ଆମେ ଖାଦ୍ୟରେ ବିଭିନ୍ନ ଉପାୟରେ ଗ୍ରହଣ କରୁଥିବା ସାଧାରଣ ଲୁଣ (ସୋଡିଅମ୍ କ୍ଳୋରାଇଡ୍) ବଦଳରେ ନିମ୍ନ ସୋଡିଅମ୍ ସଂପନ୍ନ ବିକଳ୍ପ ଲୁଣ ବ୍ୟବହାର କଲେ ଆମର ହୃତ୍ପିଣ୍ଡ ସ୍ବାସ୍ଥ୍ୟରେ ଉନ୍ନତି ଆସିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ପକ୍ଷରୁ ପରାମର୍ଶ କରାଯାଇଛି। ଏଥି ସହିତ ଆମର ଦୈନିକ ସୋଡିଅମ୍ ଆହରଣ ୨ ଗ୍ରାମ୍ରେ ସୀମିତ ରଖିବାକୁ ମଧ୍ୟ କୁହାଯାଇଛି। କାରଣ ମାତ୍ରାଧିକ ସୋଡିଅମ୍ ଉଚ୍ଚ ରକ୍ତଚାପର କାରଣ ସାଜି ହୃଦ୍ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। ନିମ୍ନ-ସୋଡିଅମ୍ଯୁକ୍ତ ବିକଳ୍ପ ଲୁଣରେ ପୋଟାସିଅମ୍ କ୍ଳୋରାଇଡ୍ ରହିଥାଏ, ଯାହା ହୃଦ୍କ୍ରିୟା ପାଇଁ ସହାୟକ ହୋଇଥାଏ।
ପୋଟାସିଅମ୍ ଖଣିଜ ରକ୍ତରେ ବିଭିନ୍ନ ପ୍ରକାର ଇଲେେକ୍ଟ୍ରାଲାଇଟ୍ ସ୍ତରରେ ସନ୍ତୁଳନ ଆଣି ହୃତ୍ପିଣ୍ଡ କ୍ରିୟାକୁ ସୁଗମ କରିଥାଏ। ଏହା ଅନିୟମିତ ହୃଦ୍ସ୍ପନ୍ଦନକୁ ଏଡ଼ାଇବା ସହ ହୃଦ୍ଘାତ ଆଶଙ୍କା ମଧ୍ୟ କମାଇଥାଏ। ଅନ୍ୟପକ୍ଷରେ ବୃକ୍କ ବା କିଡ୍ନି ଶରୀରରୁ ଅଧିକ ପରିମାଣର ସୋଡିଅମ୍କୁ ଛାଣି ନିଷ୍କାସନ କରିଥାଏ।ତେଣୁ ଅଧିକ ସୋଡିଅମ୍ଯୁକ୍ତ ଲୁଣ ଖାଇବା ଦ୍ବାରା ବୃକ୍କ ଉପରେ ଅଧିକ ଚାପ ପଡ଼ିଥାଏ, ଯଦ୍ଦ୍ବାରା ବୃକ୍କର କ୍ରିୟା ଧିମେଇ ଯିବା ସହ ତାହା ନିଷ୍କ୍ରିୟ ହୋଇଯିବାର ଆଶଙ୍କା ରହିଛି। ତେଣୁ କମ୍ ସୋଡିଅମ୍ ଯୁକ୍ତ ଲୁଣ ଖାଇବା ଦ୍ବାରା କିଡ୍ନି ଉପରୁ ଚାପ କମିଯିବା ସହ କିଡ୍ନି ଷ୍ଟୋନ୍ ହେବାର ଆଶଙ୍କା ମଧ୍ୟ କମିଯାଏ।
ସେହିପରି ଅଧିକ ସୋଡିଅମ୍ ଖାଇବା ଦ୍ବାରା ତାହା ରକ୍ତର ଜଳଧାରଣ କ୍ଷମତା ବଢ଼ାଇ ଦେଇଥାଏ। ଫଳରେ ହାତ, ଗୋଡ଼ ଓ ପାଦ ଆଦି ଫୁଲି ଯାଇଥାଏ। ଅଧିକ ସୋଡିଅମ୍ ଯୋଗୁଁ ରକ୍ତବାହୀ ଶିରାପ୍ରଶିରାଗୁଡ଼ିକ ସଂକୁଚିତ ତଥା ଟାଣ ହୋଇଯାଇଥାଏ, ଯାହା ହୃଦ୍ଘାତର ଆଶଙ୍କା ବଢ଼ାଇଥାଏ। ଅଧିକ ସୋଡିଅମ୍ ମଧ୍ୟ କ୍ୟାଲସିଅମ୍ କ୍ଷୟ ଘଟାଇ ଅସ୍ଥିଗୁଡ଼ିକୁ ଦୁର୍ବଳ କରିଦେଇଥାଏ। ଫଳସ୍ବରୂପ ପରିଣତ ବୟସରେ ଅଳ୍ପ ଚାପ ପଡ଼ିଲେ ବି ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଛି। ସର୍ବୋପରି ପାକସ୍ଥଳୀର ଭିତରପାର୍ଶ୍ବ ସୋଡିଅମ୍ ଦ୍ବାରା ପ୍ରଭାବିତ ହୋଇଥାଏ, ଯାହା ଏସିଡ୍ ରିଫ୍ଳକ୍ସ, ଗାଷ୍ଟ୍ରାଇଟିସ ଓ ଅଲ୍ସର ପରି ସମସ୍ୟା ସୃଷ୍ଟି କରେ। ମାତ୍ରାଧିକ ସୋଡିଅମ୍ ପାକସ୍ଥଳୀ-କର୍କଟ ଆଶଙ୍କା ମଧ୍ୟ ବଢ଼ାଇଥାଏ। କମ୍ ସୋଡିଅମ୍ଯୁକ୍ତ ଲୁଣ ଖାଇଲେ ଏହିସବୁ ସମସ୍ୟାକୁ ଦୂରେଇବା ସମ୍ଭବ।