ମୁମ୍ବାଇ: ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କୁ କିଏ ବା ଜାଣନ୍ତି ନାହିଁ? ବ୍ୟବସାୟ ଜଗତର ସମ୍ରାଟ ଟାଟାଙ୍କ ବିଷୟରେ କାହାକୁ ବି ଅଛପା ନାହିଁ। ହେଲେ ଆପଣ ତାଙ୍କ ସାନ ଭାଇ ଜିମି ନାଭାଲ୍‌ ଟାଟାଙ୍କ ବିଷୟରେ ଜାଣିଛନ୍ତି କି?

Advertisment

ଜଣେ ବିଶିଷ୍ଠ ଶିଳ୍ପପତିଙ୍କ ଭାଇ ହୋଇ ମଧ୍ୟ ସେ ଲାଇମଲାଇଟରୁ ଦୂରେଇ ରହି ଏକ ସରଳ ଜୀବନଯାପନ କରୁଛନ୍ତି। ରତନ ଟାଟାଙ୍କ ସାନଭାଇ ଜିମିଙ୍କ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଆପଣ ଜାଣିଥିବେ ଯେ ରତନ ଟାଟା ଅବିବାହିତ। ସେ ତାଙ୍କ ପରିବାରର ‌ଲୋକଙ୍କର ଅତି ନିକଟତର। ରତନ ଟାଟା ତାଙ୍କ ସାନଭାଇ ଜିମିଙ୍କୁ ଖୁବ୍‌ ଆଦର କରନ୍ତି। କିନ୍ତୁ ଏହା ଏକ ଚକିତ କରିବା ପରି କଥା ଯେ ରତନ ଟାଟାଙ୍କ ସାନଭାଇ ହୋଇ ଜିମି ଅତି ନିରାଡ଼ମ୍ବର ଜୀବନ ବିତାନ୍ତି। ସେ ଲାଇମଲାଇଟ୍ ରହନ୍ତି ନାହିଁ ଏବଂ ସୋସିଆଲ୍ ମିଡିଆଠାରୁ ବି ବେଶ୍ ଦୂରତା ବଜାୟ ରଖିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ରତନ ଟାଟା ଏବଂ ଜିମି ନାଭାଲ ଟାଟାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ୧୯୪୫ରେ ଉଠା ଯାଇଥିଲା। ଏହି କଳାଧଳା ଯୁଗର ଫଟୋରେ ଉଭୟ ଭାଇ ବହୁତ ସାନ ଦେଖାଯାଉଛନ୍ତି।

ଜିମି ନାଭାଲ ଟାଟା ମୁମ୍ବାଇର କୋଲାବାସ୍ଥିତ ଏକ ଛୋଟ ଘରେ ରହନ୍ତି। ସ୍ମାର୍ଟ ଡିଭାଇସ୍ ଯୁଗରେ, ଜିମିଙ୍କ ଘରେ ଟିଭି ରହିବା ତ ଦୂର କଥା, ମୋବାଇଲ୍ ଫୋନ୍ ମଧ୍ୟ ନାହିଁ। ଜିମି ନାଭାଲ ତାଙ୍କ ପିତା ନାଭାଲ ଟାଟାଙ୍କ ଅଧୀନରେ ଥିବା ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କରିଥିଲେ। ସେ ଅନେକ ଟାଟା କମ୍ପାନିରେ କାମ କରୁଥିଲେ ଏବଂ ୯୦ ଦଶକରେ ଅବସର ନେଇଥିଲେ। ସେବେଠାରୁ ସେ ଅତ୍ୟନ୍ତ ସରଳ ଜୀବନଯାପନ ଆରମ୍ଭ କରିଛନ୍ତି।