ନୂଆଦିଲ୍ଲୀ: ପ୍ରତ୍ୟେକ ଦେଶରେ ଭଗବାନଙ୍କ ପୂଜା କରିବାର ପଦ୍ଧତି ଭିନ୍ନ। କିଛି ଲୋକ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରୁଥିବା ବେଳେ କିଛି ଲୋକ ଭଗବାନଙ୍କ ଫଟୋକୁ ପୂଜା କରୁଥିବା ଦେଖାଯାଏ। ବିଶ୍ୱର ପ୍ରତ୍ୟେକ କୋଣରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଏବେ ମା’ ଦୁର୍ଗା ଧରାପୃଷ୍ଠକୁ ଆସି ପୂଜା ପାଉଛନ୍ତି। ନବରାତ୍ରି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ମା’ଙ୍କର ପୂଜା କରାଯାଉଛି। ଭାରତର ପଡ଼ୋଶୀ ଦେଶ ନେପାଳରେ ମା’ ଦୁର୍ଗାଙ୍କ ପୂଜା ଭିନ୍ନ ଭାବରେ କରାଯାଉଥିବା ସାମ୍ନାକୁ ଆସିଛି, ଯାହା ବହୁତ ପ୍ରସିଦ୍ଧ। ନେପାଳରେ କୌଣସି ମୂର୍ତ୍ତି ବା ଫଟୋକୁ ପୂଜା କରିବା ପରିବର୍ତ୍ତେ ଲୋକେ କୁମାରୀମାନଙ୍କୁ ଜୀବନ୍ତ ଦେବୀ ଭାବରେ ପୂଜା କରନ୍ତି, ଯାହାକୁ "କୁମାରୀ" କୁହାଯାଏ। ଏହି କୁମାରୀ ଦେବୀଙ୍କୁ ଭୂମିରେ ପାଦ ରଖିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ। ଆଜି ଆମେ ପଡ଼ୋଶୀ ଦେଶର ଏହି ଭିନ୍ନ ଏବଂ ପ୍ରସିଦ୍ଧ ପରମ୍ପରା ବିଷୟରେ ଆପଣଙ୍କୁ ଜଣାଇବୁ।

Advertisment

ନେପାଳର କୁମାରୀ ଦେବୀ କିଏ?

କୁମାରୀ ଦେବୀଙ୍କୁ ନେପାଳର ଜଣେ ଜୀବନ୍ତ ଦେବୀ ଭାବରେ ବିବେଚନା କରାଯାଏ। ନେପାଳୀ ଲୋକମାନେ ବିଶ୍ୱାସ କରନ୍ତି ଯେ, କୁମାରୀ ଦେବୀ ହେଉଛନ୍ତି ଦେବୀ ଦୁର୍ଗା କିମ୍ବା ତଲେଜୁ ଭବାନୀଙ୍କ ଜୀବନ୍ତ ଅବତାର। ଏହା ନେୱାରି ସମ୍ପ୍ରଦାୟର ଏକ ପ୍ରାଚୀନ ଏବଂ ଅନନ୍ୟ ଧାର୍ମିକ ପରମ୍ପରା, ଯାହା ନେପାଳରେ ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ସଙ୍ଗମକୁ ପ୍ରତିଫଳିତ କରେ। ନେପାଳୀ କୁମାରୀମାନଙ୍କୁ ଶାରୀରିକ ଏବଂ ଜ୍ୟୋତିଷ ମାନଦଣ୍ଡ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରତିଯୋଗିତାରେ ଚୟନ କରାଯାଏ। କୁମାରୀମାନଙ୍କ ଋତୁସ୍ରାବ ଆରମ୍ଭ ହୋଇଗଲେ ସେମାନଙ୍କୁ ଦେବୀ ଭାବରେ ପୂଜା କରାଯାଏ ନାହିଁ।

ପ୍ରତିବର୍ଷ ନେପାଳରେ ଇନ୍ଦ୍ର ଯାତ୍ରା ପର୍ବ ମହା ଆଡମ୍ବରରେ ପାଳନ କରାଯାଏ, ଏବଂ ଏହି ପର୍ବ ସମୟରେ କାଠମାଣ୍ଡୁର ଜୀବନ୍ତ ଦେବୀ ଅର୍ଥାତ୍ କୁମାରୀ ଦେବୀଙ୍କ ପୂଜା କରାଯାଏ। ଏହି ପର୍ବ ସମୟରେ, ଭଗବାନ ବିଷ୍ଣୁଙ୍କ ୧୦ଅବତାରକୁ ଆଠ ଦିନ ପାଇଁ କୁମାରୀ ଦେବୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଏ। ଏହି ପରମ୍ପରାରେ, ନେପାଳର ଲୋକମାନେ ଜଣେ କୁମାରୀଙ୍କୁ ଦେବୀ ଭାବରେ ବାଛି ପୂଜା କରନ୍ତି। 

କୁମାରୀଙ୍କୁ କିପରି ଚୟନ କରାଯାଏ?

ବୌଦ୍ଧ ଶାକ୍ୟ ସମ୍ପ୍ରଦାୟର କୁମାରୀଙ୍କ ମଧ୍ୟରୁ ଜଣଙ୍କୁ କୁମାରୀ ଦେବୀ ଭାବେ ଚୟନ କରାଯାଏ। ଝିଅଟିର ଶରୀରରେ କୌଣସି ସମସ୍ୟା ନଥିବା ସହ ତାଙ୍କର ଲକ୍ଷଣ ଦେବୀ ଦୁର୍ଗାଙ୍କ ପରି ହେଲେ ଯାଇ ତାଙ୍କୁ କୁମାରୀ ଦେବୀ ଭାବେ ବଛାଯାଏ। ତା'ପରେ ଡରାଉଥିବା ଜିନିଷ ରଖାଯାଇ ତାଙ୍କୁ ଏକ ଅନ୍ଧାର କୋଠରୀରେ ବସାଇ ଦିଆଯାଏ। ଯଦି ସେ ଅନ୍ଧାର ଭିତରେ ନିର୍ଭୀକ ରହନ୍ତି, ତେବେ ତାଙ୍କୁ କୁମାରୀ ଦେବୀ ଭାବେ ବାଛି ନିଆଯାଏ। ବର୍ତ୍ତମାନ, ତୃଷ୍ଣା ଶାକ୍ୟ ହେଉଛନ୍ତି ନେପାଳର କୁମାରୀ ଦେବୀ।

ଭୂମିରେ ପାଦ ରଖିବାକୁ କରାଯାଏ ମନା

କୁମାରୀ ଭାବରେ ମନୋନୀତ ହେବା ପରେ, କୁମାରୀ ଦେବୀଙ୍କୁ ଭୂମି ସ୍ପର୍ଶ କରିବାକୁ ଅନୁମତି ନଥାଏ। ସେ ସର୍ବଦା ତାଙ୍କ ସିଂହାସନ କିମ୍ବା ପାଲିଙ୍କିରେ ବସନ୍ତି। କାରଣ ଲୋକମାନେ ତାଙ୍କୁ ଦେବୀ ଏବଂ ଭୂମିକୁ ଦେବତା ବୋଲି ମାନିଥାନ୍ତି। ତେଣୁ, କୁମାରୀ ଦେବୀଙ୍କୁ ଅନ୍ୟ କୌଣସି ଦେବତାଙ୍କୁ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ ନାହିଁ। କୁମାରୀ ଦେବୀ ବର୍ଷକୁ ପ୍ରାୟ ୧୩ଥର ତାଙ୍କ ଘରୁ ବାହାରକୁ ଆସନ୍ତି। ଏହି ପ୍ରଥା ନେପାଳରେ ମଲ୍ଲ ରାଜବଂଶ ସମୟରେ ଆରମ୍ଭ ହୋଇଥିଲା ଏବଂ କାଠମାଣ୍ଡୁ, ପାଟନ ଏବଂ ଭକ୍ତପୁର ଭଳି ସହରରେ ଏବେ ବି ପ୍ରଚଳିତ।

କୁମାରୀଙ୍କ ପଦବୀ କେତେ ଦିନ ପାଇଁ ରହେ?

କୁମାରୀ ଦେବୀଙ୍କ ସେବା ସେତେବେଳେ ଶେଷ ହୁଏ, ଯେତେବେଳେ ତାଙ୍କର ପ୍ରଥମ ଋତୁସ୍ରାବ ହୁଏ। ଏହା ବ୍ୟତୀତ, ଅନ୍ୟ କୌଣସି କାରଣରୁ ରକ୍ତସ୍ରାବ ହେଲେ କିମ୍ବା ଜଣେ ଗୁରୁତର ଅସୁସ୍ଥ ହେଲେ ମଧ୍ୟ କୁମାରୀ ଦେବୀଙ୍କ ସେବା ଶେଷ କରିଦିଆଯାଏ।

Nepal | kumari-goddess