ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗ ବଦଳିବା ସହ ବିଭିନ୍ନ ନୂଆ ରୋଗ ମଧ୍ୟ ଦେଖା ଦେଉଛି। ତେବେ ରୋଗ ହେବା ସହ ଉଦ୍ଭାବନ ହେଉଛି ତାକୁ ଭଲ କରିବାର ଓଷଧ । ସାଧାରଣତଃ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଗଲା ମାନେ ସେ ଅନେକ ପ୍ରକାରର ରଙ୍ଗବେରଙ୍ଗ ବଟିକା ଏବଂ କ୍ୟାପସୁଲ ଲେଖିଥାନ୍ତି । ଏପରିକି ନିଜକୁ ନିରୋଗ କରିବା ପାଇଁ ଆମେ ସେହି କ୍ୟାପସୁଲ୍ ମଧ୍ୟ ଖାଇଥାଉ । କିନ୍ତୁ କେବେ ଆପଣ ଭାବିଛନ୍ତି କି , ଯେଉଁ କ୍ୟାପ୍ସୁଲ୍କୁ ଆମେ ନିରୋଗ ହେବା ପାଇଁ ସେବନ କରୁଛେ ତାହା ପ୍ରକୃତରେ କେଉଁଥିରେ ପ୍ରସ୍ତୁତ? ଆସନ୍ତୁ ଜାଣିବା ଔଷଧକୁ ଆର୍କଷଣୀୟ କରିବା ପାଇଁ ବ୍ୟବହାର କରାଯାଇଥିବା କ୍ୟାପ୍ସୁଲ୍ର ଉପର ଭାଗ ପ୍ରକୃତରେ କେଉଁଥିରେ ପ୍ରସ୍ତୁତ କରାଯାଇଥାଏ ।

ସାଧାରଣତଃ ଲୋକ ଭାବିଥାନ୍ତି କ୍ୟାପସୁଲ୍ର ଉପରି ଭାଗ ପତଳା ପ୍ଲାଷ୍ଟିକ୍ରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ତାହା ଠିକ ନୁହଁ, ଏହି ଖୋଳକୁ ପ୍ରସ୍ତୁତ କରିବା ପାଇଁ ଜେଲେଟିନ୍ ବ୍ୟବହାର କରାଯାଇଥାଏ । ପ୍ରାୟତଃ ଏହା ବିଷୟରେ ଔଷଧ ଖୋଳ କିମ୍ବା ପ୍ୟାକେଟରେ କିଛି ବିସ୍ତତ ଭାବେ ପ୍ରକାଶ କରାଯାଇ ନଥାଏ । ତେବେ ଜିଲେଟିନ୍ ଏକ ପଶୁର ମାଂସରୁ ତିଆରି ଉତ୍ପାଦ ଅର୍ଥାତ ମାସାଂସୀ କୋଲେଜନ୍ରୁ ନିର୍ମିତ ହୋଇଥାଏ । ଏହି କୋଲେଜନ୍ ସୂତା ଭଳି ଏକ ପଦାର୍ଥ । ଏହା ଗାଇ , ମଇଁଷି ଆଦି ପଶୁଙ୍କ ହାଡ଼ ଓ ଚର୍ବି ଆଦିରୁ ପ୍ରସ୍ତୁତ କରାଯାଇଥାଏ । ଜିଲେଟିନ୍କୁ ବଜାରରେ ମିଳୁଥିବା ଜେଲି ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନର ପ୍ରାୟ ୯୮ ପ୍ରତିଶତ ଔଷଧ କମ୍ପାନୀ ପଶୁଙ୍କ ଠାରୁ ଉତ୍ପନ୍ନ ହୋଇଥିବା ଏହି ଜିଲେଟିନ୍କୁ ବ୍ୟବହାର କରିଥାନ୍ତି । ତେବେ ଏହା ବିଷୟରେ ଅଧିକାଶଂ କାହାର ଜ୍ଞାନ ନଥାଏ । ଏହି ଘଟଣା ସେତେବେଳେ ସର୍ବସମ୍ମୁଖକୁ ଆସିଲା ଯେତେବେଳେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜିଲେଟିନ୍ ଦ୍ୱାରା କ୍ୟାପ୍ସୁଲ୍ ଖୋଳ ବଦଳରେ ଉଦ୍ଭିଦରୁ ପ୍ରସ୍ତୁତ ଖୋଳ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ ।