ଏମ୍‌ ନାଗେଶ୍ବର ରାଓ କିଏ?

ଆରମ୍ଭରୁ ବିବାଦ

ମନ୍ନେମ୍‌ ନାଗେଶ୍ବର ରାଓ ହେଉଛନ୍ତି ଓଡ଼ିଶା କ୍ୟାଡର୍‌ର ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ। ତାଙ୍କ ଘର ତେଲେଙ୍ଗାନାର ୱାରାଙ୍ଗଲ୍‌ ଜିଲ୍ଲାରେ। ହାଇଦ୍ରାବାଦସ୍ଥିତ ଓସ୍‌ମାନିଆ ୟୁନିଭର୍ସିଟିରୁ ସେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି। ୧୯୮୬ରେ ଭାରତୀୟ ପୁଲିସ ସେବାରେ ଯୋଗଦେବା ପୂର୍ବରୁ ସେ ମାଡ୍ରାସ ଆଇଆଇଟିରେ ଗବେଷଣା କରିଥିଲେ। ୨୦୧୬ ଏପ୍ରିଲ୍‌ ୭ ତାରିଖରେ ରାଓ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ୫ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ରାଓ ଓଡ଼ିଶା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ରହିଥିଲେ। ଏହା ବ୍ୟତୀତ ଓଡ଼ିଶାର ୪ଟି ଜିଲ୍ଲା ଯଥା ମୟୂରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତ୍‌ସିଂହପୁରର ପୁଲିସ ଅଧୀକ୍ଷକ (ଏସ୍‌ପି) ଭାବେ ରାଓ କାର୍ଯ୍ୟ କରିଛନ୍ତି। ଏହାଛଡ଼ା କ୍ରାଇମ୍‌ ବ୍ରାଞ୍ଚ୍‌ ଏସ୍‌ପି ଭାବେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିଛନ୍ତି। ୧୯୯୬ରେ ଜଗତ୍‌ସିଂହପୁରରେ ଏକ ଦୁଷ୍କର୍ମ ମାମଲାରେ ଓଡ଼ିଶାରେ ପ୍ରଥମ ଅଧିକାରୀ ଭାବେ ରାଓ ଡିଏନ୍‌ଏ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରି ଚର୍ଚ୍ଚାକୁ ଆସିଥିଲେ। ଏହାବ୍ୟତୀତ ରାଓ ଓଡ଼ିଶା ଅଗ୍ନିଶମ ସେବାର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଉନ୍ନତ ସେବା ନିମନ୍ତେ ତାଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ସିବିଆଇରେ ଅନ୍ତଃକନ୍ଦଳ ଯୋଗୁ ତାଙ୍କୁ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସ୍ଥାନରେ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଆରମ୍ଭରୁ ବିବାଦ

ଏମ୍‌ ନାଗେଶ୍ବର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାଓଙ୍କ ସ୍ବଚ୍ଛତା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ କରିଛି। ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ନାଗେଶ୍ବର ରାଓଙ୍କୁ ଜଣେ ଦୁର୍ନୀତିଖୋର ଅଧିକାରୀ ବୋଲି ଦାବି କରିଛନ୍ତି। ଟ୍ବିଟର୍‌ରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ରାଓ ବେଆଇନ ଭାବେ ଅନେକ ସମ୍ପତ୍ତି ହାସଲ କରିଛନ୍ତି। ରାଓ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଦୁର୍ନୀତି ମାମଲା ଉପରେ ପରଦା ଘୋଡ଼ାଇଛନ୍ତି। ପ୍ରମାଣ ସ୍ବରୂପ ପ୍ରଶାନ୍ତ ଭୂଷଣ ରାଓଙ୍କ କଳା କାରନାମା ସମ୍ପର୍କିତ ଏକ ତାମିଲ ପୋର୍ଟାଲ୍‌ ଲିଙ୍କ୍ ପୋଷ୍ଟ ମଧ୍ୟ କରିଛନ୍ତି। ଉକ୍ତ ପୋର୍ଟାଲ୍‌ରେ ରାଓଙ୍କୁ ଜଣେ ଦୁର୍ନୀତିଖୋର ଅଧିକାରୀ ଭାବେ ବିବେଚନା କରାଯାଇଛି। ୱାରାଙ୍ଗଲ୍‌ର ବାସିନ୍ଦା ‌େହାଇଥିବାରୁ ରାଓ ତାମିଲନାଡୁର ଅନେକ ତେଲୁଗୁ ସମ୍ପ୍ରଦାୟ ଅଧିକାରୀଙ୍କ ସହିତ ସହଜରେ ମିଶିପାରିଥିଲେ। ନାଗେଶ୍ବର ରାଓ ଏବଂ ରାମ ମୋହନ ରାଓ ମିଳିତ ଭାବେ ଚେନ୍ନାଇର ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ବିରୋଧରେ ଆସିଥିବା ମାମଲାକୁ ଚାପି ଦେଇଥିଲେ। ଭିଜିଏନ୍‌ ମାମଲାରେ ରାଜକୋଷକୁ ମାତ୍ର ୫୩.୫୦ କୋଟି ଟଙ୍କା କ୍ଷତି ଘଟିଥିବା ମାଡ୍ରାସ ହାଇକୋର୍ଟଙ୍କୁ ସିବିଆଇ ଜଣାଇଥିଲା। ସିବିଆଇ ଯଦି ମାମଲ‌ାରେ ସ୍ବଚ୍ଛ ଭାବେ ତଦନ୍ତ କରିଥାନ୍ତା, ସ୍କାମ୍‌ର ପର୍ଦ୍ଦାଫାସ ହୋଇଥାନ୍ତା ବୋଲି ଉକ୍ତ ପୋର୍ଟାଲ୍‌ରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର