତେବେଳେ ଦେଖିବାକୁ ପାଇଲି ଯେ କୋଭାଲମ୍ ସମେତ ଅନ୍ୟ ସାମୁଦ୍ରିକ ବେଳାଭୂମି ବର୍ଷ ବର୍ଷ ଧରି ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନାରେ ଭର୍ତ୍ତି ହୋଇ ଯାଉଛି। ଧୀରେ ଧୀରେ ଏହି ଆବର୍ଜନା ବେଳାଭୂମି ଅତିକ୍ରମକରି ସମୁଦ୍ରରେ ପ୍ରବେଶ କରୁଛି। ଏହାର ସଫେଇ ମଧ୍ୟ ଠିକ୍ ଭାବେ କରାଯାଉନାହିଁ। ମୁଁ ସର୍ଫିଙ୍ଗ୍ ଅଭ୍ୟାସ ପୂର୍ବରୁ ପ୍ରତ୍ୟେକ ଦିନ ବେଳାଭୂମିରେ ଅଧ କିଲୋମିଟର ଆବର୍ଜନା ସଫେଇ କରିବା କାର୍ଯ୍ୟ ଆରମ୍ଭ କରିଥିଲି। ଏକଦା ଏଭଳି କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ମୁଁ ଶାରୁନ୍ ଏ. ନାମକ ଜଣେ ପରିବେଶବିତ୍ଙ୍କୁ ଭେଟିଥିଲି। ସେ ମୋତେ ସ୍ପୋଗୋମି ବିଷୟରେ ସୂଚନା ଦେଇଥିଲେ। ଶାରୁନ୍ ଏ. ଜଣେ ତାଲିମପ୍ରାପ୍ତ ବେଳାଭୂମି ଲାଇଫ୍ ଗାର୍ଡ ଓ ମତ୍ସ୍ୟଜୀବୀ। ସାମୁଦ୍ରିକ ପରିବେଶ ସୁରକ୍ଷା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ଓ ଜ୍ଞାନ ରହିଛି। ପ୍ରାଥମିକ ଭାବେ ଶାରୁନ୍ ମୋତେ ସ୍ପୋଗୋମି ବିଷୟରେ ଅବଗତ କରାଇବା ସହିତ ସେ ଖେଳ ତାଲିମ ଦେଇଥିଲେ।
ଭାରତୀୟ ସ୍ପୋଗୋମି ଦଳର ଅନ୍ୟତମ ସଦସ୍ୟ ଅଭିଷେକ କେ.ଭି. କହନ୍ତି, ‘‘ସ୍ପୋଗୋମି ମୋ ଜୀବନକୁ ଅନେକ ଶୃଙ୍ଖଳିତ ଓ ପରିମାର୍ଜିତ କରିଛି। ଆଜିର ଦିନରେ ଆମ ସମସ୍ତଙ୍କ ପାଇଁ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା କେତେ ଗୁରୁତ୍ବ ବହନକରେ ତା’ର ବାର୍ତ୍ତା ସ୍ପୋଗୋମି ବାଣ୍ଟିଥାଏ। ଆବର୍ଜନା ଉଠାଇବା ଆମ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ଏହାକୁ ହେୟଜ୍ଞାନ କରିବା କିମ୍ବା ଘୃଣ୍ୟ ଓ ଅସ୍ପୃଶ୍ୟ କାର୍ଯ୍ୟ ଭାବିବା ଠିକ୍ ନୁହେଁ। ସ୍ପୋଗୋମି କ୍ରୀଡ଼ା ବିଶ୍ବ ପରିମଳ ବ୍ୟବସ୍ଥାର ସୁଧାର ଆଣିବାରେ ଆଗାମୀ ଦିନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ବରେ ଯେଉଁଭଳି ଭାବରେ ବିଭିନ୍ନ ମହାମାରୀ ଭଳି ରୋଗ ବ୍ୟାପିଯାଉଛି ସେଥିରୁ ମୁକ୍ତି ପାଇବାକୁ ସ୍ପୋଗୋମି ଆମ ସମସ୍ତଙ୍କୁ ସଚେତନ କରି ଆବର୍ଜନା ସଫେଇ କାର୍ଯ୍ୟରେ ସାମିଲ ହେବାକୁ ଅନୁପ୍ରାଣିତ କରିବ। ଭାରତର ପ୍ରତ୍ୟେକ ରାଜ୍ୟର ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହେବାର ସମୟ ଆସିଯାଇଛି।’’
ଭାରତୀୟ ସ୍ପୋଗୋମି ଦଳର ଅନ୍ୟତମ ସଦସ୍ୟ ଶାରୁନ୍ ଏ. କହନ୍ତି, ‘‘ଏହି ଖେଳ ଆମକୁ ସାମାଜିକ ସ୍ବଚ୍ଛତା ଓ ପ୍ରଦୂଷଣ ମୁକ୍ତ ପରିମଳ ବ୍ୟବସ୍ଥାର ଗୁରୁତ୍ବ ବିଷୟରେ ସଚେତନ କରିଥାଏ। ଶାରୀରିକ ସୁସ୍ଥତା ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଗୁରୁତ୍ବପୂର୍ଣ୍ଣ। ଆବଶ୍ୟକ ଶାରୀରିକ ସୁସ୍ଥତା ନ ଥିଲେ ସ୍ପୋଗୋମି ଭଳି କ୍ରୀଡ଼ାରେ ଭାଗନେବା ସହଜସାଧ୍ୟ ନୁହେଁ। ଯଦି ମୁଁ ଓଜନ ଉଠାଇ ଚାଲି ନ ପାରିବି ତେବେ ସ୍ପୋଗୋମି ବିଜୟୀ ହେବି କିପରି? ଆମ ଦେଶରେ ମାଟି, ପାଣି, ପବନ ସବୁକିଛି ପ୍ରଦୂଷଣ ବିଷରେ କବଳିତ। ଆବର୍ଜନା ଏହାର ମୁଖ୍ୟ କାରଣ। ଏହାର ନିରାକରଣ କରାଯାଇ ନ ପାରିଲେ ପରିବେଶ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିପଡ଼ିବ। ଏହାର ନିରାକରଣ ପାଇଁ ଆଜି ସ୍ପୋଗୋମି ଆମ ନିକଟରେ ଛିଡ଼ା ହୋଇଛି। ୨୦୨୫ ସ୍ପୋଗୋମି ବିଶ୍ବକପ୍ ପରେ ପ୍ରତ୍ୟେକ ବିଦ୍ୟାଳୟରେ ଆମକୁ ଏହି ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ ଯେ ସୁସ୍ଥ ଓ ସ୍ବଚ୍ଛ ପରିମଳ ବ୍ୟବସ୍ଥା ମଣିଷକୁ ଦୀର୍ଘାୟୁ କରିଥାଏ। ଏଥିପାଇଁ ସେମାନେ ସ୍ପୋଗୋମି ଖେଳିବା ଦରକାର।’’
ଭାରତୀୟ ସ୍ପୋଗୋମି ଦଳ ବର୍ତ୍ତମାନ ଆବର୍ଜନା ଝୁଲା ବୋହିବା ସହିତ ବିଭିନ୍ନ ଭୂମିରୂପ ଅର୍ଥାତ୍ ପଥୁରିଆ ମାଟି, ସମୁଦ୍ର ବେଳାଭୂମିର ବାଲି, କାଦୁଆ ଓ ପଙ୍କୁଆ ଜମି ସମେତ କଠିନ ସମତଳ ଅଞ୍ଚଳରେ ପାଦରେ ଚାଲିବା ଅଭ୍ୟାସ ଜାରି ରଖିଛନ୍ତି। ଏସବୁ ସହିତ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୃଦ୍ଧି ଉପରେ ଧ୍ୟାନ ରଖିଛନ୍ତି। ଅଧିକ ତାପମାତ୍ରାରେ ମଧ୍ୟ କିପରି ଆବର୍ଜନା ସଫେଇ ଅଭିଯାନ କରାଯିବ ତା’ର ଅଭ୍ୟାସ ମଧ୍ୟ କରାଯାଇଛି। ଦୁଇ ଖେଳାଳିଙ୍କ ମଧ୍ୟରେ ଆବଶ୍ୟକ ଦୂରତା ବଳବତ୍ତର ରଖି କିପରି ଆବର୍ଜନା ଉଠାଇ ତାହାକୁ ସଂଗ୍ରହ ଝୁଲାରେ ପକାଇ ଚାଲିବାକୁ ପଡ଼ିବ ତା’ର କଠିନ ଅଭ୍ୟାସ ମଧ୍ୟ କରାଯାଉଛି ବୋଲି ଭାରତୀୟ ସ୍ପୋଗୋମି ଦଳ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁସ୍ଥିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲଜିର ଛାତ୍ରୀ ଅଧୀଜା ରାୟ ଯୋଗ୍ୟତା ପର୍ଯ୍ୟାୟରେ ନିଜ ମହିଳା ଦଳକୁ ନେଇ ସାମିଲ ହୋଇଥିଲେ। କିନ୍ତୁ ଶେଷ ପର୍ଯ୍ୟାୟରେ ସେ ସଫଳ ହୋଇପାରି ନ ଥିଲେ। ଆଗାମୀ ଦିନରେ ତାଙ୍କର ଏହି ଉଦ୍ୟମ ଛାତ୍ରୀ, ଯୁବତୀ ଓ ମହିଳାମାନଙ୍କୁ ସ୍ପୋଗୋମିରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିବ।