ବିହାରରେ ଲେଡି ସିଙ୍ଘମ୍ ରୂପେ ପରିଚିତ ଆଇପିଏସ୍ କାମ୍ୟା ମିଶ୍ରଙ୍କର ଯେଉଁଠି ନିଯୁକ୍ତି ହୁଏ ସେଠାରେ ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୁଏ। ଆଉ ସେ ହେଉଛନ୍ତି ଜଣେ ଓଡ଼ିଆ ଝିଅ। ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ରାଇରଙ୍ଗପୁରର ବାସିନ୍ଦା କାମ୍ୟା ସଂପ୍ରତି ନିଜ ପଦବିରୁ ଇସ୍ତଫା ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହି ପ୍ରେକ୍ଷାପଟ୍ଟରେ ବିହାରର ଦରଭଙ୍ଗା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ କାମ୍ୟାଙ୍କୁ ଭେଟିଛନ୍ତି ‘ରବିବାର ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ବିଭୂତି ପତି
ଚାକିରି ୫ ବର୍ଷ ନ ପୂରୁଣୁ ଆପଣ ଇସ୍ତଫା ଦେଇଛନ୍ତି। ସୁନାମ ଅର୍ଜନ କରିଥିବା ଜଣେ ଆଇପିଏସ୍ ଅଧିକାରୀଙ୍କର ଏପରି ନିଷ୍ପତ୍ତି କାହିଁକି?
ମୋ ଘର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର। ମୋ ଜନ୍ମଭୂମି ଏବଂ ଏହାର ଜନସାଧାରଣଙ୍କ ପ୍ରତି ମୋର ଉତ୍ତରଦାୟିତ୍ବ ରହିଛି। ଉଭୟଙ୍କ ପାଇଁ ରହିଥିବା କର୍ତ୍ତବ୍ୟର ପ୍ରକୃଷ୍ଟ ସଂପାଦନ ପ୍ରତି ଧ୍ୟାନ ଦେଇ ଇସ୍ତଫା ଦେଇଛି। ମୋ ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପ୍ରଗତି ଆଣିବାକୁ ମୁଁ ନିଷ୍ଠାର ସହିତ କାର୍ଯ୍ୟ କରିବି।
ଏହାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଇସ୍ତଫା ପଛରେ ଆଉ କିଛି କାରଣ ନାହିଁ ତ? ପଦବିରେ ରହି ମଧ୍ୟ ଆପଣ ସମାଜସେବା କରିପାରିଥାନ୍ତେ?
କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ମୁଁ ଯାହା କହିଛି ତାହା ହିଁ ସତ୍ୟ। ବିହାର ପୁଲିସ ସେବାରେ ରହି ମୁଁ ରାଇରଙ୍ଗପୁର ଜନସାଧାରଣଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି କରିବି? ପୁଣି ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନ୍ୟାୟ ପାଇବାକୁ ଦୌଡ଼ି ଆସୁଥିବା ଲୋକଙ୍କୁ ମୁଁ ନ୍ୟାୟ ଦେବି କିପରି? ଏକ ସମୟରେ ସମାଜସେବା ଓ ଦକ୍ଷତାର ସହିତ ପୁଲିସ ଚାକିରି କରିବା ସମ୍ଭବ ନୁହେଁ। ତେଣୁ, ମୁଁ ବୁଝିବିଚାରି ଏଭଳି ପଦକ୍ଷେପ ନେଇଛି। ଏଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିସାରିଛି। ତାହାର ସଫଳ ପରିଚାଳନା ଲାଗି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଲିଣି।
ଆପଣ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଟିଏ ଅଞ୍ଚଳରୁ ଆସିଛନ୍ତି। ଏହାକୁ ନେଇ ଆପଣ କେତେ ଗୌରବାନ୍ବିତ?
ସେ ରାଷ୍ଟ୍ରପତି ଭାବେ ଯେଉଁ ଦିନ ଶପଥ ଗ୍ରହଣ କଲେ, ମୁଁ ଆତ୍ମଗର୍ବରେ ଫାଟି ପଡ଼ିଥିଲି। ବିହାରର ଅନେକ ପ୍ରତିଷ୍ଠିତ ପୁଲିସ ପଦାଧିକାରୀ ଏ ଖୁସି ଖବର ଜଣାଇ ମୋତେ ଶୁଭେଚ୍ଛା ଜଣାଇଥିଲେ। ମୁଁ ମଧ୍ୟ ଖୁସିରେ ଆତ୍ମହରା ହୋଇ କହୁଥିଲି- ରାଷ୍ଟ୍ରପତି ଆମ ଗାଁ’ର ଓ ଘରପାଖ ଲୋକ। ସେ ଅତି ସରଳ, ଅମାୟିକ ଓ ଭଦ୍ର। ରାଇରଙ୍ଗପୁର ମାଟିରେ ଅନନ୍ୟ ଯାଦୁ ରହିଛି ଏବଂ ତା’ର ମହକ ସମ୍ପୂର୍ଣ୍ଣ ନିଆରା। ଯଦି ସୁଯୋଗ ମିଳେ, ତେବେ ଏ ମାଟିରୁ ଅନେକ ସଫଳ ବ୍ୟକ୍ତି ସୃଷ୍ଟି ହେବେ।
ସେ ଅଞ୍ଚଳରୁ ଆସି ଆପଣ ବି ନିଜ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଆପଣଙ୍କ ସଫଳତାରେ ରାଇରଙ୍ଗପୁରର ଅବଦାନ କ’ଣ?
ମୁଁ ସଫଳତାର ଶୀର୍ଷରେ ପହଞ୍ଚିଛି ବୋଲି ଭାବୁନାହିଁ। ବହୁତ କାମ ବାକି ଅଛି। ମୋର ଶିକ୍ଷା, ସଂସ୍କାର, ଆଗକୁ ବଢ଼ିବାର ପ୍ରେରଣା, ଧୈର୍ଯ୍ୟ, ସାହସ, ଦୃଢ଼ ଆତ୍ମବିଶ୍ୱାସ ଓ ସଫଳତା ହାସଲ କରିବାରେ ଜନ୍ମମାଟି ରାଇରଙ୍ଗପୁରର ଯଥେଷ୍ଟ ଅବଦାନ ରହିଛି। ରାଇରଙ୍ଗପୁର ନିକଟସ୍ଥ ଗୋରୁମହିଷାଣିରେ ମୋର ଜନ୍ମ। ଗୋରୁମହିଷାଣିରୁ ବାହାରି ସକାଳ ୬ଟାରେ ରାଇରଙ୍ଗପୁର ସ୍କୁଲ୍ରେ ପହଞ୍ଚିବା ପାଇଁ ମୋତେ ଭୋର୍ ୪ଟାରୁ ଉଠି ପ୍ରସ୍ତୁତ ହେବାକୁ ପଡୁଥିଲା। ସମୟାନୁବର୍ତ୍ତୀ ହେବାର ମୂଳଦୁଆ ସେବେଠାରୁ ପଡ଼ିଥିଲା। ସମୟାନୁବର୍ତ୍ତିତା ମଣିଷକୁ ସଫଳ କରାଏ। ଅବଶ୍ୟ ତା’ ସହିତ ଅଧ୍ୟବସାୟ, ବାପାମାଆ ଓ ଗୁରୁଜନଙ୍କ ଆଶୀର୍ବାଦ ମଧ୍ୟ ଜରୁରି।
କାର୍ଯ୍ୟଦକ୍ଷତା ଲାଗି ଆପଣ ବିହାରରେ ‘ଲେଡି ସିଂଘମ୍’ ଭାବେ ସୁନାମ ଅର୍ଜନ କରିଛନ୍ତି। ନିଜ ଅଞ୍ଚଳର ଝିଅ ଏବଂ ମହିଳାଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ?
ମୋ ଅଞ୍ଚଳର ମା’ ଭଉଣୀମାନଙ୍କୁ ବାର୍ତ୍ତା ଦେବାର ବୟସ ଓ ଜ୍ଞାନ ମୋର ହୋଇନାହିଁ। ସେଭଳି ଭୁଲ୍ କରି ମୁଁ ସେମାନଙ୍କୁ ଅସମ୍ମାନ କରିବି ନାହିଁ। କେବଳ ରାଇରଙ୍ଗପୁର ନୁହେଁ ମୋ ଜିଲ୍ଲା ମୟୂରଭଞ୍ଜର ପ୍ରତିଟି ମହିଳା ଓ ଝିଅ ଅତ୍ୟନ୍ତ ବୁଦ୍ଧିମତୀ, ଜ୍ଞାନୀ, ପରିଶ୍ରମୀ ଓ ସ୍ୱାଭିମାନୀ। ମୟୂରଭଞ୍ଜ ଇତିହାସ ଦେଖନ୍ତୁ, ଅତୀତରେ ଏଠାକାର ମହାରାଜା ଏବଂ ଜନସାଧାରଣ କେତେ ଉନ୍ନତ ଥିଲେ। କ୍ରୀଡ଼ା, ଶିକ୍ଷା, ରାଜନୀତି ଓ ବିଜ୍ଞାନ ଆଦି କ୍ଷେତ୍ରରେ ଆମ ମହିଳା ଓ ଝିଅମାନେ ପାରଙ୍ଗମ। ଯଦି ସରକାର ଓ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ସୁଯୋଗ ପ୍ରଦାନ କରିବେ ତେବେ ସେମାନେ ସବୁଥିରେ ଆଗୁଆ ଓ ଶ୍ରେଷ୍ଠ ହେବେ ବୋଲି ମୁଁ ନିଶ୍ଚିତ।
ଆଇପିଏସ୍ ପାଇବା ସମୟରେ ଆପଣଙ୍କ ପାଇଁ ଆହ୍ୱାନ କ’ଣ ଥିଲା?
ରାଇରଙ୍ଗପୁରରେ ସ୍କୁଲ୍ ଶିକ୍ଷା ଶେଷ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଆସିଲା ପରେ ମୋତେ ଭାରତର ସବୁଠୁ ଉତ୍ତମ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ପାଠପଢ଼ାରେ ପ୍ରତିଯୋଗିତା କରିବାକୁ ପଡ଼ିଲା। ଏହାପରେ ମୁଁ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲି। ଦୃଢ଼ ଆତ୍ମବିଶ୍ୱାସ ସୃଷ୍ଟି କରିବା ଥିଲା ମୋ ପାଇଁ ସବୁଠାରୁ ବଡ଼ ଆହ୍ବାନ। କାରଣ, ଅଧିକାଂଶ ସମୟରେ ମୁଁ ଆତ୍ମବିଶ୍ୱାସ ହରାଉଥିଲି। କିନ୍ତୁ, ଜନ୍ମମାଟି ଏବଂ ରାଇରଙ୍ଗପୁର ଜନସାଧାରଣଙ୍କ ପ୍ରତି କର୍ତ୍ତବ୍ୟ କଥା ଭାବି ମନକୁ ଦୃଢ଼ କରୁଥିଲି। ଜଣଙ୍କର ପରିଚୟ ଓ ଗରିମା କେବଳ ଜନଭୂମି ସହିତ ଜଡ଼ିତ-ଏହି ଭାବନା ମୋତେ ଦୃଢ଼ମନା କରି ସାହସୀ ହେବାକୁ ପ୍ରେରଣା ଯୋଗାଇଥିଲା।
ଆଇଏଏସ୍ ଓ ଆଇପିଏସ୍ଙ୍କୁ ରାଜନୈତିକ ଚାପ ଏବଂ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶର ବାଧ୍ୟବାଧକତାରେ କାର୍ଯ୍ୟ କରିବାକୁ ପଡ଼େ। ଆପଣ ଏପରି ପରିସ୍ଥିତିର ମୁକାବିଲା କରିଛନ୍ତି?
ମୋତେ ଏପରି କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିନାହିଁ। ମୁଁ ଅତ୍ୟନ୍ତ ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିଥାଏ। ଯଦି ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଆନ୍ତା ତେବେ ମୁଁ ଆଇନ ଅନୁଯାୟୀ କଠୋରରୁ କଠୋର ପଦକ୍ଷେପ ନେଇଥା’ନ୍ତି। ମୋର କାର୍ଯ୍ୟଧାରା ଆଜି ସମଗ୍ର ବିହାରରେ ଏକ ପରିଚୟ ପାଲଟିଛି। ଦରଭଙ୍ଗାରେ ସବୁଆଡ଼େ କହୁଛନ୍ତି, ଗୋଟିଏ ଓଡ଼ିଆ ଆଇପିଏସ୍ ଅଫିସର ଆସିଛି ସେ ସମସ୍ତଙ୍କୁ ନ୍ୟାୟସଂଗତ ସାହାଯ୍ୟ ଓ ସହଯୋଗ କରୁଛି। ଯେଉଁଠି ଜନସାଧାରଣ ଆପଣଙ୍କୁ ଦକ୍ଷତାର ପ୍ରମାଣପତ୍ର ଦେବେ ସେଠି ଆପଣଙ୍କ କାର୍ଯ୍ୟଶୈଳୀ ସମସ୍ତଙ୍କ ନିକଟରେ ପହଞ୍ଚିବ। ଚାପ ପଡ଼ିବାର ପ୍ରଶ୍ନ ଉଠିବ କାହିଁକି?
ଆପଣଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ। ପରବର୍ତ୍ତୀ ସମୟରେ ନିଷ୍ପତ୍ତିର ପୁନର୍ବିଚାର କରିବା ସମ୍ଭାବନା ନାହିଁ ତ?
ମୁଁ ନିଜ ନିଷ୍ପତ୍ତିରେ ଅଟଳ। ପ୍ରତିଟି ନିଷ୍ପତ୍ତି ମୁଁ ବହୁତ ଭାବିଚିନ୍ତି ନେଇଥାଏ। ତେଣୁ ଏଭଳି ପ୍ରଶ୍ନକୁ ମୁଁ ଗ୍ରହଣ କରିପାରୁନାହିଁ। ମୋର ନିଷ୍ପତ୍ତିକୁ ଶାଶୂଶଶୁର ଓ ଗୁରୁଜନମାନେ ଅକୁଣ୍ଠ ସମର୍ଥନ ଦେଇଛନ୍ତି। ତେଣୁ ପଛକୁ ଫେରିବାର ପ୍ରଶ୍ନ ଉଠିବ କାହିଁକି?