ସ୍ବାମୀ ଓ ପୁଅର ମୃତ୍ୟୁ ପରେ ଲୋକେ କହିଲେ ଡାହାଣୀ, ଝିଅ ବଦଳାଇଦେଲା ପରିଚୟ

ନୂଆଦିଲ୍ଲୀ: ମା’ଙ୍କ ପରିଚୟ ବଦଳାଇଦେଲେ ମହିଳା କ୍ରିକେଟର ଅର୍ଚ୍ଚନା ଦେବୀ। ସ୍ବାମୀ ଓ ପୁଅର ମୃତ୍ୟୁ ପରେ ଅର୍ଚ୍ଚନାଙ୍କ ମା’ଙ୍କୁ  ଲୋକେ ଡାହାଣୀ ବୋଲି କହୁଥିଲେ। ପରିବାରକୁ ଖାଇବା ପରେ ଝିଅ ଅର୍ଚ୍ଚନାକୁ ଭୁଲ ବାଟରେ ଛାଡ଼ିଦେଇଥିବା ଲୋକେ କହୁଥିବା ବେଳେ ଆଜି ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ଅର୍ଚ୍ଚନା। ସେମାନଙ୍କୁ ନିଜ କଥାରେ ନୁହେଁ ନିଜ କାମରେ ଅର୍ଚ୍ଚନା ଜବାବ ଦେଇଛନ୍ତି।

ଆଜି ଆମେ ଯେଉଁ ଅର୍ଚ୍ଚନାଙ୍କ କଥା କହୁଛୁ ସେ ୧୯ ବର୍ଷରୁ କମ୍ ଭାରତୀୟ ମହିଳା କ୍ରିକେଟ ଦଳର ଜଣେ ଜଣାଶୁଣା କ୍ରିକେଟର। ୧୯ ବର୍ଷରୁ କମ୍ ଭାରତୀୟ ମହିଳା କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୩ ଜିତି ଇତିହାସର ପୃଷ୍ଠାରେ ନିଜର ନାମ ପଞ୍ଜିକରଣ କରିଛନ୍ତି। ରବିବାର (ଜାନୁଆରି ୨୯)ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ୭ୱିକେଟ୍ ନେଇ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ଦଳର ଏହି ବିଜୟରେ ଅର୍ଚ୍ଚନା ଦେବୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଠାରେ ପହଞ୍ଚିବା ପାଇଁ ତାଙ୍କ ମା’ ଓ ସେ କରିଥିବା ସଂଘର୍ଷର କାହାଣୀ ଆଜି ଆମେ ଆପଣଙ୍କୁ ଜଣାଇବୁ। ୧୮ବର୍ଷୀୟ ଅର୍ଚ୍ଚନା ଦେବୀଙ୍କ କ୍ରିକେଟ୍ ଯାତ୍ରା ଆଦୌ ସହଜ ନଥିଲା। ଏହି ସଫଳତା ପଛରେ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ କଷ୍ଟ ସହିବାକୁ ପଡ଼ିଛି। ଉନ୍ନାଓ ଜିଲ୍ଲାର ଏକ ଛୋଟ ଗାଁରେ ଜନ୍ମ ହୋଇଥିବା ଅର୍ଚ୍ଚନାଙ୍କୁ ଯେତେବେ‌ଳେ ଚାରି ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଲୋ‌କେ ଅର୍ଚ୍ଚନାଙ୍କ ମା’ଙ୍କୁ ଡାହାଣୀ ବୋଲି କହିବା ଆରମ୍ଭ କରିଥିଲେ। ଏହି ଦୁଃଖ ପରିବାର ଭୁଲିନଥିବା ବେଳେ ଛଅ ବର୍ଷ ପୂର୍ବେ ସାପ କାମୁଡ଼ିବା କାରଣରୁ ଅର୍ଚ୍ଚନାଙ୍କ ଭାଇ ମଧ୍ୟ ମୃତ୍ୟୁବରଣ କରିଥିଲେ। ସ୍ବାମୀ ଓ ପୁଅ ଯିବା ପରେ ଅର୍ଚ୍ଚନାଙ୍କ ମା’ ଝିଅର ସ୍ବପ୍ନ ପୂରଣ କରିବାକୁ ଅଣ୍ଟା ଭିଡିଥିଲେ। ଝିଅ କ୍ରିକେଟର ହେବାକୁ ଚାହୁଁଥିବା ଜାଣି ତାଙ୍କ ମା’ ଦିନ ମଜୁରିଆ ଭାବେ କାମ କରି ଝିଅକୁ ଆଗକୁ ବଢ଼ିବ‌ାକୁ କହିଥିଲେ।

ମା’ ଏତେ ପରିଶ୍ରମ କରୁଥିବା ଦେଖି ନିଜ ସ୍ବପ୍ନକୁ ମାରିନଦେଇ ଆଗକୁ ବଢ଼ିଥିଲେ ଅର୍ଚ୍ଚନା। ପ୍ରଶିକ୍ଷଣ ସମୟରେ ଅର୍ଚ୍ଚନା ବାହାରକୁ ଯାଉଥିବାରୁ ଝିଅକୁ ଭୁଲ ବାଟରେ ଛାଡୁଛି ବୋଲି କହି ତାଙ୍କ ମା’ଙ୍କୁ ଅନେକ ଅପମାନଜନକ କଥା କହୁଥିଲେ ଲୋକେ। ହେଲେ ସେସବୁକୁ ଧ୍ୟାନ ନଦେଇ ଉଭୟ ଅର୍ଚ୍ଚନା ଓ ତାଙ୍କ ମା’ ଆଗକୁ ବଢ଼ିଥିଲେ, ଯାହାର ଫଳସ୍ବରୂପ ଆଜି ଅର୍ଚ୍ଚନା ଭାରତର ଗୌରବ ପାଲଟିଛନ୍ତି।

ସମ୍ବନ୍ଧିତ ଖବର