ପ୍ରତ୍ୟେକ ବ୍ୟକ୍ତିର ପରିଚୟ ତା’ର ନାମରୁ ଆସିଥାଏ।ସାଧାରଣତଃ ସମସ୍ତେ ପରସ୍ପରକୁ ନାଆଁରେ ଜାଣିଥାନ୍ତି। ନାଆଁରେ ବି ଲୋକେ ଡକାଡକି ହୋଇଥାନ୍ତି। ଭାରତରେ ଏମିତି ଏକ ଗାଆଁ ଅଛି,ଯେଉଁଠି ଲୋକେ ବ୍ୟକ୍ତିର ନାଆଁ ନେଇ ନ ଡାକି ବରଂ ପାଟିରେ ହୁଇସିଲ୍ ମାରି ଡାକିଥାନ୍ତି।
ମେଘାଳୟର ଏହି ଗାଆଁର ନାଆଁ ହେଲା ‘କଙ୍ଗଥନାଥ୍’।ଏହା ସାରା ଦୁନିଆଁରୁ ଏକଦମ୍ ଅଲଗା ପଡ଼ିଥିବା ହେତୁ ଏହାର ନାମକରଣ ସେଭଳି ହୋଇଛି। ଏହି ଗାଆଁରେ କେହି କାହାର ନାଆଁ ଧରି ଡାକନ୍ତି ନାହିଁ ବରଂ ହୁଇସିଲ୍ ମାରି ଡାକିଥାନ୍ତି। ଏଠାକାର ଲୋକେ ଏହାକୁ ସ୍ୱର ବୋଲି କହନ୍ତି। ଏହି ଗାଆଁରେ ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ,ସେତେବେଳେ ତାର ନାଆଁ ରଖାଯାଇ ନ ଥାଏ,ବରଂ ତା’ପାଇଁ ଏକ ନୂଆ ହୁଇସିଲ୍ ସ୍ୱର ପ୍ରସ୍ତୁତ ହୋଇଥାଏ। ପିଲାକୁ ସେହି ସ୍ୱରରେ ଡକାଯାଇଥାଏ। ଏହି କାମ ତା’ର ମାଆ କରିଥାଏ। ପ୍ରତିଟି ସ୍ୱର ଏକ ମିନିଟ୍ରୁ କମ୍ ସମୟ ଭିତରେ ହୋଇଥାଏ।ଏହା ପକ୍ଷୀମାନଙ୍କର ସ୍ୱର ସହିତ ମିଶିଯାଇଥାଏ। ଆଉ ଏକ ମଜାଦାର କଥା ହେଲା ଯେ,ଜଣେ ବ୍ୟକ୍ତି ମରିବା ପରେ ତା’କୁ ଡକାଯାଉଥିବା ହୁଇସିଲ୍ ସ୍ୱର ବି ବନ୍ଦ ହୋଇଯାଇଥାଏ। ଏହି ଗାଆଁରେ ଏହାର ପ୍ରଚଳନ କେଉଁ ପ୍ରାଚୀନ କାଳରୁ ହୋଇ ଆସିଥିବା କୁହାଯାଉଛି।