ଯଶୋଦା ଯେବେ ଦେବକୀ ହୁଏ

ବିଶ୍ବର ସର୍ବାଧିକ ଉଚ୍ଚାରିତ ଶବ୍ଦ ହେଉଛି ମା’। ଦୁନିଆର ସବୁ ଶବ୍ଦ ଯେଉଁ ଶବ୍ଦଟି ପାଖରେ ଫିକା ସେଇଟି ହେଲା- ମା’। ସେ ହିଁ ପ୍ରଥମ ପ୍ରେମ, ଈଶ୍ବରଙ୍କର ସବୁଠାରୁ ମୂଲ୍ୟବାନ ଉପହାର। ସେ ବିଶ୍ବର ସର୍ବ‌େଶ୍ରଷ୍ଠ ଯୋଦ୍ଧା। ନିଜ ସନ୍ତାନ ପାଇଁ ସେ ଯେକୌଣସି ବିପଦକୁ ସାମ୍ନା କରିପାରେ। ସଂସାର, ସଂସ୍କାର ଓ ସଂସ୍କୃତିକୁ ସାଥିରେ ନେଇ ସେ ଆଗକୁ ଚାଲେ। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ କରେ, ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡ଼ି ନ ଥାଏ। କେବଳ ଜନ୍ମ ଦେଇଥିବା ସନ୍ତାନ ପାଇଁ ନୁହେଁ, ଅନ୍ୟର ସନ୍ତାନକୁ ନିଜର କରିନେବା ପରେ ତା’ର ମା’ ଡାକରେ ନିଜର ସବୁ ମମତାକୁ ତା’ ପାଖରେ ସଅଁପି ଦିଏ। ଯଶୋଦା ଭିତରେ ବି ଥାଏ ଦେବକୀର ହୃଦୟ- ଏହା ମିଥ୍‌ ନୁହେଁ, ଏହା ଏବେ ବି ସତ୍ୟ ପ୍ରମାଣିତ ହୁଏ। ଏମିତି କିଛି ମା’ଙ୍କ ମମତାର କଥା ପିଲାଙ୍କ ମୁହଁରୁ…

ବିଶ୍ବର ସର୍ବାଧିକ ଉଚ୍ଚାରିତ ଶବ୍ଦ ହେଉଛି ମା’। ଦୁନିଆର ସବୁ ଶବ୍ଦ ଯେଉଁ ଶବ୍ଦଟି ପାଖରେ ଫିକା ସେଇଟି ହେଲା- ମା’। ସେ ହିଁ ପ୍ରଥମ ପ୍ରେମ, ଈଶ୍ବରଙ୍କର ସବୁଠାରୁ ମୂଲ୍ୟବାନ ଉପହାର। ସେ ବିଶ୍ବର ସର୍ବ‌େଶ୍ରଷ୍ଠ ଯୋଦ୍ଧା। ନିଜ ସନ୍ତାନ ପାଇଁ ସେ ଯେକୌଣସି ବିପଦକୁ ସାମ୍ନା କରିପାରେ। ସଂସାର, ସଂସ୍କାର ଓ ସଂସ୍କୃତିକୁ ସାଥିରେ ନେଇ ସେ ଆଗକୁ ଚାଲେ। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ କରେ, ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡ଼ି ନ ଥାଏ। କେବଳ ଜନ୍ମ ଦେଇଥିବା ସନ୍ତାନ ପାଇଁ ନୁହେଁ, ଅନ୍ୟର ସନ୍ତାନକୁ ନିଜର କରିନେବା ପରେ ତା’ର ମା’ ଡାକରେ ନିଜର ସବୁ ମମତାକୁ ତା’ ପାଖରେ ସଅଁପି ଦିଏ। ଯଶୋଦା ଭିତରେ ବି ଥାଏ ଦେବକୀର ହୃଦୟ- ଏହା ମିଥ୍‌ ନୁହେଁ, ଏହା ଏବେ ବି ସତ୍ୟ ପ୍ରମାଣିତ ହୁଏ। ଏମିତି କିଛି ମା’ଙ୍କ ମମତାର କଥା ପିଲାଙ୍କ ମୁହଁରୁ…

ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ। ମାତୃଦିବସକୁ ଲୋକପ୍ରିୟ କରିବା ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ। ଆନ୍ନାଙ୍କ ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଓ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହୋଇଥାଏ। ତେବେ ଭାରତୀୟ ଜୀବନ ଶୈଳୀରେ ମା’ ଓ ସନ୍ତାନର ସମ୍ପର୍କ ଖୁବ୍‌ ନିବିଡ଼। ଏଥିରେ ବାଧ୍ୟବାଧକତା ନୁହେଁ, ଆବେଗର ନିବିଡ଼ ବନ୍ଧନ ସେମାନଙ୍କୁ ଆଜନ୍ମ ବାନ୍ଧି ରଖିଥାଏ।
ମା’ ପାଖରେ ଚିର ଋଣୀ
‘‘ତିନି ବର୍ଷର ହୋଇଥିଲା ବେଳେ ମୋ ମା’ ମତେ ଛାଡ଼ି ଚାଲିଗଲେ। ବାପା ରମେଶ ଚନ୍ଦ୍ର ବିଶ୍ବାଳ ଆମର ଭବିଷ୍ୟତକୁ ଦେଖି ମା’ର ସ୍ନେହରୁ କିପରି ନିଜର ପିଲା ବଞ୍ଚିତ ନ ହେଉ ସେଥିପାଇଁ ସେ ଦୀପ୍ତିମୟୀ ବିଶ୍ବାଳଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଛ’ ବର୍ଷର ଯେତେବେଳେ ହୋଇଥିଲି ମୋର ଆଉ ଜଣେ ମା’ ଆସିଲେ। ମଁୁ ଠାକୁରଙ୍କୁ ଧନ୍ୟବାଦ ଦିଏ କି ସେ ମତେ ଦୁଇଟି ମା’ ଦେଇଛନ୍ତି। ମୋର ଏ ମା’ ‌େମାତେ କେବେ ନିଜ ଜନ୍ମକଲା ମାଆ କୋଳକୁ ମନେ ପକାଇବାକୁ ଦେଇ ନାହାନ୍ତି। ଆଜି ମଁୁ ଯାହା କିଛି ହେଇଛି ସେସବୁ ମୋ ମା’ଙ୍କ ପା‌ଇଁ ହିଁ ହେଇଛି’’ ବୋଲି କହନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ରଶ୍ମିରଞ୍ଜନ ବିଶ୍ବାଳ।
ରଶ୍ମିରଞ୍ଜନ କହନ୍ତି, ‘‘ଦୁଇ ଭଉଣୀରେ ଗୋଟିଏ ଭାଇ ମଁୁ। ଆମର ସୁଖ ପାଇଁ ମା’ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି। ପ୍ରଥମ ମା’ଙ୍କ ଆମେ ତିନି ସନ୍ତାନ ଥିବାରୁ ଦ୍ବିତୀୟ ମା’ ଆଉ ନିଜର ସନ୍ତାନ କରିଲେ ନାହିଁ। ଏହି ତ୍ୟାଗଠାରୁ ଆଉ ବଡ଼ ତ୍ୟାଗ ବା କ’ଣ ହେଇପାରେ! ନିଜ ଛୁଆଠୁ ଅଧିକରେ ରଖିଲେ। କୌଣସି ଦିନ ସେ ଆମକୁ ଭୁଲ ବାଟକୁ ଯିବାକୁ ଦେଇ ନାହାନ୍ତି। ତାଙ୍କର ପ୍ରେରଣା, ଶିକ୍ଷା ଓ ତ୍ୟାଗ ମୋତେ ଗଢ଼ି ତୋଳିଛି। ଯଦି ଜ୍ବର ହେଇଯାଏ, ରାତିରାତି ଜଗି ବସନ୍ତି। ଅସୁସ୍ଥତା ବେଳେ ଆଞ୍ଜୁଳାରେ ବାନ୍ତି ଉଠେଇ ଦେବାକୁ ପଛାନ୍ତିନି। ଥରେ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ମୋର ଚିକିତ୍ସା ଚାଲିଥିଲା। ହଠାତ୍‌ ଡାକ୍ତର କହିଲେ, ସିଏ ଏବେ କୋମାକୁ ଚାଲିଗଲା ତାଙ୍କୁ ତୁରନ୍ତ ଭୁବନେଶ୍ବର ସ୍ଥାନାନ୍ତର କରନ୍ତୁ। ଏଇକଥା ଶୁଣିଲା ପରେ ମା’ଙ୍କର ଚେତା ବୁଡ଼ିଗଲା। ପାଖରେ ଥିବା ଜଗନ୍ନାଥ ମନ୍ଦିରରେ ଦିନରାତି ମୁଣ୍ଡ ବାଡ଼େଇ କାନ୍ଦିଲେ। ମୁଣ୍ଡରେ ଶକ୍ତ ଆଘାତ ମଧ୍ୟ ଲାଗିଥିଲା। ‌ଯେତେବେଳେ ମଁୁ ଭଲ ହେଲି ମା’ଙ୍କ ସେହି ଖୁସିର ଲୁହ ଆଜି ବି ମନେପଡ଼ିଯାଏ। ଆଖିରୁ ଏବେ ବି ଲୁହ ଜକେଇ ଆସେ। ସତରେ ମଁୁ ଦେବୀ ପରି ମା’ଟିଏ ପାଇଛି। ତା’ଙ୍କ ପାଖରେ ମଁୁ ଚିର ଋଣୀ।’’
ଏମିତି ମା’ ସମସ୍ତଙ୍କୁ ମିଳୁ
‘‘ମନୁଷ୍ୟ ଜୀବନର ସବୁଠୁ ବଡ଼ ଋଣ ହେଉଛି ମାତୃଋଣ, ଯାହାକୁ ଜୀବନ କାଳରେ କେହି ଶୁଝିପାରନ୍ତି ନାହିଁ’’ ଏକଥା କହନ୍ତି ଭୁବନେଶ୍ବରସ୍ଥିତ ପଟିଆ ଜେଡ୍‌ ୱାନ୍‌ରେ ରହୁଥିବା ଗୀତାରାଣୀ ଦାସ। ସେ କହନ୍ତି, ‘‘‌େଛାଟ ଥିଲାବେଳେ ମୋ ନିଜ ମା’ ଆମକୁ ଛାଡ଼ି ଚାଲିଗଲେ। ଆମେ ତିନି ଭଉଣୀ। ଆମର ଗୋଟେ ଭାଇ। ବାପା ନଗେନ୍ଦ୍ର ନାଥ ଦାସ ବାସନ୍ତୀ ଦାସଙ୍କୁ ଦ୍ବିତୀୟ ବିବାହ କରି ମା’ଟିଏ ଆମ ପାଇଁ ନେଇ ଆସିଲେ। ତାକୁ ମଁୁ ବୋଉ ବୋଲି ଡାକେ। ତାକୁ ଗ୍ରହଣ କରିବାକୁ ଅଧିକ ସମୟ ଲାଗିନି। କାରଣ ତା’ର ମିଠା ହସ ଆଉ କଥା ଆମକୁ ଖୁବ୍‌ ଆକ‌ର୍ଷିତ କରିଥିଲା। ଆମମାନଙ୍କୁ ମଣିଷ କରିବା ପାଇଁ ସେ ନିଜକୁ ସମର୍ପି ଦେଇଛି। ଆମ ପାଠପଢ଼ା, ବାହାଘର, ନାତିନାତୁଣୀଙ୍କ ଦାୟିତ୍ବ ପରି କୌଣସି କାର୍ଯ୍ୟରେ ସେ ହେଳା କରିନି। ମନେଅଛି; ଯେତେବେଳେ ମଁୁ ରାଉରକେଲାରେ ରହୁଥିଲି, ବେଳେବେଳେ ଘରକୁ ଆସେ। ତା’ର ମନେ ଥାଏ ଧୁନୀ କ’ଣ ଖାଇବ ବୋଲି। ରାତିରୁ ଉଠି ପିଠାପଣା ତରକାରି କରି ରଖିଥାଏ। ଖାଇଦେ ଖାଇଦେ କହି ପଛରେ ଗୋଡ଼ାଉଥାଏ। ମୋ ବୋଉ ଆମ ଭାଇଭଉଣୀଙ୍କ ବହୁତ ଗେହ୍ଲା। ଟିକେ ଖୁସି ହୋଇଗଲେ ଆଖିରୁ ଲୁହ ଝରି ପଡ଼ିବ। କିଛି ବର୍ଷ ପରେ ଆମ ଭାଇ ଆମକୁ ଛାଡ଼ି ଚାଲିଗଲା। ଭାଉଜକୁ ବି କେବେ କାମ କରିବାରେ କଷ୍ଟ ପଡ଼ିନି। ସେ ତ ସବୁ କରିଦିଏ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣୁ କି ସାବତ ମା’ ସବୁବେଳେ କୁଆଡ଼େ ହଇରାଣ କରେ। କିନ୍ତୁ ମଁୁ ତ କହିବି ମୋ ବୋଉ ପରି ବୋଉଟିଏ ସମସ୍ତଙ୍କୁ ମିଳୁ।’’

ସମ୍ବନ୍ଧିତ ଖବର