ନୂଆଦିଲ୍ଲୀ: ଚର୍ଚ୍ଚାରେ ୨୪ବର୍ଷୀୟ ସଙ୍କର୍ଷ ଚନ୍ଦା। ଲାଇମଲାଇଟଠାରୁ ଦୂରରେ ରହି ମଧ୍ୟ ୧୦୦କୋଟିର ମାଲିକ ହୋଇପାରିଛନ୍ତି ସଙ୍କର୍ଷ। ସାଧାସିଧା ପୋଷାକ ପିନ୍ଧୁଥିବା ଓ ସରଳ ଜୀବନ ବଞ୍ଚୁଥିବା ସଙ୍କର୍ଷଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ଯେ ସେ ଏତେ କମ ବୟସରେ ଏତେ କୋଟି ଟଙ୍କା ଆୟ କରିଛନ୍ତି। ଯେଉଁ ବୟସରେ ପିଲମାନେ ଫିଲ୍ମ ଦେଖିବା, ଖେଳିବା ଏବଂ ଖାଇବାରେ ସମୟ ଅତିବାହିତ କରନ୍ତି, ସେହି ବୟସରେ ସଙ୍କର୍ଷ ୧୦୦କୋଟି ଟଙ୍କାର ମାଲିକ ହେବା ଛୋଟ କଥା ନୁହେଁ। ତେବେ ଆପଣ ଭାବୁଥିବେ ସଙ୍କର୍ଷ ଏତେ କମ ବୟସରୁ ଏତେ କୋଟି ଟଙ୍କାର ମାଲିକ ହେ‌ଲେ କିପରି? ଆସନ୍ତୁ ଜାଣିବା ତାଙ୍କ ସଫଳତା ବିଷୟରେ...

Advertisment

ସଙ୍କର୍ଷ ସେୟାର ବଜାରରୁ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି। ସଙ୍କର୍ଷ ଚନ୍ଦାଙ୍କ ବୟସ କମ ହୋଇଥିଲେ ବି ଷ୍ଟକ୍ ମାର୍କେଟର ଚକ୍ରବ୍ୟୁହକୁ ଭଲ ଭାବରେ ବୁଝନ୍ତି। ହାଇଦ୍ରାବାଦରେ ରହୁଥିବା ସଙ୍କର୍ଷ ୧୭ବର୍ଷ ବୟସରେ କାରବାର ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। କେଉଁ ଷ୍ଟକରେ କେବେ ବିନିଯୋଗ କରିବେ, କେତେ ଟଙ୍କା ବିନିଯୋଗ କରିବେ ଏବଂ କେତେବେଳେ ଟଙ୍କାକୁ ଫେରାଇ ଆଣିବେ, ତାହା ସଙ୍କର୍ଷ ଭଲଭାବେ ଜାଣନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ଲିଟିଲ ଝୁନଝୁନୱାଲା ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି। ରାକେଶ ଝୁନଝୁନୱାଲାଙ୍କୁ ସେୟାର ବଜାରର କିଙ୍ଗ୍ ବୋଲି କୁହାଯାଉଥିଲା। ଏବେ ସଙ୍କର୍ଷଙ୍କ ସଫଳତା ଦେଖି ତାଙ୍କୁ ଝୁନଝୁନୱାଲାଙ୍କ ସହ ତୁଳନା କରାଯାଉଛି।

ସୂଚନା ମୁତାବକ, ୨୦୧୬ ମସିହାରେ ଗ୍ରେଟର ନୋଏଡାରେ ବି.ଟେକ୍ ପଢ଼ୁଥିବା ବେଳେ ସଙ୍କର୍ଷ ସେୟାର ବଜାର ଏବଂ ଟ୍ରେଡିଙ୍ଗ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଆମେରିକାର ଅର୍ଥନୀତିଜ୍ଞ ବେଞ୍ଜାମିନ୍ ଗ୍ରାହମଙ୍କ ଏକ ପ୍ରବନ୍ଧ ପଢ଼ିବା ପରେ ସେ ସେୟାର ବଜାରକୁ ଭଲ ଭାବରେ ବୁଝିବା ଆରମ୍ଭ କରିଥିଲେ। ସେୟାର ବଜାରକୁ ନେଇ ଆଗ୍ରହ ଏତେ ବଢ଼ିଗଲା ଯେ ସେ ତାଙ୍କର ବି.ଟେକ୍ ପାଠ ଅଧାରୁ ଛାଡ଼ିଦେଲେ। ପ୍ରଥମେ ସେ ସେୟାର ବଜାରରେ  ୨୦୦୦ଟଙ୍କା ବିନିଯୋଗ କରିଥିଲେ ବୋଲି ଜଣାପଡ଼ିଛି। ପ୍ରାୟ ୨ବର୍ଷ ମଧ୍ୟରେ ସେ ୧.୫ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ଏହି ୧.୫ଲକ୍ଷ ଟଙ୍କା ଦୁଇ ବର୍ଷ ମଧ୍ୟରେ ୧୩ଲକ୍ଷ ଟଙ୍କାରେ ପରିଣତ ହୋଇଥିଲା।

ଏହା ପରେ ସେ ସାବର୍ଟ ନାମରେ ନିଜର ଏକ ଫିନଟେକ୍ କମ୍ପାନି ଆରମ୍ଭ କରିଥିଲେ। ଏହି କମ୍ପାନି ମାଧ୍ୟମରେ ସେ ଲୋକଙ୍କୁ ଷ୍ଟକ୍ ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ବଣ୍ଡରେ ବିନିଯୋଗ କରିବାରେ ସାହାଯ୍ୟ କରିଥିଲେ। ଏହି ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ସେ ୮ଲକ୍ଷ ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିଲେ ବୋଲି ଜଣାପଡ଼ିଛି। ତେବେ ଷ୍ଟାର୍ଟଅପରୁ ମିଳୁଥିବା ଟଙ୍କାକୁ ସେ ସେୟାର ବଜାରରେ ନିବେଶ କରି ଆଜି ୧୦୦କୋଟିର ମାଲିକ ‌ହୋଇପାରିଛନ୍ତି।