ଦୀର୍ଘ ବ୍ୟବଧାନ ପରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତଚରଣ ଦାସ ନିଯୁକ୍ତି ପାଇଛନ୍ତି। କଂଗ୍ରେସ ଦଳ ପ୍ରତି ଥିବା ଭକ୍ତଙ୍କ ଆନୁଗତ୍ୟରେ ଅନୁପ୍ରାଣିତ ହୋଇ ବିରୋଧୀ ଦଳ ନେତା ରାହୁଲ୍‌ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ ଓ ଅନ୍ୟାନ୍ୟ ତୁଙ୍ଗ ନେତୃବୃନ୍ଦ ଦଳର ଚରମ ବିପର୍ଯ୍ୟୟ ସମୟରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାରେ କଂଗ୍ରେସ ଦଳରେ ଆର୍ଥିକ ଦୁରବସ୍ଥା, ସାଙ୍ଗଠନିକ ଦୁର୍ବଳତା, ତୃଣମୂଳସ୍ତରୀୟ କର୍ମୀଙ୍କ ନୈରାଶ୍ୟ, କେନ୍ଦ୍ରୀୟ ପ୍ରଭାରୀଙ୍କ ବିପକ୍ଷରେ ଅଭିଯୋଗ ଏବଂ ଦଳୀୟ ନେତାଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସଙ୍ଗକୁ କେନ୍ଦ୍ରୀୟ ନେତୃତ୍ବର ଅବହେଳା ପ୍ରସଙ୍ଗରେ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ ‘ସମ୍ବାଦ’ର ବରିଷ୍ଠ ପ୍ରତିନିଧି 
ବିଭୂତି ପତିଙ୍କୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତ୍‌କାର।

Advertisment

ଅଳ୍ପରେ ଭକ୍ତଚରଣ  
୬୬ ବର୍ଷୀୟ ଭକ୍ତଚରଣ ଦାସ ନିଜ ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିଲେ। ଜୟପ୍ରକାଶ ନାରାୟଣଙ୍କ ଜନଆନ୍ଦୋଳନରେ ସାମିଲ ହୋଇ ରାଜନୀତିକୁ ଆସିଥିଲେ। ୧୯୮୨-୮୩ରେ ସେ କଳାହାଣ୍ଡି ଅଞ୍ଚଳରେ ବନ ବଞ୍ଚାଅ ସଚେତନତା ଅଭିଯାନ ଏବଂ କଳାହାଣ୍ଡିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଚାଷୀଙ୍କ ପାଇଁ ଋଣ ଛାଡ଼ ଆନ୍ଦୋଳନ କରିଥିଲେ। ଭକ୍ତଚରଣ ସେହି ସମୟରେ ଜଙ୍ଗଲ ବିଭାଗର କାଠ ନିଲାମ ପ୍ରକ୍ରିୟାରେ ହେଉଥିବା ଅନିୟମିତାକୁ ଲୋକଲୋଚନକୁ ଆଣି ଚର୍ଚ୍ଚାକୁ ଆସିଥିଲେ।

ଜଙ୍ଗଲ ଅଧିକାର ଆଇନକୁ ଓଡ଼ିଶାରେ ଲାଗୁ କରିବାକୁ ସେ ବିଗତ ବିଜେଡି ସରକାର ଉପରେ ଚାପ ପକାଇ ଏହାକୁ ସଫଳ କରିଥିଲେ। ୧୯୮୫-୯୦ରେ ସେ ବିଧାୟକ ଥିବା ସମୟରେ କଳାହାଣ୍ଡିର ଅନେକ ଅପହଞ୍ଚ ଉପାନ୍ତ ଅଂଚଳକୁ ଗସ୍ତ କରି ଗମନାଗମନ ସୁବିଧା ପାଇଁ ପ୍ରୟାସ କରିଥିଲେ। ୩୦ ବର୍ଷ ବୟସରେ ସେ ଲୋକସଭା ସାଂସଦ ହୋଇଥିଲେ। ଭି.ପି. ସିଂଙ୍କ ମନ୍ତ୍ରିମଣ୍ଡଳରେ ଯୁବ ବ୍ୟାପାର ଓ କ୍ରୀଡ଼ା ଉପମନ୍ତ୍ରୀ ଏବଂ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୦୯ରେ ସେ ଲୋକସଭା ସାଂସଦ ଥିବା ସମୟରେ ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମୟରେ କଳାହାଣ୍ଡିରେ ରେଳ ୱାଗନ୍‌ କାରଖାନା ପ୍ରତିଷ୍ଠା ହୋଇଥିଲା। ନିୟମଗିରିରେ ଖଣି ଖନନ ବନ୍ଦ ହେବା ଏବଂ ଡଙ୍ଗରିଆ ଜନଜାତିଙ୍କ ଅଧିକାର ସୁରକ୍ଷାର ସଫଳତା ପଛରେ ସେ ଥିଲେ ଅନ୍ୟତମ ପୁରୋଧା।

ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଆପଣ କଂଗ୍ରେସ ଓ ନିଜ ଭବିଷ୍ୟତକୁ ନେଇ କି ଯୋଜନା କରିଛନ୍ତି?
ନବୀନ ତଥା ବିଜେଡି ସରକାରର ୨୫ ବର୍ଷର ଶାସନରେ ଓଡ଼ିଶାକୁ ବହୁ କ୍ଷେତ୍ରରେ ଅବହେଳା କରାଯାଇଛି। ଲୋକାଭିମୁଖୀ ରାଜନୀତିକୁ ବିଜେଡି ବଳପୂର୍ବକ ହତ୍ୟାକରି ରାଜ୍ୟରେ ଅରାଜକତା କରିଛି। ତେଣୁ ଲୋକେ ବିଜେପି ଉପରେ ଆସ୍ଥା ପ୍ରକଟ କରି ତାକୁ କ୍ଷମତାକୁ ଆଣିଲେ। କିନ୍ତୁ ବିଜେପି ସରକାର ‌ଲୋକଙ୍କର ସେ ଆଶା ଏବଂ ଆକାଂକ୍ଷା‌କୁ ଭାଙ୍ଗିଦେଇଛି। ମୋଟାମୋଟି ମୋହନଚରଣ ମାଝୀଙ୍କ ବିଜେପି ସରକାରରେ ଉପଯୁକ୍ତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇପାରି ନାହିଁ। ୨୫ ବର୍ଷ ହେବ ଓଡ଼ିଶା ଅନେକ ସମସ୍ୟାରେ ଛନ୍ଦି ହୋଇଛି। ଅନେକ ବର୍ଗର ଜନସାଧାରଣ ଅନ୍ୟାୟ ଓ ନିର୍ଯାତନାର ଶିକାର ହୋଇଛନ୍ତି। ଏଥିରୁ ଓଡ଼ିଶାକୁ ମୁକୁଳାଇବା ପାଇଁ ମୁଁ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟ କେବଳ କଂଗ୍ରେସ ଦଳ ହିଁ ସାକାର କରିବ ବୋଲି ମୋର ଦୃଢ଼ ଆଶା।

ସମ୍ପ୍ରତି ରାଜନୈତିକ କାର୍ଯ୍ୟକଳାପ ଲାଗି ଅର୍ଥର ବ୍ୟାପକ ଆବଶ୍ୟକତା ରହିଛି। କଂଗ୍ରେସର ଆର୍ଥିକ ଦୁରବସ୍ଥା କଥା ସମସ୍ତଙ୍କୁ ଜଣା। ଏହି ଆହ୍ବାନକୁ ଆପଣ କିପରି ମୁକାବିଲା କରିବେ?
ଆପଣ ନିରାଟ ସତକଥା କହିଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ଦୀର୍ଘକାଳୀନ ଅଥବା ବଡ଼ ସମସ୍ୟା ବୋଲି ମୁଁ ଭାବେନାହିଁ। ‌େଲାକେ କିପରି କଂଗ୍ରେସ ଦଳକୁ ଗ୍ରହଣ କରିବେ ତାହା ମୋ ପାଇଁ ବଡ଼ ଆହ୍ବାନ। କଂଗ୍ରେସ ଦୁର୍ବଳ ହୋଇଯାଇଛି ବୋଲି କହିବା ଉଚିତ ନୁହେଁ। ବର୍ତ୍ତମାନ ଜନସାଧାରଣ ବିକଳ୍ପ ରାଜନୈତିକ ବ୍ୟବସ୍ଥା ଏବଂ ଅଣକଂଗ୍ରେସ ସରକାରର ପରୀକ୍ଷା ନେଉଛନ୍ତି- ଏହା ହିଁ ଗଣତନ୍ତ୍ର। ତେଣୁ କଂଗ୍ରେସ ପ୍ରତ୍ୟାଖ୍ୟାତ ହୋଇଗଲା ବୋଲି ବିଚାର କରିବା ଅନୁଚିତ। ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ଦୃଢ଼ କରିବା ଏବେ ମୋର ପ୍ରାଥମିକତା।

‌କେହି କେହି କହୁଛନ୍ତି, ଉପକୂଳ ଓଡ଼ିଶାରେ ଆପଣ ଜଣେ ଅଚିହ୍ନା ମୁୁହଁ। ପୂରା ଓଡ଼ିଶାରେ ଆପଣଙ୍କ ନେତୃତ୍ବ ଗ୍ରହଣୀୟ ହେବେ ବୋଲି ଭାବୁଛନ୍ତି?
ମୁଁ ଅଚିହ୍ନା ବା ଅପରିଚିତ ନୁହେଁ। ମୁଁ କଂଗ୍ରେସର ତୃଣମୂଳସ୍ତରରୁ କାର୍ଯ୍ୟ କରିଆସିଛି। କଂଗ୍ରେସ ସଂଗଠନ ସହିତ ଓଡ଼ିଶାର ସମସ୍ତ ଅଞ୍ଚଳରେ କାର୍ଯ୍ୟ କରିଛି। ଉପକୂଳ ଓଡ଼ିଶାରେ ଆୟୋଜିତ ଅନେକ ସଭାସମିତିରେ ମତେ ଅଶେଷ ସ୍ନେହଶ୍ରଦ୍ଧା ମିଳିଛି। ପୁଣି ସାରା ଓଡ଼ିଶାରୁ ଆମ ଦଳର ଅନେକ ତୁଙ୍ଗ ନେତାଙ୍କ ଆଶୀର୍ବାଦ ମୋ ଉପରେ ରହିଛି।

‌‌‌େତଲେଙ୍ଗାନା ଓ ବିହାର ଦାୟିତ୍ବରେ ଥିବାବେଳେ ଟିକେଟ୍ ବଣ୍ଟନ ଭଳି କେତେକ ପ୍ରସଙ୍ଗକୁ ନେଇ ଆପଣଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଏହାର କିଭଳି ମୁକାବିଲା କରିବେ?
ମୁଁ ଜାଣିଛି, ସବୁବେଳେ ସତ୍ୟର ଜୟ ହୁଏ। ଦୁର୍ନୀତି କୁତ୍ସାରଟନାକାରୀ ତାହା ପ୍ରମାଣ କରିପାରିଲେ ନାହିଁ କାହିଁକି? ଭାରତରେ କ‌ଂଗ୍ରେସକୁ ସୁଦୃଢ଼ କରିବାକୁ ହେଲେ ବ୍ୟକ୍ତିଗତ କୁତ୍ସାରଟନା ଓ ମିଥ୍ୟା ଅଭିଯୋଗ ଆଦିରୁ ଦୂରେଇ ରହିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। କିନ୍ତୁ ମୋ ବିରୋଧରେ ମିଛ ଅଭିଯୋଗ ଆଣିଥିବା କୁତ୍ସାରଟନାକାରୀଙ୍କ ପ୍ରତି ଅାଜି ବି ମୋର କୌଣସି ଅସୂୟାଭାବ ନାହିଁ।

ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବରେ ଥିବା ନେତୃତ୍ବଙ୍କ କାର୍ଯ୍ୟଶୈଳୀକୁ ନେଇ ଅ‌େନକ ଆପତ୍ତି ଆସିଛି। କେତେକ ପ୍ରଭାରୀ ବିଜେଡି ସହିତ ସଲାସୁତୁରା କରି ରାଜ୍ୟରେ କଂଗ୍ରେସକୁ ଦୁର୍ବଳ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ବର୍ତ୍ତମାନର ପ୍ରଭାରୀ ମଧ୍ୟ ଅନେକ ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଏହାକୁ ନେଇ କ’ଣ କହିବେ?
ଏହାର ସତ୍ୟତା ନେଇ ପ୍ରମାଣ ଉପସ୍ଥାପନ ହେବା ଜରୁରି। ତେଣୁ ଏହାକୁ ନେଇ ମୁଁ କୌଣସି ମତାମତ ଦେବାକୁ ଚାହୁନାହିଁ। ଏହାକୁ ଦଳର କେନ୍ଦ୍ରୀୟ ନେତୃତ୍ବ ଅନୁଧ୍ୟାନ ଓ ବିଚାର କରିବେ।

ସଭାପତି ପଦ ସମ୍ଭାଳିବା ମାତ୍ରେ ଆପଣ ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲେ କାହିଁକି? ଏ ନିଷ୍ପତ୍ତି ପ୍ରଭାରୀ ଅଜୟ କୁମାରଙ୍କୁ ଅସନ୍ତୁଷ୍ଟ କରିଛି କି?
ରାହୁଲ୍‌ ଗାନ୍ଧୀଙ୍କ ବିଭିନ୍ନ ସାଧାରଣ ସଭା ସଫଳ କରିବାରେ ମାନସ ଚୌଧୁରୀ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେ ମୋ ପ୍ରଚାର କମିଟିରେ ସଂଯୋଜକ ଥିଲେ। କେବଳ ମାନସ ଚୌଧୁରୀ ନୁହନ୍ତି, ମୁଁ ସମସ୍ତଙ୍କୁ କଂଗ୍ରେସରେ ସାମିଲ କରି କାର୍ଯ୍ୟ କରିବି। ଏଥିରେ ଅଜୟ କୁମାର ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ।

ଆପଣ ପ୍ରଚାର କମିଟି ଅଧ୍ୟକ୍ଷ ହେବା ପରେ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦିଆଗଲା। କିନ୍ତୁ ଆପଣ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଗୋଟିଏ ବି ବୈଠକ କରି ନଥିଲେ। ଏହା କ’ଣ ସତ?
ମୁଁ ପିସିସି ସଭାପତି ପଦବି ଚାହିଥିଲି। କିନ୍ତୁ ଦଳର କେନ୍ଦ୍ରୀୟ ନେତୃତ୍ବ ମୋତେ ପ୍ରଚାର କମିଟି ଅଧ୍ୟକ୍ଷ କରିଥିଲେ। ମୁଁ ବିଜୟ ପଟ୍ଟନାୟକଙ୍କୁ କାହିଁକି ହଟାଇବି। ମୁଁ ତାଙ୍କୁ ଭକ୍ତି କରେ। ତାଙ୍କ ଯୋଗଦାନ ଦଳକୁ ଅତ୍ୟନ୍ତ ସୁଦୃଢ଼ କରିବ, ଏଥିରେ ସନ୍ଦେହ ନାହିଁ।

ରାଜ୍ୟର ବିଜେପି ସରକାର ଦ୍ବାରା ପରିଚାଳିତ ସାମ୍ପ୍ରତିକ ଶାସନ ବ୍ୟବସ୍ଥା ପ୍ରସଙ୍ଗରେ କ’ଣ କହିବେ?
କୁଆଡ଼େ ଗଲା ଭି. କେ.ପାଣ୍ଡିଆନଙ୍କ ଗିରଫଦାରି, ଦୁର୍ନୀତି ତଦନ୍ତ ଓ ସ୍ବଚ୍ଛ ଶାସନ ପ୍ରତିଶ୍ରୁତି? ଏହା ଥିଲା ବିଜେପିର ନିର୍ବାଚନ ଭେଳିକି। ପାଣ୍ଡିଆନଙ୍କ ସହିତ ବିଜେପି କେନ୍ଦ୍ରୀୟ ନେତୃତ୍ବର ସୁଚିନ୍ତିତ ବୁଝାମଣା ହୋଇଛି। ସେଥିପାଇଁ ଓଡ଼ିଶା ସରକାର ଓ ରାଜ୍ୟ ବିଜେପି ନେତୃତ୍ବ ମୁହଁ ବନ୍ଦକରି ବସିଛନ୍ତି। ଯଦି ସତ୍‌ସାହସ ଅଛି, ସେମାନେ ବିଜେଡି ଓ ପାଣ୍ଡିଆନ୍‌ଙ୍କ ଦୁର୍ନୀତି ସବୁ ତଦନ୍ତ କରି ଲୋକଲୋଚନକୁ ଆଣନ୍ତୁ। ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ।

ନିୟମଗିରିରେ ଖଣି ଖନନକୁ ନେଇ ପରିବେଶ ଆଇନ ଉଲ୍ଲଂଘନ ଏବଂ ଡଙ୍ଗରିଆ ଆଦିବାସୀଙ୍କ ଅଧିକାର ପ୍ରସଙ୍ଗକୁ ନେଇ ଆପଣ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ଚର୍ଚ୍ଚିତ ହୋଇଥିଲେ। ହେଲେ ଆଜି ନିୟମଗିରି ଓ ଡଙ୍ଗରିଆଙ୍କ ସ୍ଥିତି କ’ଣ?
ସେଦିନର ଆନ୍ଦୋଳନ ଏବଂ ଆଦିବାସୀ ଅଧିକାର ଲାଗି ଲଢ଼େଇ ଆଜି ବି ଚାଲିଛି ଓ ଚାଲିବ। ନିରୀହ ଆଦିବାସୀଙ୍କୁ ନକ୍ସଲ୍‌ ନଁା’ରେ ଗିରଫ କରି ନିର୍ଯାତନା ଦେବା ମାନବିକ ଅଧିକାରର ଘୋର ଉଲ୍ଲଂଘନ। ନିୟମଗିରିରେ ଆନ୍ଦୋଳନ ଚାଲିଛି। ଆଜି ବି ଡଙ୍ଗରିଆ ଆଦିବାସୀମାନେ ନିୟମଗିରିର ଯେଉଁ ପାହାଡ଼ରେ ରହିଛନ୍ତି, ସେମାନଙ୍କୁ ପଟ୍ଟା ଦିଆଯାଉ ନାହିଁ। ଏହାକୁ ନେଇ ଗତ ସପ୍ତାହରେ ମୁଁ ଆନ୍ଦୋଳନ କରି ସ୍ଥାନୀୟ ପ୍ରଶାସନ ଘେରାଉ କରିଥିଲି। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ମୋହନଚରଣ ମାଝୀ ସହୃଦୟତାର ସହ ଏହି ସମସ୍ୟାର ବିଚାର କରିବେ ବୋଲି ମୁଁ ଆଶା କରୁଛି।