ଯେଉଁଠି ମଲା ପରେ ପଶୁପକ୍ଷୀ ରୂପରେ ଫେରନ୍ତି ଆପଣାର ଲୋକ

ଆପଣାର ଲୋକଙ୍କୁ ହରାଇବା ପରେ ଲୋକେ ନାନା ମତେ ନିଜକୁ ସାନ୍ତ୍ୱନା ଦିଅନ୍ତି। କୌଣସି ସ୍ୱତନ୍ତ୍ର ଗୀତ, ସାଇତି ରଖିଥିବା ଫଟୋ ବା ନିର୍ଦ୍ଦିଷ୍ଟ ବାସ୍ନା ମନର କ୍ଷତକୁ ଉପସମ କରେ।

କିନ୍ତୁ, ଆଉ କେତେକଙ୍କର ବିଶ୍ୱାସ ସେମାନଙ୍କର ଦିବଂଗତ ପରିଜନ ପଶୁପକ୍ଷୀ ରୂପ ଧାରଣ କରି ବାହୁଡ଼ି ଆସନ୍ତି। ସେମିତିକା ୩ଟି ଘଟଣା ପଢ଼ନ୍ତୁ।

ବଗ ହୋଇ ଫେରିଲେ ଜେଜିମା

୩୮ ବର୍ଷୀୟ କ୍ରିସ୍‌ ଫସ୍‌କେଟ୍‌ ତାଙ୍କ ଦିବଂଗତ ଜେମିମା ବାର୍ବରାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଲେଖିବାକୁ ଚାହୁଁଥିଲେ, କିନ୍ତୁ ନିଜ ଭାବନାକୁ ପ୍ରକାଶ କରିବାକୁ ଉପଯୁକ୍ତ ଶବ୍ଦ ପାଉ ନ ଥିବାରୁ ସେ ଖୁବ୍‌ ବ୍ୟଥିତ ଥିଲେ। ୟା ଭିତରେ ସେ ବୁଲିଗଲେ ସ୍କଟ୍‌ଲାଣ୍ଡ୍‌। ସେଠି ବି ଭାବିଲେ କ’ଣ କେମିତି ଲେଖିବେ। ସେଠାରେ ଠାଏ ଗୋଟାଏ ଜଳାଶୟକୁ ଚାହିଁ ଥିବାବେଳେ କାହୁଁ ଉଡ଼ି ଆସିଲା ସୁନ୍ଦର ବଗଟିଏ। ଆଉ ଠିକ୍‌ ଏତିକିବେଳେ କ୍ରିସ୍‌ଙ୍କର ଜେଜିମାଙ୍କ ସ୍ମୃତି ନିବିଡ଼ ହୋଇଉଠିଲା ଏବଂ ମନକୁ ଆପଣାଛାଏଁ ଶବ୍ଦର ଧାରା ଛୁଟିଲା। ଶେଷକୁ ଏମିତି ହେଲା ଯେ ସେ ଲେଖା ବନ୍ଦ କରି ପାରିଲେ ନାହିଁ।

ସେ କହନ୍ତି ଯେତେବେଳେ ତାଙ୍କ ମନ ଖରାପ ହୁଏ, ବଗଟିଏ ଉଡ଼ି ଆସେ। ତାଙ୍କୁ ଭାରି ଭଲ ଲାଗେ।

ରବିନ୍‌ ରୂପରେ ଫେରିଲେ ସ୍ୱାମୀ

କର୍କଟ ରୋଗ ଯୋଗୁଁ ୨୦୧୫ରେ ଜିଲ୍‌ ଓ’ନିଲ୍‌ଙ୍କ ସ୍ୱାମୀ ଫିଲ୍‌ ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ତାଙ୍କ ଜୀବନରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡ଼ିଗଲା ଯାହାକୁ ପୂରଣ କରିବା ଥିଲା ତାଙ୍କ ସାଧ୍ୟାତୀତ।

ଦିନ ପରେ ଦିନ ଦୁଃଖରେ ମ୍ରିୟମାଣ ହୋଇ ପଡୁଥିବା ଜିଲ୍‌ ଦିନେ ରବିନ୍‌ ଚଢ଼େଇଟିଏ ଦେଖି ଆଶ୍ୱସ୍ତି ପାଇଲେ। ତାଙ୍କର ମନେପଡ଼ିଲା, କୁହାଯାଏ ସୁଖପାଉଥିବା କେହି ଲୋକ ଆଖପାଖରେ ଥିଲେ ରବିନ୍‌ ଆସି ହାଜର ହୁଏ। ଫିଲ୍‌ଙ୍କ କ୍ଷେତ୍ରରେ ବି ସେଇଆ ହୋଇଛି ବୋଲି ତାଙ୍କର ଧାରଣା ହେଲା।

ଏଥର ଯେତେବେଳେ ଜିଲ୍‌ ସ୍ୱାମୀଙ୍କ କଥା ମନେପକାନ୍ତି ବା ତାଙ୍କର ଉପଦେଶ ଚାହାଁନ୍ତି, ପ୍ରାୟ ସବୁବେଳେ ରବିନ୍‌ଟିଏ ଆସି ପହଞ୍ଚିଯାଏ। ଯଦି ଫିଲ୍‌ ବଞ୍ଚି ଥାଆନ୍ତେ ସେ ଏହାକୁ କାକତାଳୀୟ ନ୍ୟାୟ କହି ଅବିଶ୍ୱାସ କରିଥାଆନ୍ତେ। ଜିଲ୍‌ କହନ୍ତି: ସବୁବେଳେ କାଉଟିଏ ଉଡ଼ିଗଲେ କ’ଣ ତାଳଟିଏ ଖସି ପଡ଼େ!

ମୃଗ ରୂପ ଧରି ମାଆ ଆସିଲେ

ତାଙ୍କ ଘର ପଛପଟେ ଦୁଇଟି ୧୦୦ ଏକର୍‌ବାଲା ଇଲେକ୍‌ଟ୍ରିକ୍‌ ସବ୍‌ଷ୍ଟେସନ୍‌ ତିଆରି ହେଉଛି ଜାଣି ଲେଖିକା ଜେନି ସ୍ମେଡ୍‌ଲି ଭାଙ୍ଗି ପଡ଼ିଲେ।

ସ୍ୱପ୍ନର ଘରକୁ ୬୮ ବର୍ଷୀୟ ଜେନି ନିବିଡ଼ ସ୍ନେହ କରୁଥିବାରୁ ସବ୍‌ଷ୍ଟେସନ୍‌ ତାଙ୍କ ଅଭୟାରଣ୍ୟ ଉପରେ କି ଭଳି ପ୍ରଭାବ ପକାଇବ ତାହା ତାଙ୍କୁ ବ୍ୟଥିତ କଲା। ସେ ଏବଂ ତାଙ୍କ ସ୍ୱାମୀ ଜାଗାଖଣ୍ଡିକ ବିକିବାକୁ କୁଣ୍ଠିତ ଥିଲେ ମଧ୍ୟ କ’ଣ କରିବେ ଜାଣି ପାରୁ ନ ଥିଲେ।

ଦିନେ ସେ ତାଙ୍କ ବଗିଚାରେ ବୁଲୁ ବୁଲୁ ଠାଏ ମୃଗଟାଏ ଦେଖିଲେ। ଦୁହିଁଙ୍କର ଆଖି ମିଶିବା ପରେ ଜେନି ନିଜ ଅନୁଭବ ପ୍ରକାଶ କରିବାକୁ ଭାଷା ସ୍ଫୁରାଇ ପାରିଲେ ନାହିଁ। ତାଙ୍କ ମନକୁ ଆସିଲା, ଘର ବିକ୍ରୟ ନ କରିବା ପାଇଁ କହିବାକୁ ମାଆ ମୃଗ ରୂପରେ ଆସି କହୁଛନ୍ତି। ସେମାନେ ଆଉ ଘର ବିକିଲେ ନାହିଁ। ଆଶ୍ଚର୍ଯ୍ୟର କଥା କିଛି ମାସ ପରେ ଜଣାପଡ଼ିଲା ସବ୍‌ଷ୍ଟେସନ୍‌ ସେଠାରୁ ଆଉ କିଛି ମାଇଲ୍‌ ଦୂରରେ ସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର